Unknown

 

 

 

 

 

 

 

 

 

 

 

ଶବ୍ଦଶତକ

ଚିତ୍ତରଞ୍ଜନ ଦାସ

 

ମୁଖବନ୍ଧ

 

‘‘ଶବ୍ଦଶତକ’’ ଏକ ଅନବଦ୍ୟ ଉଦ୍ୟମର ରୂପାୟନ । ଶ୍ରୀ ଅରବିନ୍ଦ ଓ ମାଆଙ୍କ ଦୃଷ୍ଟି ତଥା ଦର୍ଶନରେ ଆଗ୍ରହ ଏବଂ ଅନୁରାଗ ରଖିଥିବା ଭଉଣୀ ଓ ଭାଇମାନଙ୍କ ପାଇଁ ଏହାର ଆତ୍ମପ୍ରକାଶ ଅତ୍ୟନ୍ତ ଆନନ୍ଦର ବିଷୟ । ଶ୍ରୀଅରବିନ୍ଦ ଓ ମାଆ,–ଉଭୟ ପୃଥିବୀପୃଷ୍ଠରେ ଦିବ୍ୟଜୀବନର ଉଦ୍‌ଗାତା, ଏକ ନୂତନ ସତ୍ୟଚେତନାର ବାର୍ତ୍ତାବହ, ଏକ ସମୁଜ୍ଜ୍ୱଳ ଭବିଷ୍ୟତର ଦିବ୍ୟଦ୍ରଷ୍ଟା ଏବଂ ରୂପକାର । ସେମାନଙ୍କର ମତରେ ଆକସ୍ମିକତା କଦାପି ଏହି ସୃଷ୍ଟିର କାରଣ ନୁହେଁ । ଏକ ପରମ ପ୍ରଜ୍ଞା ଓ ଈଶ୍ୱରୀୟ ଇଚ୍ଛାଶକ୍ତିର ଯୋଜନା ଅନୁଯାୟୀ ଏଠାରେ ସଂଘଟିତ ହେଉଛି ଚେତନାର ଅବଗୁଣ୍ଠନ ତଥା ଅନବଗୁଣ୍ଠନର ଲୀଳା । ପରମ ଆଦିଚେତନା ସତେଅବା ନିଜ ସହିତ ନିଜେ ଲୁଚକାଳି ଖେଳିବାରେ ଲାଗିଛନ୍ତି । ସଂବର୍ତ୍ତନ (involution)ର ପ୍ରକ୍ରିୟାରେ ସିଏ ନିଜକୁ ଲୁଚାଇ ଦେଉଛନ୍ତି, ପୁଣି ବିବର୍ତ୍ତନ (evolution)ର ମାଧ୍ୟମରେ ନିଜକୁ ମୁକୁଳିତ ଓ ପ୍ରକାଶିତ କରି ଆଣୁଛନ୍ତି । ସେହି କ୍ରମବିକାଶର ଧାରାରେ ନିଶ୍ଚେତନରୁ ଜଡ଼, ଜଡ଼ରୁ ଉଦ୍ଭିଦ ଓ ପ୍ରାଣୀ, ଏବଂ ପ୍ରାଣୀମାନଙ୍କ ମଧ୍ୟରୁ ମନୁଷ୍ୟଜାତିର ଉଦ୍‌‌ବର୍ତ୍ତନ ସମ୍ଭବ ହୋଇଛି । ବିବର୍ତ୍ତନର ଏହି ଊର୍ଦ୍ଧ୍ୱାୟିତ ଧାରା ବର୍ତ୍ତମାନର ମନୁଷ୍ୟପର୍ଯ୍ୟାୟରେ ଅଟକି ନଯାଇ ଏହାକୁ ଅତିକ୍ରମ କରିବ ଏବଂ ଫଳରେ ପୃଥିବୀରେ ଆବିର୍ଭୂତ ହେବ ଏକ ନୂତନ ମାନବଗୋଷ୍ଠୀ । ଜଡ଼, ପ୍ରାଣ ଏବଂ ମନ ପରେ ଆଉ ଏକ ଅଭିନବ ଚେତନାର ଉନ୍ମେଷ ଘଟିବ । ଏବଂ ତାହାରି ବଳରେ ଏଠାରେ ସବୁକିଛି କ୍ରମଶଃ ସୁନ୍ଦର, ସଂଗତିଯୁ‌କ୍ତ ଓ ମଙ୍ଗଳମୟ ହୋଇଉଠିବ । ମାନବସଭ୍ୟତାର ସକଳ ବିଭବ, ବିଜ୍ଞାନ, ରାଜନୀତି, ଅର୍ଥନୀତି, ଶାସନ ଓ ବିଧିବ୍ୟବସ୍ଥା, ଧର୍ମ, ସାହିତ୍ୟ, କଳା ଓ ସଂସ୍କୃତି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଫଳିତ ହେବ ସେହି ପ୍ରଶସ୍ତ ଚେତନା । ଏକ ଆଧ୍ୟାତ୍ମିକ ଯୁଗର ପ୍ରତିଷ୍ଠା ହେବ । ଜଡ଼ ଚିନ୍ମୟର ଦ୍ୟୋତକ ହେବ ଏବଂ ପାର୍ଥିବ ପ୍ରକୃତି ଦିବ୍ୟଜୀବନରେ ରୂପାନ୍ତରିତ ହେବ ।

 

ଏହିଭଳି ଏକ ନୂତନ ଭବିଷ୍ୟଚିତ୍ରରେ ଶ୍ରୀଅରବିନ୍ଦ ଏବଂ ମାଆଙ୍କର ସମଗ୍ର ସାହିତ୍ୟକୃତି ଭାସ୍ୱର ହୋଇ ରହିଛି । ସେମାନଙ୍କର ରଚିତ ପ୍ରତ୍ୟେକ ଗ୍ରନ୍ଥରେ ସେମାନେ ଆମ ଅତୀତ ଓ ବର୍ତ୍ତମାନର ବିସ୍ତାରିତ ବିଶ୍ଳେଷଣ କରିଛନ୍ତି । ଅତୀତର ଯାବତୀୟ ନିଗଡ଼ରୁ ମୁକ୍ତ ହୋଇ, ତାହାର ପ୍ରେରଣାଦାୟକ ନିର୍ଯ୍ୟାସକୁ ନେଇ ଏକ ଅନ୍ୟ ଭବିଷ୍ୟତ ପାଇଁ ବର୍ତ୍ତମାନର ଭୂମିଟିକୁ ପ୍ରସ୍ତୁତ କରିବାଲାଗି ଉଭୟେ ଘୋଷଣା କରିଛନ୍ତି । ଭବିଷ୍ୟତର ସମ୍ଭାବନାସକଳକୁ ଆପଣାର ସାଧନାବଳରେ ସାକାର କରି ଆଣିବାର ଯେଉଁ ଅନନ୍ୟ ଅନୁଭୂତି, ତାହାର ପ୍ରାଞ୍ଜଳ ଆଲେଖ୍ୟ ମଧ୍ୟ ସେହି ରଚନାଗୁଡ଼ିକରେ ସର୍ବତ୍ର ରହିଛି ।

 

ମାଆ ସ୍ୱୟଂ ସ୍ୱୀକାର କରିଛନ୍ତି ଯେ, ତାଙ୍କର ରଚନାଗୁଡ଼ିକ ଅପେକ୍ଷାକୃତ ସରଳ ଏବଂ ସିଧାସଳଖ । ଶ୍ରୀଅରବିନ୍ଦଙ୍କଦ୍ୱାରା ରଚିତ ପୁସ୍ତକଗୁଡ଼ିକ ବହୁଅଧ୍ୟୟନ–ପ୍ରସୂତ, ନାନା ଆଧ୍ୟାତ୍ମିକ ରହସ୍ୟାନୁଭୂତିଦ୍ୱାରା ପରିପୂର୍ଣ୍ଣ । ଶ୍ରୀଅରବିନ୍ଦଙ୍କ ଲେଖାରେ ବ୍ୟବହୃତ ଶବ୍ଦାବଳୀ ଅନେକ ସମୟରେ ପାରମ୍ପରିକ ଅର୍ଥବ୍ୟଞ୍ଜନା ବର୍ଜିତ । ସେହି ପରିପ୍ରେକ୍ଷୀରେ ‘ଶବ୍ଦଶତକ’ର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଶ୍ରୀଅରବିନ୍ଦ ଏବଂ ମାଆଙ୍କର ରଚନାସମୁଦ୍ରକୁ ପ୍ରବେଶ କରିବାରେ ଏହା ପାଠକବନ୍ଧୁମାନଙ୍କର ବହୁତ ସହାୟକ ହେବ ।

 

‘ଶବ୍ଦଶତକ’ର ଲେଖକ ସ୍ୱନିର୍ବାଚିତ ଶହେଟି ଶବ୍ଦର ସୂଚନାଧର୍ମୀ ବ୍ୟାଖ୍ୟା ଦେବାକୁ ଚେଷ୍ଟା କରିଛନ୍ତି । ଶ୍ରୀ ଅରବିନ୍ଦଙ୍କର ଦାର୍ଶନିକ ତତ୍ତ୍ୱଗୁଡ଼ିକୁ ସିଏ ସରଳ ଓଡ଼ିଆ ଭାଷାରେ ବାଢ଼ି ଦେଇଛନ୍ତି । ଏହାକୁ ଏକ ଅଭିନବ ପ୍ରୟାସ ବୋଲି କୁହାଯାଇପାରିବ । ଆଶ୍ରମର ବିଶିଷ୍ଟ ସାଧକ ଶ୍ରୀ ସାଧକ ପଣ୍ଡିତଙ୍କଦ୍ୱାରା ସଂକଳିତ Dictionary of Sri Aurobindo’s Yoga ଏବଂ SABDA ଆନୁକୂଲ୍ୟରେ ପ୍ରକାଶିତ Glossary of Terms in Sri Aurobindo’s Writings ଇଂରାଜୀ ପୁସ୍ତକ ଦୁଇଟିଠାରୁ ‘ଶବ୍ଦଶତକ’ ଏକ ଭିନ୍ନ ଧରଣର ସଂକଳନ । ଉଲ୍ଲିଖିତ ଇଂରାଜୀ ଗ୍ରନ୍ଥଦ୍ୱୟରେ ସନ୍ନିବେଶିତ ଶବ୍ଦଚୟର ବ୍ୟାଖ୍ୟା କେବଳ ଶ୍ରୀଅରବିନ୍ଦଙ୍କର ରଚନାର ଉଦ୍ଧୃତାଂଶ । କିନ୍ତୁ, ‘ଶବ୍ଦଶତକ’ର ଲେଖକ ସାଧାରଣ ପାଠକର ବୋଧଗମ୍ୟ ହେଲାଭଳି ସହଜ ଭାଷାରେ ଶବ୍ଦଗୁଡ଼ିକର ବ୍ୟାଖ୍ୟା ଉପସ୍ଥାପନ କରିଛନ୍ତି । ଆବଶ୍ୟକ ସ୍ଥଳେ ଶ୍ରୀଅରବିନ୍ଦ ଏବଂ ମାଆଙ୍କର ପ୍ରାସଙ୍ଗିକ ମହତ୍ୱପୂର୍ଣ୍ଣ ଉକ୍ତିଗୁଡ଼ିକୁ ଉଦ୍ଧାର କରିଛନ୍ତି ଓ ଉତ୍ସ ଗ୍ରନ୍ଥଗୁଡ଼ିକର ସୂଚନା ମଧ୍ୟ ଦେଇଛନ୍ତି ।

 

ଆମେ ସମସ୍ତେ ପୂର୍ଣ୍ଣାନୁରାଗ ସହିତ ଶ୍ରୀଅରବିନ୍ଦ ଓ ମାଆଙ୍କର ଲେଖାଗୁଡ଼ିକୁ ପଢ଼ିବା, ବୁଝିବା, ସେମାନଙ୍କର ବ୍ୟାଖ୍ୟା ଏବଂ ଦୃଷ୍ଟିକୋଣକୁ ସମୁଚିତ ଭାବରେ ଅନ୍ତରସ୍ଥ କରିବା, ଜିଜ୍ଞାସୁ ବନ୍ଧୁମାନଙ୍କୁ ଏହି ସମ୍ପର୍କରେ ବୁଝାଇଦେଇ ପାରିବା ଏବଂ ସର୍ବୋପରି ସେହି ରଚନାଗୁଡ଼ିକରେ ନିର୍ଦ୍ଦେଶିତ ଆଲୋକ ତଥା ସତ୍ୟର ବିଧାନ ଅନୁସାରେ ଜୀବନଟିଏ ବଞ୍ଚିବା,–ବ୍ୟକ୍ତି ଏବଂ ସମୂହ–ଚେତନାରେ ସତତ ବିକଶିତ ହୋଇ ଉଠିବା,–ଏହିଭଳି ଗୋଟିଏ ବ୍ୟାକୁଳତାବୋଧରୁ ‘ଶବ୍ଦଶତକ’ର ଜନ୍ମ । କୌଣସି ଚଳଚ୍ଚିତ୍ରର କିଞ୍ଚିତ୍‌ ଝଲକ ଯେପରି ସମଗ୍ର ଚଳଚ୍ଚିତ୍ରଟିକୁ ଦେଖିବାପାଇଁ ଦର୍ଶକମାନଙ୍କର ଆଗ୍ରହ ଓ ଉତ୍କଣ୍ଠାକୁ ଉଦ୍ଦୀପିତ କରିଆଣେ, ଏହି ଗ୍ରନ୍ଥଟି ଶ୍ରୀଅରବିନ୍ଦ ଓ ମାଆଙ୍କର ମୂଳ ରଚନାବଳୀକୁ ଅଧ୍ୟୟନ କରିବାରେ ଅନୁରୂପ ପ୍ରେରଣା ଓ ପ୍ରଚୋଦନା ଯୋଗାଇଦେବ ବୋଲି ଆଶା । ମୂଳ ରଚନାବଳୀର ବିପୁଳ ଶବ୍ଦଭଣ୍ଡାରରୁ ଏଥିରେ ମାତ୍ର ଶହେଟି ଶବ୍ଦକୁ ଚୟନ କରି ଓଡ଼ିଆ ଭାଷାରେ ପରିବେଷଣ କରାଯାଉଛି । ଏତିକି ଶବ୍ଦର ପରିଚୟ ଯଥେଷ୍ଟ ନୁହେଁ ସତ, ମାତ୍ର ଶ୍ରୀଅରବିନ୍ଦ ଓ ମାଆଙ୍କର ଅଗାଧ ସାହିତ୍ୟସମୁଦ୍ରରୁ ଆହୁରି ଅନେକ ରତ୍ନ ଆହରଣ କରିବାରେ ଏହି ଶହେଟି ଶବ୍ଦ ସହିତ ପରିଚିତି ବନ୍ଧୁମାନଙ୍କୁ ବହୁତ ସାହାଯ୍ୟ କରିବ । ଅଥବା, ଏପରି କୁହାଯାଇପାରିବ କି, ସେମାନଙ୍କର ବିଶ୍ୱଦୃଷ୍ଟି ତଥା ସମଗ୍ର ବିଚାରଧାରା ସହିତ ଆମର ପରିଚୟ ପାଇଁ ‘ଶବ୍ଦଶତକ’ ଏକ ସେତୁର ଭୂମିକା ଗ୍ରହଣ କରିପାରିବ-?

 

ଚିତ୍ତଭାଇ (ଚିତ୍ତରଞ୍ଜନ ଦାସ) ମୋତେ ପୁସ୍ତକଟିର ପ୍ରଥମ ପାଠକ ହେବାର ସୌଭାଗ୍ୟ ଯେ କେବଳ ଦେଇଛନ୍ତି ତାହା ନୁହେଁ, ଅଧିକନ୍ତୁ ଏହାର ମୁଖବନ୍ଧଟିଏ ଲେଖିଦେବାକୁ ମଧ୍ୟ ସସ୍ନେହ ଅଭିଳାଷ ବ୍ୟକ୍ତ କରିଛନ୍ତି । ମୁଁ ତାଙ୍କ ପାଖରେ ମୋ ଅନ୍ତରର ଗଭୀର କୃତଜ୍ଞତା ଜ୍ଞାପନ କରୁଛି ।

 

ରବୀନ୍ଦ୍ରନାଥ ପାଢ଼ୀ

☆☆☆

 

…..‘ଶବ୍ଦଶତକ’ ଆମର ବହୁଦିନର ଯୋଜନା । ଏମିତି ଗୋଟିଏ ବହି ପ୍ରସ୍ତୁତ କରିବା ନିମନ୍ତେ ମୁଁ ଓ ରବି ଭାଇ (ଶ୍ରୀ ରବୀନ୍ଦ୍ରନାଥ ପାଢ଼ୀ) ଏକାଠି ଚିନ୍ତା କରିଥିଲୁ । ଲେଖା ଆରମ୍ଭହେବା ଗଡ଼ି ଗଡ଼ି ଯାଉଥିଲା । ଏବେ ମୁଁ ଭାବିଲି, ନାଇଁ, ଏକା ହେଉ ପଛକେ, ଯେମିତିହେଲେ କିଛି ଗୋଟାଏ ହେବ । କିଛି ଗୋଟାଏ ହେଲା । ଏବଂ ରବି ଭାଇ ମୁଖବନ୍ଧଟିଏ ଲେଖିଦେଲେ । ‘ଶବ୍ଦଶତକ’ ଏକ ଅଭିଧାନ ନୁହେଁ । ଆମେ ଯେଉଁମାନେ ଶ୍ରୀଅରବିନ୍ଦଙ୍କର ପୃଥିବୀ ଆଡ଼କୁ ଆଗ୍ରହ କରିଛୁ, ଶ୍ରୀଅରବିନ୍ଦଙ୍କର ଗ୍ରନ୍ଥଗୁଡ଼ିକୁ ବୁଝିବାପାଇଁ ଯେଉଁ ଶବ୍ଦଗୁଡ଼ିକର ଖିଅଟି ହାତରେ ରହିଥିଲେ ଆମକୁ ବହୁତ ସାହାଯ୍ୟ କରିବ, ଏଥିରେ ସେହି ଶବ୍ଦଗୁଡ଼ିକର କିଞ୍ଚିତ୍ ବ୍ୟାଖ୍ୟା ଦିଆଯାଇଛି ।

 

ସନ୍ଦର୍ଭ ହିସାବରେ ଇଂରାଜୀ ଶ୍ରୀଅରବିନ୍ଦ ଜନ୍ମ–ଶତବାର୍ଷିକୀ ଗ୍ରନ୍ଥାବଳି ଏବଂ ମାଆଙ୍କର ଇଂରାଜୀ ଜନ୍ମ–ଶତବାର୍ଷିକୀ ରଚନାବଳୀକୁ ବ୍ୟବହାର କରାଯାଇଛି । ସେଗୁଡ଼ିକ ଯଥାକ୍ରମେ BCL ଓ MCL ବୋଲି ସୂଚାଇ ଦିଆହୋଇଛି । ପରବର୍ତ୍ତୀ ସଂଖ୍ୟାଟି ଖଣ୍ଡ ତଥା ତା’ ପରବର୍ତ୍ତୀ ସଂଖ୍ୟାଟି ପୃଷ୍ଠାକୁ ସୂଚିତ କରୁଛି ।

 

ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସଙ୍କ ଲିଖିତ ଶବ୍ଦଶତକ ପୁସ୍ତକଟି ଅନେକ ଦିନ ଧରି ମିଳୁନଥିବାରୁ ଏହାର ଦ୍ୱିତୀୟ ପୁନଃମୁଦ୍ରଣର ଆବଶ୍ୟକତା ଅନୁଭୂତ ହେଉଥିଲା । ଏହି ପୁସ୍ତକର ପୁନଃପ୍ରକାଶନ ପାଇଁ ପଥିକ ପ୍ରକାଶନୀର ଶ୍ରୀ ଭାଗ୍ୟଧର ସାହୁଙ୍କ ଆମ୍ଭେ ଅନୁମତି ପ୍ରଦାନ କଲୁ ।

 

–ପ୍ରଫେସର୍ (ଡା) ଉଷା ଦାସ

–ମାନବେନ୍ଦ୍ର ଦାସ

☆☆☆

 

ଶବ୍ଦଗୁଡ଼ିକର ସୂଚୀ

 

୧.

ଅଜ୍ଞାନ

୨.

ଅତିମାନସ

୩.

ଅତୀତ

୪.

ଅଦ୍ୱୈତ

୫.

ଅଧ୍ୟାତ୍ମ

୬.

ଅନୁଭବ

୭.

ଅବଚେତନ

୮.

ଅବତରଣ

୯.

ଅବତାର

୧୦.

ଅଭୀପ୍ସା

୧୧.

ଅର୍ଥଶକ୍ତି

୧୨.

ଅହଂ

୧୩.

ଆତ୍ମା

୧୪.

ଆନନ୍ଦ

୧୫.

ଆରୋହଣ

୧୬.

ଆଶ୍ରମ

୧୭.

ଇନ୍ଦ୍ରିୟ

୧୮.

ଈଶ୍ୱର (ଈଶ୍ୱର–ଶକ୍ତି)

୧୯.

ଉତ୍ସାହ

୨୦.

ଉନ୍ମୋଚନ

୨୧.

ଉପାସନା

୨୨.

ଏକତା

୨୩.

କରୁଣା

୨୪.

କର୍ମ (କର୍ମବାଦ)

୨୫.

କୃତଜ୍ଞତା

୨୬.

ଗୁରୁ

୨୭.

ଗୂଢ଼ବିଦ୍ୟା

୨୮.

ଗୋଷ୍ଠୀ

୨୯.

ଚରିତ୍ର

୩୦.

ଚିତ୍ତ

୩୧.

ଚିତ୍ତଶୁଦ୍ଧି

୩୨.

ଚେତନା

୩୩.

ଚୈତ

୩୪.

ଛଳନା

୩୫.

ଜଡ଼/ଜଡ଼ତା

୩୬.

ଜନ୍ମ

୩୭.

ଜପ

୩୮.

ଜାତି

୩୯.

ଜୀବନ

୪୦.

ଜ୍ୟୋତିଷ

୪୧.

ତପସ୍ୟା

୪୨.

ଦର୍ଶନ

୪୩.

ଦିବ୍ୟ

୪୪.

ଦୁଃଖ

୪୫.

ଦେହ

୪୬.

ଧର୍ମ

୪୭.

ଧ୍ୟାନ

୪୮.

ନାସ୍ତିକ(ତା)

୪୯.

ନିମିତ୍ତ (ଯନ୍ତ୍ର)

୫୦.

ନୀତି (ନୈତିକତା)

୫୧.

ପରିପୂର୍ଣ୍ଣତା

୫୨.

ପାଶ୍ଚାତ୍ୟ

୫୩.

ପୂର୍ଣ୍ଣଯୋଗ

୫୪.

ପୃଥିବୀ

୫୫.

ପ୍ରକୃତି

୫୬.

ପ୍ରତୀକ

୫୭.

ପ୍ରତ୍ୟାଖ୍ୟାନ

୫୮.

ପ୍ରାଣ

୫୯.

ପ୍ରାର୍ଥନା

୬୦.

ପ୍ରେମ

୬୧.

ବାସନା

୬୨.

ବିଜୟ

୬୩.

ବିଜ୍ଞାନ

୬୪.

ବିବର୍ତ୍ତନ

୬୫.

ବିଶ୍ୱାସ

୬୬.

ବିସ୍ମୟ

୬୭.

ବୈରାଗ୍ୟ

୬୮.

ବ୍ୟକ୍ତି (ବ୍ୟକ୍ତିତ୍ୱ)

୬୯.

ଭବିଷ୍ୟ

୭୦.

ଭୟ

୭୧.

ଭାରତବର୍ଷ

୭୨.

ମନ

୭୩.

ମନୁଷ୍ୟ

୭୪.

ମନ୍ତ୍ର

୭୫.

ମାୟାବାଦ

୭୬.

ମୁକ୍ତି

୭୭.

ମୃତ୍ୟୁ

୭୮.

ଯୋଗ

୭୯.

ରୂପାନ୍ତର

୮୦.

ଲକ୍ଷ୍ୟ

୮୧.

ଶକ୍ତି

୮୨.

ଶାନ୍ତି

୮୩.

ଶାସ୍ତ୍ର

୮୪.

ଶିକ୍ଷା

୮୫.

ସତ୍ୟ

୮୬.

ସନ୍ନ୍ୟାସ

୮୭.

ସମତା

୮୮.

ସମର୍ପଣ

୮୯.

ସମାଜ

୯୦.

ସମ୍ଭାବନା

୯୧.

ସଂଶୟ

୯୨.

ସଂସାରବନ୍ଧନ

୯୩.

ସଂସ୍କୃତି

୯୪.

ସାଧନା

୯୫.

ସିଦ୍ଧି

୯୬.

ସୁହୃତ୍

୯୭.

ସେବା

୯୮.

ସୌନ୍ଦର୍ଯ୍ୟ

୯୯.

ସ୍ୱଭାବ

୧୦୦.

ହେତୁବାଦ

☆☆☆

 

ଅଜ୍ଞାନ

 

ଏକ ଉପନିଷଦର ଉକ୍ତି ଅନୁସାରେ, ଯିଏ ସବୁ ଜାଣିଛି ବୋଲି କହୁଛି, ସିଏ ପ୍ରକୃତରେ କିଛି ଜାଣିନାହିଁ । ଏବଂ, ଯିଏ ଆଦୌ କିଛି ଜାଣିନାହିଁ ବୋଲି କହୁଛି, ସେଇ ପ୍ରକୃତରେ ସବୁ ଜାଣିଛି-। ଏହି କଥାଟିର ମର୍ମ ହେଉଛି ଯେ, ଜାଣିବାର ଅନ୍ତ ନାହିଁ । ତେଣୁ ଜ୍ଞାନାର୍ଜନର ସତତ ପ୍ରକ୍ରିୟାରେ ଗୋଟିଏ ଥାନରେ ଆସି ଅଟକିଯିବା ଓ ଆଉ କିଛି ଜାଣିବାକୁ ନାହିଁ ବୋଲି ଘୋଷଣା କରିବା, ଆମ ପୃଥିବୀରେ ସମ୍ଭବତଃ ତାହାହିଁ ଏକମାତ୍ର ଅଜ୍ଞାନ । ଆମେ ସାବଧାନ ରହିବା ।

 

ଆଉଗୋଟିଏ ଦୃଷ୍ଟିରୁ ବିଚାର କରି ଦେଖିଲେ, ନିଜର ଜ୍ଞାନାନୁରାଗକୁ ସଚଳ ଏବଂ ସୁସ୍ଥ ରଖିବାକୁ ହେଲେ ନିଜ ଭିତରେ ସର୍ବଦା ଏକ ସୁସ୍ଥ ଅଜ୍ଞାନର ମନୋଭାବ ଅବଶ୍ୟ ରହିଥିବା ଉଚିତ-। ମୁଁ ଯେତେ ଯାହା ଜାଣିଲେ ମଧ୍ୟ ଆହୁରି ଅନେକ କଥା ତଥାପି ଜାଣିବାକୁ ବାକି ରହିଛି-। ସତ୍ୟ ପରେ ଆହୁରି ସତ୍ୟ ରହିଛି, ବୃହତ୍‌କୁ ବେଷ୍ଟନ କରି ବୃହତ୍ତରମାନେ ରହିଛନ୍ତି । ବୃହତ୍ତମ କେଉଁଠି ହେଲେ ନାହିଁ । ମୁଁ କୌଣସି କାରଣରୁ ବସିଯିବାକୁ, ରହିଯିବାକୁ ଓ ଅଚଳ ହୋଇଯିବାକୁ ମନ କରୁଥିଲେ ଯେଉଁଯାଏ ସ୍ପର୍ଶ କରିପାରିଛି, ତାହାକୁହିଁ ଅନ୍ତିମ ବୋଲି କହିବାକୁ ଇଚ୍ଛା କରୁଛି-। ତେଣୁ ଅସଲ ପଥଟି ଅଜ୍ଞାନରୁ ଜ୍ଞାନକୁ ପଡ଼ିନାହିଁ, ଅସଲ ପଥଟି ଅଳପ ଜ୍ଞାନରୁ ଅଧିକ ଜ୍ଞାନ ଭିତରକୁ ପଡ଼ିଛି । ଅଧିକପାଇଁ ଯୋଗ୍ୟ ହେବାଲାଗି ଅଳପ ନିରନ୍ତର ସଂଘର୍ଷ କରୁଛି, ଉଦ୍ୟମ କରିବାରେ ଲାଗିଛି ।

 

ଗୋଟିଏ ପ୍ରସଙ୍ଗରେ ଶ୍ରୀ ଅରବିନ୍ଦ ସାତ ପ୍ରକାର ଅଜ୍ଞାନର ଚର୍ଚ୍ଚା କରିଛନ୍ତି : ୧) ସକଳ ସତ୍ତା ଓ ସକଳ ସମ୍ଭୂତିର ଆଦିମୂଳ ପରମସତ୍ୟ ବିଷୟରେ ଅଜ୍ଞାନ । ଆମେ ଅଧିକାଂଶ ସମୟରେ କେବଳ ଗୋଟିଏ ଅଂଶକୁହିଁ ସତ୍ୟ, ଚରମ ସତ୍ୟ ବୋଲି ଗ୍ରହଣ କରି ନେଇଥାଉ ଓ ଅଜ୍ଞାନରେ ପଡ଼ି ରହିଥାଉ । ୨) ଯାହା କାଳାତୀତ ଓ ଦେଶାତୀତ, ତାହାକୁ କାଳ ଓ ଦେଶର ଅଧୀନ ବୋଲି ବିଚାର କରୁ । ୩) ନିଜର ବିଶ୍ୱ–ପରିଚୟଟିକୁ ପାସୋରି ଦେଇ, ସକଳ ସତ୍ତା ତଥା ସକଳ ଜଗତ୍‌ ସହିତ ରହିଥିବା ଐକ୍ୟକୁ ଭୁଲି ଆମେ ଅହଂପ୍ରଣୋଦିତ ହୋଇ କେବଳ ନିଜର ମନ, ନିଜର ପ୍ରାଣ ଓ ନିଜର ଦେହସର୍ଜନାଟିକୁହିଁ ଆମର ଅସଲ ସତ୍ତା ବୋଲି ଦେଖୁ ଏବଂ ବାକି ସବୁକିଛିଠାରୁ ଅଲଗା ହୋଇ ରହିଥାଉ । ୪) ଆମର ଏହି ସମ୍ଭୂତିକ୍ରମଟି କାଳକାଳରୁ ଚାଲି ଆସିଛି ଓ କାଳକାଳକୁ ରହିଥିବ ବୋଲି ଭୁଲିଯାଇ ଆମେ ଏହି ଗୋଟିଏ ଜୀବନକୁହିଁ ଆଦି, ମଧ୍ୟ ଓ ଅନ୍ତ ବୋଲି ଧରି ନେଇଥାଉ । ୫) ଆମ ଜୀବନକୁ ପରିଚାଳିତ କରୁଥିବା ଆମ ଭିତରର ଅତିଚେତନ, ଅବଚେତନ, ଅନ୍ତର୍ଚେତନ ଏବଂ ପରିଚେତନ ଅଂଶଗୁଡ଼ିକ ବିଷୟରେ ଅଜ୍ଞାନ ରହି କେବଳ ଏହି ବାହ୍ୟ ପରିଣତିଗୁଡ଼ିକର ଭୂମି ଉପରେ ମନର ଦର୍ପଣ ଉପରେ ବ୍ୟକ୍ତ ହୋଇ ପାରୁଥିବା ଅଳ୍ପ କେତୋଟି ଅନୁଭୂତିକୁହିଁ ଆମେ ଆମର ସମୁଦାୟ ଅସ୍ତିତ୍ୱ ବୋଲି ଭ୍ରମ କରୁଛୁ । ୬) ଆମର ଏହି ପରିଣତିକ୍ରମଟିକୁ ଗଠନ କରିଥିବା ସବୁଯାକ ଉପାଦାନ ବିଷୟରେ ଅଜ୍ଞ ରହି ଆମେ କେବଳ ମନ, ପ୍ରାଣ ବା ଶରୀରକୁ ଅଥବା ଏହି ତିନୋଟି ମଧ୍ୟରୁ ଯେକୌଣସି ଦୁଇଟିକୁ ବା ତିନୋଟିଯାକକୁ ଆମ ଅସ୍ତିତ୍ୱର ଯଥାର୍ଥ ତତ୍ତ୍ୱ ବୋଲି ଗ୍ରହଣ କରି ନେଉଛୁ । ଏବଂ, ୭) ଏହି ଯାବତୀୟ ଅଜ୍ଞାନର ପରିଣାମସ୍ୱରୂପ ଆମେ ଏହି ପୃଥିବୀରେ ନିଜକୁ ଯଥାର୍ଥ ଜ୍ଞାନ ଓ ଯଥାର୍ଥ ନିୟନ୍ତ୍ରଣରୁ ବଞ୍ଚିତ କରି ରଖିଛୁ ଓ ଜୀବନର ଯଥାର୍ଥ ଉପଭୋଗ କରିପାରୁନାହୁଁ । ନାନା ବିଚ୍ୟୁତି ଓ ବାସନାର ଅଡ଼ୁଆ ଭିତରେ ପଡ଼ି ସର୍ବଦା ଏକ ବକ୍ର ପଥରେହିଁ ଗତି କରୁଛୁ । ଅନ୍ଧ ଭାବରେ ଅଣ୍ଡାଳି ହେବାରେ ଲାଗିଛୁ-। ଏହି ଶେଷଟିକୁ ଶ୍ରୀ ଅରବିନ୍ଦ ବ୍ୟାବହାରିକ ଅଜ୍ଞାନ ବୋଲି କହିଛନ୍ତି । (BCL. ୧୯ଶ ଖଣ୍ଡ, ପୃଷ୍ଠା ୬୫୪–୫୫)

☆☆☆

 

ଅତିମାନସ

 

ସ୍ଥୂଳ ଏବଂ ସୂକ୍ଷ୍ମ ଉଭୟ ଭାବରେ ନିଜର ଅସ୍ତିତ୍ୱ ଯେକୌଣସି କଳନାତ୍ମକ ଅନୁମାନ କରିବାକୁ ଯିବାମାତ୍ରକେ ସବାଆଗ ଆମ ଦେହଟି ଦିଶିଯାଏ । ଦେହକୁ ଆବୋରି କରି ପ୍ରାଣ ଏବଂ ପ୍ରାଣକୁ ଆବୋରି କରି ଆମ ମନ । ମାନବ ଜଗତର ଇତିହାସରେ ମନର କରାମତି ପ୍ରକୃତରେ ଅସୁମାରି । ବିଗତ ଶତାବ୍ଦୀଗୁଡ଼ିକରେ ମନ କେତେକଅଣ ହାସଲ କରିଛି, ଆହୁରି କେତେକଅଣ ଉପଲବ୍ଧି କରିଛି । ଆମକୁ ଭୂମି କରି ଏହି ପୃଥିବୀର ଜୀବନକୁ ବହୁପ୍ରକାର ଧନାଢ଼୍ୟ କରିଛି । ଆମର ଆଖିମାନଙ୍କୁ ବହୁ ବହୁ ଦୂରକୁ ପ୍ରସାରିତ କରି ନେଇଥିବା ସଙ୍ଗେ ସଙ୍ଗେ କେତେକେତେ ଦୂରକୁ ତାହା ଆମର ଏକାନ୍ତ ନିକଟକୁ ନେଇ ଆସିପାରିଛି । ମାତ୍ର, ନିଜର ଉପଲବ୍ଧ ଚରମ ଗାରଗୁଡ଼ିକ ପାଖକୁ ଆସି ମନ ଯେ ତଥାପି ଆହୁରି ସେପାଖକୁ ଅନାଇବାକୁ ସାହସ କରିଛି, ସମ୍ଭବତଃ ତାହାହିଁ ହେଉଛି ତାହାର ସର୍ବଶ୍ରେଷ୍ଠ ଏବଂ ସବୁଠାରୁ ଅଧିକ ଉଲ୍ଲେଖଯୋଗ୍ୟ ଉପଲବ୍ଧି ।

 

ମନର ଆହୁରି ସେପାଖକୁ ଅତିମାନସ । ମନର ଚିରାଚରିତ ଗାର ବା ପହୁଞ୍ଚଗୁଡ଼ିକର ଊର୍ଦ୍ଧ୍ୱକୁ ଅର୍ଥାତ୍‌ ଗଭୀରକୁ ଯାଇ ପାରିଲେ ସେହି ଅତିମାନସ ନିବିଡ଼ତର କ୍ଷେତ୍ରଟି ଆମଲାଗି, ପୃଥିବୀଲାଗି ଅପେକ୍ଷା କରି ରହିଛି । ଅତିମାନସ ମାନସଠାରୁ ଦୂରଛଡ଼ା ହୋଇ ରହିନାହିଁ, ତାହା ମାନସକୁ ଆବୋରି ରହିଛି । ଶ୍ରୀ ଅରବିନ୍ଦ ଅତିମାନସକୁ ଏକ ଚେତନାସ୍ତର ବୋଲି କହିଛନ୍ତି । (BCL, ୧୮, ୧୨୩–୨୪) ଅତିମାନସ ଚେତନା ଆମେ ପାରମ୍ପରିକ ଭାବରେ ବୁଝି ଆସିଥିବା ଆଧ୍ୟାତ୍ମିକ ଚେତନାଠାରୁ ଏକ ଭିନ୍ନ ଚେତନା । ପୁଣି ଶ୍ରୀ ଅରବିନ୍ଦଙ୍କର ଭାଷାରେ କହିଲେ, ଏହା ଏପରି ଏକ ଚେତନା, ଯାହା ଆମେ ବର୍ତ୍ତମାନ ଦେହ, ପ୍ରାଣ ଓ ମନକୁ ଅବଲମ୍ବନ କରି ବଞ୍ଚୁଥିବା ଏହି ପୃଥିବୀକୁ ସମ୍ପୂର୍ଣ୍ଣଭାବେ ବଦଳାଇ ଦେବ । “I am concerned with the earth, not with worlds beyond for their own sake, it is a terrestrial realization that I seek and not a flight to distant summits.” (BCL, ୨୨, ୯୧) ନିଜେ ଆଧ୍ୟାତ୍ମିକ ବୋଲି ବୁଝୁଥିବା ମାର୍ଗମାନ ଆଶ୍ରୟ କରି କେତେ କିଏ କେତେ କୁଆଡ଼େ ପଳାୟନ କରିଛନ୍ତି । ଏହି ପୃଥିବୀ ହୁଏତ କଦାପି ବଦଳିବ ନାହିଁ ବୋଲି ସେମାନେ ବିଶ୍ୱାସ କରି ସେଗୁଡ଼ିକର ଭରସାରେ ପଳାୟନ କରିଛନ୍ତି ।

 

ମନ ସବୁକିଛିକୁ ଅଲଗା କରି ଦେଖେ, ସବୁକିଛିକୁ ଏକତ୍ର କରି ଆଦୌ ଦେଖିପାରେନାହିଁ । ମୋ’ର ଓ ମୋ’ର ନୁହେଁ ଭିତରେ ଧନ୍ଦାଳି ହେଉଥାଏ । ଭାରି କଷ୍ଟ ପାଏ, ଉଗ୍ର ହୁଏ, ପ୍ରାୟ କ୍ଷତବିକ୍ଷତ ହୋଇ ରହିଥାଏ । ମୋ’ ଦୁଃଖ, ମୋ’ ସୁଖ, ମୋ’ର ସ୍ୱଜନବର୍ଗ, ମୋ’ ଦେଶ, ମୋ’ ଧର୍ମ, ମୋ’ ଗୁରୁ ଏବଂ ମୋ’ ଭାଗ୍ୟ ଓ ମୋ’ ମୁକ୍ତି ବୋଲି କେତେକେତେ ଗଣ୍ଠିରେ ବାନ୍ଧି ହୋଇ ଓ କେତେକେତେ ଗୁମ୍ଫା ଭିତରେ ବନ୍ଦୀ ହୋଇ ରହି ନିୟତ କଲବଲ ହେଉଥାଏ । ଅତିମାନସ ସବୁକିଛିକୁ ସେହି ଗୋଟିଏ ସମଗ୍ର ଭିତରେ ଦେଖେ, ଅନୁଭବ କରେ ଓ ସେହି ଅନୁସାରେ ବଞ୍ଚେ । ଏହା ହେଉଛି ଏକାଧାରରେ ଏକ ଜ୍ଞାନ ଏବଂ ଇଚ୍ଛାଶକ୍ତିର ଚେତନା । ଏକ ଉପଲବ୍ଧ ଜ୍ଞାନ ଏବଂ ସେହି ଜ୍ଞାନ ଅନୁସାରେ ସଦାସମ୍ମତ ଏକ ଇଚ୍ଛାଶକ୍ତି । ଏହି କ୍ଷେତ୍ରରେ କୌଣସି ବିରୋଧ ଅଥବା ବିଭାଜନ ନଥାଏ । ମନର ଗାର ଭିତରେ ରହିଥିବା ଯାଏଁ ଆମେ ଭ୍ରମିଯାଇ ଈଶ୍ୱର ଏବଂ ମଣିଷକୁ ଅଲଗାଅଲଗା କରି ଦେଖୁଥାଉ, ପରମବ୍ରହ୍ମ ସତ୍ତାକୁ ମଧ୍ୟ ପୃଥିବୀଠାରୁ ଅଲଗା କରି ଦେଖୁଥାଉ । (BCL, ୧୮, ୧୩୧) ମାତ୍ର ଯଥାର୍ଥ ସତ୍ୟଟି ହେଉଛି ଯେ, ପ୍ରତ୍ୟେକ ବସ୍ତୁରେ ବ୍ରହ୍ମ ରହିଛି, ପ୍ରତ୍ୟେକ ବସ୍ତୁ ମଧ୍ୟ ବ୍ରହ୍ମରେ ଅବସ୍ଥିତ ରହିଛି, ପ୍ରତ୍ୟେକ ବସ୍ତୁହିଁ ବ୍ରହ୍ମରେ ପରିଣତ ହୋଇ ରହିଛି । ଏହାକୁହିଁ ଶ୍ରୀ ଅରବିନ୍ଦ ଅତିମାନସର ତ୍ରିସୂତ୍ରୀ ସତ୍ୟ ବୋଲି ଘୋଷଣା କରିଛନ୍ତି । (ତତ୍ରୈବ, ପୃଷ୍ଠା–୧୩୯)

 

ଅତିମାନସର ସେହି ପରବର୍ତ୍ତୀ ସୋପାନଟି ଏହି ମନ ଭିତରେ ପ୍ରଚ୍ଛନ୍ନ ହୋଇ ରହିଛି । ସେଇ ଆମର ଦେହ, ପ୍ରାଣ ଓ ମନ ଭିତରେ ଥାଇ ଆମକୁ ତାହାରି ଆଡ଼କୁ ଉନ୍ମୁଖ କରାଉଛି । (BCL, ୧୬, ପୃଷ୍ଠା–୪୩) ପୃଥିବୀ ଲାଗି ପ୍ରତିଶ୍ରୁତ ହୋଇ ରହିଥିବା ଅତିମାନସହିଁ ଏଠାରେ ପ୍ରତିଷ୍ଠିତ ହୋଇଯିବା ପରେ ମାନବଜାତିର ମନ ଓ ଦେହ ଉଭୟେ ରହିବେ । ମାତ୍ର ସେମାନେ ଅତିମାନସଦ୍ୱାରା ପରିଚାଳିତ ହେବେ । ସେହି ପରିଚାଳନାଦ୍ୱାରା ଏକ ଆଲୋକିତ ମନ ଏବଂ ପୂର୍ଣ୍ଣସମ୍ମତ ପ୍ରାଣ ବିକଶିତ ହୋଇ ଆସିବ, ପୃଥିବୀରେ ଦିବ୍ୟଜୀବନର ପ୍ରତିଷ୍ଠା ଆଡ଼କୁ ବାଟ ଫିଟାଇ ଆଣିବ ।

 

ସେହି ଅତିମାନସକୁ ସମ୍ଭବ କରି ଆଣିବାପାଇଁ ଶ୍ରୀ ଅରବିନ୍ଦ ଯେଉଁ ବିଶେଷ ଯୋଗମାର୍ଗର ଅବତାରଣା କରାଇଛନ୍ତି, ଈଶ୍ୱର–ଉପଲବ୍ଧି ଏବଂ ଈଶ୍ୱର–ଅଭିବ୍ୟକ୍ତିହିଁ ତାହାର ଲକ୍ଷ୍ୟ । ଏହା ସକଳ ଅର୍ଥରେ ଗତିଶୀଳ ହୋଇ ରହିଥିବ : ଆମ ଜୀବନ ଭିତରେ ଈଶ୍ୱରଙ୍କର ଅଭିବ୍ୟକ୍ତି ଘଟିବ, ମାତ୍ର ସମଗ୍ର ମାନବଜାତିର ବୃହତ୍ତର କ୍ଷେତ୍ରଟି ମଧ୍ୟରେ ସେ ଆମ ଭିତରେ ନିଜକୁ ଅଭିବ୍ୟକ୍ତ କରି ଆଣିବେ । ଏକ ଦିବ୍ୟ ପ୍ରକୃତିରେ ପରିଣତ ହୋଇଥିବା ମାନବପ୍ରକୃତିକୁ ମାଧ୍ୟମ କରି ସେ ସେହି କାର୍ଯ୍ୟଟିକୁ ସାଧନ କରିବେ । (BCL, ୨୧, ପୃଷ୍ଠା–୭୬୮)

☆☆☆

 

ଅତୀତ

 

ଯାହାକିଛି ଘଟିଯାଇଛି, ତାହା ଅତୀତ । ମାତ୍ର, ଯାହାକିଛି ଘଟିଯାଇଛି, ତାହାର ସବୁଯାକ କଦାପି ମନେ ରହେନାହିଁ । ବ୍ୟକ୍ତିଗତ ଜୀବନରେ ନୁହେଁ କି ସାମୂହିକ ଜୀବନରେ ନୁହେଁ-। ଜଣେ ବ୍ୟକ୍ତି ନିଜର ବା ନିଜ ଜାତିର ଓ ଏପରିକି ପୃଥିବୀର ଅତୀତରୁ କ’ଣସବୁ ମନେ ରଖିଥାଏ ଓ ବାରବାର ସ୍ମରଣ କରେ, ତାହା ତା’ ଜୀବନର ବହୁ ପସନ୍ଦ ଓ ଅପସନ୍ଦ ଉପରେ ନିର୍ଭର କରେ-। ଗୋଟିଏ ସମୂହ ବା ଗୋଟିଏ ଜାତି ଅତୀତରୁ କ’ଣସବୁ ମନେ ରଖିଥାଏ ଏବଂ ବାରବାର ସ୍ମରଣ କରେ, ତାହା ସେହି ଜାତିର ବହୁ ପସନ୍ଦ ଓ ଅପସନ୍ଦ ଉପରେ ମଧ୍ୟ ନିର୍ଭର କରିଥାଏ-। ଏପରି ହେବା ଅତ୍ୟନ୍ତ ସ୍ୱାଭାବିକ ।

 

ଅତୀତ ପ୍ରେରଣା ଦିଏ, ଅତୀତ ବାନ୍ଧିବି ପକାଏ । ଯେତେବେଳେ ବର୍ତ୍ତମାନକୁ ବଳ ପାଏନାହିଁ ଓ ଯେତେବେଳେ ଭବିଷ୍ୟତକୁ ଆଖି ପାଉ ନଥାଏ, ପ୍ରାୟ ସେତିକିବେଳେ ମଣିଷମାନେ ପଛକୁ ଅନାଇବାକୁ ଭାରି ଭଲ ପାଆନ୍ତି, ପଛଟା ସହିତ ବାନ୍ଧିହୋଇ ରହି ଭାରି ଆଶ୍ୱାସନା ଲାଭ କରନ୍ତି । ଅତୀତରେ ସବୁ ଥିଲା ବୋଲି କହୁଥାନ୍ତି । ମଣିଷମାନଙ୍କର ଚେତନାକୁ ବର୍ତ୍ତମାନ ଏବଂ ଭବିଷ୍ୟତଠାରୁ ଅନ୍ୟମନସ୍କ କରି ରଖିବାଲାଗି ମଧ୍ୟ ଅନେକ ସମୟରେ ବରିଷ୍ଠମାନେ ଅତୀତ ବିଷୟରେ ଭାରି ଉଚ୍ଛଳ ହୋଇ କହିବାରେ ଲାଗିଥାନ୍ତି । ସେମାନଙ୍କର ନିଜର ଲାଭ ହୁଏ ବୋଲି ସେମାନେ ତାହା କରନ୍ତି । ସେମାନେ ପରିବର୍ତ୍ତନର ବାଟ ବନ୍ଦ କରି ରଖିଥାନ୍ତି । ଏହିସବୁ ସ୍ଥିତିରେ ଅତୀତ ମନୁଷ୍ୟମାନଙ୍କ ସକାଶେ ଏକ ମୋହରେ ପରିଣତ ହୋଇ ରହିଥାଏ । ନ୍ୟସ୍ତସ୍ୱାର୍ଥ ମନୁଷ୍ୟଙ୍କ ହାତରେ ସତେଅବା ଗୋଟିଏ କୌଶଳ ହୋଇ ରହିଥାଏ ।

 

ଆଗରେ ଭବିଷ୍ୟତର ଏକ ଉଜ୍ଜ୍ୱଳ ଚିତ୍ର ସଚଳ ହୋଇ ରହିଥିଲେହିଁ ଅତୀତ ଆମକୁ ଯଥାର୍ଥ ପ୍ରେରଣା ଦିଏ । ଆମେ ଅତୀତକୁ ପୁଞ୍ଜି ପରି ବ୍ୟବହାର କରୁ ଏବଂ ଭବିଷ୍ୟତର ନିର୍ମାଣ କରୁ । ସେହି ନିର୍ମାଣ ବର୍ତ୍ତମାନର ଭୂମିଟି ଉପରେହିଁ କ୍ରିୟାଶୀଳ ହୋଇ ରହିଥାଏ । ଏହି ନିର୍ମାଣରେ ଆମେ କେତେ ଅଳପ ବା ଅଧିକ ମଣିଷଙ୍କୁ ଭାଗ ଦେବୁ, ଆମର ଅତୀତଦୃଷ୍ଟି ସର୍ବଦା ସେହି ଅନୁପାତରେହିଁ ମୋହଯୁକ୍ତ ଅଥବା ମୋହମୁକ୍ତ ହୋଇ ରହିଥାଏ । ଅସଲ ମଣିଷ ଓ ଅସଲ ଚେତନା ପାଉଁଶଗଦା ଭିତରୁ ରଡ଼ ଅଙ୍ଗାରମାନଙ୍କୁ ବାଛି ନେଇପାରେ । ସେହିଗୁଡ଼ିକହିଁ ତା’ର କାମରେ ଲାଗନ୍ତି ।

☆☆☆

 

ଅଦ୍ୱୈତ

 

ଭାରତୀୟ ବେଦାନ୍ତର ମୂଳ ମେଦିନୀଦୃଷ୍ଟି ହେଉଛି ଅଦ୍ୱୈତ ଦୃଷ୍ଟି । ନାନା ବୈଚିତ୍ର୍ୟରେ ଭରା ସୃଷ୍ଟି,–ଯଦି ଏହା ଗୋଟିଏ ସୂତ୍ରରେ ବନ୍ଧା ହୋଇ ନଥାନ୍ତା ଓ ଗୋଟିଏ ଚେତନାକୁ ବହନ କରୁ ନଥାନ୍ତା, ତେବେ ଏକ ଅରାଜକତାହିଁ ଏକମାତ୍ର ପରିଣାମ ହୋଇଥାନ୍ତା । ଆମେ ସେହି ସୂତ୍ରଟିକୁ ଅନୁଭବ କରିପାରୁନାହୁଁ କିମ୍ବା ସେହି ଚେତନାଟିକୁ ନିଜସ୍ୱ କରିପାରୁନାହୁଁ ବୋଲି ଆମକୁ ସବୁକିଛି ବିଭକ୍ତ ଓ ବିଚ୍ଛିନ୍ନ ହୋଇ ଦେଖାଯାଉଛି । ନାନା ସଂସ୍କାର ହେତୁ ନିଜର ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ଆମେ ବିଭକ୍ତ ହୋଇ ରହିଥିବା ପର୍ଯ୍ୟନ୍ତ ସେପରି ହେବହିଁ ହେବ । ନିଜ ଭିତରେ ମଧ୍ୟ ଗୋଟିଏ କେନ୍ଦ୍ର ରହିଛି ଏବଂ ସେଯାଏ ମାର୍ଗ ମିଳିଗଲେ ଆମକୁ ଏହି ସମଗ୍ର ବିଶ୍ୱର କେନ୍ଦ୍ରଟି ମଧ୍ୟ ଦୃଷ୍ଟିଗୋଚର ହୋଇଯିବ । ବିଶ୍ୱରୂପୀ ଏହି ଯାବତୀୟ ଡାଳ, ପତ୍ର ରହିଛି, କାରଣ ସମସ୍ତ ବୃକ୍ଷଟିର ଗୋଟିଏ ମୂଳ ରହିଛି । ସେହି ଏକହିଁ ଅନେକ ରୂପରେ ବିଭାସିତ ହୋଇଛି ।

 

ଶଙ୍କରାଚାର୍ଯ୍ୟ ଅଦ୍ୱୈତବାଦରୁ ମାୟାବାଦ ବୋଲି ସେହି ଅନ୍ୟ କଥାଟିକୁ ବାହାର କରିଛନ୍ତି । ବ୍ରହ୍ମହିଁ ଏକମାତ୍ର ସତ୍ୟ, ଏହି ଜଗତ ହେଉଛି ମିଥ୍ୟା । ଶଙ୍କରଙ୍କ ପରେ ଅଦ୍ୱୈତବାଦରୁ ମାୟାବାଦର ମାଧ୍ୟମରେ ପଣ୍ଡିତକୁଳ ଆହୁରି କେତେ ଶିରା ଓ ପ୍ରଶିରା ବାହାର କରିଛନ୍ତି । କାଳକ୍ରମେ ସେଥିରୁ ନାନା ସମ୍ପ୍ରଦାୟ ମଧ୍ୟ ସୃଷ୍ଟ ହୋଇ ଆସିଛନ୍ତି । ଏବଂ, ଯାହା ଆମକୁ ହୁଏତ ସବୁଠାରୁ ଅଧିକ ବିସ୍ମିତ କରିଦେବ, ଭାରତବର୍ଷରେ ପାରମ୍ପରିକ ଆମ ଜୀବନଦୃଷ୍ଟିଟି ମଧ୍ୟ ପ୍ରଧାନତଃ ସେହି ନକାରାତ୍ମକ ପ୍ରବୃତ୍ତିଟିଦ୍ୱାରା ଭାରି ଆକ୍ରାନ୍ତ ହୋଇ ରହିଛି । ସଂସାରଭିତରେ ଥାଇ ମଧ୍ୟ ସଂସାର ପ୍ରତି ଏକ କାତର ବିତୃଷ୍ଣାଭାବ ଭାରତୀୟ ଜୀବନର ମୁଖ୍ୟ ସ୍ରୋତକୁ ଅତ୍ୟନ୍ତ ପ୍ରବଳ ଭାବରେ କାମୁଡ଼ି ଧରିଛି ଓ ଭାରତୀୟ ଜୀବନରେ ବହୁ ଜଡ଼ତାର କାରଣ ହୋଇଛି ।

 

ଶ୍ରୀ ଅରବିନ୍ଦ Realistic Advaitaର ବିକଳ୍ପ କଥାଟିଏ କହିଛନ୍ତି । (BCL,୨୨,ପୃଷ୍ଠା–୪୪) ପରମ ସତ୍ୟ ସର୍ବତ୍ର ବିଦ୍ୟମାନ, ତେଣୁ ଏହି ଜଗତ ମଧ୍ୟ ତାଙ୍କରି ପ୍ରକାଶ । ତେଣୁ ମୋଟେ ମିଥ୍ୟା ନୁହେଁ । ଯିଏ ତାଙ୍କୁ ପ୍ରକୃତରେ ଉପଲବ୍ଧି କରିବ, ସିଏ ନିଜ ସମେତ ଏହି ଜଗତ୍‌ସଂସାରରେ ମଧ୍ୟ ତାଙ୍କରି ଚେତନା ସଞ୍ଚରି ରହିଥିବାର ଅବଶ୍ୟ ପ୍ରତ୍ୟକ୍ଷ କରିବ-। ସିଏ ସଂସାର ଛାଡ଼ି ପଳାଇବ ନାହିଁ । ପରମସତ୍ୟର ଯନ୍ତ୍ରରୂପେ ସଂସାରର ନିୟତିଟିକୁ ଅଗ୍ରସର କରାଇ ନେବାରେ ଅଂଶଗ୍ରହଣ କରିବ । ନିଜର ସାଧନାଦ୍ୱାରା ସେଥିପାଇଁ ଅଧିକରୁ ଅଧିକ ଯୋଗ୍ୟ ହେଉଥିବ । ନିଜ ମୁକ୍ତିର ଯାବତୀୟ ଲୋଭକୁ ପରିତ୍ୟାଗ କରି ସେ ଏହି ଜଗତ୍‌ସତ୍ୟର ଉନ୍ମୋଚନ–ପ୍ରକ୍ରିୟାରେ ସହଯୋଗୀ (Collaborator) ହୋଇ ବାହାରିବ ।

☆☆☆

 

ଅଧ୍ୟାତ୍ମ

 

ଗୋଟିଏ ପତ୍ରରେ ଶ୍ରୀ ଅରବିନ୍ଦ ତିନି ପ୍ରକାର ଜୀବନରେ ଉଲ୍ଲେଖ କରିଛନ୍ତି; ସେଗୁଡ଼ିକ ହେଉଛି ଅଧ୍ୟାତ୍ମ–ଜୀବନ, ଧର୍ମ–ଜୀବନ ଓ ସାଧାରଣ ଜୀବନ । (BCL, ୨୨, ପୃଷ୍ଠା–୧୩୭) ସାଧାରଣ ଜୀବନ ଶରୀର, ପ୍ରାଣ ଓ ମନର ସୁଖାନ୍ୱେଷଣରେ ନିଜକୁ ସୀମିତ ହେବାକୁ ଚାହୁଁଥାଏ । ଅର୍ଥାତ୍‌ ଅଜ୍ଞାନର ବିଧାନଦ୍ୱାରା ପରିଚାଳିତ ହୁଏ । ଧର୍ମ–ଜୀବନ ମଧ୍ୟ ଅଜ୍ଞାନରେହିଁ ରହିଥାଏ, ଭଗବାନଙ୍କ ଆଡ଼କୁ ମନ ଦେବ ବୋଲି ଜଗତ ବିଷୟରେ ଉଦାସୀନ ହୋଇ ରହିଥାଏ ଏବଂ ସଂସାରବନ୍ଧନରୁ ମୁକ୍ତି ଆଣି ଦେବ ବୋଲି ଦାବି କରୁଥିବା କୌଣସି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ସମ୍ପ୍ରଦାୟର ନିୟମଗୁଡ଼ିକୁ ମାନି ଚଳୁଥାଏ । ଅନ୍ୟ ପକ୍ଷରେ ଅଧ୍ୟାତ୍ମ–ଜୀବନ ଚେତନାର ପରିବର୍ତ୍ତନକୁହିଁ ଆପଣାର ଲକ୍ଷ୍ୟରୂପେ ଗ୍ରହଣ କରିଥାଏ ।

 

ଅଧ୍ୟାତ୍ମ–ଜୀବନ ଏକ ବୃହତ୍ତର ଚେତନା ଆଡ଼କୁ ଲୟ ରଖି ଅଗ୍ରସର ହେଉଥାଏ, ନିଜ ଭିତରର ଅସଲ ସତ୍ତାକେନ୍ଦ୍ରଟିକୁ ଆବିଷ୍କାର କରିବାରେ ବ୍ରତୀ ହୋଇ ରହିଥାଏ, ଦିବ୍ୟ ପରମସତ୍ତାଙ୍କ ସହିତ ପ୍ରତ୍ୟକ୍ଷ ଏବଂ ସଚଳ ସମ୍ପର୍କ ସ୍ଥାପନ କରେ; ଶେଷରେ ତାଙ୍କରି ଚେତନା ଭିତରେହିଁ ଜୀବନ ବଞ୍ଚେ । ଅଧ୍ୟାତ୍ମର ସାଧକ ଏହି ଚେତନା–ପରିବର୍ତ୍ତନକୁ ସବୁକିଛିର ମୂଳ କଥା ବୋଲି ଜାଣେ ଏବଂ ତେଣୁ ନିଜ ମାର୍ଗରେ ଆଉ କେଉଁଠି ହେଲେ ଅଟକି ଯିବାକୁ ଇଚ୍ଛା କରେନାହିଁ-। ସାଧାରଣ ଜୀବନ ଏକ ନିର୍ଦ୍ଦିଷ୍ଟ ଆଚାର ବା ନୈତିକତାଦ୍ୱାରା ଆପଣାକୁ ବାନ୍ଧି ରଖିଥାଏ, ଧର୍ମ–ଜୀବନ ମଧ୍ୟ କେତୋଟି ଶାସ୍ତ୍ର, ବିଧି ଏବଂ ବିଶ୍ୱାସଦ୍ୱାରା ପରିଚାଳିତ ହୁଏ । ଅଧ୍ୟାତ୍ମ–ଜୀବନହିଁ ସାଧନାପଥର ପଥିକକୁ ନିଜ ଭିତରକୁ ପ୍ରବେଶ କରିବାର ପ୍ରେରଣା ଦିଏ । ଆଚାରଗୁଡ଼ିକର ପାଳନ କରିବା ଅଥବା ନୈତିକତାଦ୍ୱାରା ମଣିଷ ହୁଏତ ଜୀବନଯାକ ବାହାରେ ବାହାରେହିଁ ରହିଯାଏ । ଆଦୌ ଭିତରେ ପ୍ରବେଶ କରିପାରେନାହିଁ ।

 

ହଠ, ଭକ୍ତି, ଜ୍ଞାନ, କର୍ମ ଏବଂ ରାଜଯୋଗର ପାରମ୍ପରିକ ମାର୍ଗରୁ ଆହୁରି ଊର୍ଦ୍ଧ୍ୱକୁ ଗଲେ ଅଧ୍ୟାତ୍ମଯୋଗ । ଏକ ବିଶେଷ ସନ୍ଦର୍ଭରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣଯୋଗକୁ ଅଧ୍ୟାତ୍ମଯୋଗ ବୋଲି ମଧ୍ୟ କହିଛନ୍ତି । (BCL, ୧୬, ପୃଷ୍ଠା–୪୧୩)

☆☆☆

 

ଅନୁଭବ

 

ଅସଲ ଦେଖା ଦେଖିଲେ ଯାଇ ହୁଏ, ଅସଲ ସ୍ପର୍ଶ ସ୍ପର୍ଶ କରିଥିଲେହିଁ ମିଳେ । ଦେଖିବା ଏବଂ ସ୍ପର୍ଶ କରିବା ବିଷୟରେ ଶଗଡ଼ ଶଗଡ଼ ଶାସ୍ତ୍ର ଲେଖା ହୋଇଛି । କାଳକାଳରୁ ଲେଖା ହୋଇ ଆସୁଛି । ପୃଥିବୀରେ ଜାଣିବାର ପରିମାଣ କ’ଣ କମ୍ ବଢ଼ୁଛି ! ମାତ୍ର ଜଣେ ବ୍ୟକ୍ତି ପ୍ରକୃତରେ ଯେତିକି ନିଜେ ପ୍ରତ୍ୟକ୍ଷ କରିଛି, ସିଏ ପ୍ରକୃତରେ ସେତିକି ମାତ୍ର ଜାଣିଛି । ପଣ୍ଡିତମାନେ ହୁଏତ ଆଦୌ କୌଣସି ଅନୁଭବ ନଥାଇ ମଧ୍ୟ ସଜାଇ ଗଚ୍ଛାଇ କେତେକଅଣ କହିଦେଇପାରିବେ, ମୁଗ୍ଧ କରିବେ । ଆମକୁ ପ୍ରକୃତରେ ଭାରି କ୍ଳାନ୍ତ କରିପକାଇବେ ।

 

ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅନୁଭବହିଁ ସର୍ବମୂଳ । ଏବଂ, ଆଧ୍ୟାତ୍ମିକ ଜୀବନର କ୍ଷେତ୍ରରେ ଏହି କଥାଟି ଆହୁରି ଅଧିକ ସତ୍ୟ । ଆଧ୍ୟାତ୍ମିକ କ୍ଷେତ୍ରରେ କିଛି ହେବାକୁ ହୁଏ । ଯିଏ ଯେତିକି ହୋଇଥାଏ, ସିଏ ପ୍ରକୃତରେ ସାର୍ଥକ ଭାବରେ ସେତିକିରହିଁ ପ୍ରତିପାଦନ କରିପାରେ । ମାଆଙ୍କ କଥାରେ କହିଲେ : It is much more important to be than seem to be;– one must live and not pretend to live. (MCE, ୧୦, ପୃଷ୍ଠା–୨୦୪) ଯେଉଁ ସତ୍ୟ ସତକୁସତ ଆମ ଜୀବନରେ ପରିଣତ ହୋଇପାରିନାହିଁ, ତାହା ବିଷୟରେ ଆମେ କହିବାକୁ ବସିଲେ ଆମେ ଧରା ପଡ଼ିଯିବା ସିନା, ମାତ୍ର ସେହି ସତ୍ୟଟି ବିଷୟରେ କାହାରି ମନରେ ଆଦୌ କୌଣସି ପ୍ରତ୍ୟୟ ସୃଷ୍ଟି କରିପାରିବାନାହିଁ । କୌଣସି ସତ୍ୟ ଆମ ଜୀବନଚେତନାର ଏକ ସାକାରତାର ପରିଣତ ହୋଇ ନଥିବା ପର୍ଯ୍ୟନ୍ତ ଆମେ ସେହି ବିଷୟରେ ହୁଏତ ଭାବପ୍ରବଣ ହୋଇ କେତେକଅଣ କହିଯାଇପାରିବା ସିନା, ମାତ୍ର ନିଜକୁ ଅତ୍ୟନ୍ତ ଦୟନୀୟ ଅନୁଭବ କରିବାରେ ଲାଗିଥିବା ।

 

ଜାଣିବା, ଭାବପ୍ରବଣ ହୋଇ କହିବା ଗୋଟିଏ କଥା ଏବଂ ଅଙ୍ଗେ ନିଭାଇଥିବା ଏକାବେଳେକେ ଆଉଗୋଟିଏ କଥା । ସତ୍ୟ ଅଛି, ମାତ୍ର ତାହାକୁ ଅଙ୍ଗେ ନିଭାଇ ନଥିବା ପର୍ଯ୍ୟନ୍ତ ମୁଁ ସେହି ସତ୍ୟଟି ସହିତ ବସ୍ତୁତଃ କେଡ଼େ ଅଳ୍ପ ପରିଚିତ ହୋଇଛି । ଶ୍ରୀ ଅରବିନ୍ଦ ଏକ ପ୍ରସଙ୍ଗରେ Objectiving the Truth ବୋଲି କହିଛନ୍ତି । (BCL, ୨୩, ପୃଷ୍ଠା–୮୯୨) ପ୍ରଥମେ ଅଭୀସ୍ପା, ତା’ପରେ ସାଧନା ଏବଂ ତା’ପରେ ଉପଲବ୍ଧି । ତେବେଯାଇ ସତ୍ୟରୂପୀ ସମ୍ପଦଗୁଡ଼ିକ ଆମ ଜୀବନରେ ଅନୁଭବସ୍ତରରେ ଆସି ପ୍ରବେଶ କରିପାରିବ ଏବଂ ଆମକୁ ମାଧ୍ୟମ କରି ବ୍ୟକ୍ତ ତଥା ପ୍ରତିଷ୍ଠିତ ହୋଇପାରିବ ।

☆☆☆

 

ଅବଚେତନ

 

ଜଣେ ଜଣେ ମନୁଷ୍ୟ ହିସାବରେ ଆମେ ଅଧିକାଂଶ ସମୟରେ ସଚେତନ ଜୀବନ ଭିତରେ ବିଚରଣ କରୁଥିଲେ ମଧ୍ୟ ତଥାପି ନିଜକୁ ସମ୍ପୂର୍ଣ୍ଣ ଭାବରେ ସେହି ଜୀବନରେ ବ୍ୟକ୍ତ କରିପାରୁନାହିଁ । ବହୁତ କିଛି ଅବ୍ୟକ୍ତ ଏବଂ ଅବଦମିତ ହୋଇ ରହିଥାଏ । ସମ୍ଭବତଃ, ଯେତିକି ବ୍ୟକ୍ତ ହୁଏ, ତାହାର ଅନେକ ଗୁଣ ଅବ୍ୟକ୍ତ ଓ ଅବଦମିତ ହୋଇ ରହିଥାଏ । ବେଳେବେଳେ ସହି ଅବଚେତନହିଁ ତଳେ ଥାଇ ଆମ ଚେତନ ଜୀବନକୁ ମଧ୍ୟ ନିୟନ୍ତ୍ରିତ କରୁଥାଏ । ଆମର ବହୁ ସହଜାତ ପ୍ରବୃତ୍ତି, ଅବଦମିତ ଧାରଣା, ନାନା ଅଭ୍ୟାସ, ଭୟ, ନିଜକୁ ବ୍ୟକ୍ତ କରିପାରି ନଥିବା ବହୁ ପ୍ରତିକ୍ରିୟା, କାମନା ଓ ବାସନା, ପୁରାତନ ସ୍ମୃତି,–ଅବଚେତନା ନାମକ ଆମର ସେହି ପାତାଳକ୍ଷେତ୍ରଟିରେ ଏହିମାନେ ଭର୍ତ୍ତି ହୋଇ ରହିଥାନ୍ତି । ଆମ ଚେତନ ସହିତ ପ୍ରାୟ ଏକ ନିରନ୍ତର କଳହରେ ଲିପ୍ତ ଥାଆନ୍ତି । ଆମେ କ’ଣପାଇଁ ନିଜପାଖରୁ ସତେଅବା ଲୁଚି ଲୁଚି ବୁଲୁଥାଉ ଏବଂ ଦାରୁଣ ନାନା ଗ୍ଳାନିରେ ଅତ୍ୟନ୍ତ ଅସହଜ ଏବଂ ବକ୍ର ହୋଇ ରହିଥାଉ ।

 

ତଥାପି, ସେହି ଅବଚେତନକୁ ନେଇ ଆମେ ଯଦି ଅତିବେଶୀ ଚିନ୍ତିତ ଓ ବିବ୍ରତ ହୋଇ ପଡ଼ୁଥିବା, ତା’ ସହିତ ପ୍ରାୟ ଏକ ନିତ୍ୟସଂଗ୍ରାମରେ ବ୍ୟସ୍ତ ରହିଥିବା, ତେବେ ବହୁ ନୈରାଶ୍ୟ ଭିତରେ ପଡ଼ି ରହିଥିବା । ବହୁ ପ୍ରକାରେ ରୋଗାକ୍ରାନ୍ତ ହେବାର ଆଶଙ୍କା ମଧ୍ୟ ରହିଥିବ । ଆମର ସ୍ୱପ୍ନଗୁଡ଼ିକର ମାଧ୍ୟମରେ ଆମକୁ ତାହା ଅତ୍ୟନ୍ତ ଦୁଶ୍ଚିନ୍ତାଗ୍ରସ୍ତ କରି ରଖିଥିବ । ତେଣୁ ପ୍ରତିକାର ହେଉଛି, ଆମେ ପୂର୍ଣ୍ଣ ସହାନୁଭୂତି ସହିତ ଅବଚେତନକୁ ବୁଝିବା, ଯଥାସମ୍ଭବ ଅଧିକ ଦାୟିତ୍ୱଶୀଳ ଭାବରେ ଆମେ ତାହାର ନିକଟବର୍ତ୍ତୀ ହେବା । ଆଧୁନିକ ମନୋବିଜ୍ଞାନ କ୍ରମେ ଏହି ବିଷୟରେ ନାନାବିଧ ବଳିଷ୍ଠ ଆଲୋକପାତ ମଧ୍ୟ କଲାଣି ।

 

ଅଧିକ ଆଲୋକ ଓ ଅଧିକ ଚେତନା,–ଏମାନେ ଆମ ଭିତରକୁ ଭେଦି ଅବଚେତନ ଯାଏଁ ପହଞ୍ଚି ପାରିଲେ ଆଉ ଅବଚେତନ ସହିତ ଆମର ବିବାଦ ରହିବ ନାହିଁ । ‘‘ଯେତେବେଳେ ଆମ ଜୀବନର ଜାଗ୍ରତ ଅଂଶଗୁଡ଼ିକରେ ସେହି ଉଚ୍ଚତର ଚେତନାଟି ପ୍ରକୃତରେ ସୁପ୍ରତିଷ୍ଠିତ ହୋଇଯିବ, ସେତେବେଳେ ତାହା ଅବଚେତନ ମଧ୍ୟକୁବି ପ୍ରବେଶ କରିପାରିବ ଏବଂ ତାକୁ ମଧ୍ୟ ବଦଳାଇ ଦେଇ ପାରିବ । ସେଠାରେ ମଧ୍ୟ ତା’ ନିଜର ଏକ ଦୃଢ଼ ଭୂମି ସ୍ଥାପନ ହୋଇଯିବ । ତା’ପରେ ଅବଚେତନ ଆଉ କୌଣସି ଉପଦ୍ରବ କରିପାରିବନାହିଁ ।’’ (BCL, ୨୨, ପୃଷ୍ଠା–୩୬୦)

☆☆☆

 

ଅବତରଣ

 

ପୁରାତନ ଯୋଗମାର୍ଗରେ ଅବରୋହଣ ବା ଅବତରଣ କଥାଟି ନଥିଲା । ପାରମ୍ପରିକ ସାମୂହିକ ଜୀବନ ଭିତରେ ମଧ୍ୟ ସେହି ରୀତିଟି ଏବେ ସୁଦ୍ଧା ସେତେ ବେଶୀ ପ୍ରବେଶ କରିନାହିଁ । ସୁଖ ଅର୍ଥାତ୍‌ ବ୍ୟକ୍ତିଗତ ସୁଖ, ମୋକ୍ଷ ଅର୍ଥାତ୍‌ ବ୍ୟକ୍ତିଗତ ମୁକ୍ତି ଏବଂ ବ୍ୟକ୍ତିଗତ ସିଦ୍ଧି,–ସଚରାଚର ଏହିପରି ବୁଝାଇ ଆସିଛି । ପୂର୍ଣ୍ଣଯୋଗରେ ଶ୍ରୀ ଅରବିନ୍ଦ ଅବତରଣକୁ ବିଶେଷ ମହତ୍ତ୍ୱ ଦେଇଛନ୍ତି । ସାଧନା ସାଧକର, ମାତ୍ର ସିଦ୍ଧି ସମଗ୍ର ପୃଥିବୀପାଇଁ । ସାଧନା ସାଧକକୁ ନାନା ଉଚ୍ଚତାରେ ନେଇ ପହଞ୍ଚାଇ ଦେଉଥିବ । ତାହା ପ୍ରଥମ ସୋପାନ, ଦ୍ୱିତୀୟ ଅସଲ ସୋପାନଟି ହେଉଛି ଅବତରଣ । (BCL, ୨୨, ପୃଷ୍ଠା–୧୦୦) ନୂତନ ଚେତନାଟି ସହିତ ଏହି ପୃଥିବୀକୁହିଁ ଅବତରଣ । ଅତିମାନସ ଚେତନା ଓହ୍ଲାଇବ ଏବଂ ମନ, ପ୍ରାଣ ଏବଂ ଦେହକୁ ଏକ ନୂତନ ଦୀକ୍ଷାରେ ବଦଳାଇ ଦେବ, ସେମାନଙ୍କୁ ଗୋଟିଏ ଗୋଟିଏ ଯନ୍ତ୍ରରେ ରୂପାନ୍ତରିତ କରିଦେବ । ମାଆଙ୍କ ଭାଷାରେ : Beyond all desire, to be plunged in the condition of those who live by desire. (MCE, ପ୍ରାର୍ଥନା ଓ ଧ୍ୟାନମାଳା, ୧, ପୃଷ୍ଠା–୩୨୪)

 

“ଅନେକ ପଥ ଅଗ୍ରସର ହୋଇ ଯାଇଥିବା ବ୍ୟକ୍ତିମାନେ ପୁନର୍ବାର ଏହି ଭୂମିକୁ ଫେରି ଆସନ୍ତି କି ?” ବୋଲି ଗୋଟିଏ ପ୍ରଶ୍ନର ଉତ୍ତରରେ ମାଆ କହିଛନ୍ତି : ହଁ, ଏହି ଭୂମିଟିରେ ପରିବର୍ତ୍ତନ ନିମନ୍ତେ ଯଦି ସେମାନଙ୍କ ଭିତରେ ଏକ ଇଚ୍ଛା ରହିଥାଏ, ତେବେ, ସେମାନେ ଯେତିକି ଅଧିକ ପରିମାଣରେ ଅଗ୍ରଗତି ହାସଲ କରିଥାନ୍ତି, ସେତିକି ସୁନିଶ୍ଚିତ ଭାବରେ ତଳକୁ ଓହ୍ଲାଇ ଆସନ୍ତି । ଏବଂ, ଯେଉଁମାନଙ୍କ ଭିତରେ ପଳାଇ ଯିବାର ଏକ ଇଚ୍ଛା ରହିଥାଏ, ସେମାନେ ମଧ୍ୟ, ଯେତେବେଳେ ସେମାନେ ସେହି ଆର ପାଖଟିରେ ଯାଇ ପହଞ୍ଚନ୍ତି, ସେମାନେ ମଧ୍ୟ ସେଠାରେ ପହଞ୍ଚି ଦେଖିବାକୁ ପାଆନ୍ତି ଯେ ଏହି ପଳାଇ ଆସିବାଦ୍ୱାରା ପ୍ରକୃତରେ ବେଶୀ କିଛି ଫଳଲାଭ ହେଲାନାହିଁ । (MCE, ୩, ପୃଷ୍ଠା–୫)

 

ସତରେ କ’ଣ କିଛି ଉପରେ ଥାଏ, ଯାହା ନିମ୍ନକୁ ଅବତରଣ କରେ ?–ଆମେ ଏହି କଥାଟିକୁ ମଧ୍ୟ ନିଜର ଅନୁଭବ ଏବଂ ଉପଲବ୍ଧିଦ୍ୱାରା ବୁଝିବା । ଏଠୁ ଥାଇ ଆମେ ଯାହାକୁ ଉପରେ ରହିଛି ବୋଲି କହୁ, ତାହା ବସ୍ତୁତଃ ଏଇଠି ଥାଏ, ଆମର ଉପଲବ୍ଧି ପାଇଁ ଅପେକ୍ଷା କରୁଥାଏ । ଆମ ମୁହୂର୍ତ୍ତଟି ଆସିଲେ ଯାଇ ଆମେ ତାହାକୁ ସ୍ପର୍ଶ କରୁ । ସମ୍ଭବତଃ ମାଆ ସେଇଥିପାଇଁ ଆମକୁ ଅବାକ୍‌ କଲାପରି ଏକଥା ମଧ୍ୟ କହିଛନ୍ତି : “There is no descent. That is another wrong idea : there is no descent. It is something that is always there but which you do not feel. There is no descent : it is a completely wrong idea.” (MCE,୧୨, ପୃଷ୍ଠା–୪୩୧)

☆☆☆

 

ଅବତାର

 

ଅବତାର କଥାଟି ଭାରତୀୟ ବିଶ୍ୱାସ–ପରମ୍ପରାର ଏକ ବିଶେଷ ସମ୍ପଦ । ପରାତ୍ପର ଦିବ୍ୟସତ୍ତା ବେଳେବେଳେ ଏହି ପୃଥିବୀରେ ଅବତୀର୍ଣ୍ଣ ହୁଅନ୍ତି, ମନୁଷ୍ୟର ଶରୀର ଧାରଣ କରନ୍ତି । ଦିବ୍ୟ ପରମସତ୍ତା ମନୁଷ୍ୟ ହୁଅନ୍ତି; କାରଣ ମନୁଷ୍ୟଜାତିକୁ ସିଏ ଦିବ୍ୟ ହୋଇ ପାରିବାର ମାର୍ଗଟିକୁ ଦର୍ଶାଇ ଦେବାକୁ ଇଚ୍ଛା କରୁଥାନ୍ତି । (BCL, ୨୨, ପୃଷ୍ଠା–୪୦୯) ସ୍ୱୟଂ ମନୁଷ୍ୟ ହୋଇ ସେ ତାହା କରିଥାନ୍ତି । ପରାତ୍ପର ପରମେଶ୍ୱରଙ୍କର ଏହି ଅବତାରଗ୍ରହଣ ମନୁଷ୍ୟପାଇଁ ସହାୟକ ହୋଇଥାଏ, ମନୁଷ୍ୟକୁ ତା’ ନିଜ ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ଦିବ୍ୟତାର ଆବିଷ୍କାର କରିବାଲାଗି ପ୍ରେରଣା ଦିଏ ଏବଂ ତାହାର ଉପଲବ୍ଧି ନିମନ୍ତେ ବାଟ ବତାଇଦିଏ । (ତତ୍ରୈବ, ୪୧୨) ଭାଗବତରେ ବିଷ୍ଣୁଙ୍କର ଦଶ ଅବତାର କଥା କୁହାଯାଇଛି । ସେହି ଭାଗବତରେ ତାଙ୍କର ବାଇଶି ତଥା ଚବିଶି ଅବତାରର ମଧ୍ୟ ଉଲ୍ଲେଖ ରହିଛି । ଅବତାର–ଉପାସନାରୁ କ୍ରମେ ସମ୍ପ୍ରଦାୟଗୁଡ଼ିକର ସୃଷ୍ଟି ହୋଇଛି । ସମଗ୍ର ପଦ୍ଧତିଟିରେ ପ୍ରତିବନ୍ଧକମାନ ଆସି ଉପସ୍ଥିତ ହୋଇଛି ଯେତେବେଳେ ଗୁରୁ ଏବଂ ଅବତାରମାନଙ୍କୁ ଉପାସନା କରିବାର ଉତ୍ସାହରେ, ସେମାନେ ଯାହାର ପ୍ରତିନିଧିତ୍ୱ କରୁଥିବା ଉଚିତ, ସେହି ପରମ ଦିବ୍ୟସତ୍ତା ଗୌଣପ୍ରାୟ ହୋଇ ରହି ଯାଇଛନ୍ତି । (ତତ୍ରୈବ, ୪୨୯) ବେଳେବେଳେ ଏହି ଅବତାରମାନଙ୍କୁ ଅଧିକ ଉତ୍ସାହରେ ଅବତାରୀ ବୋଲି କୁହାଯାଇଛି । ଅବତାରୀ ହେଉଛି ଉତ୍ସ, ସବାମୂଳ, ସର୍ବପ୍ରଧାନ, ଯାହାଙ୍କଠାରୁ ଅନ୍ୟ ଅବତାରମାନେ ଜନ୍ମଲାଭ କରିଛନ୍ତି । ନିଜର ଅବତାରଙ୍କୁ ସବୁ ଅବତାରଙ୍କ ମଧ୍ୟରେ ବରିଷ୍ଠ ବୋଲି କହିବାର ପ୍ରବୃତ୍ତିଟି ମଧ୍ୟ ଆମ ଧର୍ମ ଓ ଉପାସନାର ଜଗତରେ କମ୍‌ ଦେଖିବାକୁ ମିଳେନାହିଁ ।

 

ଏହିପରି ଭାବରେ କ୍ରମେ ଧର୍ମଗୁଡ଼ିକ ମଧ୍ୟରେ ନାନା ଗ୍ଳାନି ଆସି ପ୍ରବେଶ କରିଛି, ଅସଲ ରଙ୍ଗଟି ସତେଅବା ପ୍ରକୃତ ପ୍ରଭାଟିକୁ ହରାଇ ବସିଛି । ତେଣୁ, ଶ୍ରୀ ଅରବିନ୍ଦଙ୍କ ଭାଷାରେ : All religions are a little off–colour now. The need of a larger opening of the soul into the Light is being felt, an opening through which the expanding human mind and heart can follow. (ତତ୍ରୈବ, ୪୩୦)

☆☆☆

 

ଅଭୀପ୍ସା

 

ଯିଏ ଯାହା ଯେତେବେଳେ ଅକ୍ତିଆର କରିବାକୁ ଚାହେଁ, ତାକୁ ନିଜର ଅଧିକାର ଭିତରକୁ ଟାଣି ଆଣିବାକୁ ଚାହୁଁଥାଏ, ସେତେବେଳେ ଆମେ ତାହାକୁ ତା’ର ବାସନା ବୋଲି କହିପାରିବା । ମାତ୍ର, ସିଏ ଯେତେବେଳେ କାହାର ନିକଟବର୍ତ୍ତୀ ହେବାକୁ ଇଚ୍ଛା କରେ, ଯାହାଦ୍ୱାରା ସତେଅବା ନିଜ ଭିତରୁହିଁ ଟାଣିହୋଇ ଯାଉଥିବା ପରି ଅନୁଭବ କରୁଥାଏ ଏବଂ ଯାହାପାଖରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଦେଇ ଦେବାକୁ ସମ୍ମତ ହୋଇ ଯାଇଥାଏ, ସେତେବେଳେ ତାହାକୁ ତା’ର ଏକ ଅଭୀପ୍ସା ବୋଲି କୁହାଯାଏ । ଏହିପରି ଏକ ଅର୍ଥରେ ବାସନାର ଉତ୍ତୋଳନକୁ ହୁଏତ ଅଭୀପ୍ସା ବୋଲି ବୁଝାଯାଇପାରିବ ।

 

ଏକ ଦିବ୍ୟ ଅସନ୍ତୋଷ ଅର୍ଥାତ୍‌ ଏକ ଦିବ୍ୟ ଅଭୀପ୍ସା । (BCL, ୧୮, ପୃଷ୍ଠା–୩୯୫) ନିଜର ଅପୂର୍ଣ୍ଣତା ଓ ନିଜର ସୀମାଗୁଡ଼ିକୁ ନେଇ ଅସନ୍ତୋଷ ଓ ତେଣୁ ସେହି ଅପୂର୍ଣ୍ଣତାର ଅତିକ୍ରମ କରିବାର ମାଧ୍ୟମରେ ଅସୀମ ହେବାପାଇଁ ଅଭୀପ୍ସା । ନିଜର ଅନ୍ତର୍ଗତ ଚେତନାର ଦ୍ୱାରୋନ୍ମୋଚନ ନିମନ୍ତେ ଅଭୀପ୍ସା । ପରମ ଦିବ୍ୟସତ୍ତାକୁ ଆବାହନ କରିବାପାଇଁ ନିଜର ଶକ୍ତିଗୁଡ଼ିକର ଉଦ୍‌ବୋଧନ ନିମନ୍ତେ ଅଭୀପ୍ସା । ଯାବତୀୟ ଅଭୀପ୍ସାରେ ଆପଣାକୁ ଏକ ଉଚ୍ଚତର ଚେତନା ପାଖରେ ଆଣି ଦେଇଦେବାକୁ ହୁଏ, ସେହି ଚେତନାଟି ଅବତରଣ କରୁ ଏବଂ ସବୁକିଛି ଅଧିକାର କରିନେଉ ବୋଲି ନିବେଦନ କରିବାକୁ ହୋଇଥାଏ । ସତ୍ୟର ପୂର୍ଣ୍ଣ ଅବତରଣ ଏବଂ ଏହି ପୃଥିବୀରେ ମିଥ୍ୟା ଉପରେ ତାହାର ବିଜୟଲାଭ ପାଇଁ ମଧ୍ୟ ଅଭୀପ୍ସା କରାଯାଇପାରେ ।

 

ଅଭୀପ୍ସା ପ୍ରଗାଢ଼ ହେଲେ ଅନୁଭବ ପ୍ରଗାଢ଼ ହୋଇଆସେ ଏବଂ ପ୍ରଗାଢ଼ ଅନୁଭବରୁ ଈପ୍ସିତ ପରିବର୍ତ୍ତନଟି ମଧ୍ୟ ସମ୍ଭବ ହୁଏ । ଅଭୀପ୍ସାର କ୍ଷେତ୍ରରେ କୌଣସି ବାସନା ଆଦୌ ନଥିବ । ବାସନା ରହିଥିଲେ ଏକ ଅଧୀରତା ମଧ୍ୟ ରହିଥିବ ଏବଂ ଅତ୍ୟୁତ୍ସାହୀ ହୋଇ କଠୋର ଉଦ୍ୟମ କରିବାକୁ ପ୍ରବଳ ଇଚ୍ଛା ହେଉଥିବ; ନିଜର ଆଶା ଏବଂ ଦାବି ଅନୁସାରେ ସଫଳତା ମିଳୁ ନଥିଲେ ନୈରାଶ୍ୟ ଆସୁଥିବ, ବିଦ୍ରୋହ କରିବାକୁ ମନ ହେଉଥିବ । ଆମେ ପ୍ରସନ୍ନ ରହିବା, ପ୍ରୟାସ କରୁଥିବା ଏବଂ ଦୃଢ଼ବିଶ୍ୱାସ ରଖିଥିବା । No desire, no struggle–aspiration, faith, openness and the grace. (BCL, ୨୩, ପୃଷ୍ଠା–୫୬୭)

☆☆☆

 

ଅର୍ଥଶକ୍ତି

 

ଅର୍ଥ ଏକ ଶକ୍ତି, ଧନ ହେଉଛି ଏକ ଶକ୍ତି । ପୃଥିବୀରେ ଆମ ଜୀବନକୁ କ୍ରମସୁନ୍ଦର କରି ଆଣିବାରେ ଅର୍ଥ ସର୍ବଦା ବହୁତ କାମରେ ଲାଗିଆସିଛି । ମଣିଷ ମଣିଷ ମଧ୍ୟରେ ପରିଚୟ ବଢ଼ିବା ସଙ୍ଗେ ସଙ୍ଗେ ଏବଂ ଅଧିକରୁ ଅଧିକ ମଣିଷ ନିଜ ବିଷୟରେ ଅଧିକ ସଚେତନ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଯହୁଁ ଯହୁଁ ଶିକ୍ଷା ଓ ବିଜ୍ଞାନ ଆମ ଆଖିରେ ଅଧିକ ପ୍ରସାର ଆଣି ଦେଉଛନ୍ତି, ପୃଥିବୀରେ ତହୁଁ ତହୁଁ ଅଧିକ ଅର୍ଥର ପ୍ରୟୋଜନ ହେଉଛି । ମଣିଷ କହିଲେ କ୍ରମେ ସବୁ ମଣିଷଙ୍କୁ ବୁଝାଉଛି । ସେମାନଙ୍କର ନାନା ଆବଶ୍ୟକତାର ପୂରଣ ନିମନ୍ତେ ଏଣିକି ଏଣିକି ଅଧିକରୁ ଅଧିକ ଅର୍ଥଶକ୍ତି କାମରେ ଲାଗିବ । ଏଯାଏ ଯାହା ହୋଇଆସିଛି, ଏହି ଶକ୍ତି ମାତ୍ର କେତେକଙ୍କ ପାଖରେ ଠୁଳ ହୋଇ ରହିବ ନାହିଁ ଏବଂ ତେଣୁ ଆଉକେତେ ଜୀବନ ବଞ୍ଚିବାର ନିମ୍ନତମ ସୁଯୋଗରୁ ବଞ୍ଚିତ ହୋଇ ରହିବେନାହିଁ ।

 

ଶ୍ରୀ ଅରବିନ୍ଦଙ୍କର କହିବା ଭଳି, ବର୍ତ୍ତମାନ ପୃଥିବୀର ଅର୍ଥଶକ୍ତି ଅସୁରମାନଙ୍କ ହାତରେ ରହିଛି ଏବଂ ତାହାକୁ ଭଗବାନଙ୍କର କାର୍ଯ୍ୟରେ ଲଗାଇବା ନିମନ୍ତେ ସେମାନଙ୍କ ହାତରୁ ପୁନର୍ବାର ଜୟ କରି ଆଣିବାକୁ ପଡ଼ିବ । ଅସୁରଙ୍କ ହାତରେ ଅର୍ଥାତ୍‌ କ୍ଷମତା ହାତରେ, ସ୍ୱାର୍ଥୀମାନଙ୍କ ହାତରେ, ଏହି ପୃଥିବୀରେ କେବଳ ନିଜକୁହିଁ ଦେଖି ଅନ୍ୟମାନଙ୍କ ପ୍ରତି ଆଖିବୁଜି ରଖିଥିବା ଆତ୍ମକାମୀମାନଙ୍କ ହାତରେ । ଅର୍ଥର ଏହି ବ୍ୟବସ୍ଥାକୁ କେବଳ ଏକ ଅନାଧ୍ୟାତ୍ମିକ ବ୍ୟବସ୍ଥା ବୋଲିହିଁ କୁହାଯିବ । ବର୍ତ୍ତମାନ ପୃଥିବୀରେ ସବୁ ମନୁଷ୍ୟଙ୍କର ହିତସାଧନ କରିପାରିବାଭଳି ଅର୍ଥଶକ୍ତି ମହଜୁଦ୍‍ ରହିଛି ଓ ତାହାକୁ ଆହୁରି ବହୁଗୁଣିତ କରିବା ନମନ୍ତେ ଆବଶ୍ୟକ ବିଦ୍ୟା ଓ ବୁଦ୍ଧି ମଧ୍ୟ ଅଛି; ତଥାପି ଏକ ଅବିବେକ ରାଜା ହୋଇ ବସିଥିବା ପରି ପୃଥିବୀର ଅଧେ ମନୁଷ୍ୟ ଦରିଦ୍ର ଏବଂ ଅସମର୍ଥ ହୋଇ ରହିଛନ୍ତି । ସେହି ଦୁରବସ୍ଥାକୁ ଦୂର କରିବା ଲାଗି ପୃଥିବୀରେ କେତେ ବିଦ୍ରୋହ ଓ ରକ୍ତପାତ ହୋଇଛି, ହେଉଛି । ଏହା ଯିବହିଁ ଯିବ; ଅସୁର ଭଳି ବ୍ୟବସ୍ଥାଟାଏ ମାନବଜାତିର ଅଭ୍ୟୁଦୟରେ ପ୍ରତିବନ୍ଧକ ହୋଇ ବସିଥିବ, କାଳର ଅନୁମନ୍ତା ତାହାକୁ କଦାପି ରହିବାକୁ ଦେବନାହିଁ-। ଏକ ନୂଆ ପୃଥ୍ୱୀବ୍ୟବସ୍ଥାରେ ଏକ ନୂଆ ଅର୍ଥବ୍ୟବସ୍ଥା ନ୍ୟାୟତଃ ଅପରିହାର୍ଯ୍ୟ ଏବଂ ଅବଶ୍ୟମ୍ଭାବୀ ହୋଇ ରହିବ ।

 

ମାଆ ଗୋଟିଏ ପ୍ରସଙ୍ଗରେ କହିଛନ୍ତି ଯେ, ଧନ ଯାବତୀୟ ବ୍ୟକ୍ତିଗତ ମାଲିକାନାରୁ ମୁକ୍ତ ହେବ ଏବଂ ସମସ୍ତଙ୍କର କଲ୍ୟାଣପାଇଁ କାମରେ ଲାଗିବାକୁ ଦିବ୍ୟ ପରମସତ୍ତାଙ୍କ ହାତରେହିଁ ରହିବ । (MCE, ୧୬, ପୃଷ୍ଠା–୩୭୨) ଏହା କିପରି ହେବ ? ଏହିପରି ଗୋଟିଏ ଅନ୍ୟ ବ୍ୟବସ୍ଥାକୁ ସମ୍ଭବ କରି ଆଣିବାପାଇଁ ପ୍ରକୃତରେ କେଉଁମାନେ କେଉଁଠାରୁ ଆରମ୍ଭ କରିବେ ? ଯେଉଁମାନେ ଦିବ୍ୟ ପରମସତ୍ତାଙ୍କୁ ଜୀବନରେ ସ୍ୱୀକାର କରିନେବାକୁ ସତକୁସତ ଏକ ନିଷ୍ପତ୍ତି ଗ୍ରହଣ କରିବେ, ସେମାନେ ସବାଆଗ ଲୋଭ ଛାଡ଼ିବେ, ଅନ୍ୟମାନଙ୍କ ସହିତହିଁ ନିଜକୁ ଦେଖିବେ ଏବଂ ଅନୁରୂପ ଭାବରେ ନିଜ ସାମୂହିକ ଜୀବନର ପୁନର୍ବିନ୍ୟାସ କରିବେ । ନିଜର ଉପାର୍ଜିତ ଧନରେ ସେମାନେ ଅନ୍ୟମାନଙ୍କୁ ମଧ୍ୟ ସମଭାଗୀ କରିବେ । ପୁନଶ୍ଚ, ଏପରି ନାନା ନୂତନ ସାମୂହିକତାର ଅବସର ସୃଷ୍ଟି କରିବେ, ଯାହାଦ୍ୱାରା କି ଏକତ୍ର ଉପାର୍ଜନ କରି ହେବ ଏବଂ ଉପାର୍ଜିତ ଧନ ଓ ଅର୍ଥକୁ ଏକାଠି ଭୁଞ୍ଜି ହେବ । ଗୋଟିଏ କଥାରେ କହିଲେ, ସେମାନେ ଅସୁର ହେବେନାହିଁ । ଜଣେ ଜଣେ ସନ୍ତାନ ହୋଇ ରହିବେ । ସେହିମାନେହିଁ ଅର୍ଥଶକ୍ତିକୁ ବର୍ତ୍ତମାନର ଦୁଷ୍ଟ ପ୍ରଭାବମଣ୍ଡଳଗୁଡ଼ିକରୁ ମୁକ୍ତ କରି ଆଣିବାରେ ଅଗ୍ରଗାମୀ ପରି କାର୍ଯ୍ୟ କରିବେ ।

 

ମାଆ ଆଉ ଗୋଟିଏ ଅବକାଶରେ କହିଛନ୍ତି (MCE, ୭, ପୃଷ୍ଠା–୫୪) “ପାଖରେ ଅଧିକ ଅର୍ଥ, ଅର୍ଥାତ୍‌ ଅଧିକ ଅନର୍ଥ ଓ ଅଧିକ ଆପଦ । ଅର୍ଥ ରହିଲେ ତୁମେ ବୁଦ୍ଧି ହରାଇବାକୁ ଆରମ୍ଭ କର, କୃପଣ ହୁଅ, ଦୁଷ୍ଟବି ହୁଅ । ....ସମ୍ପୂର୍ଣ୍ଣ ବାସନାମୁକ୍ତ ହୋଇ ନପାରିଥିବା ପର୍ଯ୍ୟନ୍ତ ଅର୍ଥନାମକ ପଦାର୍ଥଟି ଆଦୌ ପାଖରେ ରହିବା ଉଚିତ ନୁହେଁ । ଯେତେବେଳେ କୌଣସି ବାସନା ରହେନାହିଁ, ଆସକ୍ତି ଦୂର ହୋଇଯାଏ ଏବଂ ଏହି ପ୍ରଶସ୍ତ ପୃଥିବୀ ପରି ଆମ ଚେତନାଟି ମଧ୍ୟ ପ୍ରଶସ୍ତ ହୋଇଯାଏ, ସେତେବେଳେ ଆମେ ମନ କଲେ ସମଗ୍ର ପୃଥିବୀଯାକର ଧନକୁ ମଧ୍ୟ ପାଖରେ ଆଣି ରଖିପାରିବା । ....ତେଣୁ, ପଇସା ପାଖକୁ ଆସିବାମାତ୍ରକେ ତାହାକୁ ଦେଇଦେବାହିଁ ବୁଦ୍ଧିମାନ୍‌ର କାର୍ଯ୍ୟ ହେବ । ....ପଇସା ସଚଳ ନହେଲେ ତାହାର ପ୍ରକୃତରେ ଆଦୌ କୌଣସି ମୂଲ୍ୟ ରହିବନାହିଁ ।”

 

ଆଗକୁ ଯେଉଁ ସମୟଟି ଆସୁଛି, ସେଥିରେ ଅନେକ ମଣିଷଙ୍କୁ ଅସ୍ୱୀକାର କରି କେତେକ ମନୁଷ୍ୟ ଆଦୌ ପୃଥିବୀରେ ଅର୍ଥଶକ୍ତିକୁ କେବଳ ନିଜ ଅକ୍ତିଆରରେ କଦାପି ମାଡ଼ି ବସି ରଖିପାରିବେ ନାହିଁ । ଯେକୌଣସି ଆଧ୍ୟାତ୍ମିକ ବ୍ୟବସ୍ଥାବଦଳରେ ମଧ୍ୟ ତାହା ଏକ ଅତ୍ୟାବଶ୍ୟକ କାର୍ଯ୍ୟକ୍ରମ ହୋଇ ରହିବ । ଏବଂ, ପୃଥିବୀ ତମାମ ପୁରୋଗାମୀମାନେ ସତେ ଯେପରି ବିଭିନ୍ନ ଉପାୟରେ ସେହି ଆଡ଼କୁହିଁ ବାଟ ଫିଟାଇ ନେବାକୁ ଆରମ୍ଭ କରିଦେଲେଣି ।

☆☆☆

 

ଅହଂ

 

ଏକ ଅହଂବୋଧରୁହିଁ ଆମ ଜୀବନରେ ଯାବତୀୟ ଅସ୍ତିତ୍ୱବୋଧ ଆରମ୍ଭ ହୋଇଥାଏ । ଆମ ଜୀବନଚେତନାର ମୂଳ ପିଣ୍ଡଟି ହେଉଛି ବସ୍ତୁତଃ ଏହି ଅହଂଚେତନା । ଅହଂନାମକ ଏହି କେନ୍ଦ୍ରରୁହିଁ ବ୍ୟକ୍ତି ସଚରାଚର ପରିଧିଟିକୁ ବା ପରିଧିଗୁଡ଼ିକୁ ଦେଖେ ଏବଂ ତାହାକୁ ଜଗତ ବୋଲି ଚିହ୍ନେ । ଜଗତ ସହିତ ସେତୁଗୁଡ଼ିକୁ ପକାଏ ଏବଂ ତାହାରିଦ୍ୱାରା ନିଜର କ୍ଷେତ୍ରଟିକୁ ବିସ୍ତୃତ କରି ନେଉଥାଏ । ମୁଁ ଦେଖୁଛି, ମୁଁ ଶୁଣୁଛି, ମୁଁ ବଞ୍ଚିଛି, ମୁଁ ଭାବୁଛି, ମୋ’ର ମନେ ପଡ଼ୁଛି, ମୋର ମତ ହେଉଛି ଇତ୍ୟାଦି ଇତ୍ୟାଦି । ଏହିପରି ଭାବରେ ଅବରୋଧ ସମ୍ପର୍କର ଏକ ଜାଲ ବୁଣା ହୋଇଯାଏ; ରୁଚି ଅରୁଚି ଏବଂ ଉଚିତ ଅନୁଚିତର ସଂସାରଟିଏ ଗଢ଼ିଉଠେ । ଏହି ସଂସାରଟିକୁ ଗଢ଼ି ଆଣିବାରେ ପରିବେଶର ମଧ୍ୟ ନିର୍ଦ୍ଦିଷ୍ଟ ଅବଦାନମାନ ରହିଥାଏ । ‘ମୁଁ’ ବୋଲି ଅନୁଭବ କଲାବେଳେ ସତେଅବା ଏକ ସ୍ୱୟଂସମ୍ପୂର୍ଣ୍ଣତାର ଅନୁଭବ ହେଉଥାଏ । ସେହି ଅନୁଭବରୁ ଆନନ୍ଦ ମିଳେ ।

 

ବ୍ୟକ୍ତିବୋଧରୁ ଗୋଷ୍ଠୀବୋଧ । ମୋ’ କୁଟୁମ୍ବ, ମୋ’ ଦେଶ, ମୋ’ ଜାତି, ମୋ’ ଧର୍ମ ବା ମୋ’ ସଂସ୍କୃତି,–ଏହି ସବୁକିଛି ମଣିଷକୁ ଖୁବ୍‌ ମଜ୍ଜାଇ ରଖିଥାଏ । ଗୋଟାଏ ପ୍ରକାର ଅଫିମ ଭଳିବି କାମ କରେ । ଦମ୍ଭ ଦେଉ ଦେଉ ଦମ୍ଭୀ କରିପକାଏ । ନିଜର ଆବର୍ତ୍ତଗୁଡ଼ିକୁ ନିଜର ବୋଲି କହୁକହୁ ଆଉ କାହାକୁ ବା କେଉଁମାନଙ୍କୁ ଅପର ଓ ଏପରିକି ଅବର ବୋଲି କହିବା ନିମନ୍ତେ ବାସନା ହୁଏ । ଏଇଟିକୁ ଭଲ ପାଉ ପାଉ ସେଇଟିକୁ ଘୃଣା କରିବା ଅନେକ ସମୟରେ ଏକ ଆବଶ୍ୟକତା ପରି ମନେ ହୁଏ । ଆମ ପୃଥିବୀରେ ଆଧୁନିକ ଜାତୀୟତାବାଦର ଇତିହାସରେ ତାହାର ଭୂରିଭୂରି ଉଦାହରଣ ମିଳିଯାଇ ପାରିବ । ଧର୍ମମାର୍ଗରେ ଜଡ଼ିତ ହୋଇ ପଡ଼ି ମଣିଷମାନେ କାଳେ କାଳେ ହୁଏତ ଧର୍ମଯୁଦ୍ଧ ଭିତରକୁ ମଧ୍ୟ ପେଲି ହୋଇ ଚାଲିଯାଆନ୍ତି । ସମ୍ପ୍ରଦୟ ସମ୍ପ୍ରଦୟ ମଧ୍ୟରେ ସତ୍ୟ ଓ ଭଗବାନଙ୍କର ଦ୍ୱାହି ଦେଇ ନିତାନ୍ତ ହାସ୍ୟାସ୍ପଦ ଭାବରେ କଳହ ଲାଗିଥାଏ ।

 

କେଉଁଠି କ’ଣ ବିଗିଡ଼ିଯାଏ, ଯାହାଫଳରେ ଅହଂ ନିଜର ଚାରିପାଖରେ ନାନା ବାଡ଼ ବସାଇଦିଏ ଓ କାନ୍ଥ ତିଆରି କରି ରଖିବାକୁ ଭଲ ପାଏ । ଉଗ୍ର ହୁଏ, ଉତ୍ତପ୍ତ ହୁଏ, କୁଆଡ଼େ ମନ କୁଆଡ଼େ ହୁଡ଼ିଯାଏ । କେବଳ ଦାବି କରୁଥାଏ,–ଏପରିକି ଅନ୍ୟକୁ ଗିଳି ପକାଇବାକୁ ମଧ୍ୟ ଏକ ବିଶେଷ ସାମର୍ଥ୍ୟ ବୋଲି ବିଚାର କରେ । ଯାବତୀୟ ଯଥାର୍ଥ ସାଧନାରେ ସେଥିଲାଗି ଏହି ଅହଂର ଫାଶ ଓ ପ୍ରଲୋଭନ ଭିତରୁ ନିଜକୁ ମୁକ୍ତ କରି ରଖିବାକୁ ପଡ଼େ । ଏହି ଅଂହ ଯେ ଆମର ଅସଲ ଆତ୍ମସତ୍ତା ନୁହେଁ, ଏହି ବିଶ୍ୱାସରେ ନିଜକୁ ସୁରକ୍ଷିତ କରି ରଖିବାକୁ ହୋଇଥାଏ । ଶ୍ରୀ ଅରବିନ୍ଦ ଏହି ଅହଂକୁହିଁ ସାଧନାର ଜୀବନରେ ସବୁଠାରୁ ବଡ଼ ବିପଦ ବୋଲି କହି ସଂପୃକ୍ତ ସମସ୍ତଙ୍କୁ ସତର୍କ କରି ଦେଇଛନ୍ତି । (BCL, ୨୩, ପଷ୍ଠା–୧୦୪୮) ଅଂହର କବଳରୁ ବାହାରି ଆସିବା ସକାଶେ ନିଜକୁ ସଂପ୍ରସାରିତ କରିପାରିବାର ସେହି ଅନ୍ୟ ବିଦ୍ୟାଟିକୁ ଆୟତ୍ତ କରିବାକୁ ହୋଇଥାଏ । ନିଜ ଜୀବନରେ ଏକ ଉଚ୍ଚତର ପ୍ରକୃତିର ସ୍ପର୍ଶ ଲାଭ କରିବାଦ୍ୱାରାହିଁ ଅହଂର ଶାସନରୁ ମୁକ୍ତିଲାଭ ସମ୍ଭବ ହୁଏ ।

☆☆☆

 

ଆତ୍ମା

 

ସକଳ ବସ୍ତୁ ଅର୍ଥାତ୍‌ ସକଳ ଚରାଚରର ଅନ୍ତର୍ସତ୍ୟଟି,–ଆମେ ତାହାକୁ ଆତ୍ମା ବୋଲି ଜାଣିବା । ଜଣେ ବ୍ୟକ୍ତି ଭିତରେ, ଯେଉଁଠାରେ ସମୁଦାୟ ବିଶ୍ୱ ଠୁଳ ହୋଇ ରହିଛି ଏବଂ ଚେତନାକୁ ଲମ୍ବାଇଦେବାମାତ୍ରକେ ପ୍ରତ୍ୟକ୍ଷ ଭାବରେ ଅନୁଭୂତ ହେଉଛି, ସେଇଟିହିଁ ଆତ୍ମା । ଆମେ ବାହାରେ ଯେତିକି ଭିତରେ ବିଚରଣ କରୁଚୁ ଏବଂ ଯାହାକୁ ଆମ ଜୀବନର ପ୍ରାୟ ସବୁଯାକ ଦୈର୍ଘ୍ୟପ୍ରସ୍ଥ ବୋଲି ଧରିନେଉଛୁ, ତାହା ସହିତ ଆମ ଭିତରେ ମଧ୍ୟ ଗୋଟିଏ ସତ୍ୟ ରହିଛି, ଯାହାକି ଏହି ସବୁକିଛିର ନିର୍ଦ୍ଧାରଣ କରୁଛି, ନିୟମନ କରିବାରେ ଲାଗିଛି । ଆମ ଜୀବନରେ ସେହି ‘ଅଧ୍ୟକ୍ଷ’ ହେଉଛି ଆମର ଆତ୍ମା । (BCL,୧୮, ୩୪୭)

 

ସବୁଟି ଭିତରେ ସେହି ଗୋଟିଏ ଆତ୍ମା । ଅର୍ଥାତ୍‌, ଏହାର ମାଧ୍ୟମରେହିଁ ଆମେ ପରସ୍ପର ସହିତ ଯୋଡ଼ିହୋଇ ରହିଛୁ । ଦେହ, ପ୍ରାଣ ଓ ମନର ସ୍ତରରେ ଯେତେ ଭିନ୍ନ ହୋଇ ରହିଥିଲେ ମଧ୍ୟ ତଥାପି ଯୋଡ଼ିହୋଇ ରହିଛୁ । ଆମ ଭିତରେ ଯୁଗପତ୍‌ ଭାବରେ ବ୍ୟକ୍ତି, ବିଶ୍ୱ ଏବଂ ବିଶ୍ୱାତୀତର ଅନୁଭୂତି, ତାହାହିଁ ଆତ୍ମାର ଅନୁଭୂତି । ଅର୍ଥାତ୍‌, ଆମ ଜୀବନ ବଞ୍ଚିବାର ବ୍ୟକ୍ତି–କେନ୍ଦ୍ରଟିରେ, ଯେଉଁଠି ଆମେ ଏହି ବିଶ୍ୱସମଗ୍ରକୁ ମଧ୍ୟ ଅନୁଭବ କରିଥାଉ, ତାହାହିଁ ହେଉଛି ଆତ୍ମାର ସ୍ଥାନ । (BCL, ୨୩, ୧୦୭୨) ଯୋଗର ପାରମ୍ପରିକ ମାର୍ଗଗୁଡ଼ିକରେ ଆତ୍ମାକୁ silent ବ୍ରହ୍ମ ବୋଲି ଘୋଷଣା କରାଯାଇଛି । ଆତ୍ମାର ଉପଲବ୍ଧିକୁ ସେହି ମାର୍ଗଗୁଡ଼ିକ ନିଜର ଚରମ ଲକ୍ଷ୍ୟ ବୋଲି ଗ୍ରହଣ କରିଛନ୍ତି । ପୂର୍ଣ୍ଣଯୋଗର ଉପଲବ୍ଧି–କ୍ରମରେ ଏଇଟି ହେଉଛି ପ୍ରଥମ ସୋପାନ । (ତତ୍ରୈବ, ପୃଷ୍ଠା–୯୧୬)

 

ଯାବତୀୟ ସତ୍ୟ ପରି ଆତ୍ମାର ସତ୍ୟ ମଧ୍ୟ ଏକ ଆହ୍ୱାନ, ଆତ୍ମାରେ ବିଶ୍ୱାସ କରୁଥିବା ବ୍ୟକ୍ତିମାନଙ୍କ ଲାଗି ପ୍ରକୃତରେ ଏକ କଠୋର ଆହ୍ୱାନ । ଯଦି ଗୋଟିଏ ଆତ୍ମା ସମସ୍ତଙ୍କୁ ଏକତ୍ର ସମ୍ଭାରି ରଖିଛି, ତେବେ ସମସ୍ତେ ହେଉଛନ୍ତି ସମସ୍ତଙ୍କର ଆତ୍ମୀୟ । ଏବଂ, ଆତ୍ମୀୟତାର ବିଧାନରେ ଆମ ସାନ ଓ ବଡ଼ ପୃଥିବୀଗୁଡ଼ିକ ଚଳିବାକୁ ଆରମ୍ଭ କଲେ ତାହା ସବୁକିଛିକୁ କେଡ଼େ ଅନ୍ୟଭଳି କରି ନ ଦିଅନ୍ତା !

☆☆☆

 

ଆନନ୍ଦ

 

ବ୍ରହ୍ମ ଅର୍ଥାତ୍‌ ସର୍ବୋଚ୍ଚ ସତ୍ୟର ଉପଲବ୍ଧିକୁ ଅଧ୍ୟାତ୍ମ ଶାସ୍ତ୍ରମାନଙ୍କରେ ଆନନ୍ଦ ବୋଲି କୁହାଯାଇଛି । ଗୋଟିଏ ଉପନିଷଦରେ ଆନନ୍ଦକୁହିଁ ଏହି ଯାବତୀୟ ବିଶ୍ୱସୃଜନର ଉତ୍ସକାରଣ ବୋଲି ଘୋଷଣା ହୋଇଛି । ଏହି ଆକାଶ ଯଦି ଆନନ୍ଦଦ୍ୱାରା ପୂର୍ଣ୍ଣ ହୋଇ ରହି ନଥାନ୍ତା, ତେବେ ଆଦୌ କିଛିହେଲେ ସମ୍ଭବ ହୋଇ ନଥାନ୍ତା । ଶ୍ରୀ ଅରବିନ୍ଦଙ୍କର କହିବା ଅନୁସାରେ ଏକ joyless ଭଗବାନଙ୍କର କଳ୍ପନାକୁ କେବଳ ଉଦ୍ଭଟ ବୋଲିହିଁ କୁହାଯାଇପାରିବ । (BCL,୨୩, ପୃଷ୍ଠା–୧୭୩)

 

ଆନନ୍ଦଂ ବ୍ରହ୍ମଣୋ ବିଦ୍ୱାନ୍‌ ନ ବିଭେତି କଦାଚନ–ବ୍ରହ୍ମଙ୍କୁ ଆନନ୍ଦରୂପେ ଚିହ୍ନିନେଇ ପାରିଲେ ଜୀବନରେ ଭୟର କୌଣସି ଅବକାଶହିଁ ରହେନାହିଁ । ଭଗବତ୍‌ସାଧନାରେ କିଏ କେତେକଅଣ ମାଗନ୍ତି । ମାତ୍ର, ସମ୍ଭବତଃ ଯେତେବେଳେ ଆଦୌ କିଛିହେଲେ ମାଗିବାକୁ ମନ ହୁଏ ନାହିଁ, ଖାଲି ଛୁଇଁକରି ରହିବାରୁହିଁ ସବୁକିଛି ମିଳି ଯାଉଥାଏ ଏବଂ ନିଜର ପାତ୍ରଟି ପୂର୍ଣ୍ଣ ହୋଇ ଯାଉଥାଏ, ସେହି ଅବସ୍ଥାଟି ହେଉଛି ଆନନ୍ଦର ଅବସ୍ଥା । ସେତେବେଳେ ଅତ୍ୟନ୍ତ ସ୍ୱାଭାବିକ ଭାବରେ ତାଙ୍କରି ନିର୍ଦ୍ଦେଶଗୁଡ଼ିକ ଭିତରୁହିଁ ଶୁଣାଯାଏ । ଆଲୋକ ଆନନ୍ଦ ଦିଏ, ପୃଥିବୀ ଆନନ୍ଦ ଦିଏ, ମନୁଷ୍ୟମାନେ ଆନନ୍ଦ ଦିଅନ୍ତି । ଗୋଡ଼ମାନେ କେଡ଼େ ସମ୍ମତ ଭାବରେ ଆଗକୁ ପଡ଼ି ପଡ଼ି ଯାଉଥାଆନ୍ତି । ଭିତରର ଖୁସି ବାହାରଟାକୁ ମଧ୍ୟ ସେହି ଖୁସିରେହିଁ ପୂର୍ଣ୍ଣ କରି ରଖିଥାଏ । ଯେତିକି ଦିଆହୁଏ, ତାହାର ଦଶଗୁଣ ଆସି ଆମର ପାତ୍ରଟିକୁ ଭରି ଦେଉଥିଲା ପରି ଲାଗେ । ଯାବତୀୟ କ୍ଷତି ଓ କ୍ଷତର ଚେତନା ସତେଅବା ଲାଜରେ ଲୁଚି କୁଆଡ଼େ ପଳାଇ ଯାଇଥାନ୍ତି । ନିଜ ସହିତ ଆଉ କଳହ ଲାଗିବାର କୌଣସି କାରଣ ନଥାଏ, ତେଣୁ ବାହାରେ ମଧ୍ୟ କଳହ ନଥାଏ ।

 

ସେହି ଆନନ୍ଦର ଉପଲବ୍ଧି ଜୀବନରେ ଉଦାସୀନତା ବୋଲି ସେହି ଅନ୍ୟ ପଦାର୍ଥଟିକୁ ଆଦୌ ଆସିବାକୁ ଦିଏନାହିଁ । ଉଦାସୀନତା ନଥାଏ ବୋଲି ଯନ୍ତ୍ର ହେବାର ପଥରେ ଆଉ କୌଣସି ପ୍ରତିବନ୍ଧକ ରହେନାହିଁ । ଯନ୍ତ୍ରଟିଏ ହୋଇ ବିପଦ ଯାଏଁ । ଆମେ ଯାହାଙ୍କ ପାଖରେ ଯାଇ ପହଞ୍ଚିବୁ ବୋଲି ମାର୍ଗ ଉପରକୁ ଆସିଥାଉ, ସତେଅବା ସେଇ ସାଥୀବାଟୋଇ ଭାବରେ ପାଖେପାଖେ ରହି ଆମ ସହିତ ବାଟ ଚାଲୁଥାନ୍ତି ।

 

ସମସ୍ତେ ଏହି ଆନନ୍ଦର ଭାଜନ ଯେପରି ହୋଇପାରିବେ, ସେହିଭଳି ଏକ ଅନ୍ୟ ପୃଥିବୀ ପ୍ରକୃତରେ ଅତ୍ୟନ୍ତ ଅନ୍ୟଭଳି ହେବ । ପ୍ରକୃତି ଆମକୁ ସେହିଆଡ଼କୁ ବାଟ ଦେଖାଇ ନେଇଯାଉଛି । ଆମେ ସହଯୋଗ କଲେ ଅନେକ ଅଧିକ ତ୍ୱରାର ସହିତ ନେଇଯାଇପାରିବ ।

☆☆☆

 

ଆରୋହଣ

 

ଯାହା ଉପରେ ଚକ୍ଷୁ ନିବିଷ୍ଟ କରି ଆମେ ବାଟ ଚାଲିବା, ତାହା ହେଉଛି ଏକ ପର୍ବତଶିଖର । ରାସ୍ତା ଏକ ଉଠାଣି ରାସ୍ତା । ସେହି ରାସ୍ତାରେ ଆମକୁ ସୋପାନ ପରେ ସୋପାନ ଓ ସ୍ତର ପରେ ସ୍ତର ଅତିକ୍ରମ କରି ଯିବାକୁ ହୋଇଥାଏ । ପ୍ରାୟ ଏହିଭଳି ଏକ ସୂଚନା ଦେଇ ଉପନିଷଦରେ ଅତିକ୍ରମଣ ଏବଂ ଉତ୍‌କ୍ରାନ୍ତିର କଥା କୁହାଯାଇଛି । ଏକ ନିମ୍ନତର ଚେତନାରୁ ଉଚ୍ଚତର ଚେତନାକୁ ଆରୋହଣ । ନିମ୍ନରେ ସବୁ ଅଳପ, ସବୁ ସୀମାବଦ୍ଧ ଓ ସବୁ ଖଣ୍ଡିତ । ଉଚ୍ଚତର ଚେତନାରେ ଆମକୁ ସମଗ୍ର ପୃଥିବୀ ଗୋଟିଏ ହୋଇ ଦିଶିବ । ତାହା ହେଉଛି ଏକ ବ୍ୟାପ୍ତି, ଏକ ମୁକ୍ତ ଚେତନାର, ଶାନ୍ତିର ଏବଂ ଆଲୋକର ରାଜ୍ୟ । ଉଚ୍ଚତର ଚେତନା ଅର୍ଥାତ୍‌ ଦିବ୍ୟ ଚେତନା ।

 

ଆମେ ବର୍ତ୍ତମାନ ଯେଉଁଠାରେ ଅଛୁ, ସେଠାରେ କେଜାଣି କାହିଁକି ସବୁକିଛି ଅତ୍ୟନ୍ତ ଅପୂର୍ଣ୍ଣ ଏବଂ ଅଯଥେଷ୍ଟ ଲାଗିବ । ଏକ ସଜ୍ଞାନତା ଜନ୍ମଲାଭ କରିବ ଯେ, ଊର୍ଦ୍ଧ୍ୱକୁ ଗଲେ ଆହୁରି କିଛି ରହିଛି, ଯାହା ଆମ ସକାଶେ ଅପେକ୍ଷା କରୁଛି ଏବଂ ଆମେ ସତକୁସତ ମନ କଲେ ତାହା ଆମର ଏକ ସମ୍ପଦରୂପେ ଉପଲବ୍ଧ ହୋଇ ପାରିବ । ତାହା ଅଭୀପ୍ସାର ଉନ୍ମେଷଣ ଘଟାଇ ଆଣିବ । ଅଭୀପ୍ସା ପାକଳ ହୋଇ ଆସିଲେ କ୍ରମେ ଆରୋହଣଟି ଆରମ୍ଭ ହୋଇଯିବ । (BCL, ୨୪, ପୃଷ୍ଠା–୧୧୨୯)

 

ଆରୋହଣ ସହିତ ଅବତରଣ ଅବଶ୍ୟମ୍ଭାବୀ ଭାବରେ ଗଅଁଠା ହୋଇ ରହିଛି । ବ୍ୟକ୍ତି ଅନୁସାରେ କେତେବେଳେ ଆଗ ଆରୋହଣ ଓ ତା’ପରେ ଅବତରଣ, କେତେବେଳେ ଆଗ ଅବତରଣ ଓ ତା’ପରେ ଆରୋହଣ ଏବଂ ପୁଣି କେତେବେଳେ ଯୁଗପତ୍‌ ଭାବରେ ଆରୋହଣ ଏବଂ ଅବତରଣ । (ତତ୍ରୈବ, ପୃଷ୍ଠା–୧୧୨୬) ଶ୍ରୀ ଅରବିନ୍ଦଙ୍କର କହିବା ଅନୁସାରେ ଆରୋହଣ ଅବତରଣଠାରୁ ଅପେକ୍ଷାକୃତ ଅଧିକ ସହଜ । ସମ୍ଭବତଃ ସେହି କାରଣରୁ ବହୁ ବ୍ୟକ୍ତି ସେହି ଉପରେ ରହିଯାଆନ୍ତି, ତଳକୁ ଆସନ୍ତିନାହିଁ । ମାତ୍ର, ବସ୍ତୁତଃ, ଆରୋହଣର ପର୍ଯ୍ୟାୟରେ ସତ୍ତାର ସମସ୍ତ ଅଂଶ ଉପରକୁ ଯାଇ ନଥାଏ, କେବଳ କେତେକ ଅଂଶହିଁ ଯାଇଥାଏ, ଅବଶିଷ୍ଟ ଅଂଶ ତଥାପି ପ୍ରସ୍ତୁତ ହୋଇ ନଥାଏ ଏବଂ ନିମ୍ନଟି ସହିତ ଜଡ଼ିତ ରହିଥାଏ । ଅବରୋହଣର ଅପେକ୍ଷାରେ ଥାଏ । (ତତ୍ରୈବ, ପୃଷ୍ଠା–୧୧୪୬) ତେଣୁ, ପୂର୍ଣ୍ଣ ପରିବର୍ତ୍ତନ ନିମନ୍ତେ ଊର୍ଦ୍ଧ୍ୱକୁ ଆରୋହଣ ଏବଂ ଊର୍ଦ୍ଧ୍ୱରୁ ଅବତରଣ, ଉଭୟଟିର ଆବଶ୍ୟକତା ରହିଥାଏ । (ତତ୍ରୈବ, ପୃଷ୍ଠା–୧୪୩୩)

 

କେବଳ ବ୍ୟକ୍ତିର ସାଧନାକ୍ଷେତ୍ରରେ ନୁହେଁ, ମାନବସମୂହ ନିଜର ସାମୂହିକ କ୍ଷେତ୍ରରେ ମଧ୍ୟ ଏହିପରି ଶୃଙ୍ଗରୁ ଶୃଙ୍ଗକୁ ଆରୋହଣ କରି ଏକ ଅଧ୍ୟାତ୍ମ ସ୍ତରରେ ଉପନୀତ ହେବ ବୋଲି ଶ୍ରୀ ଅରବିନ୍ଦ ଏକ ପ୍ରେରଣାପୂର୍ଣ୍ଣ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । (BCL, ୧୫, ‘‘ମାନବ–ଯୁଗଚକ୍ର’’ ଗ୍ରନ୍ଥର ଶେଷ ଅଧ୍ୟାୟ) ।

☆☆☆

 

ଆଶ୍ରମ

(ଶ୍ରୀ ଅରବିନ୍ଦ ଆଶ୍ରମ)

 

ପୃଥିବୀରେ ସବୁ ମଣିଷ ଯଦି ନିଜର ଜୀବନକୁ ଏକ ତପସ୍ୟା ପରି ବଞ୍ଚୁଥାଆନ୍ତେ, ତେବେ ଏହି ପୃଥିବୀ ଏକାବେଳେକେ ଅନ୍ୟ ପ୍ରକାରର ହୋଇଥାନ୍ତା । ମଣିଷ ମଣିଷର ପ୍ରତିଦ୍ୱନ୍ଦ୍ୱୀ କିମ୍ବା ପରିପନ୍ଥୀ ନୁହେଁ, ସାଥୀ ଏବଂ ସହଯାତ୍ରୀ ହୋଇ ରହିଥାନ୍ତା । ପରସ୍ପରକୁ ସେହି ତପସ୍ୟାରେ ତଥାପି ଅଧିକ ଆଗେଇ ନେବାରେ ସାହାଯ୍ୟ କରିବା ପ୍ରତ୍ୟେକଙ୍କର ସର୍ବପ୍ରଧାନ ଧର୍ମ ହୋଇଥାନ୍ତା-

 

ତପସ୍ୟାମୟ ଜୀବନଟିଏ ଲାଗି ସମ୍ଭବତଃ ପ୍ରଥମେ ଏହି ଆଶ୍ରମର ବିଚାରଟି କେତେକଙ୍କର ମଥାରୁ ବାହାରିଥିଲା । ସେମାନେ ପୃଥିବୀର ସକଳ କୋଳାହଳରୁ ବାହାରେ ରହି ତପଃସାଧନା କରିବେ ବୋଲି ନିକାଞ୍ଚନ ଅରଣ୍ୟ ଭିତରେ ନିଜପାଇଁ ଆଶ୍ରମଟିଏ ତିଆରି କରୁଥିଲେ-। ଅବଶ୍ୟ କ୍ରମେ ସେହି ଆଶ୍ରମ ମଧ୍ୟ ନିଜସ୍ୱ ଧାରାର ଏକ ସଂସାରରେ ପରିଣତ ହୋଇ ଯାଉଥିଲା-। ତଥାପି ଶାନ୍ତିହିଁ ସର୍ବମୁଖ୍ୟ କାମ୍ୟ ହୋଇ ରହିଥିଲା । ବ୍ୟକ୍ତିଗତ ମୁକ୍ତିର ଲକ୍ଷ୍ୟଟିଏବି ସେଥିରେ ଯୋଡ଼ା ହୋଇ ରହିଥିଲା । ସଂସାର ଭିତରେ ଶାନ୍ତି ସମ୍ଭବ ହୋଇପାରିବା ବିଷୟରେ କେହି ଚିନ୍ତା କରି ନଥିଲେ ।

 

ଶ୍ରୀ ଅରବିନ୍ଦ ମଧ୍ୟ ଧର୍ମତଃ ତପସ୍ୟାର ଏକ ସ୍ଥାନ ହୋଇ ରହିବାପାଇଁ ଜନ୍ମଲାଭ କରିଛି-। ମାତ୍ର ସେହି ତପସ୍ୟା ପୃଥିବୀରୁ ପଳାଇବା ନିମନ୍ତେ ନୁହେଁ, ପୃଥିବୀକୁ ବଦଳାଇବାର ତପସ୍ୟା-। ସଂଘବଦ୍ଧ ତପସ୍ୟା । ପୃଥିବୀ ଯେପରି ଏକ ଉଚ୍ଚତର ଚେତନାଦ୍ୱାରା ପରିଚାଳିତ ହେବାପାଇଁ ସମ୍ମତ ହେବ ଏବଂ ସଜାଡ଼ି ହୋଇ ଆସିବ, ସେଥିଲାଗି ଗୋଟାଏ ଅଭିନବ ଉଦ୍ୟମର ଅସ୍ପୃହା । ସେହି ଆସ୍ପୃହା ପୃଥିବୀ ମଧ୍ୟକୁ ସଂକ୍ରମିତ ହୋଇଯିବ ।

 

ମାଆଙ୍କ ଭାଷାରେ, ଆଶ୍ରମ ହେଉଛି the cradle of a new world,–ଏକ ଅନ୍ୟଭଳି ପ୍ରତିଶ୍ରୁତିକୁ ଗର୍ଭରେ ବହନ କରି ଆସୁଥିବା ଆଗାମୀର ସୃଜନ ନିମନ୍ତେ ସମବେତ ତପସ୍ୟାର ଏକ କର୍ମଶାଳା । ତାହା ସମଗ୍ର ପୃଥିବୀପାଇଁ ଉନ୍ମୁକ୍ତ ହୋଇ ରହିଛି । (MCE, ୧୬, ପୃଷ୍ଠା–୩୦୧–୨) କର୍ମଶାଳା ଏବଂ ପ୍ରୟୋଗଶାଳା । ଏକ ଅନ୍ୟ ପ୍ରସଙ୍ଗରେ ମାଆ ଏହି ଆଶ୍ରମକୁ a laboratory for future society ବୋଲି କହିଛନ୍ତି । ସାଧାରଣ ମୋକ୍ଷକାମୀ ଆଶ୍ରମମାନଙ୍କରେ ସର୍ବୋଚ୍ଚ ସ୍ଥାନରେ ଜଣେ ଗୁରୁ ଥାଆନ୍ତି । ଶ୍ରୀ ଅରବିନ୍ଦ ଆଶ୍ରମରେ ମାଆ ହେଉଛନ୍ତି ଗୁରୁ । ଗୁରୁ ପରି ଚିରାଚରିତ ଭାବରେ ଖାଲି ଆଦେଶ ଦେବେ ନାହିଁ ବା ଖାଲି ଆଦାୟ କରିବେନାହିଁ । ମାଆ ହୋଇ ଗଢ଼ିନେବେ । ତେଣୁ ଶିଷ୍ୟମାନେ ଏଠି ଜଣେ ମାଆର ଶ୍ରଦ୍ଧାମଣ୍ଡଳ ମଧ୍ୟରେ ରହିଥିବା ଜଣେ ଜଣେ ସନ୍ତାନ । ଅତ୍ୟନ୍ତ ସ୍ପଷ୍ଟ କରିଦେଇ ମାଆ ଥରେ ଏକ ପତ୍ରରେ କାହାକୁ ଯାହା କହିଥିଲେ : ଜଣେ ଗୁରୁ ହୋଇ ମୁଁ କେବେହେଲେ ଶ୍ରଦ୍ଧା ଦାନ କରେନାହିଁ କିମ୍ବା ଆଶୀର୍ବାଦ ଦିଏ ନାହିଁ । ମୁଁ ମାଆ ହୋଇହିଁ ସବୁକିଛି କରେ–ପ୍ରତିଦାନରେ କିଛି ମାଗେନାହିଁ । (ତତ୍ରୈବ, ପୃଷ୍ଠା–୨୧୧)

 

ଭାରତବର୍ଷରେ ଆଚାରଧର୍ମର ପରାମର୍ଶ ଦିଆଯାଇ ଚାରି ଆଶ୍ରମର କଥା କୁହାଯାଇଛି-। ଚତୁର୍ଥ ଆଶ୍ରମଟି ହେଉଛି ବାନପ୍ରସ୍ଥ ଆଶ୍ରମ । ପ୍ରଥମ ତିନି ଆଶ୍ରମଟିରେ ସଂସାର ଭିତରେ ସଂସାରଭୋଗର ମଧ୍ୟଦେଇ ଜୀବନ କଟିବ ଏବଂ ତା’ପରେ ବୟସାଧିକ୍ୟ ଫଳରେ ଏଠି ସବୁ ଚିଟା ଲାଗି ଆସିଲେ ବାନପ୍ରସ୍ଥକୁ ମନ କରିବ । ଆମ ଦେଶରେ ଏବେ ମଧ୍ୟ କେତେ ମନୁଷ୍ୟ କୌଣସି ଆଶ୍ରମରେ ଜୀବନର ଶେଷ କାଳଟିକୁ ଅତିବାହିତ କରିବାପାଇଁ ଇଚ୍ଛା କରିଥାନ୍ତି । ଗୋରୁମାନେ ବୃଦ୍ଧ ହେଲେ କୌଣସି ଦୟାଳୁ ସେମାନଙ୍କର ଆଶ୍ରୟ ଲାଗି ଯେପରି ଗୋଶାଳାଟିଏ ତିଆରି କରି ଦେଇଥାଏ, କେତେ ମନୁଷ୍ୟ ଆଶ୍ରମଗୁଡ଼ିକୁ ମଧ୍ୟ ସେହିପରି ଏକ ସ୍ଥଳ ବୋଲି ବିଚାର କରିଥାନ୍ତି-। ଏମାନେ ଆଶ୍ରମକୁ ଏକ retreat ବୋଲି ଭାବନ୍ତି । ସେହିମାନଙ୍କୁ ଉଦ୍ଦେଶ୍ୟ କରି ଶ୍ରୀ ଅରବିନ୍ଦ This is not a vanaprastha Ashram ବୋଲି କହିଛନ୍ତି । ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମ ବିଷୟରେହିଁ ସିଏ ସେକଥା କହିଛନ୍ତି । (BCL, ୨୬, ପୃଷ୍ଠା–୧୭୮) ମାଆଙ୍କ କଥାରୁ ଖିଅ ନେଇ କହିହେବ ଯେ, ଏହି ଆଶ୍ରମ ହେଉଛି ତରୁଣମାନଙ୍କ ପାଇଁ, ତାରୁଣ୍ୟପାଇଁ-। ଯେକୌଣସି ବୟସର ହେଉ ପଛକେ, ସାହସୀ ତରୁଣମାନଙ୍କ ପାଇଁ ।

☆☆☆

 

ଇନ୍ଦ୍ରିୟ

 

ଇନ୍ଦ୍ରିୟଗୁଡ଼ିକର ମାଧ୍ୟମରେ ମନ ଏହି ପୃଥିବୀକୁ ଜାଣେ । ଇନ୍ଦ୍ରିୟଜ୍ଞାନର ଅର୍ଥ ହେଉଛି ଆମ ମନର ଏହି ବସ୍ତୁଜଗତ ସହିତ ସମ୍ପର୍କ । (BCL, ୨୭, ପୃଷ୍ଠା–୩୯୧) କେବଳ ଜ୍ଞାନର ଆହରଣ କରିବାପାଇଁ ନୁହେଁ, ନିଜକୁ ଏହି ଜଗତ ମଧ୍ୟରେ ପ୍ରସାରିତ କରିଦେବା ପାଇଁ ମଧ୍ୟ ମନ ଇନ୍ଦ୍ରିୟଗୁଡ଼ିକୁ ବ୍ୟବହାର କରିଥାଏ । ପାଞ୍ଚଟି କର୍ମେନ୍ଦ୍ରିୟ ପଛକୁ ପାଞ୍ଚଟି ଜ୍ଞାନେନ୍ଦ୍ରିୟ । ଏମାନେ ସାଧନ ମାତ୍ର । ତେଣୁ, ଅସଲ ଅର୍ଥରେ ମନହିଁ ଦେଖେ, ମନ ଶୁଣେ, ମନ ଘ୍ରାଣ କରେ ଇତ୍ୟାଦି ଇତ୍ୟାଦି ।

 

ଆମ ଇନ୍ଦ୍ରିୟଗୁଡ଼ିକର ଶକ୍ତି କେତେ ? ଆମେ ଏହାର ଶେଷ ସୀମାଟିକୁ ସିନା ଗାର କାଟିଦେଇ କହି ପାରିବନାହିଁ, ମାତ୍ର ନିଜ ଇନ୍ଦ୍ରିୟଗୁଡ଼ିକୁ ଯଥେଷ୍ଟ ପରିମାଣରେ କାମରେ ଲଗାଯାଇ ପାରେନାହିଁ ବୋଲି ଇନ୍ଦ୍ରିୟମାନେ ଯଥେଷ୍ଟ ଆହରଣରବି ସମର୍ଥ ହୋଇ ପାରନ୍ତିନାହିଁ । (BCL, ୧୭, ପୃଷ୍ଠା–୨୨୦) ତେଣୁ, ଇନ୍ଦ୍ରିୟଗୁଡ଼ିକର ଯଥାର୍ଥ ତାଲିମ ମଧ୍ୟ ଶିଶୁଶିକ୍ଷାର ସକଳ କାର୍ଯ୍ୟକ୍ରମରେ ଏକ ମୁଖ୍ୟ ଅଙ୍ଗ ହୋଇ ରହିବା ଉଚିତ ।

 

ଆମେ ଇନ୍ଦ୍ରିୟମାନେ ଅନେକ ସମୟରେ ଆମକୁ କେତେ କୁଆଡ଼େ ହୁଡ଼ାଇ ନେଇଯାଆନ୍ତି । ତାହାର ପ୍ରତିକାରସ୍ୱରୂପ ଏକାଗ୍ରତାର ଅଭ୍ୟାସ କରିବାକୁ ହୋଇଥାଏ । ମାତ୍ର, ତାହାର ଅର୍ଥ ନୁହେଁ ଯେ ଏକାଗ୍ର ହେବାପାଇଁ ମନ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ କେବଳ ଗୋଟିଏ କଥାରେ ନିଜକୁ ସଂକେନ୍ଦ୍ରିତ କରି ରଖିଥିବ । ଶ୍ରୀ ଅରବିନ୍ଦ ଆମକୁ double, triple ଓ multiple concentration କଥା ମଧ୍ୟ କହିଛନ୍ତି । ଏବଂ ଏହି ସମ୍ଭାବନାଗୁଡ଼ିକୁ ଆମେ ଉପଯୁକ୍ତ ଅଭ୍ୟାସଦ୍ୱାରାହିଁ ବିକଶିତ କରିଆଣିପାରିବା । (ତତ୍ରୈବ, ପୃଷ୍ଠା–୨୨୧)

 

ଏକ ଅନୁମାନ ଅନୁସାରେ ‘ଇନ୍ଦ୍ରିୟ’ ଶବ୍ଦଟିର ‘ଇନ୍ଦ୍ର’ ଶବ୍ଦ ସହିତ ଏକ ବ୍ୟୁତ୍ପତ୍ତିଗତ ସମ୍ପର୍କ ରହିଛି । (BCL,୧୦, ପୃଷ୍ଠା–୬୮)

 

ଇନ୍ଦ୍ରିୟରୂପୀ ଏହି ଆହରଣ ଏବଂ ପ୍ରସାରଣର ଦ୍ୱାରଗୁଡ଼ିକ କ’ଣ କୌଣସି ଶାସ୍ତ୍ରରେ ଲେଖା ହୋଇଛି ବୋଲି କେବଳ ପାଞ୍ଚୋଟି ବା କେବଳ ଦଶଗୋଟି ? ଚୀନ ଦେଶର ବୌଦ୍ଧ ଦର୍ଶନ ଅନୁସାରେ ଆହୁରି କେତେକେତେ ଇନ୍ଦ୍ରିୟର ସମ୍ଭାବନା ଆମ ଭିତରେ ମଧ୍ୟ ରହିଛି । ଚୀନ ଦେଶର ଅଧିବାସୀ ନହୋଇଥିଲେ ମଧ୍ୟ ଆମେ ସେଗୁଡ଼ିକର ଅନୁସନ୍ଧାନ ଓ ଅନୁଶୀଳନ କରିପାରିବା ।

☆☆☆

 

ଈଶ୍ୱର

(ଈଶ୍ୱର–ଶକ୍ତି)

 

ପୃଥିବୀଯାକ ମନୁଷ୍ୟମାନଙ୍କର ଭାବଜୀବନରେ ‘ଈଶ୍ୱର’ କଥାଟି ଅତ୍ୟନ୍ତ ପରିଚିତ, ତଥାପି କେତେକେତେ ଭିନ୍ନ ଅର୍ଥ ତଥା ବ୍ୟଞ୍ଜନାରେ ସେଇଟି ଯୁଗେଯୁଗେ ସୀମାଙ୍କିତ ଏବଂ ସମୃଦ୍ଧ ହୋଇ ନରହିଛି ! ସିଏ ଭିତରେ, ପୁଣି ସେଇ ବାହାରେ । ସକଳ ବସ୍ତୁ ତାଙ୍କରି ମଧ୍ୟରେ, ପୁଣି ସକଳ ବସ୍ତୁ ମଧ୍ୟରେ ସେଇ । ଏହି ଯାବତୀୟ ଆରୋପକୁ ଏକାଠି ସମନ୍ୱିତ କରି ଅନୁଭବ କରିବାକୁ ସମର୍ଥ ନହେଉଥିବା ବ୍ୟକ୍ତିମାନେ ଏବଂ ଗୋଷ୍ଠୀମାନେ ତାଙ୍କୁ ଉପଲକ୍ଷ କରି ଏତେ ଏତେ କଳହ କରି ଆସିଛନ୍ତି କି ?

 

ଡୋରକୁ ଡୋର ମିଶାଇ ଦେଖିପାରିଲେ ବ୍ରହ୍ମ, ଈଶ୍ୱର, ପରମାତ୍ମା, ପରମେଶ୍ୱର–ଏସବୁ ବସ୍ତୁତଃ ସମବାଚୀ । ଶ୍ରୀ ଅରବିନ୍ଦ କହିଛନ୍ତି ଯେ ନିଜର ଯୋଗମାୟା ବଳରେ ଈଶ୍ୱର ଏହି ସବୁକିଛି ପରିଣତ ହୋଇଛନ୍ତି । (BCL, ୧୮, ପୃଷ୍ଠା–୩୨୫) ସିଏ କେବଳ ସଗୁଣ ନୁହନ୍ତି, ତାଙ୍କୁ ଯୁଗପତ୍‌ ଭାବରେ ନିର୍ଗୁଣରୂପେ ନ ଚିହ୍ନିଲେ ପ୍ରମାଦର ବହୁତ କାରଣ ଉପୁଜିବାର ଆଶଙ୍କା ଅବଶ୍ୟ ରହିଛି । ପୃଥିବୀରେ ଧର୍ମମାନଙ୍କରେ ଯେଉଁ ବ୍ୟକ୍ତିଗତ ଭଗବାନର କଳ୍ପନା କରାଯାଇଛି, ଈଶ୍ୱରାନୁଭବର ସତ୍ୟଟିକୁ କଦାପି ସେତିକି ମଧ୍ୟରେ କିଳି ରଖି ହେବନାହିଁ ।

 

ସର୍ବୋଚ୍ଚ ପରମସତ୍ତା ଶକ୍ତିରୂପେ ଆପଣାକୁ ଗତିଶୀଳ କରନ୍ତି ଏବଂ ସେଇଥିରୁହିଁ ବିଶ୍ୱରୂପୀ ସୃଷ୍ଟି ସମ୍ଭବ ହୋଇଆସେ । ଏହି ଅବସ୍ଥାକୁ ଶ୍ରୀ ଅରବିନ୍ଦ ଈଶ୍ୱର–ଶକ୍ତି ବୋଲି କହିଛନ୍ତି । ଏହି ବ୍ୟାଖ୍ୟାଟି ଅନୁସାରେ ପ୍ରଥମ ଅବସ୍ଥାଟି ହେଉଛି Godhead in being ଏବଂ ଦ୍ୱିତୀୟଟି Godhead in power (BCL, ୨୦ ପୃଷ୍ଠା–୧୧୫) ଦୁଇଟିଯାକକୁ ସେ ଗୋଟିଏ ପରମକଳ୍ପନାର ଦୁଇ ମେରୁ–two poles of the same Being ବୋଲି କହିଛନ୍ତି । (ତତ୍ରୈବ, ପୃଷ୍ଠା–୧୧୬)

 

ଏହି ବ୍ୟାଖ୍ୟାଟିକୁ ଆମେ ସାଂଖ୍ୟମାର୍ଗର ପ୍ରକୃତି ଓ ପୁରୁଷ–କଳ୍ପନା ସହିତ ଏକାଠି ଗୋଳାଇ ମିଶାଇ ଦେବାନାହିଁ ବୋଲି ମଧ୍ୟ ସେ ସାବଧାନ କରି ଦେଇଛନ୍ତି । (ତତ୍ରୈବ, ପୃଷ୍ଠା–୨୦୫ ପାଦଟୀକା)

☆☆☆

 

ଉତ୍ସାହ

 

ସାଧନାରେ ସାଧକର ପୂର୍ଣ୍ଣ ସମ୍ମତି,–ତାହାରି ନାମ ଉତ୍ସାହ । ଏକ ଉଚ୍ଚତର ଉପଲବ୍ଧି ନିମନ୍ତେ ଆମର ଅନୁରାଗ ଓ ପ୍ରୟାସ,–ସତତ ଅନୁରାଗ ଏବଂ ସତତ ପ୍ରୟାସ,–ତାହାରି ନାମ ସାଧନା । ସାଧନାରେ ସର୍ବମୂଳ ପ୍ରେରକଶକ୍ତି ହେଉଛି ବ୍ୟାକୁଳତା । ଏହି ବ୍ୟାକୁଳତାହିଁ ଆମର ଅହଂଜନିତ ଯାବତୀୟ ଅଳ୍ପତାକୁ ଗିଳି ପକାଇବ । (BCL, ୨୦, ପୃଷ୍ଠା–୫୨)

 

ପୂର୍ଣ୍ଣ–ଯୋଗର ପ୍ରକ୍ରିୟାରେ ତିନୋଟି ପର୍ଯ୍ୟାୟ । ପ୍ରଥମଟି ହେଉଛି ଆତ୍ମ–ଉତ୍ତୋଳନ । ମୁଁ ଯେତିକିରେ ରହିଛି ତାହାର ସୀମାକୁ ଭାଙ୍ଗି ଏକ ବୃହତ୍ତର ଆତ୍ମପ୍ରସାରଣ ଏବଂ ତାହାରି ମାଧ୍ୟମରେ ଏକ ବୃହତ୍ତର ସ୍ପର୍ଶଲାଭ । ଏପରି ଏକ ସ୍ପର୍ଶ, ଯାହା ମୋର ଏହି ସାନ ବେଢ଼ା ଅର୍ଥାତ୍‌ ଆନୁଗତ୍ୟଗୁଡ଼ିକୁ ଡେଇଁ ଯାଇଛି ଏବଂ ତଥାପି ମୋତେ ଜନନୀ ପରି ଧାରଣ କରି ରଖିଛି । ଦ୍ୱିତୀୟ ସ୍ତରରେ, ଆତ୍ମ–ଉତ୍ତୋଳନଦ୍ୱାରା ମୁଁ ଯେଉଁଠାରେ ଆସି ପହଞ୍ଚିଲି, ତାହାକୁ ମୁଁ ନିଜଭିତରେ ଗ୍ରହଣ କରିନେବି, ଯେପରିକି ସିଏ ଆସି ମୋର ସମସ୍ତ ଚେତନ ସତ୍ତାକୁ ରୂପାନ୍ତରିତ କରିଦେବ । ଏବଂ, ତୃତୀୟତଃ, ଏହାଦ୍ୱାରା ମୋ’ର ମାନବ ଜୀବନଧାରାରେ ଯେଉଁ ପରିବର୍ତ୍ତନ ଘଟିଲା, ତଦ୍ଦ୍ୱାରା ଏକ ଦିବ୍ୟକେନ୍ଦ୍ରରେ ପରିଣତ ହୋଇ ମୁଁ ଏହି ପୃଥିବୀର କାର୍ଯ୍ୟରେ ଲାଗିବି । (ତତୈବ) ଏହି ଯାବତୀୟ ପ୍ରକ୍ରିୟା ନିମନ୍ତେ ମୋ’ ଭିତରେ ନିରନ୍ତର ଉତ୍ସାହ ରହିଥିବା ଉଚିତ ।

 

ଯୋଗସାଧନା ଅର୍ଥାତ୍‌ ଯୋଗଯୁକ୍ତ ଜୀବନସାଧନାରେ ଶ୍ରୀ ଅରବିନ୍ଦ ଉତ୍ସାହକୁ ଗୋଟିଏ ସହାୟକରୂପେ ଗ୍ରହଣ କରିଛନ୍ତି । ଉତ୍ସାହ ହେଉଛି ସାଧକଅନ୍ତରର ସେହି ସମ୍ପଦ, ଯାହାକି ତାକୁ ଏକ ସକାରାତ୍ମକ ତଥା ଆଶାଦୀପ୍ତ ବିଶ୍ୱଦୃଷ୍ଟିରେ ସବଳ ତଥା ସଦାସଚଳ କରି ରଖିଥିବ । ସାଧକକୁ ନାନାବିଧ ସଂଶୟରୁ ସୁରକ୍ଷା ଦେଇପାରୁଥିବ ଓ ଏକ ଇତିମୂଳକ ବିଶ୍ୱାସରେ ସମ୍ବଳିତ କରି ରଖିଥିବ । ଉତ୍ସାହକୁ ଆମେ ଏକ ଟେକନିକରୂପେ କଦାପି ଗ୍ରହଣ କରିବାନାହିଁ । ତାହାକୁ ବରଂ ଅଧିକ ଯୁକ୍ତିଯୁକ୍ତ ଭାବରେ ଏକ ଜୀବନଦୃଷ୍ଟି ବୋଲି କହିପାରିବା । ମାଆ କୌଣସି ପ୍ରସଙ୍ଗରେ ଆମକୁ voluntary optimism କଥା କହିଛନ୍ତି । (MCE, ୧୨, ପୃଷ୍ଠା–୧୪୧) ସମ୍ଭବତଃ ସାଧନାଦ୍ୱାରା ଆମକୁ ଏଇଟା ବା ସେଇଟା ମିଳିବ ବୋଲି ଗୁଡ଼ାଏ ଗୁଣିହେବାରେ ଲାଗିଥିଲେ ଆମଭିତରେ ବହୁ ସଂଶୟ ଆମକୁ ବଡ଼ ସନ୍ତାପିତ କରି ରଖିଥାଏ । ଆମେ ସବୁବେଳେ ହିସାବ କରିବାରେ ଲାଗିଥାଉ । ଏକାବେଳେକେ କେତେ ନାବରେ ଗୋଡ଼ ରଖିଥିଲେ ମଧ୍ୟ ହୁଏତ ଆମ ଜୀବନରେ କୌଣସି conversion ସମ୍ଭବ ହୋଇ ନଥାଏ । ସେହି ସଙ୍କଟବେଳେ ଉତ୍ସାହହିଁ ମହୌଷଧି ପରି କାର୍ଯ୍ୟ କରେ ।

☆☆☆

 

ଉନ୍ମୋଚନ

 

ଦିବ୍ୟ ପ୍ରଭାବ ଉଦ୍ଦେଶ୍ୟରେ ନିଜକୁ ଉନ୍ମୋଚିତ କରିଦେବାକୁହିଁ ଶ୍ରୀ ଅରବିନ୍ଦ ପୂର୍ଣ୍ଣଯୋଗର ସମୁଦାୟ ପ୍ରଣାଳୀ ବୋଲି କହିଛନ୍ତି । (BCL, ୨୩, ପୃଷ୍ଠା–୬୦୪) ଜୀବନରେ ଆମେ ଯାହାକୁ ବା ଯାହାଙ୍କୁ ଧ୍ୟେୟରୂପେ ଗ୍ରହଣ କରିଛୁ, ତାହାରିପାଇଁ ବା ତାଙ୍କରିପାଇଁ ଖୋଲିଯିବା ଏବଂ ଖୋଲିଯିବାର ସେହି ପ୍ରକ୍ରିୟାରେ ଯେପରି ଆମର ଭାବନା, ବାସନା ଅଥବା ଅଭ୍ୟାସମାନେ ବାଧା ନଦିଅନ୍ତି, ସେହି ବିଷୟରେ ସତର୍କ ରହିବା । ଆମର ଜୀବନଟି ମାନସିକ ନାନା ପ୍ରକୋପ, ପ୍ରାଣିକ ନାନା ଅସ୍ଥିରତା ତଥା ଦେହସ୍ତରୀୟ ନାନା ଜଡ଼ତାଦ୍ୱାରା ସର୍ବଦା ଶଙ୍କିତ ହୋଇ ରହିଥାଏ । କେବଳ ଏକ ପୂର୍ଣ୍ଣ ସମର୍ପଣଦ୍ୱାରାହିଁ ଯଥାର୍ଥ ଉନ୍ମୋଚନ ପ୍ରକୃତରେ ସମ୍ଭବ ହୋଇଥାଏ । ମାତ୍ର, ସେଥିଲାଗି ଆବଶ୍ୟକ ସାମର୍ଥ ଆସିବା ପୂର୍ବରୁ ଏକ ଶକ୍ତିଶାଳୀ ଅଭୀପ୍ସା ଏବଂ ଆପଣା ଭିତରେ ଏକ ଶାନ୍ତ ଅବସ୍ଥା ଏହି ଦିଗରେ ପ୍ରଭୂତ ସାହାଯ୍ୟ କରିଥାଏ । ବସ୍ତୁତଃ ଏକ ଆନ୍ତରିକ ଇଚ୍ଛା ଏବଂ ଅଭୀପ୍ସାଦ୍ୱାରା ଉନ୍ମୋଚନର ପ୍ରକ୍ରିୟାଟି ଆପେଆପେ ସମ୍ଭବ ହୋଇ ଆସିଥାଏ ।

 

ଉନ୍ମୋଚନକୁ ଆମେ ଚେତନାରହିଁ ଗୋଟିଏ ସ୍ତର ବୋଲି କହିବା । ସକଳ ଅହଂକାରିତା, ଦାବି ଓ ବାସନାର ପ୍ରତ୍ୟାଖ୍ୟାନଦ୍ୱାରାହିଁ ତାହା ସମ୍ଭବ ହୁଏ । (ତତୈବ) ଏହାର ପ୍ରକ୍ରିୟାଟି ସମସ୍ତଙ୍କ ପାଇଁ ସମାନ,–ପ୍ରଥମେ ମନ ଏବଂ ହୃଦୟକୁ ଓ ତା’ପରେ ପ୍ରାଣିକକୁ ଖୋଲିଦେବାକୁ ହୁଏ । ତା’ପରେ ତାହା ନିମ୍ନ ପ୍ରାଣିକ ତଥା ଦେହର ସ୍ତରକୁ ଆସି ସ୍ପର୍ଶ କଲେ ଉନ୍ମୋଚନ ସମ୍ପୂର୍ଣ୍ଣ ହୁଏ । ନିଜର ଯାବତୀୟ ଦୋଷ ଓ ଦୁର୍ବଳତାକୁ ଦେଇଦେବାରେ ମଧ୍ୟ କୌଣସି କାର୍ପଣ୍ୟ କରିବା ଉଚିତ ନୁହେଁ । ତେବେଯାଇ ସେଗୁଡ଼ିକର ପରିବର୍ତ୍ତନ ଓ ବିଲୋପସାଧନ ସମ୍ଭବ ହୁଏ । ଉନ୍ମୋଚନକୁ ଶ୍ରୀ ଅରବିନ୍ଦ ଏକ progressive ପ୍ରକ୍ରିୟା ବୋଲି ବର୍ଣ୍ଣନା କରିଛନ୍ତି । (BCL,୨୫, ପୃଷ୍ଠା–୧୨୭)

 

ଉନ୍ମୋଚନର ପ୍ରକ୍ରିୟାରେ ଆମର ଅନ୍ତର୍ଗତ ପ୍ରାଣ ଏବଂ ଅନ୍ତର୍ଗତ ଭୌତିକ ଭିତର ଆଡ଼କୁ ଆମର ଅନ୍ତର୍ଗତ ଅଂଶଟି ଆଡ଼କୁ ଉନ୍ମୋଚିତ ହୋଇ ଯାଉଥାଏ । ଏହି ଅନ୍ତର୍ଗତତମ କ୍ଷେତ୍ରଟି ହେଉଛି ଆମର ଚୈତ୍ୟ । ଯୁଗପତ୍‌ ଭାବରେ ଊର୍ଦ୍ଧ୍ୱ ଆଡ଼କୁ ମଧ୍ୟ ଏକ ଉନ୍ମୋଚନ ଘଟୁଥାଏ-। ଯାହାକିଛି ବା ଯାହା ମନଠାରୁ ଆହୁରି ଊର୍ଦ୍ଧ୍ୱରେ ରହିଛି, ଆମେ ସେହିଆଡ଼କୁ ଉନ୍ମୋଚିତ ହୋଇଯାଉ । ପୂର୍ଣ୍ଣଯୋଗରେ ଏହା ଏକ ଅପରିହାର୍ଯ୍ୟ ପ୍ରକ୍ରିୟା । (BCL, ୨୪, ପୃଷ୍ଠା–୧୧୬୪)

☆☆☆

 

ଉପାସନା

 

“ଦିବ୍ୟ ପରମକର୍ତ୍ତାଙ୍କଠାରୁ ମୋତେ ଏଇଟି ବା ସେଇଟି ମିଳିବ ବୋଲି ଆଶା ରଖି ଦିବ୍ୟ ପରମକର୍ତ୍ତାଙ୍କୁ ଲୋଡ଼ିବା, ଏହା ଆଦୌ ଏକ ଯଥାର୍ଥ ଦୃଷ୍ଟିକୋଣ ନୁହେଁ । ମାତ୍ର କେହି କ’ଣ ସବୁ ପାଇବାର ଆଶା ରଖି ତାଙ୍କୁ କଦାପି ଲୋଡ଼ି ପାରିବନାହିଁ ବୋଲି ଯଦି ସମ୍ପୂର୍ଣ୍ଣ ଭାବରେ ନିଷିଦ୍ଧ କରି ଦିଆଯାଏ, ତେବେ ପୃଥିବୀର ଅଧିକାଂଶ ମନୁଷ୍ୟ ତାଙ୍କୁ ଲୋଡ଼ିବାକୁ ହୁଏତ ମୋଟେ ମନ କରିବେନାହିଁ । ମୁଁ ଭାବୁଛି, ସେମାନେ ଯେପରି ଅନ୍ତତଃ ଏହି ଦିଗରେ ଏକ ଆରମ୍ଭ କରିପାରିବେ, ସେଥିପାଇଁ ସେମାନଙ୍କୁ ତଥାପି ଉପାସନା ଲାଗି ଅନୁମତି ଦିଆଯାଇଛି । ଯଦି ସେମାନଙ୍କ ଭିତରେ ବିଶ୍ୱାସ ଥିବ, ତେବେ ସେମାନେ ନିଜର ମାଗିଥିବା କଥାଟିକୁ ହୁଏତ ପାଇପାରିବେ ଏବଂ ଏହି ଆଚରଣଟିକୁ ଅବିଚ୍ଛିନ୍ନ ରଖିବାକୁ ଏକ ଉତ୍ତମ କଥା ବୋଲି ଭାବିବେ । ଏହିପରି କରୁ କରୁ ଦିନେ ସେମାନେ ହୁଏତ ଏହି କଥାଟିକୁ ଉପଲବ୍ଧି କରିବେ ଯେ, କେବଳ ଏହିଟିହିଁ ଆଦୌ ଏକମାତ୍ର କାର୍ଯ୍ୟ ନୁହେଁ ଏବଂ ଦିବ୍ୟ ପରମକର୍ତ୍ତାଙ୍କୁ ଲୋଡ଼ିବାର ଆହୁରି ଅନ୍ୟ ବାଟମାନ ମଧ୍ୟ ରହିଛି ଓ ଏକ ଅନ୍ୟ ଅଧିକ ଭଲ ଭାବରେ ମଧ୍ୟ ତାଙ୍କୁ ଲୋଡ଼ିବା ଅବଶ୍ୟ ସମ୍ଭବ ହୋଇପାରେ ।

 

“ପାଇବାକୁ ଇଚ୍ଛା କରିଥିବା କଥାଟିକୁ ନପାଇଲେ ମଧ୍ୟ ଯଦି ସେମାନେ ତଥାପି ତାଙ୍କ ସମୀପକୁ ଆସିବେ ଓ ତାଙ୍କଠାରେ ବିଶ୍ୱାସ ସ୍ଥାପନ କରିବେ, ତେବେ, ସେମାନେ ଯେ ପ୍ରସ୍ତୁତ ହେଉଛନ୍ତି, ତାହାର ନିଦର୍ଶନ ମିଳିଯିବ । ତେଣୁ, ଆମେ ଏହାକୁ ପ୍ରସ୍ତୁତ ହୋଇ ନଥିବା ବ୍ୟକ୍ତିମାନଙ୍କ ପାଇଁ ଗୋଟିଏ ପ୍ରକାରର ଶିଶୁ–ପାଠଶାଳା ପରି ବିଚାର କରିବା । ମାତ୍ର, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ତାହାକୁ ଆଦୌ କୌଣସି ଆଧ୍ୟାତ୍ମିକ ଜୀବନ ବୋଲି କୁହାଯିବନାହିଁ । କେବଳ ଏକ ପ୍ରାଥମିକ ସ୍ତରର ଧର୍ମୀୟ ମାର୍ଗ ବୋଲି କୁହାଯିବ । କାରଣ, ଏକ ଆଧ୍ୟାତ୍ମିକ ଜୀବନର ନିୟମ ହେଉଛି ଯେ, ତୁମେ କେବଳ ଦେବ, ଆଦୌ କିଛି ଦାବି କରିବନାହିଁ’’ । (BCL, ୨୨, ପୃଷ୍ଠା–୧୩୮)

 

ଉପାସନା, ପୂଜା–ଏହା ଏକ ଧର୍ମୀୟ ଉପଚାରର କଥା । ଗଭୀରତମ ଆନ୍ତରିକତା ସହିତ କରାଗଲେ ଏହା ମନ ଏବଂ ହୃଦୟକୁ କିଛି ଅଂଶରେ ହୁଏତ ପ୍ରସ୍ତୁତ କରି ଆଣିଥାଏ, କେବଳ ସେତିକିଠାରୁ ଆଉ ଅଧିକ କିଛି କରେନାହିଁ । ଭଳିଭଳି ଉପାସକ ଏବଂ ଭଳିଭଳି ଉପାସନା । ଅଶେଷ ପ୍ରକାରର ବିଧି ଏବଂ ବିଧାନ । ଉପାସନାର ବସ୍ତୁ ମଧ୍ୟ ବିବିଧ । ଅଧ୍ୟାସ–ଉପାସନା, ପ୍ରତୀକ ଉପାସନା । ସେହି ଅନୁସାରେ ଗୋଟିଏ ଗୋଟିଏ ସମ୍ପ୍ରଦାୟ ଏବଂ ସମ୍ପ୍ରଦାୟ ଅନୁସାରେ ଐତିହ୍ୟଶାଳୀ ଗୁରୁମାନେ । ଉପାସନାର ଇତିହାସ କହିବ, ଏହାଦ୍ୱାରା ଅଧିକାଂଶ ମନୁଷ୍ୟ ସଚରାଚର ଅଧିକରୁ ଅଧିକ ବାହ୍ୟଗୁଡ଼ିକର ଲୋଭରେ ପଡ଼ି ଯାଇଛନ୍ତି, ବାହ୍ୟରୁ ଅଭ୍ୟନ୍ତରକୁ ଆସିବାର ସମ୍ଭାବନା ରହିଥିଲେ ମଧ୍ୟ ତଥାପି ସତେଅବା କେଉଁ ହିରଣ୍ମୟ ଅଳପ ଭିତରେ ଅଟକି ଯାଇଛନ୍ତି । ଉପାସନାର ନିଶାଟା ମଣିଷମାନଙ୍କୁ ଏପରି ଉନ୍ମାଦ ଭାବରେ ବାହ୍ୟସର୍ବସ୍ୱ କରି ରଖିଦେଲା କି, ପିତୁଳାମାନଙ୍କୁ ଅତିକ୍ରମ ନକରି ପୌତ୍ତଳିକ ହେବାକୁ ଅଧିକ ପ୍ରରୋଚନା ଦେଲା କି ? ଏବଂ, ସେହି ପୌତ୍ତଳିକତାର ପ୍ରୀତିଟି କ’ଣ ଅନୁକୂଳତା ପାଇ କାଳକ୍ରମେ ମାନବଜାତିର ଅନ୍ୟ ଏକାଧିକ କ୍ଷେତ୍ରକୁ ମଧ୍ୟ ସଂକ୍ରାମିତ ହୋଇଗଲା କେଜାଣି ?

 

ଆଉ ଏକ ସମ୍ଭାବନାର ସୂଚନା ଦେଇ ଶ୍ରୀ ଅରବିନ୍ଦ ଆମ ଜୀବନର ସକଳ କର୍ମକୁ ଏକ ଉପାସନାରେ ପରିଣତ କରିପାରିବା ବିଷୟରେ କହିଛନ୍ତି । (BCL, ୨୪, ପୃଷ୍ଠା–୧୬୭୧) ମାତ୍ର ସେଥିଲାଗି ଆମ ହୃଦୟରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ଅଭୀପ୍ସା ରହିଥିବା ଅତ୍ୟାବଶ୍ୟକ । ତାହା ହୋଇପାରିଲେ ପ୍ରତ୍ୟେକ ମୁହୂର୍ତ୍ତରେ ଆମକୁ ସେହି ପରମ ଅଦ୍ୱିତୀୟଙ୍କର ଉପସ୍ଥିତିର ଅନୁଭବ ମିଳିପାରିବ । କିନ୍ତୁ, କେବଳ ନିଜ ଚେଷ୍ଟାରେ କ’ଣ ତାହା ଉପଲବ୍ଧ ହୋଇଯିବ ? ସେଥିଲାଗି ଦିବ୍ୟ ପରମକରୁଣାର ଯୋଗ୍ୟ ହେବାକୁ ପଡ଼ିବ ।

 

ଏହି ସବୁକିଛିର ପୃଷ୍ଠଭୂମିରେ ଆମେ ମାଆଙ୍କର ନିମ୍ନୋକ୍ତ କେତୋଟି ସ୍ପଷ୍ଟ ବାକ୍ୟକୁ ସବୁବେଳେ ଅବଶ୍ୟ ମନେ ରଖିଥିବା :

 

ଲୋକମାନେ କ’ଣ ପାଇଁ ପୂଜା ବା ଉପାସନାକୁ ମନ କରନ୍ତି ?

 

ପ୍ରକୃତରେ କିଛି ହେବାହିଁ ପୂଜା ଓ ଉପାସନାଠାରୁ ଅନେକ ଅଧିକ ଉତ୍ତମ ।

 

ବଦଳି ପାରିବା ବିଷୟରେ ରହିଥିବା ଅନିଚ୍ଛା ଓ କୁଣ୍ଠାହିଁ ଆମକୁ ପୂଜା ଓ ଉପାସନା ଆଡ଼କୁ ଉତ୍ସାହିତ କରିଥାଏ । (MCE, ୧୫, ପୃଷ୍ଠା–୩୧)

☆☆☆

 

ଏକତା

 

ଏହି ସବୁକିଛି ଓ ସମସ୍ତେ ଗୋଟିଏ ଡୋରରେ ବନ୍ଧା ହୋଇ ରହିଛନ୍ତି, କେହି କାହାରିଠାରୁ ମୋଟେ ବିଚ୍ଛିନ୍ନ ନୁହନ୍ତି,–ଆଧ୍ୟାତ୍ମିକ ଗାରଟି ଭିତରକୁ ଆସିଲେ ସର୍ବପ୍ରଥମେ ସେଇ ଅନୁଭବଟିହିଁ ଆମ ଜୀବନରେ ସବୁଠାରୁ ଅଧିକ ଅନ୍ତରଙ୍ଗ ଅନୁଭବରୂପେ ପ୍ରତିଭାତ ହୋଇଉଠେ । ପରିତ୍ରାଣର ବାଟ ମିଳିଯାଏ । ଶ୍ରୀ ଅରବିନ୍ଦଙ୍କର ଘୋଷଣା ଅନୁସାରେ ଅସଲ ଏକତା କେବଳ ଏକ ଆଧ୍ୟାତ୍ମିକ ଚେତନାରୁହିଁ ସମ୍ଭବ ହୁଏ । ସେହି ଏକତାବୋଧର ଉପଲବ୍ଧିଦ୍ୱାରା ମନ, ପ୍ରାଣ, ଜଡ଼–ଜଗତ ଏବଂ ଶକ୍ତିର ରାଜ୍ୟରେ ମଧ୍ୟ ଏକତାର ଅନୁଭବ ହେବାକୁ ଆରମ୍ଭ କରେ । (BCL, ୨୨, ପୃଷ୍ଠା–୨୨୫–୬)

 

ଯଥାର୍ଥ ସତ୍ୟର ପ୍ରସ୍ଥ ଦେଇ ଦେଖିଲେ, ଆମେ ଆବିଷ୍କାର କରିପାରିବା ଯେ, ବ୍ୟକ୍ତି ବଞ୍ଚିଛି, କିନ୍ତୁ ସିଏ ଆଦୌ ନିଜର ଏକ ବିଚ୍ଛିନ୍ନ ଅହଂସତ୍ତାଟି ମଧ୍ୟରେ ଗୋଟାସୁଦ୍ଧା ବନ୍ଦୀ ହୋଇ ରହିନାହିଁ । ସମଗ୍ର ବିଶ୍ୱଗ୍ରାମଟି ସହିତ ତା’ର ଡୋର ଲାଗିଛି । ବିଶ୍ୱ ମଧ୍ୟ ବଞ୍ଚିଛି, ମାତ୍ର ତାହା ବ୍ୟକ୍ତିସତ୍ତାକୁ ଆଦୌ ଗିଳି ପକାଇନାହିଁ । ବିଶ୍ୱସତ୍ତା ମଧ୍ୟରେ ବ୍ୟକ୍ତିସତ୍ତା ଏବଂ ବ୍ୟକ୍ତିସତ୍ତାକୁ ନେଇ ବିଶ୍ୱସତ୍ତା । ମୁଁ ବିଶ୍ୱରେ, ବିଶ୍ୱ ମୋ’ ଭିତରେ । ପରମ ଈଶ୍ୱରସତ୍ତା ଭିତରେ ସବୁ ଏବଂ ସବୁଟି ଭିତରେ ପରମ ଈଶ୍ୱରସତ୍ତା । (BCL, ୧୮, ପୃଷ୍ଠା–୩୭୦–୨)

 

ସର୍ବପ୍ରଥମେ ନିଜର ମାନସିକ ଜୀବନରେ ଏବଂ ହୃଦୟରେ ଏକ ସମତାବୋଧର ଉପଲବ୍ଧି ହେବ । ନିଜର ସମସ୍ତ ସତ୍ତା ମଧ୍ୟରେ ଶୁଦ୍ଧତା ଏବଂ ଏକ ସ୍ଥିର ଶକ୍ତିମତ୍ତାର ଅନୁଭବ ଆସିବ । ଏଇଟି ହେଉଛି ପ୍ରକୃତରେ ମୂଳଭିତ୍ତି । ଏହା କ୍ରମେ ଅଧିକ ଦୃଢ଼ ଏବଂ ପରିପୂର୍ଣ୍ଣ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଆମ ଚେତନାରେ ସେହି ପରମ ଏକତା ଅନୁଭୂତ ହୋଇ ଆସିବ । ଯାବତୀୟ ବସ୍ତୁ ତଥା ସତ୍ତା ମଧ୍ୟରେ, କ୍ରିୟାଶୀଳତା ଏବଂ ଘଟଣା ମଧ୍ୟରେ, ପୃଥ୍ୱୀଚେତନାରେ ତଥା ବିଶ୍ୱବ୍ୟବସ୍ଥାରେ ମଧ୍ୟ ତାହା ଅନୁଭୂତ ହେବ । (BCL, ୨୬, ପୃଷ୍ଠା–୪୨୬)

 

ସାମୂହିକ ଜୀବନରେ ଯଥାର୍ଥ ପରିପୂର୍ଣ୍ଣତା ସମ୍ଭବ ହେବା ନିମନ୍ତେ ନିୟମ ଓ ଶାସନ ପରି ସ୍ୱାଧୀନତାବି ଆବଶ୍ୟକ । ଏକତା ଭଳି ବୈଚିତ୍ର୍ୟ ଓ ବିଭିନ୍ନତା ମଧ୍ୟ ଆବଶ୍ୟକ । ଏକତା କଦାପି କୌଣସି ଏକରୂପତା (uniformity)କୁ ବୁଝାଇବ ନାହିଁ । ଅନେକ ସମୟରେ unityକୁ ତାକତ ପାଏନାହିଁ ବୋଲି ମନୁଷ୍ୟମାନେ uniformityର ଲୋଭରେ ପଡ଼ିଯାଆନ୍ତି । କିଞ୍ଚିତ୍‌ ପାଖକୁ ଯାଇ କହିଲେ, ଆମ ଭିତରର ପ୍ରାଣ ବିଭିନ୍ନତା ଚାହୁଁଥାଏ, କିନ୍ତୁ ଆମର ମନ ଓ ବୁଦ୍ଧି uniformity ନିମନ୍ତେ ବ୍ୟଗ୍ର ହୋଇପଡ଼ନ୍ତି । (BCL,୧୫, ପୃଷ୍ଠା–୪୦୧)

☆☆☆

 

କରୁଣା

 

ଆମ ଅଭ୍ୟସ୍ତ ଧର୍ମଭାବନାଗୁଡ଼ିକରେ ପରମକର୍ତ୍ତା ବୋଲି କିଏ ବାହାରେ, କେତେ ଊର୍ଦ୍ଧ୍ୱରେ ଥାଆନ୍ତି ଓ ତାଙ୍କର ଅନୁଗ୍ରହ ହେଲେ ଆମକୁ କରୁଣା କରନ୍ତି । କେତେକ ଧର୍ମରେ ଭଗବାନଙ୍କୁ ସ୍ୱର୍ଗବାସୀରୂପେ କଳ୍ପନା କରାଯାଇଛି, ଯିଏକି ଦୟା ବହି ଦୀନ ମାନବଗଣଙ୍କ ଉପରେ କରୁଣା କରନ୍ତି । ଏଇଟି ସତେଅବା ଗୋଟାସୁଦ୍ଧା ସେଇପଟୁ ହୁଏ, ଅଳ୍ପବଳ ମନୁଷ୍ୟର ଏଥିରେ କିଛି କରିବାର ନଥାଏ ।

 

ସତେଅବା ଏକ ଅନ୍ୟ ସମ୍ଭାବନା ଆଡ଼କୁ ନିର୍ଦ୍ଦେଶ କରିଦେଇ ଶ୍ରୀ ଅରବିନ୍ଦ କରୁଣାକୁ not an arbitrary caprice ବା ଏକ ପରମେଶ୍ୱର–ସ୍ତରୀୟ ଖାମ୍‍ଖିଆଲି ଆଦୌ ନୁହେଁ ବୋଲି ଘୋଷଣା କରି ଦେଇଛନ୍ତି । ତାଙ୍କରି ଭାଷାରେ, ଦିବ୍ୟ ପରମ କରୁଣା ନିଜର କ୍ରିୟା କରିବା ନିମନ୍ତେ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରସ୍ତୁତ ହୋଇ ରହିଛନ୍ତି : ମାତ୍ର, ଯେତେବେଳେ ଆମେ ଅଜ୍ଞାନର ବିଧାନ ମଧ୍ୟରୁ ବୃଦ୍ଧିଲାଭ କରି ଆଲୋକର ବିଧାନ ମଧ୍ୟରେ ପ୍ରବେଶ କରୁ, ସେତିକିବେଳେହିଁ ସିଏ ନିଜକୁ ପ୍ରକଟ କରନ୍ତି,–ଆମର ସେହି ବୃଦ୍ଧିଲାଭରେ ଏକ ସାହାଯ୍ୟରୂପେହିଁ ପ୍ରକଟ ହୁଅନ୍ତି । (BCL, ୨୨, ପୃଷ୍ଠା–୧୭୪)

 

ତେଣୁ, “ପରମ କରୁଣାଙ୍କ ଉପରେ ବିଶ୍ୱାସ କରିବାର ଅଥବା ଆମ ନିଜର ଉଚ୍ଚତମ ଆତ୍ମସତ୍ତାଠାରୁ ଭିନ୍ନ କୌଣସି ଭଗବତ୍‌ସତ୍ତାଙ୍କୁ ସ୍ୱୀକାର କରିବାର କୌଣସି ପ୍ରୟୋଜନ ନାହିଁ । କରୁଣା ହେଉଛି ଏକ କ୍ରିୟାଶୀଳତା, ଯାହାକି ଊର୍ଦ୍ଧ୍ୱରୁ ଅଥବା ଭିତରୁ କାର୍ଯ୍ୟ କରିଥାଏ ।’’ (BCL, ୨୩, ପୃଷ୍ଠା–୬୦୮) ପୁନଶ୍ଚ, ‘‘ଯେତେବେଳେ ଅନ୍ତର୍ଗତତମ ସତ୍ତା (Self) ଉପରିଭାଗସ୍ଥ ମନରୂପୀ ଯନ୍ତ୍ର ଆଗରେ ଆପଣାକୁ ପ୍ରକାଶିତ କରିବାର ନିଜ ମୁହୂର୍ତ୍ତ ତଥା ନିଜ ମାର୍ଗଟିକୁ ବାଛିନିଏ, ତାହାକୁହିଁ ଆମେ ପରମ କରୁଣା ବୋଲି କହିବା । ଅନ୍ତର୍ଗତ ସତ୍ତା ବା ଅନ୍ତର୍ଗତ ପ୍ରକୃତିର ଆତ୍ମ–ଉପଲବ୍ଧି ଏବଂ ଆତ୍ମଜ୍ଞାନ ମଧ୍ୟଙ୍କୁ କୁସୁମିତ ହୋଇ ଉଠିବା ହେଉଛି ପରମ କରୁଣା । (ତତ୍ରୈବ)

 

ତେଣୁ, ଆନ୍ତରିକତା ବା sincerity ହେଉଛି ସର୍ବମୂଳ କଥା । ମାଆଙ୍କର କହିବା ଅନୁସାରେ, ଛଳନା ବା insincerityହିଁ ପରମ କରୁଣାର କ୍ରିୟାଶୀଳ ହେବାକୁ ଭଣ୍ଡୁର କରିଦିଏ । (MCE, ୧୭, ପୃଷ୍ଠା–୩୪୯) ଏବଂ, Grace has no effect on lazy people–ଅଳସୁଆମାନଙ୍କ ଉପରେ ପରମ କରୁଣାର କୌଣସି ପ୍ରଭାବ ପଡ଼େନାହିଁ । (ତତ୍ରୈବ, ପୃଷ୍ଠା–୩୫୩)

☆☆☆

 

Unknown

କର୍ମ

(କର୍ମବାଦ)

 

ମଣିଷମାନେ ସେମାନଙ୍କର ନିଜ ନିଜର କର୍ମକୁ ନେଇ ସଂସାରକୁ ଆସିଛନ୍ତି, ଜୀବନ ବୋଲି ସେହି କର୍ମକଷଣକୁହିଁ ବ୍ୟତୀତ କରୁଛନ୍ତି, ଭାରତବର୍ଷରେ ଏହି କଥାଟିକୁ କେତେକେତେ କାଳରୁ ମଣିଷର ରକ୍ତ ସହିତ ମିଶାଇ ଦିଆଯାଇଛି । ମାତ୍ର, ମଣିଷ ଭିତରେ ଆତ୍ମାଟିଏ ଅଛି, ଆତ୍ମାର ମଧ୍ୟ ଆଖିଟିଏ ରହିଛି ଏବଂ ତେଣୁ ନିୟତିଟିଏବି ଗଢ଼ା ହେବାର ଏକ ପ୍ରକ୍ରିୟା ଚାଲିଛି, ଏଇଟି ମଧ୍ୟ ସେହି କାଳକାଳର କଥା ହୋଇଥିଲେହେଁ ସେକଥାକୁ ଏଠି ଏତେ ମଣିଷ ପାସୋରି ରହିଛନ୍ତି କିପରି ?

 

ଯାହା ବିଧାନରୂପେ ଏହି ସବୁକିଛିକୁ ଏକତ୍ର ଧରିଆସିଛି, ତାହା ଧର୍ମ । ପୃଥିବୀରେ, ଜୀବନଧାରାର ବିଭିନ୍ନ ଅଂଶ ବା କ୍ଷେତ୍ରରେ ତଥା ବ୍ୟକ୍ତିର ଜୀବନରେ ସେହି ବିଧାନ ହେଉଛି କର୍ମ-। (BCL, ୩, ୩୮୦) ଯାହା ଘଟୁଛି, ସେହି ଅନୁସାରେ ଫଳବି ଫଳୁଛି । ଏହି ନ୍ୟାୟରେ ବ୍ୟକ୍ତି, ପରିବାର, ଜାତି ଓ ମାନବଜାତିର ମଧ୍ୟ କର୍ମ ରହିଛି । (ତତ୍ରୈବ, ୧୬, ୧୫୫)-। ଥାକଥାକ ବିଧାନ, ତେଣୁ ଥାକଥାକ କର୍ମ । ପ୍ରଥମ ଥାକରେ ବିଶ୍ୱର ବିଧାନ, ତାହା ନୈତିକ ଜଗତ, ମନର ଜଗତ ଏବଂ ଜଡ଼ସ୍ଥ ଜଗତର ଅଧୀନ ହୋଇ ରହିଛି । ଦ୍ୱିତୀୟଟି ବିଜ୍ଞାନର ବିଧାନ, ତୃତୀୟଟି ଆତ୍ମାର ଏବଂ ଚତୁର୍ଥଟି ଅଧ୍ୟାତ୍ମ ସ୍ତରର । (ତତ୍ରୈବ, ୧୩୧) ଆମେ ଯେତିକି ଯେତିକି ଥାକ ଉଠୁଥିବା, ସେହି ଅନୁସାରେ ନିଜ କର୍ମକୁ ଆକାର ଦେବାରେ ଆମର ସେତିକି ନିୟନ୍ତ୍ରଣ ଅର୍ଥାତ୍‌ ସ୍ୱାଧୀନତା ଆସୁଥିବ । ଯେପର୍ଯ୍ୟନ୍ତ ଅହଂର ଶାସନ ଭିତରେ ରହିଥିବା, ସେପର୍ଯ୍ୟନ୍ତ ଆମର କର୍ମ ମଧ୍ୟ ତଦନୁସାରେ ଆମକୁ ବାନ୍ଧିହିଁ ରଖିଥିବ । ମାଆ କେଡ଼େ ସିଧା କରି କହି ଦେଇଛନ୍ତି : କର୍ମ ହେଉଛି ଅହଂଦ୍ୱାରା ପ୍ରଣୋଦିତ ଯାବତୀୟ କ୍ରିୟାର ଫଳ; ତେଣୁ, ଯେତେବେଳେ ଅହଂ ଗାଦିରୁ ଓହ୍ଲାଇଯାଏ, କେବଳ ସେତିକିବେଳେ ଯାଇ କର୍ମର ସମ୍ପୂର୍ଣ୍ଣ କ୍ଷୟ ସମ୍ଭବ ହୁଏ । (MCE, ୧୫, ୩୯୩)

 

ସେହି ପ୍ରଥମ କାଳର ବନ୍ଦେ ମାତରମ୍‌ ଯୁଗରେ ମଧ୍ୟ ଶ୍ରୀ ଅରବିନ୍ଦ ଏକଦା ଲେଖିଛନ୍ତି; ଗୋଟିଏ ବିଧାନ ନିମ୍ନତର ସତ୍ତା ନିମନ୍ତେ ଓ ଆଉ ଗୋଟିଏ ଉଚ୍ଚତର ସତ୍ତା ନିମନ୍ତେ । ନିମ୍ନତର ସତ୍ତାଟି ନିଜ ଅତୀତ ସହିତ ଶୃଙ୍ଖଳରେ ବାନ୍ଧି ହୋଇ ରହିଥାଏ ଏବଂ ଉଚ୍ଚତରଟି ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତର ରଜ୍ଜୁଗୁଡ଼ିକୁ ନିଜେହିଁ ଧରିଥାଏ (BCL, ୧, ୭୬୪) ଏବଂ, ପୁନଶ୍ଚ, ଏକ ପରବର୍ତ୍ତୀ କାଳରେ (ତତ୍ରୈବ, ୨୨, ୧୮୬) : କର୍ମବାଦର ସମଗ୍ର ସିଦ୍ଧାନ୍ତଟି ନିୟତିବାଦ ଏବଂ ଇଚ୍ଛାର ସ୍ୱତନ୍ତ୍ରତା ମଧ୍ୟରେ ଏକ ସମାଧାନ ନିମନ୍ତେ ଏକ ଅବସର ସର୍ବଦା ରଖିଆସିଛି । ତାହା ଅନୁମାନ କରୁଛି ଯେ, ଆମର ନିଜ ଅତୀତ କାର୍ଯ୍ୟ ଓ ତେଣୁ ଆମର ଅତୀତ ବହୁ ପରିମାଣରେ ଆମ ବର୍ତ୍ତମାନର ପରିଣାମଗୁଡ଼ିକୁ ଅବଶ୍ୟ ନିୟନ୍ତ୍ରଣ କରିବ; ମାତ୍ର ତା’ର ଆଦୌ ଅର୍ଥ ନୁହେଁ ଯେ, ଆମର ବର୍ତ୍ତମାନ ଇଚ୍ଛାଟି ସେହି କ୍ଷେତ୍ରରେ ଆଦୌ କିଛି କରି ପାରୁ ନଥିବ । ପ୍ରକୃତ କଥା ହେଉଛି, ସେହି ଇଚ୍ଛା ବର୍ତ୍ତମାନର ପରିଣାମଗୁଡ଼ିକରେ ମଧ୍ୟ ସଂଶୋଧନ ଏବଂ ପରିବର୍ତ୍ତନମାନ ଆଣୁଥିବ ଏବଂ ଆମର ଭାବୀ ଜୀବନଟି ନିମନ୍ତେ ଏକ ନୂତନ ନିୟତି ଗଢ଼ି ଦେଉଥିବ ।

☆☆☆

 

କୃତଜ୍ଞତା

 

ଆମେ ଯାହାଠାରୁ କୌଣସି ଉପକାର ପାଇବା, ତାହା ପାଖରେ ଅବଶ୍ୟ କୃତଜ୍ଞ ରହିବା । ତେବେ ଯାହାଠାରୁ କୌଣସି ଉପକାର ନପାଇବା, ତାହା ପାଖରେ କ’ଣ କୃତଘ୍ନ ରହିବା-? ଅର୍ଥାତ୍‌, କୃତଜ୍ଞତା କ’ଣ ଏକ ସାମାଜିକ କର୍ତ୍ତବ୍ୟ, ଉଚିତ ବୋଲି କୁହାଯାଉଥିବା ଏକ ଆଚରଣ, ଏକ ନୈତିକ ସୁଗୁଣ ? ସୁଇଡ଼େନ୍‌ ପ୍ରଭୃତି କେତେକ ଦେଶ ଅଛି, ଯେଉଁଠାରେ ଏହି କୃତଜ୍ଞତା ପ୍ରକଟ କରିବାର ବିଧିଟିକୁ ପ୍ରାୟ ଏକ ଅତ୍ୟନ୍ତ ହାସ୍ୟକର ଔପଚାରିକତାରୂପେ ଲମ୍ବାଇ ଦିଆଯାଇଥାଏ । ସେଗୁଡ଼ିକର ରୀତିକୁ ନମାନିଲେ ଅଶିଷ୍ଟ ବୋଲି କୁହାଯାଏ ଓ ଲୋକେ ପରସ୍ପରକୁ ପ୍ରାୟ ପ୍ରତିଦ୍ୱନ୍ଦ୍ୱିତା କଲାଭଳି ଧନ୍ୟବାଦ ଦେବାରେ ଲାଗିଥାନ୍ତି ।

 

ଭିତରେ ଭାବଟି ନଥାଏ ଅଥଚ ବାହାରେ ଉପଚାରଟି ଲାଗି ରହିଥାଏ । ଅନେକ ବ୍ୟକ୍ତି କର୍ତ୍ତବ୍ୟ ବୋଲି ବୁଝି ସାମାଜିକ ନିୟମ ରକ୍ଷା ସହିତ ତାହା କରିଥାନ୍ତି । ଶ୍ରୀ ଅରବିନ୍ଦ ଏହାକୁ ପ୍ରାଣିକ ସ୍ତରର ଏକ ଅଭ୍ୟାସ ବୋଲି କହିଛନ୍ତି । ସେହି ଅଭ୍ୟାସ ଭିତରେ ପଡ଼ି ଯାଇଥିବା ବ୍ୟକ୍ତିମାନେ “ଉପକାରଟି ପାଉଥିବା ପର୍ଯ୍ୟନ୍ତ ଉଚ୍ଛ୍ୱସିତ ଭାବରେ ମଧୁର କଥା କହନ୍ତି; କିନ୍ତୁ ଉପକାର ପାଇବାର ଆଶାଟି ଚାଲିଯିବାପରେ ଓଲଟା ହୋଇ ଯାଆନ୍ତି ଓ ସେମାନଙ୍କୁ ଆହାର ଭୁଞ୍ଜାଉଥିବା ହାତଟିକୁ କାମୁଡ଼ିବାକୁ ଆରମ୍ଭ କରନ୍ତି ।” ଏଥିରୁ ବାହାରି ଆସିବାର ସୂଚନା ଦେଇ ସେ କହିଛନ୍ତି : “ଚୈତ୍ୟ ଉପାଦାନଟି ବିକଶିତ ହୋଇ ପାରିଥିବା ବ୍ୟକ୍ତିମାନେ ସ୍ୱଭାବତଃ କୃତଜ୍ଞ ରହିଥାନ୍ତି ।” (BCL, ୨୪, ୧୩୯୪) ପୁନଶ୍ଚ, “କୃତଜ୍ଞତା ହେଉଛି ଚୈତ୍ୟ ସ୍ତରର ଏକ ଅନୁଭବ ଏବଂ ଆମ ଜୀବନରେ ଚୈତ୍ୟ ବୋଲି ଯାହାକିଛି ରହିଥାଏ, ତାହା ଆମର ଆତ୍ମାକୁ କେବଳ ପ୍ରସ୍ଫୁଟିତ ହୋଇ ଉଠିବାରେହିଁ ସାହାଯ୍ୟ କରେ ।” (ତତ୍ରୈବ, ୧୭୬୮)

 

ତେଣୁ, ସ୍ୱଭାବତଃ କୃତଜ୍ଞ ରହିବା, ସିଏ ଏକ ଅନ୍ୟ ସ୍ତରର କଥା । ଏକ ଅନ୍ୟ ଗଭୀରତାର କଥା, ଏକ ମୂଳଭୂତ ଦୃଷ୍ଟିଭଙ୍ଗୀର କଥା । ଏକ ସାମାଜିକ କିମ୍ବା ନୈତିକ କସରତ ମୋଟେ ନୁହେଁ ।

☆☆☆

 

ଗୁରୁ

 

ଯୋଗମାର୍ଗର ଜଣେ ପଥିକ ଲାଗି ଶ୍ରୀ ଅରବିନ୍ଦ ଯେଉଁ ଚାରୋଟି ସହାୟକ (Aid)ର ଉଲ୍ଲେଖ କରିଛନ୍ତି, ସେଥିରୁ ଗୁରୁ ହେଉଛନ୍ତି ଗୋଟିଏ । ତାଙ୍କର ଘୋଷଣା ଅନୁସାରେ, ସାଧକର ନିଜ ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ଜଗଦ୍‌ଗୁରୁ ହେଉଛନ୍ତି ଅସଲ ଗୁରୁ । ସେହି ଅନ୍ତରସ୍ଥ ଅସଲ Guideଙ୍କୁ ସ୍ୱୀକାର କରିବାକୁହିଁ ପଡ଼ିବ । ନିଜର ଉଦ୍ୟମରେ ମୁଁ ସିଦ୍ଧିସ୍ଥଳରେ ଯାଇ ପହଞ୍ଚିଯିବି ବୋଲି ସାଧକ ଆଣ୍ଟ ରଖିଥିବା ପର୍ଯ୍ୟନ୍ତ ଓ ତା’ର ଅହଂଟା ନିଜକୁ ନେଇ ପଡ଼ି ରହିଥିବା ପର୍ଯ୍ୟନ୍ତ ଅସଲ ଅନ୍ତର୍ଗତ ଗୁରୁ ସତେଅବା ପର୍ଦ୍ଦାର ଅନ୍ତରାଳରେ ରହିଯାଇଥାନ୍ତି । ସେସବୁ ଶାନ୍ତ ପଡ଼ି ଆସିଲେ ଏକ ସ୍ଥିର ଆତ୍ମଜ୍ଞାନର ଉଦୟ ହୁଏ ଏବଂ ଆମ ଭିତରେ ବୃଦ୍ଧି ଲାଭ କରି ଆସୁଥିବା ଆଲୋକଟିକୁ ଅନୁଭବ କରିହୁଏ । ଆମେ ନିଜ ଭିତରଯାଏ ଦେଖିପାରୁ ଓ ସେହିଠାରେହିଁ ଜଣେ ପରମ ଗୁରୁ, ପରମ ସୁହୃତ୍, ପରମ ପ୍ରେମାସ୍ପଦ ଓ ପରମ ଶିକ୍ଷାଦାତାଙ୍କର ଏକ ଚିରନ୍ତନ ଉପସ୍ଥିତିକୁ ଅନୁଭବ କରିବାକୁ ଆରମ୍ଭ କରୁ । (BCL, ୨୦, ୫୬)

 

ସେହି ଗୁରୁଙ୍କ ଯାଏଁ ପହଞ୍ଚି ପାରିବାକୁ ଜଣେ ମନୁଷ୍ୟଗୁରୁଙ୍କର ପ୍ରୟୋଜନ ହୁଏ । ସିଏ ସେତୁ ଭଳି କାର୍ଯ୍ୟ କରନ୍ତି । ଏହି ପ୍ରୟୋଜନରହିଁ ଗୁରୁଶିଷ୍ୟ ସମ୍ପର୍କ ତଥା ଗୁରୁପରମ୍ପରାର ଉଦ୍ଭବ । ଏ ଗୁରୁ ଶିଷ୍ୟର ଅନ୍ତରାତ୍ମାକୁ ତା’ (ଶିଷ୍ୟ) ମଧ୍ୟରେ ରହିଥିବା ଦିବ୍ୟ ପରମଙ୍କ ଆଡ଼କୁ ଜାଗୃତ କରି ନେଇପାରୁଥିବେ । ଏତିକି ହୋଇ ନପାରିଲେ ବସ୍ତୁତଃ ଆଦୌ କିଛି ହୋଇ ପାରିବ ନାହିଁ । (ତତ୍ରୈବ, ୬୦) ଏବଂ ଶିଷ୍ୟ କେବେହେଲେ ମୋ’ ଗୁରୁ ବୋଲି ଅହଂବଶ ହୋଇ କୌଣସି ଗର୍ବବି କରିବନାହିଁ କିମ୍ବା କୌଣସି ଦୁରାଗ୍ରହ ସହିତ ସାମ୍ପ୍ରଦାୟିକ ହୋଇ ପଡ଼ିବନାହିଁ ।

 

ଏବଂ, ଆମକୁ ବାଟ କଢ଼ାଇ ଆଗକୁ ନେଇଯିବାର ପ୍ରକ୍ରିୟାରେ ଗୁରୁ ପ୍ରକୃତରେ କେଉଁ ମାର୍ଗଟିର ଅନୁସରଣ କରିବେ ? ଶ୍ରୀ ଅରବିନ୍ଦଙ୍କର କହିବା ଅନୁସାରେ ସିଏ ଆମ ଭିତରେ ରହିଥିବା ଗୁରୁଙ୍କର ମାର୍ଗଟିକୁ ଆବିଷ୍କାର କରିବେ ଓ ତାହାରି ଅନୁସରଣ କରିବେ । (lead the disciple through the nature of the disciple ତତ୍ରୈବ, ୬୦) ଗୁରୁ ଶିକ୍ଷା ଦେବ, ଉଦାହରଣ ହେବ, ପ୍ରଭାବିତ କରିବ । ଅଥଚ ପ୍ରଭାବ ପକାଇବାର ଆଳରେ ନିଜକୁ ଅଥବା ନିଜର ମତକୁ ନେଇ ଲଦି ଦେବନାହିଁ । ଶ୍ରୀ ଅରବିନ୍ଦ ପରାମର୍ଶ ଦେଇ କହିଛନ୍ତି, ଗୁରୁ ଶିକ୍ଷା ହୁଏତ କମ୍‌ ଦେବ, ମାତ୍ର ଅଧିକ ଜାଗୃତି (awaken)ହିଁ ଘଟାଇବ । ଉଦାହରଣ ହେଉଛି ଯାବତୀୟ ଶିକ୍ଷାଦାନ ଅପେକ୍ଷା ଅଧିକ ଶକ୍ତିଶାଳୀ । ହଁ, ଶିଷ୍ୟ କଦାପି ଗୁରୁଙ୍କର ବାହାରଟାର ଅନୁକରଣ କରିବନାହିଁ । ଉଦାହରଣଠାରୁ ପ୍ରଭାବ ଅଧିକ ମହତ୍ୱପୂର୍ଣ୍ଣ । ମାତ୍ର, ପ୍ରଭାବର ଅର୍ଥ ନୁହେଁ ଯେ, ଗୁରୁ ତାଙ୍କର ବାହ୍ୟ କର୍ତ୍ତୃତ୍ୱକୁ ଶିଷ୍ୟ ଉପରେ ଜାରି କରି ରଖିବେ; ସିଏ ତାଙ୍କର ସାନ୍ନିଧ୍ୟ ଓ ଉପସ୍ଥିତିଦ୍ୱାରା ପ୍ରଭାବ ପକାଇପାରୁଥିବେ ।

 

ଶ୍ରୀ ଅରବିନ୍ଦ ଏହିପରି ଭାବରେ ପ୍ରକରଣଟିର ଉପସଂହାର କରିଛନ୍ତି : “ପୂର୍ଣ୍ଣାଙ୍ଗ ଯୋଗର ଗୁରୁ କଦାପି ଜଣେ ଯିଏ ସିଏ ମଣିଷର ଅହଂକାର ସହିତ ନିଜକୁ ଗୁରୁ ବୋଲି ଦେଖାଇ ହେବେନାହିଁ । ନିଜର ଭୂମିକାକୁ ସିଏ ସର୍ବଦା ଊର୍ଦ୍ଧ୍ୱରୁ ଆଦିଷ୍ଟ ହୋଇ ଆସିଥିବା ଏକ କାର୍ଯ୍ୟରୂପେ ଗ୍ରହଣ କରିବେ । କାର୍ଯ୍ୟ ଊର୍ଦ୍ଧ୍ୱର, ସିଏ ନିମିତ୍ତମାତ୍ର (channel) । ସିଏ ହେଉଛନ୍ତି ନିଜର ସହୋଦରମାନଙ୍କୁ ସାହାଯ୍ୟ କରୁଥିବା ଜଣେ ମନୁଷ୍ୟ, ଶିଶୁମାନଙ୍କର ପଥପ୍ରଦର୍ଶନ କରୁଥିବା ଜଣେ ଶିଶୁ, ଅନ୍ୟ ଆଲୋକଗୁଡ଼ିକୁ ପ୍ରଜ୍ଜ୍ୱଳିତ କରି ଦେଉଥିବା ଏକ ଆଲୋକ, ଆତ୍ମାମାନଙ୍କୁ ଜାଗୃତ କରାଉଥିବା ଏକ ଜାଗ୍ରତ ଆତ୍ମା ଏବଂ ଆପଣାର ଉଚ୍ଚତମ ଭୂମିକାରେ, ପରମ ଦିବ୍ୟ ଚେତନାର ଅନ୍ୟ ଶକ୍ତିମାନଙ୍କୁ ନିଜ ପାଖକୁ ଆସିବାଲାଗି ଆବାହନ କରୁଥିବା ସେହି ପରମ ଦିବ୍ୟ ଚେତନାର ଏକ ମହାନ୍‌ ଶକ୍ତି ବା ମହାନ୍‌ ଉପସ୍ଥିତି ।” (ତତ୍ରୈମ, ୬୧)

☆☆☆

 

ଗୂଢ଼ବିଦ୍ୟା

 

ଆମ ଇନ୍ଦ୍ରିୟଗୁଡ଼ିକ ଆମକୁ ଯେତିକି ପୃଥ୍ୱୀଜ୍ଞାନ ଆଣି ଦେଇପାରୁଛନ୍ତି, ପୃଥ୍ୱୀଜ୍ଞାନ ମୋଟେ ସେତିକି ନୁହେଁ । ଆମ ଇନ୍ଦ୍ରିୟ ବହୁତ କ୍ଷେତ୍ରରେ ପହଞ୍ଚି ବା ପ୍ରବେଶ କରିପାରୁନାହିଁ । ତେଣୁ ଆମପାଇଁ ବହୁତ ତଥ୍ୟ ଓ ବହୁତ ସତ୍ୟ ଗୂଢ଼ ହୋଇ ରହିଛି । ସେଗୁଡ଼ିକୁ ଆମେ ଅଲୌକିକ ବୋଲି କହୁଛୁ । ଯାହା ଆମ ଜାଣିବାର ଏହି ଉପରିଭାଗକୁ ଅବବୋଧ୍ୟ ହୋଇପାରେନାହିଁ, ଅଥଚ ଆହୁରି ତଳକୁ ରହିଛି, ସେହିଗୁଡ଼ିକର ଉଦ୍‍ଘାଟନକୁ ଗୂଢ଼ବିଦ୍ୟା ବା occult ବୋଲି କୁହାଯାଇଛି-। ଶ୍ରୀ ଅରବିନ୍ଦ ବିଜ୍ଞାନକୁ ମଧ୍ୟ ଏକ ସ୍ୱତନ୍ତ୍ର ଅର୍ଥରେ ଗୂଢ଼ବିଦ୍ୟା ବୋଲି କହିଛନ୍ତି । (BCL, ୧୯, ପୃଷ୍ଠା–୬୫୨) ଯାହାସବୁ ଏକଦା ଅଳପ ଖୋଜୁଥିବା ଓ ତେଣୁ ଅଳପ ଜାଣୁଥିବା ଓ ଅଳପ ଦେଖୁଥିବା ମଣିଷ ସକାଶେ ଗୂଢ଼ ବା ଆଗୋଚର ହୋଇ ରହିଥିଲା, କାଳ–ଅନୁକ୍ରମରେ ମନୁଷ୍ୟର ଜିଜ୍ଞାସା ପ୍ରସାରିତ ହେବା ସଙ୍ଗେ ସଙ୍ଗେ, ସେଗୁଡ଼ିକ ଜ୍ଞାନ ଓ ତଥ୍ୟର ପରିସରକୁ ଆସିପାରିଛି-

 

ତେଣୁ, ଭୌତିକ ପଛରେ ଏକ ଅତିଭୌତିକ ରହିଛି, ପ୍ରାଣ ପଛରେ ଏକ ସୂକ୍ଷ୍ମ ପ୍ରାଣ ଓ ମନ ପଛରେ ଏକ ସୂକ୍ଷ୍ମ ମନ ରହିଛି । ଏବଂ ତେଣେ, କର୍ମେନ୍ଦ୍ରିୟଗୁଡ଼ିକର ପଛରେ ଜ୍ଞାନେନ୍ଦ୍ରିୟମାନେ ରହିଛନ୍ତି, ଚେତନ ପଛରେ ସର୍ବଦା ଏକ ମଗ୍ନଚେତନ ମଧ୍ୟ ରହିଛି । ଗୂଢ଼ବିଦ୍ୟା ସେହି ଅନୁଦ୍‌ଘାଟିତ ଆଡ଼କୁ ସାହସ କରିଛି, ବହୁ ତଥାକଥିତ ଅସାଧ୍ୟକୁ ସାଧ୍ୟର ସୀମାକୁ ଆଣିଛି । ପାଶ୍ଚାତ୍ୟ ତଥା ପ୍ରାଚ୍ୟ ଉଭୟ ପୃଥିବୀଖଣ୍ଡରେ ତାହା ହୋଇ ଆସିଛି ଓ ହେଉଛି । ସାଧାରଣତଃ ଗୂଢ଼ବିଦ୍ୟା ଆଗରେ ସର୍ବଦା ଏକ ଆଧ୍ୟାତ୍ମିକ ଲକ୍ଷ୍ୟ ରହିଛି, କିନ୍ତୁ ବହୁସ୍ଥଳରେ ତାହା ଅନ୍ୟ ଆକର୍ଷଣରେ ପଡ଼ିଯାଇ ତୁଚ୍ଛା ଜାଦୁବିଦ୍ୟା, ଇନ୍ଦ୍ରଜାଲ ଓ ଭୂତବିଦ୍ୟାରେ ଅବଶେଷ ରହିଯାଇଛି । ସମ୍ଭବତଃ ସେହି ହେତୁ ଅଧ୍ୟାତ୍ମ ସାଧନା ଗୂଢ଼ବିଦ୍ୟାକୁ ନାନା ବିପଜ୍ଜନକ ପ୍ରଲୋଭନରେ ପୂର୍ଣ୍ଣ ସାଧକର ଗୋଡ଼କୁ ଛନ୍ଦି ଦେଉଥିବା ଏକ ପ୍ରତିବନ୍ଧକ ବୋଲି କହି ସତର୍କ କରିଦେବାକୁହିଁ ଇଚ୍ଛା କରିଛି । (ତତ୍ରୈବ, ୮୬୦) ଅବଶ୍ୟ ପ୍ରକୃତ ଦୋଷଟି ଖାସ୍‌ ଗୂଢ଼ବିଦ୍ୟାରେ ନାହିଁ । ଅନ୍ୟମନସ୍କ ହେବାରେହିଁ ରହିଛି, ସାଧନକୁ ସାଧ୍ୟ ବୋଲି ଗ୍ରହଣ କରିନେବାରେ ରହିଛି । ଗୂଢ଼ବିଦ୍ୟାକୁ ପାହାଚଟିଏ କରି ଆସୁଥିବା ବ୍ୟକ୍ତିମାନେ ପାହାଚଟିକୁ ଅନେକ ସମୟରେ ପାରିହୋଇ ଅଧ୍ୟାତ୍ମ ଭିତରକୁ ଆସି ପାରନ୍ତିନାହିଁ ।

 

ଗୂଢ଼ବିଦ୍ୟା ଭିତରେ ସେଇଠି ଯାହାସବୁ ଚମତ୍କାର ମିଳେ, ଅନେକେ ସେଇଥିରେ ବାନ୍ଧିହୋଇ ରହନ୍ତି, ବହୁତ ଓ ଯଥେଷ୍ଟ ହାସଲ କଲେ ବୋଲି ଧରିନିଅନ୍ତି ଓ ଅଟକି ଯାଆନ୍ତି । ଯଶ ପାଆନ୍ତି, ଗୌରବ ଲାଭ କରନ୍ତି । ନିଜର କରାମତିଗୁଡ଼ିକର ରଜ୍ଜୁରେ କେତେବେଳେ ଯେ ଗଣ୍ଠି ପଡ଼ିଯାଏ ଓ ସେମାନେ ବଣା ହୋଇ ରହିଯାଆନ୍ତି, ସେକଥା ସେମାନେ ନିଜେ ମଧ୍ୟ ଜାଣିପାରନ୍ତିନାହିଁ । ଅଧ୍ୟାତ୍ମ ସ୍ତରର ପରବର୍ତ୍ତୀ ପାହାଚଗୁଡ଼ିକୁ ପହଞ୍ଚି ପାରିଥିବା ବ୍ୟକ୍ତିର ମଧ୍ୟ ଗୂଢ଼ବିଦ୍ୟାର ବହୁ ସାମର୍ଥ୍ୟ ରହିଥାଏ ଏବଂ ସେ ମଧ୍ୟ ଜଗତର ହିତପାଇଁ ସେଗୁଡ଼ିକୁ ଇଚ୍ଛା କଲେ କାମରେ ଲଗାଇପାରେ । ମାତ୍ର ତାହା ପୂର୍ଣ୍ଣ ସମର୍ପଣଦ୍ୱାରା ପୂର୍ଣ୍ଣସମ୍ମତ ଯନ୍ତ୍ରଟିଏ ହୋଇ ପାହାଚକୁ ପାହାଚ ପାରିହେଉଥିବା ଜଣେ ଅଧ୍ୟାତ୍ମସ୍ଥ ବ୍ୟକ୍ତିର ଧ୍ୟେୟ ହୋଇ ରହିଥିବାବେଳେ ଗୂଢ଼ବିଦ୍ୟାର ରସଗ୍ରାହୀ ସେହି ବେଢ଼ାଟି ଭିତରକୁ ପ୍ରବେଶହିଁ କରିପାରେନାହିଁ ।

 

ଗୂଢ଼ବିଦ୍ୟାର କ୍ଷେତ୍ରରେ ନିଜର ଅନୁଭବଟିର ରୋମନ୍ଥନ କଲାପରି ମାଆବି କେତେକ ମନ୍ତବ୍ୟ ଦେଇଛନ୍ତି : “ମୁଁ ଜାଣେ ଯେ ମୁଁ ଏ ବିଷୟରେ ବେଶୀ କିଛି କରିପାରିବି ନାହିଁ । ଅଦ୍ଭୁତ ଓ ଅଲୌକିକ ଲାଗି ମଣିଷମାନଙ୍କର ଯେଉଁ ବାସନା ରହିଛି, ମୁଁ ତାହାକୁ ପରିତୃପ୍ତ କରିପାରିବିନାହିଁ । ଏକ ସମୟରେ ମୁଁ ତାହା କରିପାରୁଥିଲି ଓ ପ୍ରକୃତରେ କିଛି କରିଥିଲି । ମାତ୍ର, ସେଥିପାଇଁ ଏକ ପ୍ରାଣିକ ଚେତନାରେହିଁ ଅବସ୍ଥିତ ରହିବାକୁ ପଡ଼େ ଓ ପ୍ରାଣସ୍ଥ ଶକ୍ତିଗୁଡ଼ିକୁ କାମରେ ଲଗାଇବାକୁ ପଡ଼େ । ତାହା ଆଦୌ ପରାମର୍ଶଯୋଗ୍ୟ ହେବନାହିଁ । (MCE, ୧୩, ପୃଷ୍ଠା–୪୯) ପୁନଶ୍ଚ, “ଆମେ ଗୂଢ଼ ମାର୍ଗରେ ଆଦୌ କୌଣସି ଫଳ ଖୋଜିବାକୁ ଯିବାନାହିଁ । ଆମେ ତ ଜୀବନରେହିଁ ପରମ ଦିବ୍ୟସତ୍ତାଙ୍କୁ ଦେଖିବାକୁ ଇଚ୍ଛା କରୁଛୁ । ଏବଂ, କେବଳ ସେହି ଆବିଷ୍କାରଟିଦ୍ୱାରାହିଁ ପ୍ରକୃତରେ ଜୀବନର ରୂପାନ୍ତର ହୋଇପାରିବ ।” (ତତ୍ରୈବ, ପୃଷ୍ଠା–୨୧୨)

☆☆☆

 

ଗୋଷ୍ଠୀ

 

ଗୋଟିଏ ପ୍ରସଙ୍ଗରେ ମାଆ ଏକଦା କହିଛନ୍ତି : “ମୁଁ ବିଶ୍ୱାସ କରୁନାହିଁ ଯେ ଏହି ପୃଥିବୀର କୌଣସି ଜଣେ ବ୍ୟକ୍ତି, ପୃଥିବୀ ବର୍ତ୍ତମାନ ଯେଉଁପରି ରହିଛି, ତାହାରି ଜଣେ ବ୍ୟକ୍ତି, ସିଏ ଯେଡ଼େ ବଡ଼ ହୋଇ ଥାଆନ୍ତୁ, ତାଙ୍କର ଚେତନା କିମ୍ବା ଉତ୍ସସ୍ଥାନ ଯେଡ଼େ ଚିରନ୍ତନ ହୋଇଥାଉ ପଛକେ, ସିଏ ଆପେଆପେ କେବେହେଲେ ଯଥାର୍ଥ ପରିବର୍ତ୍ତନ ଏବଂ ଉପଲବ୍ଧିଟିକୁ କରିପାରେନାହିଁ; ଏହି ପୃଥିବୀ ଏବଂ ସୃଷ୍ଟି ବର୍ତ୍ତମାନ ଯେପରି ହୋଇ ରହିଛି, ସେ ତାହାକୁ ବଦଳାଇ ପାରିବେନାହିଁ ତଥା ଏହି ଉଚ୍ଚତର ସତ୍ୟଟିର ଉପଲବ୍ଧି କରିପାରିବେନାହିଁ । ଏପରି ଏକ ନୂତନ ପୃଥିବୀ, ଯାହାକି ସମ୍ପୂର୍ଣ୍ଣ ସତ୍ୟଦ୍ୱାରା ପରିଚାଳିତ ନହେଲେ ମଧ୍ୟ ବର୍ତ୍ତମାନ ତୁଳନାରେ କିଞ୍ଚିତ୍‌ ଅଧିକ ପରିମାଣରେ ସତ୍ୟଦ୍ୱାରା ପରିଚାଳିତ ହେଉଥିବ । ବରଂ ମନେ ହେଉଛି ଯେ, କେତେସଂଖ୍ୟକ ବ୍ୟକ୍ତି.... ଏକ ସମୂହ ବା ଗୋଷ୍ଠୀ, ଏହି ଈପ୍ସିତ ସତ୍ୟଟି ପୃଥିବୀରେ ଯେପରି ସାକାର ଓ ବାସ୍ତବ ହୋଇ ଆସିବ, ସେଥିଲାଗି ଅପରିହାର୍ଯ୍ୟ ଓ ଅତ୍ୟାବଶ୍ୟକ ହେବେ ।

 

“ଅର୍ଥାତ୍‌, ଯେଡ଼େ ବୃହତ୍‌, ଯେଡ଼େ ଅଧିକ ପରିମାଣରେ ଚେତନ ଏବଂ ଶକ୍ତିଧାରୀ ହୋଇଥିଲେ ମଧ୍ୟ କୌଣସି ଗୋଟିଏ ଅବତାର ଏକାଏକା ଏହି ପୃଥିବୀରେ ଅତିମାନସ ଜୀବନକୁ ସମ୍ଭବ କରିପାରିବେନାହିଁ । ଏହି ଉପଲବ୍ଧି ନିମନ୍ତେ ଏକ ଗୋଷ୍ଠୀହିଁ ଅପରିହାର୍ଯ୍ୟ ହୋଇ ରହିବ । ସେହି ଗୋଷ୍ଠୀ ବିଭିନ୍ନ କାଳରେ ବିଚ୍ଛୁରିତ ହୋଇ ଆସନ୍ତୁ ଅଥବା ପୃଥିବୀର ବିଭିନ୍ନ ସ୍ଥାନରେ ଆବିର୍ଭୂତ ହୁଅନ୍ତୁ,–ସମ୍ଭବତଃ ଉଭୟ ପ୍ରକାରେ–ତାହାହିଁ ଏହି ପରମ ଉପଲବ୍ଧି ନିମନ୍ତେ ଏକାନ୍ତ ଅପରିହାର୍ଯ୍ୟ । ଏହା ମୋ’ର ଦୃଢ଼ବିଶ୍ୱାସ ।” (MCE, ୧୦, ୧୩୮)

 

ପୃଥିବୀରେ ସଂପ୍ରତି ସେହି ଗୋଷ୍ଠୀଟି ଲାଗି ଖୋଜା ପଡ଼ିଛି, ତାହାରି ଲାଗି ଅପେକ୍ଷା ରହିଛି । ସେହି ଗୋଷ୍ଠୀଟିହିଁ କ୍ରମେ ଗଠିତ ହୋଇ ଆସିଲାଣି । ସେମାନେ ପରସ୍ପରକୁ ଖୋଜିବାରେ ଲାଗିଛନ୍ତି । ବିଭିନ୍ନ କ୍ଷେତ୍ରରେ, ବିଭିନ୍ନ ସ୍ଥିତିରେ ସେମାନେ ଗତିଶୀଳ ହୋଇ ରହିଥିଲେହେଁ, ହାବୁଡ଼ିଯିବାମାତ୍ରକେ ପରସ୍ପରକୁ ଚିହ୍ନି ନେଇପାରୁଛନ୍ତି । ବିକଳ୍ପ ଗୋଷ୍ଠୀମାନେ ତିଆରି ହେଉଛନ୍ତି, ପୁରାତନର ବିରୋଧ ସତ୍ତ୍ୱେ ତିଆରି ହେଉଛନ୍ତି । ପୁରାତନ ସେମାନଙ୍କୁ ଗିଳି ପକାଇବ ବୋଲି ଭୟ କରି ସେମାନେ କଦାପି ଅଲଗା ବେଢ଼ାଟିଏ ଗଢ଼ି ଅଲଗା ରହିବେନାହିଁ । ସେମାନେ ହୁଏତ ଅଧିକ ଶକ୍ତିଶାଳୀ ହୋଇପାରିବେ, ଏକ ନୂତନ ଶକ୍ତିର ଅଧିକାରୀ ହେବେ । “ନୂଆ ଗୋଷ୍ଠୀ ହୁଏତ କ୍ରମେ ସାନ ସାନ ଗୋଷ୍ଠୀରେ ନିଜକୁ ପ୍ରତିଷ୍ଠିତ କରିବ ଓ ସେଠାରୁ ପୁରାତନ ଜୀବନ ଭିତରକୁ ନିଜକୁ ପ୍ରସାରିତ କରିବ, ତାହାକୁ ପ୍ରଭାବିତ କରିବ, ସଂକ୍ରାମିତବି କରିବ । ମନୁଷ୍ୟଜାତି ପାଇଁ ଏକ ନୂତନ ସହାୟତା ଏବଂ ଆଲୋକ ବହନ କରି ଆଣିବ ଏବଂ ହୁଏତ କିଛି କାଳ ପରେ ମନୁଷ୍ୟଜାତି ମଧ୍ୟ ଏକ ଅଭୀପ୍ସାଦ୍ୱାରା ପ୍ରେରିତ ହୋଇ ସେମାନଙ୍କୁ ବୁଝିବ ଏବଂ ସ୍ୱାଗତ ଜଣାଇବ ।” (BCL, ୧୯, ୧୦୬୩)

☆☆☆

 

ଚରିତ୍ର

 

ଆମ ହେତୁକ୍ଷେତ୍ରର ଯେଉଁସବୁ ଆଖି ଚାରିପାଖକୁ ଅନାଇ ଓ ଚାରିପାଖର ବରାଦ ଅନୁସାରେ ଶିକ୍ଷା କରନ୍ତି, ସେମାନେ ଆମକୁ କେତେକ ଅଭ୍ୟାସ ଏବଂ ଆଚାର ଭିତରକୁ ମଣ କରି ନେଉଥାଆନ୍ତି । ଏକ ନିର୍ଦ୍ଦିଷ୍ଟ ସମାଜରେ ଚଳିବା ସକାଶେ ସେହିପରି ମଣ ହେବାର ଏକ ପ୍ରୟୋଜନ ମଧ୍ୟ ରହିଥାଏ । ଅଭ୍ୟାସଗୁଡ଼ିକ ଭିତରେ ରହିଥିବା ମନୁଷ୍ୟର ସେହି ଗୁଣଟିକୁ ତା’ର ଚରିତ୍ର ବୋଲି କୁହାଯାଏ । ଅନେକ ମନୁଷ୍ୟ ସେତିକି ଭିତରେ ଲାଖି ଯାଇଥାନ୍ତି । ସମାଜଗୁଡ଼ିକ ମଧ୍ୟ ସେତିକିରେ ଲାଖି ଯାଇଥାନ୍ତି ଏବଂ ବ୍ୟକ୍ତିର ସେହି ଲାଖିଯିବାରେ ସାହାଯ୍ୟ କରୁଥାନ୍ତି । ଏବଂ, ସେହି କାରଣରୁ ଏକ ପରିବର୍ତ୍ତନ କିମ୍ବା ଉତ୍ତୋଳନ ଅତ୍ୟାବଶ୍ୟକ ହେଉଥିଲେ ମଧ୍ୟ ଅନେକଙ୍କ ଭିତରେ ସେଇଟି ପ୍ରତି ଏକ ପ୍ରତିରୋଧ ଦେଖାଦେଇଥାଏ । (BCL, ୨୪, ୧୬୧୮)

 

ପ୍ରାଚୀନ ଗ୍ରୀକ୍‌ ଦାର୍ଶନିକ ହେରାକ୍ଲିଟସ୍‌ ଚରିତ୍ରକୁ man’s divine force ବୋଲି କହିଛନ୍ତି । (BCL, ୧୬, ୩୬୩) ସିଏ ନିଜର ଯେଉଁ ବିଶେଷ ଅର୍ଥସୀମା ମଧ୍ୟରେ ଶବ୍ଦଟିକୁ ବ୍ୟବହାର କରିଥିଲେ ମଧ୍ୟ ଆମେ ତଥାପି ନିଜପାଇଁ ହୁଏତ ଆଉଏକ ସୁରାଖ ପାଇଯାଇପାରିବା । ବାହାରର ଏହି ଅଳପର ଅନ୍ତରାଳରେ ଏକ ଅସଲ ରହିଛି । ବାହାରର ଏହି କ୍ଷଣିକ ଓ କ୍ଷୁଦ୍ରଟିର ଅନ୍ତରାଳରେ ଏକ ବୃହତ୍‌ ରହିଛି । ସେହି ବିରାଟର ଆବେଦନଟିକୁ ବୁଝିବା ଏବଂ ତାହାରି ଅନୁସାରେ ସତକୁସତ କିଛି ହେବା, ସେହି ହେବା ନିମନ୍ତେହିଁ ନିଜର ସମସ୍ତ ପୁଞ୍ଜିକୁ କାମରେ ଲଗାଇବାକୁ ପୂର୍ଣ୍ଣ ଶ୍ରଦ୍ଧାର ସହିତ ସମ୍ମତି ଦେବା, ସିଏ ମଧ୍ୟ ଚରିତ୍ର । ସେହି ଚରିତ୍ର ବାହାରର ଏହି ପୃଥିବୀଟାକୁ, ଏହି ପୃଥିବୀର ଅନ୍ୟ ମନୁଷ୍ୟମାନଙ୍କୁ ମଧ୍ୟ ଏକ ଅନୁରୂପ ମୁଦ୍ରାମୂଲ୍ୟରେ ଦେଖୁଥାଏ-। କୌଣସି ଏକ ନିର୍ଦ୍ଦିଷ୍ଟ ସମାଜ ବା ସଂହତିର ଦର୍ପଣ ଉପରେ ମଧ୍ୟ ଦେଖୁଥାଏ ସତ, ମାତ୍ର ଯୁଗପତ୍‌ ଭାବରେ ତାହାକୁ ଡେଇଁଯାଇ ମଧ୍ୟ ଦେଖିପାରୁଥାଏ । ଯେଉଁ ଅଧ୍ୟାତ୍ମ ଯୁଗଟି ଆସୁଛି, ସେଥିରେ ଆମେ ନିଜକୁ ତଥା ଅନ୍ୟମାନଙ୍କୁ ଏହି ବୃହତ୍ତର ଚରିତ୍ରର ପ୍ରସ୍ଥ ଉପରେ ଦେଖିବାକୁ ସମର୍ଥ ହେବା । ସେଠାରେ ଯାଇ ପହଞ୍ଚିବା ପାଇଁ ବର୍ତ୍ତମାନ ସାଥୀ ହୋଇ ବାଟ ଚାଲୁଥିବା ସମୟରେ ମଧ୍ୟ ପରସ୍ପରକୁ ସେହି ତରାଜୁଟିର ସାହାଯ୍ୟରେ ଭେଦି ପାରିଲେ ଆମେ ନିଃସନ୍ଦେହ ଭାବରେ ଏବେଠାରୁ ମଧ୍ୟ ପରସ୍ପରକୁ ଆଗେଇ ଯିବାରେ ବହୁତ ସହାୟତା କରିପାରିବା ।

☆☆☆

 

ଚିତ୍ତ

 

ପ୍ରାଚୀନ ଶାସ୍ତ୍ରର ଅର୍ଥନିରୂପଣ ଅନୁସାରେ ଚେତନାର ସାଧାରଣ ମୂଳକ୍ଷେତ୍ରଟିକୁ ଚିତ୍ତ ବୋଲି କୁହାଯାଇଛି । ଆମ ଅନ୍ତସ୍କରଣର ଚାରୋଟି ଅଂଶ ମଧ୍ୟରୁ ଚିତ୍ତ ହେଉଛି ଗୋଟିଏ । (ଅନ୍ୟ ତିନୋଟି ହେଉଛନ୍ତି : ମନ, ବୁଦ୍ଧି ଓ ଅହଂକାର) ଆମ ଯାବତୀୟ ଚିତ୍ତବୃତ୍ତିର ଭଣ୍ଡାର ହେଉଛି ଏହି ଚିତ୍ତ । ଭଣ୍ଡାରଟିର ଭରଣା କରୁଥିବା ସମୟରେ ଏହା ମାନସିକ, ପ୍ରାଣିକ ତଥା ଭୌତିକ ସବୁ କ୍ଷେତ୍ରରୁ ନାନା ଆବେଶ ଗ୍ରହଣ କରି ଆଣୁଥାଏ । ଊର୍ଦ୍ଧ୍ୱରୁ ଆଣେ, ନିମ୍ନରୁ ଆଣେ, ଚତୁଃପାର୍ଶ୍ୱରୁ ମଧ୍ୟ ଆଣେ । ଏହି କାର୍ଯ୍ୟଟିରେ ତାହାକୁ ଏତେ ବ୍ୟସ୍ତ ହୋଇ ରହିବାକୁ ହେଉଥାଏ ଯେ, କ’ଣ ଗ୍ରହଣ କରିବ ଅଥବା କ’ଣ ଗ୍ରହଣ ନ କରିବ, ସେକଥା ବିଚାର କରିବାକୁ ତା’ର ବେଳ ନଥାଏ । ବୁଦ୍ଧି, ପ୍ରାଣିକ ଇଚ୍ଛା ଏବଂ (ଚିତ୍ତ ରାଜୀ ହେଲେ) ଏକ ଉଚ୍ଚତର ଶକ୍ତି ତା’ପାଇଁ ସେହି କାର୍ଯ୍ୟଟିକୁ କରି ଦେଉଥାନ୍ତି । (BCL, ୨୨, ୩୩୨) ଅବଚେତନ ସହିତ ମଧ୍ୟ ଚିତ୍ତର ଖିଅ ଲାଗି ରହିଥାଏ । ସେହି ଅବଚେତନ ଅଂଶଟିରେ ଅତୀତର ନାନା ବସ୍ତୁ ଓ ଘଟଣାଗତ ବୋଧ ସାଇତା ହୋଇ ରହିଥାଏ ଏବଂ ସ୍ୱପ୍ନ ଦେଖୁଥିବା ସମୟରେ ସେଗୁଡ଼ିକ ନାନା ଆକାରରେ ଆବିର୍ଭୂତ ହୋଇଥାନ୍ତି (ତତ୍ରୈବ, ୩୩୩)

 

ଏହି ଚିତ୍ତ ସଦା ଅସ୍ଥିର, ନିରନ୍ତର ବ୍ୟସ୍ତହିଁ ହୋଇ ରହିଥାଏ । ତାହାର ସେହି ଅସ୍ଥିରତାକୁ କିପରି ସ୍ଥିରତାକୁ ପରିବର୍ତ୍ତିତ କରି ଆଣିହେବ ? ମାର୍ଗ ହେଉଛି ଶୁଦ୍ଧୀକରଣର ମାର୍ଗ, ସମତାର ମାର୍ଗ,–ଜ୍ଞାନଦ୍ୱାରା ଆଲୋକନର ମାର୍ଗ ଏବଂ ଆମ ଇଚ୍ଛାଶକ୍ତିର କ୍ଷେତ୍ରରେ ଏକ ଯଥାର୍ଥ ସମଞ୍ଜସତା ଅର୍ଜନ କରିବାର ମାର୍ଗ । (BCL, ୨୧, ୭୦୮) ଶ୍ରୀ ଅରବିନ୍ଦ ଏହି ସନ୍ଦର୍ଭରେ ବ୍ୟବହାର କରିଥିବା ଆଉ ଗୋଟିଏ ପ୍ରକାରରେ କହିଲେ, ଚିତ୍ତ ନାମକ ଚେତନାର ଏହି ମୂଳ ମହକୁମାଟିକୁ ଯଦି “ପରମ ଦିବ୍ୟତା ମଧ୍ୟରେ କେନ୍ଦ୍ରିତ କରି ରଖାଯାଇପାରିବ, ତେବେ ଆଉ ପ୍ରାୟ ସବୁକିଛି ମଧ୍ୟ ସମ୍ଭବ ହୋଇଯିବ, ଏକ ସ୍ୱାଭାବିକ ପରିଣାମ ଭଳିହିଁ ଉପଲବ୍ଧ ହୋଇପାରିବ ।” (BCL, ୨୨, ୩୩୨–୩୩)

☆☆☆

 

ଚିତ୍ତଶୁଦ୍ଧି

 

ମନୁଷ୍ୟର ଚିତ୍ତ ଗୋଟିଏ ବୃହତ୍‌ ଖାତ ପରି ଯେଉଁଠି ଜୀବନରେ ସଂଗୃହୀତ ହୋଇଥିବା ଏବଂ ହେଉଥିବା ନାନା ପ୍ରତିଷ୍ଠିତ ଧାରଣା, ଅନୁଭବ ତଥା କର୍ମଗତ ଅଭ୍ୟାସ ଜମା ହୋଇ ରହିଥାନ୍ତି ଏବଂ ଚିତ୍ତକୁ ଚଞ୍ଚଳ କରି ରଖିଥାନ୍ତି । ଲଗାମ ପାଇବାକୁ ହେଲେ ସେଗୁଡ଼ିକୁ ସଜାଡ଼ିବାକୁ ପଡ଼େ, ଅର୍ଥାତ୍‌ ବିଚାର ଓ ବିବେକ ଖର୍ଚ୍ଚ କରି ବାଛିବାର କାର୍ଯ୍ୟଟିଏ କରିବାକୁ ହୋଇଥାଏ । ଏହି କାର୍ଯ୍ୟଟି ପ୍ରକୃତରେ ବୁଦ୍ଧିର । ବୁଦ୍ଧି ବିଚାର କରିବ, ବିବେକ ଖଟାଇବ, ବାଛିବ ଏବଂ ସଜାଇ ରଖିବ । ବୁଦ୍ଧିରେ ଏହି ସାମର୍ଥ୍ୟ ଅର୍ଥାତ୍‌ ଯୋଗ୍ୟତାକୁ ଆଣିଦେବାକୁ ହେଲେ ଚିତ୍ତଶୁଦ୍ଧିର ଏକ ପ୍ରକ୍ରିୟାର ସାହାଯ୍ୟ ନେବାକୁ ପଡ଼ିଥାଏ । ସୂତ୍ରଟିଏ ପରି କହିଲେ, ଚିତ୍ତର କ୍ଷେତ୍ରରେ ଯେଉଁସବୁ ମାନସିକ ଓ ନୈତିକ ଅଭ୍ୟାସମାନ ତିଆରି ହୋଇ ରହିଥାଏ, ଆମ ଭିତରେ ନାନା ଗଣ୍ଠି ପକାଇ ରଖିଥାଏ, ଚିତ୍ତଶୁଦ୍ଧିର ପ୍ରକ୍ରିୟାଟି ଶୁଦ୍ଧିକରଣର ଏକ ପ୍ରଣାଳୀଦ୍ୱାରା ସେହିଗୁଡ଼ିକୁହିଁ ମାର୍ଜିତ କରିଥାଏ । (BCL, ୧୭, ୨୧୯) ବୁଦ୍ଧିର ବନ୍ଧନମୋଚନ, ଶୁଦ୍ଧି ତଥା ପୂର୍ଣ୍ଣ ସକ୍ରିୟତା ନିମନ୍ତେହିଁ ଚିତ୍ତଶୁଦ୍ଧିର ଏକାନ୍ତ ଆବଶ୍ୟକତା ରହିଛି । (ତତ୍ରୈବ) ଚିତ୍ତଶୁଦ୍ଧିକୁ ଶ୍ରୀ ଅରବିନ୍ଦ ଗ୍ରୀକ୍‌ ତତ୍ତ୍ୱକାର ଆରିଷ୍ଟଟଲ୍‌ଙ୍କର Katharsis ସିଦ୍ଧାନ୍ତର ସମବାଚୀ ବୋଲି କହିଛନ୍ତି । (ତତ୍ରୈବ, ୨୩୭) ଚିତ୍ତଶୁଦ୍ଧିଦ୍ୱାରା ହୃଦୟକୁ ମଧ୍ୟ ଶୁଦ୍ଧ କରାଯାଇଥାଏ । (ତତ୍ରୈବ, ୨୪୨) ଚିତ୍ତଶୁଦ୍ଧିହିଁ ଜଣେ ବ୍ୟକ୍ତିକୁ ତା’ର ଉଚ୍ଚତର ପରିପୂର୍ଣ୍ଣତାରେ ନେଇ ପହୁଞ୍ଚାଇ ଦିଏ । ଚିତ୍ତଶୁଦ୍ଧିଦ୍ୱାରା ମନୁଷ୍ୟର ବୁଦ୍ଧି ତାହାର ନାନା ପୂର୍ବଗ୍ରହ ଏବଂ ଆସକ୍ତିରୁ ମୁକ୍ତ ହୋଇ ଆସେ ।

 

ଯୋଗର ସୂତ୍ରକାର ପାତଞ୍ଜଳି ଚିତ୍ତବୃତ୍ତିର ନିରୋଧ କଥା କହିଛନ୍ତି । ଚିତ୍ତଶୁଦ୍ଧିକୁ ମଧ୍ୟ ଚିତ୍ତବୃତ୍ତିଗୁଡ଼ିକର ନିରୋଧପାଇଁ ଅବଶ୍ୟ ବ୍ୟବହାର କରାଯାଇପାରେ । ମାତ୍ର, ଶ୍ରୀ ଅରବିନ୍ଦ ପ୍ରଶ୍ନ କରିଛନ୍ତି, ଯଦି ଚିତ୍ତବୃତ୍ତିର ନିରୋଧହିଁ ଲକ୍ଷ୍ୟ ହୁଏ, ତେବେ ଶୁଦ୍ଧିର ବା ଆଉ କାହିଁକି କୌଣସି ଆବଶ୍ୟକତା ରହିବ ? ତେଣୁ, ଏକ ଅନ୍ୟ ଧାରାରେ ମଧ୍ୟ ହୁଏତ ଚିନ୍ତା କରାଯାଇପାରିବ: ଚିତ୍ତଶୁଦ୍ଧିଦ୍ୱାରା ଚିତ୍ତର ବୃତ୍ତିଗୁଡ଼ିକ ଅଧିକ ସମର୍ଥ ଭାବରେ କ୍ରିୟାଶୀଳ ହେବାକୁ ଶିକ୍ଷା କରିବେ ଏବଂ ଦିବ୍ୟ ପରମ ସତ୍ୟର ଯନ୍ତ୍ରରୂପେ ବ୍ୟବହୃତ ହେବାଲାଗିହିଁ ଆସ୍ପୃହା ରଖିଥିବେ । (BCL, ୨୨, ୫୫) ଶଙ୍କରାଚାର୍ଯ୍ୟ ଏହି କ୍ରିୟାଶୀଳତାକୁ ସ୍ୱୀକାର କରିନାହାନ୍ତି, ଯାବତୀୟ କର୍ମାଚରଣରୁ ମୁକ୍ତି ପାଇବା ସକାଶେହିଁ ସେ ଚିତ୍ତଶୁଦ୍ଧିକୁ ଏକ ସାଧନରୂପେ ସ୍ୱୀକୃତି ଦେଇଛନ୍ତି ।

☆☆☆

 

ଚେତନା

 

ଚିରନ୍ତନ ପରମ ସତ୍ୟ ଗତିଶୀଳ ହୋଇ ଚେତନାରୂପେ ପ୍ରତିଷ୍ଠିତ ହୁଅନ୍ତି । ପରମ ସତ୍ୟ ସଦା ଏକ, ସଦା ସ୍ଥିର; ମାତ୍ର ଏକ ଯେତେବେଳେ ଅନେକ ହୁଅନ୍ତି, ସୃଷ୍ଟିରୂପେ ପ୍ରତିଭାତ ହୋଇ ଆସନ୍ତି ଏବଂ ତାଙ୍କୁ ଆମେ ଜଗତ୍‌ରୂପେ ଅଙ୍ଗେ ନିଭାଉ ଓ ଚିହ୍ନୁ, ଯେତେବେଳେ ସିଏ ମୋ’ ନିଜ ଭିତରେ, ଏହି ସମୁଦାୟ ବିଶ୍ୱରେ ତଥା ବିଶ୍ୱକୁ ଅତିକ୍ରମ କରି ଅତ୍ୟନ୍ତ ଗତିଶୀଳ ହୋଇ ରହିଥାନ୍ତି, ସେତେବେଳେ ସିଏ ହେଉଛନ୍ତି ଚେତନା । ମୋ’ ଭିତରେ ବ୍ୟକ୍ତିଚେତନା, ବିଶ୍ୱ ଭିତରେ ବିଶ୍ୱଚେତନା ଏବଂ ବିଶ୍ୱକୁ ଅତିକ୍ରମ କରି ବିଶ୍ୱାତୀତ ଚେତନା । ତିନି ସ୍ଥଳରେ ତିନି ରୂପ ବା ତିନି ପ୍ରକାର ନୁହନ୍ତି, ତିନି ବିଭାବରେ ସେଇ ଗୋଟିଏ କଳନା ଏବଂ ଗୋଟିଏ ପ୍ରକାଶ । ଏହି ସବୁଟିକୁ ଏବଂ ସବୁକିଛିକୁ ଚେତନା ବୋଲି କୁହାଯାଇପାରିବ ଓ ଚେତନାର ମାନଦଣ୍ଡରେ ବ୍ୟକ୍ତ କରାଯାଇପାରିବ । (BCL, ୧୭, ୨୩)

 

ଆମର ସାଧାରଣ ଜାଣିବାପାଇଁ ମନ ହେଉଛି ପରିଚିତ ଗୋଟିଏ ମାତ୍ର ଦ୍ୱାର । ମନର ସହାୟକ ହେଉଛନ୍ତି ଆମେ ବ୍ୟବହାର କରି ଜାଣିଥିବା ଆମର କେତୋଟି ଇନ୍ଦ୍ରିୟ । ଆମ ସଂସାରଟା, ଅର୍ଥାତ୍‌ ସମ୍ବନ୍ଧ ଏବଂ ଶ୍ରଦ୍ଧାଗୁଡ଼ିକ ନିୟମତଃ ଏତିକି ଭିତରେ ଆତଯାତ ହୋଇ ରହିଥାଏ । ଏହି ଜାଣିବାରେ ବୁଦ୍ଧି ସର୍ବପ୍ରଧାନ ନିୟାମକ ଓ ନିର୍ଣ୍ଣାୟକ ଭାବରେ କାର୍ଯ୍ୟ କରୁଥାଏ । ସେଥିରେ ପୁଣି ଜଣେ ବ୍ୟକ୍ତିର ବାସନାମାନେ ମଧ୍ୟ ସେହି ଜାଣିବାକୁ ଅନ୍ୟ ଅଶେଷ ରଙ୍ଗରେ ରଙ୍ଗାଇ ଦେଉଥାନ୍ତି ଓ ତୀର୍ଯ୍ୟକ କରିଦେବାରେ ଲାଗିଥାନ୍ତି । ମନର ପହୁଞ୍ଚଠାରୁ ଯାହା ଊର୍ଦ୍ଧ୍ୱରେ ବା ଅଧିକ ଗଭୀରରେ ରହିଛି, ମନ ତାହାକୁ କେବଳ ପରୋକ୍ଷ ଭାବରେହିଁ ଜାଣିବ । ମାତ୍ର କେବଳ ପ୍ରତ୍ୟକ୍ଷ ଜ୍ଞାନଦ୍ୱାରାହିଁ ସର୍ବତ୍ର ଯଥାର୍ଥ ଓ ପୂର୍ଣ୍ଣ ଜ୍ଞାନ ସମ୍ଭବ ହୋଇଥାଏ ବୋଲି ଯଦି କୁହାଯାଏ, ତେବେ ମନର ଅପହଞ୍ଚ ହୋଇ ବହୁତ କିଛି ରହିଥିବ । ସେହି ପ୍ରତ୍ୟକ୍ଷ ଜାଣିବା ଚେତନାଦ୍ୱାରାହିଁ ସମ୍ଭବ ହେବ । ଏହି ନିତ୍ୟନୈମିତ୍ତିକ ପ୍ରାୟ ସବୁକିଛି ହେଉଛି ମାନସିକ ଜ୍ଞାନ । ଅପୂର୍ଣ୍ଣ ଜ୍ଞାନ । ଅପୂର୍ଣ୍ଣ ଜ୍ଞାନ ଉପରେ ନିର୍ଭର କରୁଥିବା ଆମର ଏହି ଭ୍ରମଯୁକ୍ତ ଜୀବନ ଏବଂ ଆମ ବିବେଚନାଗୁଡ଼ିକୁ ସଙ୍କୁଚିତ କରି ରଖିଥିବା ଏକ ଭ୍ରମଯୁକ୍ତ ପୃଥିବୀ ।

 

ଚେତନାର ସମ୍ପ୍ରସାରଣଦ୍ୱାରା ସେହି ଅପୂର୍ଣ୍ଣକୁ ପୂର୍ଣ୍ଣତର କରାଯାଇପାରିବ । ସମ୍ପ୍ରସାରଣକୁ ଆମେ ଏକ ଆରୋହଣ ବୋଲି କହିପାରିବା । ଗୋଟିଏ ସିଡ଼ି ବା ସୋପାନକ୍ରମରେ ଆମେ ଯେତେ ଯେତେ ଆଗକୁ ଯିବା ସେତିକି ପୂର୍ଣ୍ଣତର କରି ଏହି ସବୁ କିଛି ଆବିଷ୍କାର ଓ ଉପଲବ୍ଧି କରୁଥିବା । ଏହି ବିଶ୍ୱସୃଜନ ଆମକୁ ସ୍ତର ସ୍ତର ହୋଇ ଦେଖାଯିବ–ସମ୍ଭାବନା ପରେ ସମ୍ଭାବନା ଆମକୁ ଆବାହନ କରୁଥିବା ପରି ଲାଗୁଥିବ । ଏହିପରି ଭାବରେ ଦେହର ଚେତନା, ପ୍ରାଣର ଚେତନା, ମନର ଚେତନା, ଅତିମାନସ ଚେତନା ଏବଂ ଆନନ୍ଦ–ଚେତନା । ଏମାନେ ପରସ୍ପରଠାରୁ ଅଲଗା ନୁହନ୍ତି, ଏଗୁଡ଼ିକ ପରସ୍ପର ମଧ୍ୟରେ ପ୍ରବେଶ କରି ରହିଛନ୍ତି । ଆମେ ଯୋଉଯାଏ ମନ କରିବା, ସେତିକି ଅଧିକ ପୂର୍ଣ୍ଣ କରି ଏଗୁଡ଼ିକୁ ଦେଖିପାରିବା ଓ ବଞ୍ଚିପାରିବା । ଯୋଗରୁ ଆନୁଷଙ୍ଗିକ ତାତ୍ପର୍ଯ୍ୟଗୁଡ଼ିକୁ ଚିହ୍ନାଇ ଦେଇ ଶ୍ରୀ ଅରବିନ୍ଦ ଅବଚେତନ, ମଗ୍ନଚେତନ, ଅତିଚେତନ ଓ ଅଧିଚେତନର ମଧ୍ୟ ଆଭାସଗୁଡ଼ିକୁ ଆଣି ଦେଇଛନ୍ତି । ଆଧୁନିକ କାଳର ମନୋବିଜ୍ଞାନ ମଧ୍ୟ କ୍ରମେ ଏଗୁଡ଼ିକର ସନ୍ଧାନ ଆଣି ଦେବାରେ ଆଗ୍ରହୀ ହେଲାଣି । ନାନା ନୂଆ ପ୍ରସ୍ଥର ଅନାବରଣ ହେବାରେ ଲାଗିଛି । ଚେତନା ଯେ କୁଆଡ଼େ କୁଆଡ଼େ ଚରି କରି ରହିଛି, କ୍ରମେ ତାହାର ବାରତା ଓ ଅନ୍ଦାଜମାନ ମିଳୁଛି । ମନୁଷ୍ୟ ମନ କଲେ ଚେତନାକୁ ଉତ୍‌ପ୍ରେରକ କରି ଯେ କେତେକେତେ ବିସ୍ମୟର ଉତ୍ତରାଧିକାରୀ ହୋଇପାରିବ, ତାହା ଏକ ଆହ୍ୱାନରୂପେ ଆସି ଆନ୍ଦୋଳିତ କଲାଣି । ସିଏ ଚେତନାକୁ ସତେଅବା ତାହାରିପାଇଁ ନିର୍ଦ୍ଦେଶିତ ହୋଇ ରହିଥିବା ଏକ ମାର୍ଗରୂପେ ଗ୍ରହଣ କରିବାଲାଗି ସଜ ହୋଇ ବାହାରିଲାଣି ।

 

ନିଜ ବିଷୟରେ ତଥା ଆପଣାର ବିଶ୍ୱରୂପେ ଅବସ୍ଥିତ ରହିଥିବା ଏହି ବସ୍ତୁ ଏବଂ ବିଷୟଗୁଡ଼ିକ ସମ୍ବନ୍ଧରେ ସଜ୍ଞାନତା ଲାଭ କରିବା, ତାହାକୁହିଁ ଶ୍ରୀ ଅରବିନ୍ଦ ଚେତନାର ସାରକଥା ବୋଲି କହିଛନ୍ତି । (BCL, ୧୯, ୧୦୧୭) ସମ୍ଭବତଃ ତାହାକୁହିଁ ଅଧିକ ପ୍ରାଞ୍ଜଳ କରିଦେଇ ମାଆ କହିଛନ୍ତି ଯେ, ଏକାତ୍ମକତାଦ୍ୱାରା ଯେକୌଣସି ବସ୍ତୁ ସମ୍ବନ୍ଧରେ ସଜ୍ଞାନ ହେବାର ସାମର୍ଥ୍ୟ, ତାହାହିଁ ଚେତନା । (MCE, ୧୫, ୪) ମନ ଏକାତ୍ମ ହୋଇପାରେନାହିଁ, ଭାଗ ଭାଗ କରି ଦେଖେ,–ଆବୋରି ଧରେ, ବର୍ଜନବି କରେ । ସେଥିଲାଗି କାତର ହୁଏ, ମୋହାଚ୍ଛନ୍ନ ଓ ଉତ୍ତପ୍ତ ହୋଇ ରହିଥାଏ । ଅନେକ ସମୟରେ ତୁଚ୍ଛା ନିଜଟାକୁହିଁ ଦେଖେ, ଆତ୍ମକାମୀ ହୋଇ ରହିଥାଏ । ଚେତନାରେ ପରିବର୍ତ୍ତନ ସମ୍ଭବ ହେଲେ ସେହି ଦୁର୍ଗତିରୁ ମୁକ୍ତି ମିଳେ । ଏକାତ୍ମତାର ବ୍ୟାସ ଓ ପରିଧିଗୁଡ଼ିକୁ ବଢ଼ାଇ ପାରିଲେ ପୃଥିବୀ ଏକ ଗୃହରେ ପରିଣତ ହୋଇଯାଏ । ଯାବତୀୟ ଭୟ ସେତିକିବେଳେ ଯାଏଁ ।

 

ଚେତନାରେ ଆରୋହଣ କରି ଅର୍ଥାତ୍‌ ଅଧିକରୁ ଅଧିକ ଏକାତ୍ମତାର ଯୋଗ୍ୟ ହୋଇ ଏକ ଅନ୍ୟ ଅନୁରାଗ ମଧ୍ୟରେ ପ୍ରବେଶ କରିବା,–ଏହାକୁ ଏକ ନିର୍ଦ୍ଦିଷ୍ଟ ପରିଭାଷାରେ ଚେତନାର ରୂପାନ୍ତର ବୋଲିହିଁ କୁହାଯିବ । ଶ୍ରୀ ଅରବିନ୍ଦ ଏହି ରୂପାନ୍ତର–ଯୋଗର ବାର୍ତ୍ତାଟିକୁ ଆମ ପୃଥିବୀପାଇଁ ଆଣି ଦେଇଛନ୍ତି ।

☆☆☆

 

ଚୈତ୍ୟ

 

ଏପାଖରୁ ଭୂମିଗୁଡ଼ିକୁ ଦେଖିଲେ ଦେହ, ପ୍ରାଣ ଓ ମନ ଏବଂ ତା’ପରେ ଚୈତ୍ୟ । ଆହୁରି ସେପାଖକୁ ସତ୍‌, ଚିତ୍‌ ଓ ଆନନ୍ଦ । ଚୈତ୍ୟ ଗୋଟିଏ ସେତୁ ପରି ଏପାଖଟିକୁ ନେଇ ସଚ୍ଚିଦାନନ୍ଦର ଭୂମିଟି ସହିତ ଯୋଡ଼ି ରଖିଛି । ଚୈତ୍ୟର ଏହି ବିଶେଷ ଭୂମିଟି ଆମ ପ୍ରତ୍ୟେକଙ୍କ ଭିତରେ ରହିଛି । ଆମ ହୃଦୟର ପଛକୁ ରହିଛି । ଆମ ଜୀବନଟି ଦେହ, ପ୍ରାଣ ଓ ମନ ସହିତ ଅତିରିକ୍ତ ଭାବରେ ଗଣ୍ଠି ପଡ଼ି ରହିଛି ବୋଲି ଚୈତ୍ୟ ପଛରେ ରହିଛି ।

 

ଚୈତ୍ୟ ହେଉଛି ଆମ ଭିତରେ ଥିବା ଦିବ୍ୟ ଅଂଶଟି, ଯାହା ସିଧା ପରମ ଦିବ୍ୟ ସତ୍ତାରୁ ଉଦ୍ଭୂତ ହୋଇ ଆସିଛି, ପରମ ଦିବ୍ୟ ସତ୍ତାଙ୍କୁ ସ୍ପର୍ଶ କରି ରହିଛି । ଶ୍ରୀ ଅରବିନ୍ଦଙ୍କ ଭାଷାରେ : It is the nucleus pregnant with divine possibilities. (BCL, ୨୧, ୨୮୮) ଶ୍ରୀ ଅରବିନ୍ଦ ତାହାକୁ ‘the divine portion within us’ ବୋଲି ମଧ୍ୟ କହିଛନ୍ତି । (ତତ୍ରୈବ, ୨୮୯) ତେଣୁ, ଯେକୌଣସି ଅଧ୍ୟାତ୍ମ ସାଧନା ଆମର ସେହି ଦିବ୍ୟ ସମ୍ଭାବନାଗୁଡ଼ିକର ଆଧାର ବା କେନ୍ଦ୍ରକୁ ଜାଗୃତ କରିବାରୁହିଁ ଆରମ୍ଭ ହେବ । ଅର୍ଥାତ୍‌, ବର୍ତ୍ତମାନ ଯେପରି ଆମ କ୍ରିୟାଶୀଳତାର ସକଳ କ୍ଷେତ୍ରରେ ଦେହ, ପ୍ରାଣ ଓ ମନ ନିୟାମକ ହୋଇ ରହିଛନ୍ତି, ତାହା ବଦଳିବ-। ଚୈତ୍ୟହିଁ ନିୟାମକ ହେବ ଓ ନେତୃତ୍ୱ ଦେବ । (ତତ୍ରୈବ, ୨୪, ୧୦୯୫) ଆମର ଦେହ, ପ୍ରାଣ ଓ ମନ ସେହି ନେତୃତ୍ୱରେ ରାଜୀ ହୋଇଯିବେ । ତାହାରିଦ୍ୱାରା ପରିଚାଳିତ ହେବେ । (ତତ୍ରୈବ, ୨୩, ୧୦୯୩)

 

ଚୈତ୍ୟ ଚେତନା ସମ୍ମୁଖକୁ ଆସିଲେ ଓ ହାତରେ ଲଗାମ ଧରି ଆମକୁ ଚଳାଇଲେ ତାହାର ସର୍ବପ୍ରଥମ ପରିଣାମରୂପେ ଆମ ଇନ୍ଦ୍ରିୟଗୁଡ଼ିକର ସାମର୍ଥ୍ୟରେ ଏକ ଅଭୂତପୂର୍ବ ବୃଦ୍ଧି ଘଟିବ । ଅଧିକ ଦେଖିହେବ, ଶୁଣିହେବ ଓ ସ୍ପର୍ଶ କରି ହେବ । (ତତ୍ରୈବ, ୨୧, ୮୪୪) ପଛକୁ ଅନାଇ ଅତୀତକୁ ଦେଖିହୁଏ, ଆଗକୁ ଭବିଷ୍ୟତ ମଧ୍ୟକୁବି ଦେଖିହୁଏ । ସତେଅବା ଏକ ଅଭୂତପୂର୍ବ ସମ୍ବେଦନଶୀଳତା ବଳରେ ତାହା ସମ୍ଭବ ଓ ସ୍ୱାଭାବିକ ହୋଇଆସେ । ଅନ୍ୟମାନଙ୍କର ମନ ଭିତରକୁ ମଧ୍ୟ ବାଡ଼ି ପକାଇହୁଏ, ଖିଅ ଲଗାଇହୁଏ, କଥୋପକଥନ କରିହୁଏ । (ତତ୍ରୈବ, ୮୪୭) ଅତିମାନସ ପରିବର୍ତ୍ତନର ଯାବତୀୟ ସୋପାନପାଇଁ ଆମେ ଏହି ଚୈତ୍ୟର ଜାଗରଣକୁ ସବାଆଗ ବୋଲି ଜାଣିବା । (ତତ୍ରୈବ, ୨୧, ୨୮୮, ପାଦଟୀକା)

 

ଅହଂଟାକୁ କେନ୍ଦ୍ରରେ ରଖି ତାହାରିଦ୍ୱାରା ପରିଚାଳିତ ହେବାର ଆମ ଅଭ୍ୟସ୍ତ ମାର୍ଗଟିକୁ ଛାଡ଼ିଲେ ବା ସେଇଟି ଉପରେ କମ୍‌ ନିର୍ଭର କଲେ ଯାଇ ଚୈତ୍ୟର ଉନ୍ମୀଳନ ସହଜ ହେବ । (ତତ୍ରୈବ, ୨୪, ୧୦୯୭) ଅର୍ଥାତ୍‌ ବର୍ତ୍ତମାନର ମନ ଓ ପ୍ରାଣରେ ବହୁତ କିଛି ବଦଳିଲେ ଏବଂ ଅନ୍ୟ ଧାରାରେ ପଡ଼ିଲେ ଯାଇ ଆମର ଚୈତ୍ୟ ମୁକ୍ତିଲାଭ କରିବ ଏବଂ ସକ୍ରିୟ ହୋଇ ଆସିବ । (ତତ୍ରୈବ, ୧୦୯୮) ଏବଂ, ଆମ ଜୀବନରେ ପରମ ଦିବ୍ୟସତ୍ତାଙ୍କ ସହିତ ଯେତିକି ଯେତିକି ଏକ ବ୍ୟକ୍ତିଗତ ସମ୍ପର୍କ ସ୍ଥାପିତ ହୋଇ ଆସୁଥିବ, ଭକ୍ତି, ପ୍ରେମ, ଦୃଢ଼ବିଶ୍ୱାସ ଓ ଆତ୍ମଦାନ ବିକଶିତ ହୋଇ ଆସୁଥିବ, ତଥା ସବୁକିଛିକୁ ଏକ ଭେଦ ପୂରାଇଦେଇ ଦେଖୁଥିବା ଏବଂ ଆପଣାକୁ ପରାକ୍ରମୀ କରି ରଖିବାକୁ ଇଚ୍ଛା କରୁଥିବା ଆମର ମନ, ପ୍ରାଣ ଓ ଶରୀରସ୍ତରର ଅହଂଟାର ଜିଦ୍‌ଗୁଡ଼ାକୁ ଆମେ ଯେତିକି ଯେତିକି ପ୍ରତ୍ୟାଖ୍ୟାନ କରିପାରିବା, ଆମ ଭିତରୁ ଆମ ଚୈତ୍ୟର ଜାଗୃତି ଏବଂ ସମ୍ମୁଖଭାଗକୁ ଆସି ତାହାର କ୍ରିୟାଶୀଳତା ପ୍ରଧାନତଃ ତାହାରି ଉପରେ ନିର୍ଭର କରୁଥିବ । (BCL, ୨୨, ୩୪୧–୨) ପୁନଶ୍ଚ, “ଆମର ଅଭିପ୍ରାୟରେ ଯଦି କୌଣସି ଅହଂଗତ ଆକର୍ଷଣ ଅଥବା ଆନ୍ତରିକତାର ଅଭାବ ରହିଥାଏ, ଯଦି କୌଣସି ପ୍ରାଣିକ ଦାବିର ଚାପରେ ବା ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବରେ କୌଣସି ଆଧ୍ୟାତ୍ମିକ ବା ଅନ୍ୟ ମହତ୍ତ୍ୱାକାଂକ୍ଷା, ଦମ୍ଭର ତୃପ୍ତି ନିମନ୍ତେ ଯୋଗର ସାଧନା କରାଯାଉଥାଏ, ଯଦି ଅନ୍ୟମାନଙ୍କ ଉପରେ ଶକ୍ତି, ପଦ କିମ୍ବା ପ୍ରଭାବ ବିସ୍ତାର କରିବା ନିମନ୍ତେ ଅଥବା ଯୋଗରୁ ଲବ୍ଧ ହେଉଥିବା ସାମର୍ଥ୍ୟଦ୍ୱାରା କୌଣସି ପ୍ରାଣିକ ବାସନାକୁ ଚରିତାର୍ଥ କରିବା ନିମନ୍ତେ ତାହା କରାଯାଉଥାଏ, ତେବେ ଚୈତ୍ୟ ଉନ୍ମୀଳନ ଆଉ ସମ୍ଭବ ହେବନାହିଁ ବା ହେଲେ ମଧ୍ୟ କେବଳ ଆଂଶିକ ଅଥବା ସାମୟିକ ଭାବରେହିଁ ହେବ ।” (ତତ୍ରୈବ, ୨୪, ୧୦୯୮–୯୯) କାରଣ, ପ୍ରାଣର ଦାବି ଓ ବାସନାଦ୍ୱାରା ପ୍ରେରିତ ହୋଇ କରାଯାଉଥିବା ଯୋଗ ନିଜପାଇଁ କରାଯାଏ; ଅପରପକ୍ଷରେ, ଚୈତ୍ୟକୁ ସମ୍ମୁଖକୁ ଆଣିବା କହିଲେ ପରମ ଦିବ୍ୟସତ୍ତାଙ୍କ ପାଇଁହିଁ ବଞ୍ଚିବା, କ୍ରିୟାଶୀଳ ହେବା ତଥା ସାଧନା କରିବାକୁହିଁ ବୁଝାଇଥାଏ । (ତତ୍ରୈବ, ୧୦୯୯)

 

ଏବଂ, ସବାଶେଷରେ, ମାଆଙ୍କ ରଚନାରୁ କେତୋଟି ଧାଡ଼ି : ଜଣେ ବ୍ୟକ୍ତି ଯେତିକି ଯେତିକି ଏକ ଚୈତ୍ୟ ଜୀବନ ମଧ୍ୟକୁ ଦୀକ୍ଷିତ ହୋଇ ଆସୁଥିବ, ସେତିକି ସେତିକି ଏହି ବର୍ତ୍ତମାନ ଅବସ୍ଥାରେ ରହିଥିବା ପୃଥିବୀ ସହିତ ତାହାର ସେତିକି ଅଧିକ ବିରୋଧ ଘଟିବ । ଏବଂ ଏହି ବିରୋଧରୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ଏବଂ ମୁଁ ଏହି କଥାଟିକୁ ଲକ୍ଷ୍ୟ କରି ଦେଖିଛି ଯେ, ଯେଉଁ ବ୍ୟକ୍ତିମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥାଏ, ଅନେକ ସମୟରେ ସେହିମାନେହିଁ ପ୍ରାୟ ନିଜ ଚୈତ୍ୟ ସତ୍ତାର ନିକଟତର ସମ୍ପର୍କରେ ରହିଥାଆନ୍ତି । ....ଯେଉଁ ବ୍ୟକ୍ତିମାନେ ସବୁଠାରୁ ଅଧିକ ସଂଘର୍ଷ କରୁଥାନ୍ତି ଓ ସେମାନଙ୍କ ଜୀବନରେ କଷ୍ଟର ସମ୍ମୁଖୀନ ହେବାରେ ଅଧିକ କାରଣ ରହିଥାଏ, ସେହିମାନଙ୍କର ଚୈତ୍ୟ ସତ୍ତା ବହୁତ ପରିମାଣରେ ବିକାଶଲାଭ ମଧ୍ୟ କରିଥାଏ । (MCE, ୭, ୨୧)

☆☆☆

 

ଛଳନା

 

ଯୋଗରେ ଛଳନା ନାହିଁ, ସତ୍ୟର ପଥରେ ଛଳନା ନାହିଁ । କାରଣ, ଜଣେ ବ୍ୟକ୍ତି ସ୍ୱୟଂ ଯୋଗର ମାର୍ଗକୁ ଗ୍ରହଣ କରିଛି ବା ସତ୍ୟର ମାର୍ଗକୁ ବାଛିଛି । ଯଦି ସେ ନିଜେ ବାଛିନାହିଁ, ବାଧ୍ୟ ହୋଇ ଏଣେ ପଶିଯାଇଛି, ସମ୍ଭବତଃ ସେହି କାରଣରୁ ସିଏ ଛଳ କରୁଛି । ନିଜକୁ ନବୁଝି ବାଟଟିଏ ଚାଲୁଛି । ଅଥବା, ଆଦୌ କୌଣସି ବାଟ ନ ଚାଲି ମଧ୍ୟ ବାଟଟିଏ ଚାଲୁଥିବା ପରି ଅନ୍ୟମାନଙ୍କୁ ଦେଖାଯିବ ବୋଲି ଆବଶ୍ୟକ ଛଳନାମାନ କରୁଛି ।

 

ପ୍ରଧାନତଃ ଛଳନାର ମଣିଷମାନଙ୍କୁ ଅବସରଟିଏ ଯୋଗାଇ ଦେବାପାଇଁ ଯାବତୀୟ ବାଟ ଚାଲିବାର କ୍ଷେତ୍ରରେ ବାହ୍ୟଗୁଡ଼ାକୁ ଆଣି ପୂରାଇ ଦିଆଯାଇଥିଲା କି ? ବାହ୍ୟ ଧର୍ମାଚାର, ବାହ୍ୟ ବିଧିବହୁଳତା, ମୂର୍ତ୍ତି, ମନ୍ଦିର, ମଠ ଓ ସମ୍ପ୍ରଦାୟ,–ଇତିହାସ କହିବ ଯେ ଏଗୁଡ଼ିକ ଅଧିକାଂଶ ମନୁଷ୍ୟଙ୍କୁ ପ୍ରଧାନତଃ ନାନା ଛଳନାର ଖୋଳ ଭିତରେ ରହିଯିବାକୁହିଁ ଅଧିକ ସାହାଯ୍ୟ କରିଛି, ପୃଥିବୀରେ କପଟ ବଢ଼ାଇଛି ।

 

ପ୍ରାୟ ସେହି କଥାଟିକୁ ସୂଚିତ କରିଦେଇ ମାଆ ଠାଏ ଲେଖିଛନ୍ତି:–ତୁମେ ଏକ ଆଧ୍ୟାତ୍ମିକ ଜୀବନ ଯାପନ କରିବାକୁ ଇଚ୍ଛା କରୁଛ ବୋଲି କହୁଥିବ ଏବଂ ତାହା କରୁ ନଥିବ, ତୁମେ ସତ୍ୟର ସନ୍ଧାନରେ ବାହାରିବାକୁ ଇଚ୍ଛା କରୁଛ ବୋଲି କହୁଥିବ ଅଥଚ ତାହା କରୁ ନଥିବ, ତୁମେ ଯେ ଦିବ୍ୟ ଜୀବନ ଲାଗି ନିଜକୁ ଉତ୍ସର୍ଗ କରିଦେଇଛ, ତାହାର ବାହ୍ୟ ସଙ୍କେତଗୁଡ଼ାକର ପ୍ରଦର୍ଶନ କରିବାରେ ଲାଗିଥିବ, ମାତ୍ର ତେଣେ ନିଜ ଭିତରେ ନିଜକୁହିଁ କେନ୍ଦ୍ର କରି ନିଜକୁ କାମୁଡ଼ି ପଡ଼ି ରହିଥିବ, ନିଜର ସ୍ୱାର୍ଥ ଓ ପ୍ରୟୋଜନଗୁଡ଼ିକୁହିଁ ତୁମେ ଜାବୁଡ଼ି ଧରିଥିବ: ଏହା ଛଳନା । (MCE, ୩,୧୯୦)

 

ଉପସ୍ଥିତ ଦେବମୁହୂର୍ତ୍ତରେ ଆମେ ନିଜକୁ ସକଳ ଛଳନା ତଥା ଆତ୍ମତୋଷାମଦରୁ ମୁକ୍ତ ଓ ପରିଚ୍ଛନ୍ନ କରି ରଖିବା ବୋଲି ଶ୍ରୀ ଅରବିନ୍ଦ ଆହ୍ୱାନ ଦେଇଛନ୍ତି । ଉପସ୍ଥିତ ମୁହୂର୍ତ୍ତକୁ ଦେବମୁହୂର୍ତ୍ତ ବୋଲି ଶ୍ରୀ ଅରବିନ୍ଦ କରିପାରିଲେ ଯାଇ ଆମେ ସେହି ଆହ୍ୱାନର ମୁହୂର୍ତ୍ତଟିକୁ ମଧ୍ୟ ହୃଦୟଙ୍ଗମ କରିପାରନ୍ତେ ।

☆☆☆

 

ଜଡ଼/ଜଡ଼ତା

 

ଯାହାର ଜୀବନ ନାହିଁ, ତାହାକୁ ଜଡ଼ ବୋଲି କୁହାଯାଏ । ଜଡ଼ ଅର୍ଥାତ୍‌ ଯାହା ଗତିଶୀଳ ନୁହେଁ । ଆମର ପ୍ରାଣ ଗତିଶୀଳ, ମନବି ଗତିଶୀଳ । ସମ୍ଭବତଃ ସେହି ପ୍ରଧାନ କାରଣରୁ ପ୍ରାଣ ଏବଂ ମନର ବେଢ଼ ଭିତରେ ରହି ଜଡ଼ ଆମକୁ ନିର୍ଜୀବ ପରି ଦେଖାଯାଏ । ଦେଖିବାର ଆଉ ଏକ ଭୂମି ରହିଛି, ଯେଉଁ ଭୂମିରୁ ଆଘ୍ରାଣ ଏବଂ ଅନୁଭବ କରିବାକୁ ଶିଖି ପାରିଲେ ଜଡ଼ ମଧ୍ୟ ପ୍ରାଣମୟ ଓ ଜୀବନମୟ ହୋଇଉଠେ । ଜଡ଼ ହେଉଛି ସେହି ଭୂମି, ଯାହା ଉପରେ ଜୀବନ ଦଣ୍ଡାୟମାନ ହୋଇ ରହିଛି । କୁମ୍ଭାର ମାଟି ଭିତରେ ସିଏ ଗଢ଼ିବାକୁ ଯାଉଥିବା ମାଠିଆଟିକୁ ଦେଖିପାରୁଥିବ, ତେଣୁ ମାଟିକୁ ତା’ର ଯାବତୀୟ ସର୍ଜନାମୟତାରେ ନିଜର ସାଥୀ ବୋଲିହିଁ ଅନୁଭବ କରୁଥିବ । ପିଣ୍ଡ ନଥିଲେ ଆମେ କେବେହେଲେ ବ୍ରହ୍ମାଣ୍ଡକୁ ଚିହ୍ନି ପାରନ୍ତୁନାହିଁ । ଆମର ଯାବତୀୟ ଚେତନା ସହିତ ଜଡ଼ ମଧ୍ୟ ଜଡ଼ିତ ହୋଇ ରହିଛି ବୋଲି ଆମେ ଏଠୁ ସେଯାଏ ସବୁକିଛିକୁ ଠୁଳ କରି ଦେଖିପାରୁଛୁ । ଶ୍ରୀ ଅରବିନ୍ଦ ଜଡ଼କୁ ସଚ୍ଚିଦାନନ୍ଦ ବୋଲି କହିଛନ୍ତି । (BCL, ୨୭, ୩୯୨) ସଚ୍ଚିଦାନନ୍ଦ ଚେତନାରେ ଥାଇ ଆମେ ଯାହାକିଛି ଦେଖିବା, ତାହା ମର୍ମତଃ ସଚ୍ଚିଦାନନ୍ଦରେହିଁ ପରିଣତ ହୋଇଯିବ । ପରିବ୍ୟାପ୍ତ ପରମସତ୍ୟର ଗୋଟିଏ ପ୍ରାନ୍ତ ଆତ୍ମା, ଆଉଗୋଟିଏ ପ୍ରାନ୍ତ ଜଡ଼-। (ତତ୍ରୈବ, ୩୯୩)

 

ଜଡ଼ତା ଅର୍ଥାତ୍‌ inertia,–ଉତ୍ସାହହୀନତା । ଗୀତାରୁ ଶବ୍ଦ ନେଇ ଶ୍ରୀ ଅରବିନ୍ଦ ତାହାକୁ ଅପ୍ରକାଶ ଏବଂ ଅପ୍ରବୃତ୍ତି ବୋଲି କହିଛନ୍ତି । ଯେତେବେଳେ ଅନ୍ଧାର ଭିତରେ ପଡ଼ି ରହିଥିବା ପରି ଲାଗୁଥାଏ, ରୁଚି ଘରେ କବାଟ ପଡ଼ିଥାଏ, ସେହି ଅବସ୍ଥାଟି ହେଉଛି ଅପ୍ରକାଶ ଓ ଅପ୍ରବୃତ୍ତିର ଅବସ୍ଥା । (ତତ୍ରୈବ, ୨୪, ୧୬୧୮) ଜଡ଼ତାର ଅବସ୍ଥା ଏକ ତାମସିକ ଅବସ୍ଥା । ଏହି ଅବସ୍ଥାଟି ପାଇଁ ଆମେ କଦାପି ଜଡ଼କୁ ଦୋଷ ଦେବାନାହିଁ । ମାତ୍ର, ଯେତେବେଳେ କୌଣସି କାରଣରୁ ନିଜକୁ ମଧ୍ୟ କେବଳ ଜଡ଼ଟିଏ ପରି ଅନୁଭବ ହୁଏ, ଯେତେବେଳେ ମଣିଷ ରୁଷି ବସିବାକୁ ଭଲ ପାଏ, ସମ୍ଭବତଃ ଅହଂକାରପରବଶ ହୋଇ ସାଙ୍ଗରେ, ଏପରିକି ନିଜ ଭିତରେ ମଧ୍ୟ ଜଣେ ସଙ୍ଗୀ ରହିଛି ବୋଲି ମାନିବାକୁ ରାଜୀ ହୁଏନାହିଁ, ସିଏ ସେତିକିବେଳେ ଜଡ଼ତାର ଦେବୀଙ୍କୁ ଆବାହନ କରିଆଣେ-। ପରମ ଭାଗ୍ୟର କଥା ଯେ, ଜଡ଼ତାର ସେହି ଅବସ୍ଥାଟି ମୋଟେ ଚିରସ୍ଥାୟୀ ହୋଇ ରହେନାହିଁ-। ପୁଣି ଗଣ୍ଠିମାନେ ଫିଟିଯାଆନ୍ତି, ସାଙ୍ଗଟି ପୁଣି ଦୃଶ୍ୟମାନ ହୁଏ । ଜଡ଼ତା ଦୂର କରିବା ନିମନ୍ତେ ସାଧନାରେ ଏକାଧିକ ଉପାୟର ପରାମର୍ଶ ଅବଶ୍ୟ ଦିଆଯାଇଛି ସତ, କିନ୍ତୁ ବେଳେବେଳେ ମୋଟେ କିଛି ଉପାୟ ନକରି ମଧ୍ୟ ଜଡ଼ତାରୁ ବାହାରି ଆସିହୁଏ, ପ୍ରତ୍ୟୟ ଫେରିଆସେ-। ଜଡ଼ହିଁ ଆମର ଏକମାତ୍ର ନିୟତି ହୋଇଥିଲେ ଏପରି କଦାପି ହେଉ ନଥାନ୍ତା ।

☆☆☆

 

ଜନ୍ମ

 

କେବଳ ଦର୍ଶନଶାସ୍ତ୍ରରେ ନୁହେଁ, ଆମର ଜୀବନ–ଜିଜ୍ଞାସାରେ ମଧ୍ୟ ଜଡ଼ସ୍ଥ ଏହି ଜଗତରେ ଜନ୍ମହିଁ ଆମଲାଗି ସର୍ବପ୍ରଥମେ ରହସ୍ୟ ହୋଇ ରହିଆସିଛି । (BCL, ୧୯, ୭୪୨) ଏଠାରେ ମୃତ୍ୟୁ ହେଉଛି ଦ୍ୱିତୀୟ ରହସ୍ୟ । ଯେଉଁ ଧର୍ମମାନଙ୍କରେ ପୁନର୍ଜନ୍ମ ନାମକ ବିଶ୍ୱାସଟି ମଧ୍ୟ ଚଳିଆସିଛି, ମନୁଷ୍ୟର ମେଧାଶକ୍ତି ପାଇଁ ତାହା ଆହୁରି କେତେ ନା କେତେ ପ୍ରଶ୍ନକୁ ଆଣି ବାଢ଼ିଦେଇଛି । ନିଜ ନିଜର ସାଂସ୍କୃତିକ ପରିସର ଅନୁସାରେ ମଣିଷମାନେ ଏକାଧିକ ବ୍ୟାଖ୍ୟା ବାହାର କରିଛନ୍ତି, ଏବଂ ତାହାରି ଉପରେ ବିଶ୍ୱାସ ସ୍ଥାପନ କରି ଆସିଛନ୍ତି । ବିଶ୍ୱାସ ବିଶ୍ୱାସ ମଧ୍ୟରେ ବହୁ ତର୍କ ଏବଂ ତକରାଳ ତଥାପି ଲାଗିରହିଛି । ସମସ୍ତଙ୍କ ପାଇଁ ଅନୁକୂଳ ହେବାଭଳି ସମାଧାନଟିଏ ନିମନ୍ତେ ଅପେକ୍ଷା ନକରି ଜନ୍ମ ମୃତ୍ୟୁ ଦୁହେଁ ଚାଲିଛନ୍ତି,–ଦୁହିଁଙ୍କ ମଧ୍ୟରେ ଜୀବନଟିଏ ମଧ୍ୟ ସର୍ବବିଧ ମହିମାରେ ଲାଗି ରହିଛି ।

 

ଆମ ଜୀବନର ଅବଧିଟିକୁ ଧର୍ମତଃ ଆମେ କେତୋଟି ସୋପାନରେ ପୂର୍ବାପର କରି ସଜାଇ ଦେଖିପାରିବା ଏବଂ ସେହି ଅନୁସାରେ ପ୍ରତ୍ୟେକ ସୋପାନକୁ ମଧ୍ୟ ଗୋଟିଏ ଗୋଟିଏ ଜନ୍ମ ବୋଲି କହିପାରିବା । ପାର୍ଥିବ ଜୀବନର ଆଲୋଚନା କରି ଶ୍ରୀ ଅରବିନ୍ଦ ତାହାକୁ ଏକ triple birth ବା ତିନୋଟି ଜନ୍ମର ସମାହାରରୂପେ ପ୍ରତ୍ୟକ୍ଷ କରିଛନ୍ତି । (BCL, ୨୦, ୧୫) ତିନୋଟି ଆହ୍ୱାନ, ତିନୋଟି ଜନ୍ମ । ପ୍ରଥମ ଜନ୍ମଟି ହେଉଛି bodly life ବା ଶାରୀରିକ ଜୀବନ ଓ ପ୍ରଥମ ଜନ୍ମଟି ସମୟରେ ଆମେ ସେତିକି ନେଇ ପୃଥିବୀରେ ଅବତୀର୍ଣ୍ଣ ହୋଇଥାଉ । ଜୈବ ଜୀବନଟି ଆମର ମୂଳଦୁଆ, ସେତିକି ପୁଞ୍ଜି ନେଇ ଆମେ ଏହି ଜଗତରେ ବଣିଜ ଆରମ୍ଭ କରୁ । ମନୁଷ୍ୟ ହିସାବରେ ମନଃସାମର୍ଥ୍ୟର ଅଧିକାରୀ ହୋଇ ଆମର ଦ୍ୱିତୀୟ ଜନ୍ମ ହୁଏ । ମନୁଷ୍ୟର ସ୍ତରକୁ ଆସି ପ୍ରକୃତି ବର୍ତ୍ତମାନ ସେହି ସୋପାନରେ ଅଛି ଏବଂ ମନୁଷ୍ୟକୁ ମାଧ୍ୟମ କରି ଏକ ତୃତୀୟ ଜନ୍ମ ଲାଗି ପ୍ରସ୍ତୁତ ହେଉଛି । ସେଇଟି ହେଉଛି ଏକ ଦିବ୍ୟ ଜନ୍ମ ଅର୍ଥାତ୍‌ ପରବର୍ତ୍ତୀ ଉଚ୍ଚତର ସୋପାନଟିକୁ ଉତ୍ତରଣ । କେବଳ ଆମ ନିଜପାଇଁ ନୁହେଁ, ସମଗ୍ର ମାନବଜାତି ପାଇଁ । ଶ୍ରୀ ଅରବିନ୍ଦଙ୍କ କଥାରେ କହିଲେ, “ଏହି କୌଣସିଟି ସୋପାନକୁ ଆମେ ଆମପାଇଁ ଅପହଞ୍ଚ ବୋଲି ଭାବିବା ନାହିଁ ଏବଂ କୌଣସିଟିକୁ ଆମ ପ୍ରକୃତି ନିମନ୍ତେ ଏକାନ୍ତ ନିମ୍ନ ବୋଲି ମଧ୍ୟ ଭାବିବାନାହିଁ, ଏବଂ ଆମର ଚରମ ଉପଲବ୍ଧି ସକାଶେ କୌଣସି ସୋପାନକୁ ନଷ୍ଟ କରି ଦେବା ଆବଶ୍ୟକ ବୋଲି ମଧ୍ୟ କଦାପି ଚିନ୍ତା କରିବାନାହିଁ ।” (ତତ୍ରୈବ, ପୃଷ୍ଠା–୧୪) ଶ୍ରୀ ଅରବିନ୍ଦ ଏହାକୁହିଁ ଯୋଗସାଧନାରେ ଏକ ବୃହତ୍‌ ଏବଂ ମହତ୍ୱପୂର୍ଣ୍ଣ ଅଙ୍ଗ ବୋଲି ଗ୍ରହଣ କରିଛନ୍ତି ।

☆☆☆

 

ଜପ

 

“ନାମଜପରେ ଏକ ବୃହତ୍‌ ଶକ୍ତି ନିହିତ ହୋଇ ରହିଛି ।’’ (BCL, ୨୩, ୭୪୬) ମାତ୍ର ତାହା ପ୍ରକୃତରେ ହୃଦୟ ମଧ୍ୟରୁହିଁ ଉତ୍ସାରିତ ହୋଇ ଆସୁଥିବା ଆବଶ୍ୟକ, ଏକ ଜୀବନ୍ତ ପ୍ରବାହ ପରି ସେଥିରେ ସନ୍ନିବେଶିତ ହୋଇ ରହିଥିବା ଆନନ୍ଦ ଓ ଆଲୋକକୁ ବହନ କରି ଆସୁଥିବା ଉଚିତ-। ଯଦି ଏକ କଠୋର କର୍ତ୍ତବ୍ୟ ପରି ତାହାକୁ ଯାନ୍ତ୍ରିକ ଭାବରେ କରାଯାଉଥାଏ, ତେବେ ସେଥିରେ ଶୁଷ୍କତା ଆସିଯିବ ଏବଂ ନିଷ୍ଫଳପ୍ରାୟ ହୋଇ ରହିବ ।’’ (ତତ୍ରୈବ, ୫୩୩) କୌଣସି ଖାସ୍‌ ଫଳ ହାସଲ କରିବାର ଏକ କୌଶଳରୂପେ ତାହାର ପ୍ରୟୋଗ କରିବା ଅନୁଚିତ ।

 

ଏହି ସନ୍ଦର୍ଭରେ ମାଆଙ୍କର ଉକ୍ତିଗୁଡ଼ିକ ବହୁତ ସ୍ପଷ୍ଟ : “ତୁମେ ଜପ ପ୍ରଭୃତି ବିଷୟରେ କହୁଛ ? ଯଦି ତାହା ତୁମର ସହାୟକ ହେଲା, ତେବେ ତାହାର ଅନୁସରଣ କରାଯାଇପାରେ । ଯଦି ସହାୟକ ନହେଲା, ତେବେ ଏହା କେବଳ...ତେଣୁ ଏଇଟି ହେଉଛି ଗୋଟିଏ ଆପେକ୍ଷିକ କଥା । ତୁମ ଉପରେ ଏହାର କିପରି ଫଳ ଫଳୁଛି ଓ ତୁମେ କେତେଦୂର ସେଥିରେ ଆସ୍ଥା ରଖିଛ, ସେହି ଅନୁସାରେହିଁ ତାହାର କିଛି ମୂଲ୍ୟ ରହିଛି । ଯଦି ଏହା ତୁମକୁ ସଂକେନ୍ଦ୍ରିତ ହେବାରେ ସାହାଯ୍ୟ କରୁଛି, ତେବେ ଏହା ଅବଶ୍ୟ ଭଲ । ସାଧାରଣ ଚେତନାଟିଏ ଏକ ଅନ୍ଧବିଶ୍ୱାସରେ ପଡ଼ି ସର୍ବଦା ତାହାର ଅଭ୍ୟାସ କରିଥାଏ । ଧାରଣା ରଖିଥାଏ ଯେ, ‘ଯଦି ମୁଁ ଏଇଟି କରିବି, ଯଦି ସପ୍ତାହକୁ ଥରେ ମନ୍ଦିର ବା ଗିର୍ଜାକୁ ଯିବି; ଯଦି ପ୍ରାର୍ଥନା କରିବି, ତେବେ ମୋତେ ସେଥିରୁ ବହୁତ ସୁଫଳ ମିଳିବ । ଏହି ଅନ୍ଧବିଶ୍ୱାସ ପୃଥିବୀବ୍ୟାପୀ ରହିଛି, କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିରୁ ତାହାର କୌଣସି ମୂଲ୍ୟ ନାହିଁ ।” (MCE, ୬, ୧୯୩)

☆☆☆

 

ଜାତି

 

ଭାରତବର୍ଷରେ ଆବହମାନ କାଳରୁ ‘ଜାତି’ ଶବ୍ଦଟିର ପ୍ରଚଳନ ରହିଥିଲା ଓ ଭାରତୀୟ ସମାଜର ଏକ ନିର୍ଦ୍ଦିଷ୍ଟ ବିଭାଜନକୁ ବୁଝାଉଥିଲା । ଇଉରୋପୀୟ ପର୍ତ୍ତୁଗୀଜ୍‌ମାନେ ଭାରତକୁ ଆସିବା ପରେ ନିଜ ଭାଷାରୁ ଶବ୍ଦଟିଏ ନେଇ ସେହି ଜାତିମାନଙ୍କୁ caste ବୋଲି କହିଲେ । ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଯେତେବେଳେ ଭାରତବର୍ଷରେ ଇଉରୋପୀୟ ଜାତୀୟତାବାଦର ହାୱାଗୁଡ଼ିକ ଆସି ବାଜିଲା, ସେତେବେଳେ Nation ଶବ୍ଦଟିର ଏକ ସମବାଚୀ ଶବ୍ଦ ଖୋଜିବାକୁ ଯାଇ କିଏ କାହିଁକି ସେହି ପୁରୁଣା ‘ଜାତି’ ଶବ୍ଦଟିକୁହିଁ ବାଛିଲା, ତାହାର କାରଣ କିଏ କହି ପାରିବ ?

 

ଭାରତୀୟ ଜାତିପ୍ରଥା କିପରି ଗୁଣ ଓ କର୍ମ ଅନୁସାରେ ଉଦ୍ଭୂତ ହୋଇ ଆସିଛି, ପରବର୍ତ୍ତୀ ଏକ ସ୍ଖଳନକାଳରେ କିଭଳି ତାହା ବଂଶାନୁକ୍ରମିକ ହୋଇଯାଇଛି, ସେହି ଇତିହାସଟିରେ ମଧ୍ୟ ବହୁ ବର୍ଣ୍ଣ ମିଶାଇ ଦେଇ ଭାରତୀୟ ବ୍ୟାଖ୍ୟାକାରମାନେ ଆମକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି-। ସେହି ସ୍ଫଳନ କ’ଣ ପାଇଁ ଘଟିଲା ଓ ଭାରତୀୟ ସମାଜ କେଉଁ ଦୁର୍ଗତିରେ ପଡ଼ି ସେଥିପାଇଁ ବାଟ ଛାଡ଼ିଦେଲା, ସେକଥା ଯଥେଷ୍ଟ ସ୍ପଷ୍ଟ ଭାବରେ ମୋଟେ କୁହାଯାଇନାହିଁ । ସ୍ୱାଧୀନତା ପରେ ଭାରତବର୍ଷ ଏକ ସଚେତନ ସମଷ୍ଟି ହିସାବରେ ଆପଣାକୁ ଆଧୁନିକ ସକଳ ଅର୍ଥରେ ଏକ Nation ରୂପେ ଗଠିତ ହୋଇ ଆସିବା ଲାଗି ପ୍ରୟାସ କରୁଥିବାବେଳେ ପୁରୁଣା Casteଟା ଯେପରି ସେହି ପଥରେ ଏକ ଦୁଷ୍ଟ ଅନ୍ତରାୟ ସଦୃଶ କାର୍ଯ୍ୟ କରୁଛି । Caste କଳ୍ପନାର କେତେକେତେ ନୂଆ ଉପାଖ୍ୟାନମାନବି ବାହାରିଲାଣି । ବହୁ ଅସମାନତାର ପରାକ୍ରମ ଏଠାରେ ଅସଲ ମାନବସ୍ୱପ୍ନଗୁଡ଼ିକର ବାଟ ଓଗାଳି ବସିଛି ।

 

ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର–ଏହି ଚାରୋଟିକୁ ଗୋଟିଏ ସନ୍ଦର୍ଭରେ ଶ୍ରୀ ଅରବିନ୍ଦ ପ୍ରତ୍ୟେକ ମନୁଷ୍ୟବ୍ୟକ୍ତିର ପରିପୂର୍ଣ୍ଣ ବିକାଶ ନିମନ୍ତେ ଆବଶ୍ୟକ ଚାରୋଟି ଭାବ ବୋଲି କଳ୍ପନା କରିଛନ୍ତି । (BCL, ୧୫, ୬) ଏକ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱର ଅନୁଶୀଳନ ନିମନ୍ତେ ଆସ୍ପୃହା ରଖିଥିବା ସମସ୍ତେ ଯଦି ଏହିପରି ଏକ ଅନ୍ୟ ଶ୍ରଦ୍ଧାଦ୍ୱାରା ଆପଣାକୁ ଗଠିତ କରି ଆଣନ୍ତେ, ତେବେ ସେମାନଙ୍କୁ Casteର ସେହି ପୁରୁଣା ପ୍ରଲୋଭନଟା ହୁଏତ ଆଉ କୌଣସି ପ୍ରକାରେ ହୁଡ଼ାଇ ନେଇ ପାରନ୍ତା ନାହିଁ । ଏକ ଦିବ୍ୟ ସମ୍ଭାବନାର ମାନଦଣ୍ଡରେ ମଣିଷ ପରସ୍ପର ସେହି ଗୋଟିଏ ପ୍ରତିଶ୍ରୁତିର ଅଧିକାରୀ; ତେବେ ସେମାନେ ତୁଚ୍ଛା ତଥାକଥିତ ସାମାଜିକ ଜୀବନରେ ପରସ୍ପର ପାଖରେ ଏଭଳି ଅସମାନ ହୋଇ କାହିଁକି ରହିଥିବେ ?

☆☆☆

 

ଜୀବନ

 

ଆମର ଜୀବନ ହେଉଛି ଏକ ସମଗ୍ର,–କେବଳ ଏକ ସମଗ୍ର ଚେତନାଦ୍ୱାରା ଅଧିଗମି ପାରିବାକୁ ମନ କଲେ ଆମେ ତାହାକୁ ସମଗ୍ରରୂପେ ଅନୁଭବ କରିପାରିବା ଓ ବଞ୍ଚି ପାରିବା । ସବା ମୂଳରେ ଏହି ଦେହ ଓ ତାହାକୁ ସମ୍ଭବ କରି ରଖିଥିବା ଏହି ଦେହଗତ ଜୀବନ,–ଏହାକୁ ଶାସ୍ତ୍ରରେ ଅନ୍ନମୟ ସୋପାନ ବୋଲି କୁହାଯାଇଛି । ଦେହ ପଛକୁ ପ୍ରାଣ ଓ ପ୍ରାଣ ପଛକୁ ମନ । ମଣିଷର ଜୀବନ ଏହି ମନ ପାଖରେ ଆସି ଡଙ୍ଗା ଭିଡ଼ିଛି ଏବଂ ପରବର୍ତ୍ତୀ ପାହାଚଟି ଲାଗି ନିଜକୁ ତିଆରି କରୁଛି । ପରବର୍ତ୍ତୀ ସୋପାନଟି ଆତ୍ମାର ସୋପାନ । ମଣିଷ ଆତ୍ମସଚେତନ ହୋଇ ସେହି ପର ସୋପାନଟିର ଆଘ୍ରାଣ ପାଇଛି; ନିଜ ଭିତରୁ ପାଇଛି, ନିଜ ଚତୁର୍ଦ୍ଦିଗରୁ ମଧ୍ୟ ପାଇଛି । ଆମ ପୃଥିବୀରେ ବହୁତ ଭାବନା ଓ ବହୁତ କଳନା ଏହି ମନ ପାଖକୁ ଆସିହିଁ ଜୀବନ ତା’ର ସର୍ବଶେଷ ପ୍ରାନ୍ତରେ ଆସି ପହଞ୍ଚି ଯାଇଛି ବୋଲି ପ୍ରବର୍ତ୍ତାଇବାକୁ ସର୍ବଦା ପ୍ରୟାସ କରି ଆସିଛି । ତଥାପି, ମଣିଷ ଭିତରର ଅଶାନ୍ତ ଆସ୍ପୃହାଟି ତଥାପି ଅପେକ୍ଷା କରିଥିବା ପାହାଚଟି ଆଡ଼କୁ ଅଗ୍ରସର ହେବା ନିମନ୍ତେ ପୂର୍ଣ୍ଣ ଭରସା ଦେବାରେ ଲାଗିଛି ।

 

ମୋ’ ଜୀବନ କ’ଣ କେବଳ ମୋ’ର ଏହି ବ୍ୟକ୍ତିଗତ ଜୀବନ ? ତେବେ ଏହି ପୃଥିବୀଟାର ପ୍ରକୃତରେ ଆଉ କ’ଣ ପ୍ରୟୋଜନ କାହିଁକି ରହିଥିଲା ? ଏବଂ ଏହି ପୃଥିବୀ ଭିତରେ କ’ଣ ସବୁ ଶେଷ ? ବ୍ୟକ୍ତିଜୀବନର ବେଢ଼ାରୁ ବିଶ୍ୱାସର ସହିତ ପୃଥ୍ୱୀନାମକ ସେହି ଦ୍ୱିତୀୟ ବେଢ଼ାଟିକୁ ଆସିଲେ ଆହୁରି ଆଗକୁ ଆହୁରି କେତେକେତେ ଶିଖର ଦେଖାଯିବ । ସେହି ଶିଖର ଅର୍ଥାତ୍‌ ଅନନ୍ତ ସର୍ବନିୟାମକ ସତ୍ୟକୁ ମଣିଷ ବିସ୍ମୟର ସହିତ ଭଗବାନ ବୋଲି କହିଛି । ତେଣୁ, କେବଳ ବ୍ୟକ୍ତି, କେବଳ ପୃଥିବୀ କିମ୍ବା କେବଳ ଭଗବାନ ନୁହେଁ; ବ୍ୟକ୍ତି, ପୃଥିବୀ ଓ ଭଗବାନ ତିନିଙ୍କୁ ଏକାବେଳେକେ ଗୋଟିଏ ସମଗ୍ରଭାବେ ଜାଣିବାକୁ ଶ୍ରୀ ଅରବିନ୍ଦ ପୂର୍ଣ୍ଣ ଜ୍ଞାନ ବୋଲି କହିଛନ୍ତି । ଏବଂ, ତିନୋଟିଯାକକୁ ଗୋଟିଏ ଶ୍ରଦ୍ଧାର ବେଢ଼ ଦେଇ ବଞ୍ଚିବାକୁ ପୂର୍ଣ୍ଣ ଜୀବନ ବୋଲି କହିଛନ୍ତି । (BCL,୧୯, ୭୦୧)

☆☆☆

 

ଜ୍ୟୋତିଷ

 

କେବଳ ପ୍ରାଚ୍ୟଖଣ୍ଡରେ ନୁହେଁ, ପାଶ୍ଚାତ୍ୟରେ ମଧ୍ୟ ଫଳିତ ଜ୍ୟୋତିଷକୁ କାଳକାଳରୁ ଲୋକସ୍ୱୀକୃତି ମିଳି ଆସିଛି । ବୃହତ୍ତର ବ୍ରହ୍ମାଣ୍ଟ ଅର୍ଥାତ୍‌ ଗ୍ରହର, ନକ୍ଷତ୍ରର ଗତିବିଧି ଯେ ମନୁଷ୍ୟର ଭାଗ୍ୟକୁ ପ୍ରଭାବିତ କରେ ଏବଂ ତେଣୁ ତାହାର ଅଧ୍ୟୟନ କରି ମନୁଷ୍ୟର ଭବିଷ୍ୟତ ବିଷୟରେ ମଧ୍ୟ କେତେ କଥା କୁହାଯାଇପାରେ, ଫଳିତ ଜ୍ୟୋତିଷ ସେହି ଅନୁମାନଟି ଉପରେ ଆଧାରିତ ହୋଇ ରହିଆସିଛି ।

 

ଫଳିତ ଜ୍ୟୋତିଷକୁ ଶ୍ରୀ ଅରବିନ୍ଦ ଏକ ବିଜ୍ଞାନ ବୋଲି ସ୍ୱୀକାର କରିଛନ୍ତି ସତ, ମାତ୍ର ଯେକୌଣସି ବିଜ୍ଞାନ ପରି ଏଇଟିରେ ମଧ୍ୟ ଭ୍ରାନ୍ତିର ଅବକାଶ ରହିଛି ବୋଲି ସେ କହିଛନ୍ତି । ଫଳିତ ଜ୍ୟୋତିଷ ମନୁଷ୍ୟର ଭବିଷ୍ୟକୁ ନିର୍ଦ୍ଧାରଣ କରେ ନାହିଁ, ତା’ର ଭବିଷ୍ୟ ବିଷୟରେ କିଛି ସୂଚିତ ମାତ୍ର କରି ଦେଇଥାଏ । ମନୁଷ୍ୟ କେବଳ ଦୈବର ବଶ ହୋଇ ରହିନାହିଁ; କାରଣ ତା’ ଭିତରେ ତା’ର ପୁରୁଷକାର ମଧ୍ୟ ରହିଛି । (BCL, ୨୨, ୪୬୮) ମନୁଷ୍ୟ ଭିତରେ ଏକ ଇଚ୍ଛାଶକ୍ତି ରହିଛି, ଯାହାକି ତା’ର ତଥାକଥିତ କପାଳଲେଖନକୁ ବଦଳାଇ ଦେଇପାରେ । ବାହ୍ୟ ନାକ୍ଷତ୍ରିକ ପ୍ରଭାବଠାରୁ ଶ୍ରୀ ଅରବିନ୍ଦ ମନୁଷ୍ୟକୁ ଅଧିକ ଶକ୍ତିଶାଳୀ (mightier) ବୋଲି ଘୋଷଣା କରିଛନ୍ତି-। (ତତ୍ରୈବ, ୧୭, ୨୫୮)

 

ନାକ୍ଷତ୍ରିକ ତଥା ହସ୍ତରେଖାଦ୍ୱାରା ସୂଚିତ ନିୟତିଠାରୁ ସର୍ବଦା ଏକ ଉଚ୍ଚତର ନିୟତି ମଧ୍ୟ କ୍ରିୟାଶୀଳ ହୋଇ ରହିଛି, ଯାହାକି ଯାବତୀୟ ନିମ୍ନତର ଶକ୍ତି, ନିମ୍ନତର ଭୂମି ଏବଂ ନିମ୍ନତର ନିୟତିର ନିର୍ଣ୍ଣୟଗୁଡ଼ିକୁ କାଟିଦେଇ ପାରିବ । ଏବଂ, ଆହୁରି ଅଧିକ ଉଲ୍ଲେଖଯୋଗ୍ୟ କଥାଟି ହେଉଛି ଯେ, ସାଧାରଣ ଜୀବନରୁ ଏକ ଆଧ୍ୟାତ୍ମିକ ଜୀବନରେ ପ୍ରବେଶ କରିପାରିଲେ ଜାତକ ଏବଂ ନକ୍ଷତ୍ରମାନଙ୍କ ଅନୁସାରେ ଆମପାଇଁ ସିଦ୍ଧ ହୋଇ ରହିଥିବା ଭବିଷ୍ୟତଟି ମଧ୍ୟ ଆଉ ସତ ହୋଇ ନଥାଏ । ସତର ସେହି ଭୂମିଟିକୁ ପାର ହୋଇ ଆମେ ସତର ଏହି ଭୂମିଟି ମଧ୍ୟକୁ ଚାଲିଆସୁ ଏବଂ ଏକ ଅନ୍ୟ ବିଧାନଦ୍ୱାରା ମଧ୍ୟ ପରିଚାଳିତ ହେବାକୁ ଆରମ୍ଭ କରୁ । (BCL, ୨୨, ୪୬୮)

☆☆☆

 

ତପସ୍ୟା

 

ତପଃରୁ ତପସ୍ୟା । ତପଃର ପ୍ରକ୍ରିୟା, ତାହାହିଁ ତପସ୍ୟା । (BCL, ୧୫, ୯୩ ପାଦଟୀକା) ଶ୍ରୀ ଅରବିନ୍ଦ ଏହିପରି ଭାବରେ ତପଃର ବ୍ୟାଖ୍ୟା କରିଛନ୍ତି: ବିଶ୍ୱମୟ ସତ୍ତାର ସେହି ଚେତନା–ଶକ୍ତି ଯାହାକି ଆପଣାର ଶକ୍ତିସଞ୍ଚାରଣଦ୍ୱାରା ବିଶ୍ୱର ସୃଷ୍ଟି କରିଛି, ବିଶ୍ୱକୁ ଧାରଣ କରି ରଖିଛି ଏବଂ ବିଶ୍ୱର ଶାସନ କରୁଛି । ତପଃଦ୍ୱାରାହିଁ ଏହି ବ୍ରହ୍ମାଣ୍ଡ (ବ୍ରହ୍ମ+ଅଣ୍ଡ)ର ସର୍ଜନା ହୋଇଛି । ସେହି ତପୋବଳରେହିଁ ଅଣ୍ଡାଟି ଭାଙ୍ଗିଛି ଅର୍ଥାତ୍‌ ଚେତନା–ଶକ୍ତିର ଉତ୍ତାପଦାନଦ୍ୱାରା ସେଥିରୁ ପୁରୁଷ ବା ଆତ୍ମା ଜନ୍ମଲାଭ କରିଛନ୍ତି; ଅଣ୍ଡାଟିଏ ଫାଟି ଭିତରେ ଥିବା ଚଢ଼େଇ ସେଥିରୁ ବାହାରି ଆସିବାପରି । (ତତ୍ରୈବ, ୧୮, ୫୭୦ ପାଦଟୀକା)

 

ଶ୍ରୀ ଅରବିନ୍ଦଙ୍କର ମନ୍ତବ୍ୟ ହେଉଛି ଯେ, ଏହି ତପଃସାଧନା ବା ତପସ୍ୟାକୁ ଆମେ ଏକ ପ୍ରାୟଶ୍ଚିତ୍ତ କରିବାର ଅର୍ଥରେ ଗ୍ରହଣ କରିବାନାହିଁ । ଆମର ଚେତନାକୁ ସାଧାରଣ ଜୀବନରେ ଯେପରି ଆମ ଭୌତିକ ଜୀବନଧାରଣର ପ୍ରକୃତିଟି ଆପଣା ବଶରେ ରଖିଥାଏ, ତାହାକୁ ସେଥିରୁ ମୁକ୍ତ କରି ଆଣିବା ବା କୌଣସି ଆଧ୍ୟାତ୍ମିକ କିମ୍ବା ଅନ୍ୟ ଲକ୍ଷ୍ୟର ପ୍ରାପ୍ତି ନିମନ୍ତେ ଏକ ବିଶେଷ ଶକ୍ତିସଞ୍ଚାରଣ ସାହାଯ୍ୟରେ ଆମ ଚେତନା ତଥା ଇଚ୍ଛାକୁ ସମର୍ଥ କରି ଆଣିବା,–ଋଷିମାନଙ୍କର ଜୀବନରେ ତାହାହିଁ ତପସ୍ୟାର ପ୍ରକୃତ ଲକ୍ଷ୍ୟ ହୋଇ ରହିଥିଲା । (ତତ୍ରୈବ, ୫୭୧, ପାଦଟୀକା) ପ୍ରାୟ ଗୋଟିଏ କଥାରେ ତପସ୍ୟା କହିଲେ ଆମେ ଚେତନାଶକ୍ତିର ସଂକେନ୍ଦ୍ରଣ (Concentration of the power of consciousness ବୋଲିହିଁ ବୁଝିବା । (ତତ୍ରୈବ, ୫୭୩)

 

“ଯେତେବେଳେ ଇଚ୍ଛା ଏବଂ ଶକ୍ତି (energy)କୁ ସଂକେନ୍ଦ୍ରିତ କରିଆଣି ତାହାକୁ ମନ, ପ୍ରାଣସ୍ତର ତଥା ଦେହକୁ ନିୟନ୍ତ୍ରଣ କରିବାର କାର୍ଯ୍ୟରେ ବ୍ୟବହାର କରାଯାଏ ଓ ସେହିଗୁଡ଼ିକରେ ଏକ ପରିବର୍ତ୍ତନ ମଧ୍ୟ ସମ୍ଭବ କରାଯାଏ, କିମ୍ବା ଉଚ୍ଚତର ଚେତନାକୁ ଅବତୀର୍ଣ୍ଣ କରାଇବାରେ ଅଥବା ଅନ୍ୟ କୌଣସି ଯୋଗମାର୍ଗୀୟ ଉଦ୍ଦେଶ୍ୟସାଧନ ବା ଉଚ୍ଚ ଲକ୍ଷ୍ୟର ଉପଲବ୍ଧି ନିମନ୍ତେ ତାହାକୁ କାମରେ ଲଗାଯାଏ, ସେତେବେଳେ ତାହାକୁହିଁ ତପସ୍ୟା ବୋଲି କୁହାଯିବ ।’’ (ତତ୍ରୈବ, ୨୩, ୫୯୬)

☆☆☆

 

ଦର୍ଶନ

 

ଦର୍ଶନ କଥାଟି ଉଚ୍ଚାରଣ କରିବାମାତ୍ରକେ ତିନି ପ୍ରକାରର ଜୀବନବ୍ୟାପାର ମନେ ପଡ଼ି ଯାଇଥାଏ: ଦର୍ଶନଶାସ୍ତ୍ର, ଜୀବନ–ଦର୍ଶନ ଓ ସତ୍ୟ–ଦର୍ଶନ । ମଣିଷ ଅନୁସାରେ ଜୀବନର ଦର୍ଶନ ନାନାପ୍ରକାରର ହୋଇପାରେ, ଏବଂ ସେହି ଅନୁସାରେ ଭଳିଭଳି ଦର୍ଶନର ବ୍ୟାଖ୍ୟା ମଧ୍ୟ କରାଯାଇପାରେ, ଶାସ୍ତ୍ରବି ଲେଖା ଯାଇପାରେ । ସବୁ ମନୁଷ୍ୟ କେବେହେଲେ ସେହି ଗୋଟିଏ ସତ୍ୟର ଦର୍ଶନ ମଧ୍ୟ କରନ୍ତିନାହିଁ । ସତ୍ୟ ଏକ ଏବଂ ବିପ୍ର ବା ପଣ୍ଡିତମାନେ ଭିନ୍ନ ଭିନ୍ନ ପ୍ରକାରେ ତାହାର ବଖାଣ କରିଥାନ୍ତି ବୋଲି ସଜ୍ଜନସୁଲଭ କଥାଟିଏ କୁହାଯାଇଥିଲେ ମଧ୍ୟ, ଯିଏ ଯାହାକୁ ସତ୍ୟ ବୋଲି ସ୍ୱୀକାର କରି ନେଇଥାନ୍ତି, ତାହାକୁହିଁ ଏକମାତ୍ର ଭ୍ରମଶୂନ୍ୟ ସତ୍ୟ ବୋଲି କହିବାର ଦୃଷ୍ଟାନ୍ତ ପୃଥିବୀରେ ଢେର୍ ରହିଆସିଛି ।

 

ଯାବତୀୟ ସତ୍ୟର ଗଭୀରକୁ ଯିବାକୁ ଯଦି ଦର୍ଶନ ବୋଲି କୁହାଯାଏ, ତେବେ ସେହି ଗଭୀରତା କ’ଣ ପ୍ରକୃତରେ ଗୋଟିଏ ? ଇତିହାସ ସାକ୍ଷ୍ୟ ଦେଇ କହିବ ଯେ ଦର୍ଶନ ଉଭୟ ଶୁଭ ଏବଂ ଅଶୁଭର କାରଣ ହୋଇଛି । ତାହା ଶୁଭର ସେବା ଖଟିଛି, ଅଶୁଭରବି ସେବା ଖଟିଛି । ଉଭୟ reaction ଏବଂ progressକୁ ବୁଦ୍ଧିର ସମର୍ଥନକାରୀ ବଳ ଏବଂ ପ୍ରତ୍ୟୟ ଯୋଗାଇ ଦେଇଛି । (BCL, ୧୫, ୧୧୧) ଜଡ଼ବାଦ, ବାସ୍ତବବାଦ, ଆଦର୍ଶବାଦ ଅଥବା ଅଧ୍ୟାତ୍ମବାଦ, ପ୍ରତ୍ୟେକଟି ପଛରେ ଅନୁରୂପ ଗୋଟିଏ ଗୋଟିଏ ଦର୍ଶନର ଯୁକ୍ତି ସର୍ବଦା ରହି ଆସିଛି । କେଉଁଟି ଠିକ୍‌ ଓ କେଉଁଟି ଠିକ୍‌ ନୁହେଁ, ତାହାକୁ ନେଇ ବିବାଦ ଲାଗିରହିଛି ।

 

ଶ୍ରୀ ଅରବିନ୍ଦଙ୍କର ପ୍ରଦତ୍ତ ସଂଜ୍ଞା ଅନୁସାରେ, “ଗୋଟିଏ ପାଖରେ ଜୀବନର ମୂଳ ସତ୍ୟ ଏବଂ ଅପର ପାଖରେ, ଆମର ଅନୁଭବରେ ଜୀବନ ଯାହାର ମାଧ୍ୟମରେ ନିଜକୁ ବ୍ୟକ୍ତ କରୁଛି, ସେହି ଆକାର ବା ଛାଞ୍ଚଗୁଡ଼ିକ । ଯାବତୀୟ ଦର୍ଶନ ଏହି ଉଭୟଙ୍କ ମଧ୍ୟରେ ରହିଥିବା ସମ୍ବନ୍ଧଗୁଡ଼ିକୁହିଁ ଦର୍ଶାଇ ଦେବାକୁ ପ୍ରୟାସ କରି ଆସିଛି ।’’ (ତତ୍ରୈବ, ୧୭, ୪୦୦) ଗଭୀରତମ ଅନୁଭବ କହିବ ଯେ, ମୂଳ ସତ୍ୟଟି ହେଉଛି ଅଧ୍ୟାତ୍ମର ସତ୍ୟ ।

 

ଅଧ୍ୟାତ୍ମ ସତ୍ୟରେ ଯାଇ ପହଞ୍ଚି ପାରିଲେ ଅର୍ଥାତ୍‌ ତାହାକୁ ସ୍ପର୍ଶ କରିପାରିଲେ (ଶ୍ରୀ ଅରବିନ୍ଦ ଏହାକୁ ‘ସତ୍ୟସ୍ପର୍ଶନ’ ବୋଲି କହିଛନ୍ତି) ସମ୍ଭବତଃ ଯାବତୀୟ ବିବାଦ ତୁଟି ଯାଇପାରେ । ମୁଁ ଯେଉଁ ସତ୍ୟଟିର ସ୍ପର୍ଶ ଲାଭ କରିଛି, ସେହି ଅନୁସାରେ ମୋ’ର ମେଦିନୀ–ଧାରଣା । ମୁଁ ସତ୍ୟଟିକୁ ସ୍ପର୍ଶ କରିଛି ଅର୍ଥାତ୍‌ ସେହି ସତ୍ୟ ମୋ’ ଜୀବନକୁ ମଧ୍ୟ ସ୍ପର୍ଶ କରିଛି, ମୋତେ ପରିଚାଳିତ କରୁଛି । ମୁଁ ଜୀବନଟିଏ ବଞ୍ଚୁଛି । ତା’ପରେ ଭାରି ସହଜରେ ବୁଝି ହୋଇଯିବ ଯେ ଅନ୍ୟ ସର୍ବଜନ ମଧ୍ୟ ଜୀବନଟିଏ ବଞ୍ଚୁଛନ୍ତି, ଗଭୀର ଓ ଆହୁରି ଗଭୀରକୁ ଯାଇ କ’ଣଟିକୁ ସ୍ପର୍ଶ କରିବାର ପ୍ରୟାସ କରୁଛନ୍ତି । ଯାହାକୁ ସମସ୍ତେ ସ୍ପର୍ଶ କରିବାକୁ ପ୍ରୟାସ କରୁଛନ୍ତି ଓ ବାଟ ଚାଲୁଛନ୍ତି, ତାହା ହୁଏତ ଏକ ଅବିଭକ୍ତ ପରମସମ୍ପଦଟିଏ ହୋଇଥିବ ଓ ସେଠାରେ ଆଉ କୌଣସି ବିବାଦପାଇଁ କାହିଁକି ସ୍ଥାନ ରହିବ ?

 

କେବଳ ଭାଗ୍ୟବାନମାନଙ୍କର ଜୀବନ–ଦର୍ଶନହିଁ ସେମାନଙ୍କୁ ପୂର୍ଣ୍ଣ ଭରସା ଦେଇ ସେହି ସ୍ଥଳଟିକୁ ପରିଚାଳିତ କରି ନେଇ ଯାଉଥାଏ ।

☆☆☆

 

ଦିବ୍ୟ

 

ପୃଥିବୀରେ କେତେ ସତ୍ୟ,–ପରିଧି ଅନୁସାରେ ନାନାଭଳି ସତ୍ୟ । ନିଜ ଆୟତନଟି ଭିତରେ ସତ୍ୟ, କିନ୍ତୁ ଆୟତନର ବାହାରେ ଆମେ ତାହାକୁ ସତ୍ୟ ବୋଲି କହିପାରିବାନାହିଁ । ସେହିପରି ପୃଥିବୀରେ କେତେକେତେ ସତ୍ତା, ନିଜ ନିଜ ପରିଧି ମଧ୍ୟରେ ରହିଥିବା ଆୟତନସିଦ୍ଧ କେତେ ନା କେତେ ସତ୍ତା । ଦୃଶ୍ୟ ସତ୍ତା, ଅଦୃଶ୍ୟ ସତ୍ତା । ଆମେ ସ୍ପର୍ଶ କରିପାରୁଥିବା ସତ୍ତା ଓ ଆମେ କଳ୍ପନା କରିପାରୁଥିବା ସତ୍ତା । ନିଜ ଭିତରେ ତା’ର ଆତ୍ମସତ୍ତା ନାମକ ସମ୍ପଦଟିଏ ମଣିଷକୁ କାହିଁକି ନିଜ ଭିତରର ଅନୁଭବ ଏବଂ ଅନୁମାନଦ୍ୱାରା ପରିଧି ପରେ ପରିଧିକୁ ଡିଆଁଇ ନେଇଯାଏ ଓ ସତ୍ତାର ବୃହତ୍ତର ଏବଂ ବୃହତ୍ତର ପରିଚୟଗୁଡ଼ିକ ସହିତ ସାମନା କରାଇ ଦେଉଥାଏ, ସେକଥାର କେବଳ ସେଇ ହୁଏତ ଏକମାତ୍ର ସାକ୍ଷ୍ୟ ଦେଇ ପାରିବ । ଏବଂ, ଏହିପରି ପରିଧିମାନଙ୍କୁ ଡେଇଁ ଯାଉ ଯାଉ ଏପରି ଏକ ସତ୍ୟବୋଧରେ ଆସି ଉପନୀତ ହେବା ସମ୍ଭବ ହୋଇଛି, ଯାହାକି ଏହି ଯାବତୀୟ ପରିଧି ତଥା ସତ୍ତାକୁ ଗୋଟିଏ ସମଗ୍ରରେ ଆବୋରି ରହିଥିବା ପରି ପ୍ରତ୍ୟକ୍ଷ ହୋଇଛି । ଧର୍ମମାନେ ତାହାକୁ ନିଜ ନିଜର ନାମ ଦେଇ ଚିହ୍ନିବାର ଉଦ୍ୟମ କରିଛନ୍ତି, ଅଧ୍ୟାତ୍ମ ତାହାକୁ ଦିବ୍ୟ ସତ୍ତା ବୋଲି ଘୋଷଣା କରିଛି ।

 

ଦିବ୍ୟ ସତ୍ତା, ତାହାକୁ ଛୁଇଁ ପାରିବାର ଚେତନାଟି ହେଉଛି ଦିବ୍ୟ ଚେତନା ଏବଂ ସେହି ଚେତନାଟିଦ୍ୱାରା ନିଜକୁ ମନ୍ତୁରାଇ ପାରି ସତକୁସତ ବଞ୍ଚି ହୋଇ ପାରିବ ବୋଲି ଶ୍ରଦ୍ଧା ରଖିଥିବା ଏବଂ ପାହାଚ ଉଠୁଥିବା ଜୀବନଟି ହେଉଛି ଦିବ୍ୟ ଜୀବନ । ଧର୍ମୀୟ ସୂତ୍ରମାନେ ଦିବ୍ୟ ସତ୍ୟକୁ ସତେଅବା ବହୁ ଆଦରରେ ପ୍ରାୟ ଏକ ଉପନ୍ୟାସ–ରଚନାର ଶୈଳୀରେ ଠୁଳ ଭାବରେ ବାହାରେ ଏକ ସ୍ୱର୍ଗରାଜ୍ୟରେ ନେଇ ବସାଇ ଦେଇଛନ୍ତି, କିନ୍ତୁ ଅଧ୍ୟାତ୍ମ ତାଙ୍କୁ ସର୍ବସ୍ଥ ବୋଲି କହିଛି, ସେହି ଅନୁସାରେ ଆମର ଚେତନାକୁ ମଧ୍ୟ ସଂପ୍ରସାରିତ କରି ଏଇଠି ଏହି ପୃଥିବୀ ଭିତରେ ମଧ୍ୟ ଠାବ କରିଛି । “It is also here” : ସିଏ ଏଠାରେ ମଧ୍ୟ ରହିଛନ୍ତି । (BCL, ୨୨, ୨୭) ସିଏ ମୋ’ ଭିତରେ ରହିଛନ୍ତି, ଆମ ସମସ୍ତଙ୍କ ଭିତରେ ରହିଛନ୍ତି, ସକଳ ବସ୍ତୁରେ ଅଛନ୍ତି, ଏହି ଭୁବନରେ ବ୍ୟାପ୍ତ ହୋଇ ଓ ଭୁବନକୁ ଅତିକ୍ରମ କରି ରହିଛନ୍ତି । ସିଏ ମଣି ଓ ସୂତ୍ର ଉଭୟ ହୋଇ ରହିଛନ୍ତି । ନାନା ନାମ ଓ ରୂପର ମାଧ୍ୟମ ଦେଇ ଯୁଗେଯୁଗେ ମନୁଷ୍ୟର ସତ୍ୟାନୁରାଗ ତାହାରି ଆସ୍ପୃହା ରଖିଆସିଛି । ଯାବତୀୟ ପିତୁଳାକୁ ଅତିକ୍ରମ କରି ସେଯାଏ ନେଇଯିବାକୁହିଁ ମଣିଷମାନେ ପିତୁଳାମାନଙ୍କର ଏହି ପ୍ରାଥମିକ ପ୍ରସ୍ଥଗୁଡ଼ିକର ରଞ୍ଚନା କରିଛନ୍ତି ।

 

ପ୍ରସ୍ଥ ପରେ ପ୍ରସ୍ଥ, ପରିଧି ପରେ ପରିଧି ଓ ପିତୁଳା ପରେ ପିତୁଳା ଅତିକ୍ରମ କରି ଯିବାପାଇଁ ଆମ ଚେତନା ମଧ୍ୟ ଅନୁରୂପ ସମ୍ମତି ଦେବାରେ ଯୋଗ୍ୟ ହୋଇପାରୁଥିବା ଉଚିତ । ଆତ୍ମ–ଚେତନା, ଏକ ପାରସ୍ପରିକତାର ଚେତନା, ବିଶ୍ୱ–ଚେତନା ଏବଂ ବିଶ୍ୱାତୀତ ଚେତନା,–ଚେତନାର ଅସଲ ରହସ୍ୟଟିକୁ ନିଜ ଜୀବନରେ ନିଜ ହୃଦୟର ଆଖି ପରି ବହନ କରିପାରିଲେ, ସେହି ସବୁକିଛି ଆମକୁ କେବଳ ଗୋଟିଏ ବ୍ୟାପ୍ତି ପରିହିଁ ଲାଗିବ । ସେହି ବ୍ୟାପ୍ତିର ଅନୁଭବ ସମ୍ଭବତଃ ଦିବ୍ୟ ଚେତନାକୁ ଛୁଇଁ କରି ରହିଥିବାର ଅନୁଭବ, ଆପଣାକୁ ଏକ ଜ୍ଞାନ ଓ ଆଲୋକ ଜନନୀ ପରି ସମ୍ଭାରି ଧରିଥିବାର ଏକ ଅତି ସହଜ ଅନୁଭବ । ଗୋଟିଏ ପକ୍ଷରେ ଆତ୍ମଜ୍ଞାନ ଏବଂ ଆଲୋକ ଓ ଅନ୍ୟ ପକ୍ଷରେ ଅଜ୍ଞାନ,–ଦୁଇଟି ଭିତରେ ସର୍ବଦା ଯେଉଁ ଫରକ ରହିଛି, ଦିବ୍ୟ ଏବଂ ଅଦିବ୍ୟ ମଧ୍ୟରେ ସବୁଯାକ ଫରକ କେବଳ ସେତିକି ବୋଲି ଶ୍ରୀ ଅରବିନ୍ଦ ଆମକୁ ସୂଚିତ କରି ଦେଇଛନ୍ତି । (ତତ୍ରୈବ, ୧୮, ୩୮୯)

 

ଏହି ସବୁଟିକୁ ପୂର୍ଣ୍ଣ କରି ରହିଥିବା ସେହି ଦିବ୍ୟ ସତ୍ୟ ଓ ଦିବ୍ୟ ଚେତନା, ନିଜକୁ ସଂପ୍ରସାରିତ କରି ନିଜ ଜୀବନରେ ତାହାର ଉପଲବ୍ଧି,–ତାହାହିଁ ଆମକୁ ଏକ ଦିବ୍ୟ ଜୀବନର ଅବତାରଣା ଆଣି ଦେଇଯାଉଛି । ଶ୍ରୀ ଅରବିନ୍ଦ ଆମର ଏହି ପୃଥିବୀପାଇଁହିଁ ସେହି ଜୀବନର ଏକ ସମ୍ଭାବନାକୁ ଉପସ୍ଥାପିତ କରି ଆଣିଛନ୍ତି : “ଦିବ୍ୟ ଜୀବନର ଯେଉଁ ଆଦର୍ଶଟିକୁ ଆମେ ଆମ ସମ୍ମୁଖରେ ରଖିଛୁ, କେବଳ ଆମର ସତ୍ତାରେ ଏକ ଆଧ୍ୟାତ୍ମିକ ପରିବର୍ତ୍ତନ ଘଟିପାରିଲେ ଯାଇ ତାହା ସମ୍ଭବ ହେବ । ଆମ ପ୍ରକୃତିରେ ଏକ ମୂଳଭୂତ ପରିବର୍ତ୍ତନ, ଏକ ବିବର୍ତ୍ତନ ବା ବିପ୍ଳବ ଘଟିବାଦ୍ୱାରାହିଁ ତାହା ସମ୍ଭବ ହେବ ।” (BCL, ୧୬, ୪୧)

☆☆☆

 

ଦୁଃଖ

 

ଗୌତମ ବୁଦ୍ଧ ରାଜପୁତ୍ର ଥିଲେ, ବହୁ ସୁଖ ଭିତରେ ସୁରକ୍ଷିତ ହୋଇ ରହିଥିଲେ । ତେଣୁ ଦୁଃଖ ଦେଖି ବ୍ୟସ୍ତ ହୋଇ ପଡ଼ିଲେ । ଦୁଃଖର ନିଦାନ ଖୋଜିଲେ । ବୋଧି ଲାଭ କରି ଦୁଃଖର କାରଣ ଏବଂ ସେହି କାରଣର ନିରାକରଣ ବିଷୟରେ ଅବଗତ ହେଲେ । ଧର୍ମଚକ୍ର–ପ୍ରବର୍ତ୍ତନ କରି ସେହି କଥାଟିର ପ୍ରଚାର କରିଥିଲେ ।

 

ପୃଥିବୀରେ ବହୁତ ବହୁତ ପ୍ରକାରର ଦୁଃଖ । କେତେକ ଧର୍ମର କଥନ ଅନୁସାରେ, ଈଶ୍ୱର ବା ଜଗତର ପରମ ଦଣ୍ଡଧାରୀ ପୃଥିବୀ ବାହାରେ ତାଙ୍କ ପୁରରେ ବସିଛନ୍ତି ଏବଂ ପୃଥିବୀର ମନୁଷ୍ୟମାନଙ୍କୁ ସେମାନଙ୍କର କୃତ କର୍ମ ଓ ଅକର୍ମଗୁଡ଼ିକ ପାଇଁ ସୁଖ ଏବଂ ଦୁଃଖର ବିଧାନ କରୁଛନ୍ତି । ସ୍ୱର୍ଗ ଏବଂ ନର୍କର କଳ୍ପନାଟି ସମ୍ଭବତଃ ସେହି ଅନୁମାନର କାନି ଧରି ମଣିଷର ବିବେକଘରେ ଆସି ପ୍ରବେଶ କରିଛି । ମାତ୍ର, ଭଗବାନ ଅଲଗା ହୋଇ ପୃଥିବୀର ବାହାରେ ମୁଖ୍ୟତଃ ଜଣେ ଦଣ୍ଡଦାତା ହୋଇ ବସିନାହାନ୍ତି, ସିଏ ମୋ’ ଭିତରେ ଅଛନ୍ତି ଏବଂ ପୃଥିବୀ ଭିତରେ ମଧ୍ୟ ରହିଛନ୍ତି ବୋଲି ସେହି ଅନ୍ୟ ଘ୍ରାଣଟିର ସମର୍ଥ ହେବାମାତ୍ରକେ ଆମେ ପୃଥିବୀରେ ଦୁଃଖର ହୁଏତ ଅନ୍ୟ କୌଣସି ବ୍ୟାଖ୍ୟା କରିବାକୁ ମନ କରିବା । ଅଧିକନ୍ତୁ, ଯଦି ମୁଁ ତାଙ୍କୁ ମୋ’ର ପରମବନ୍ଧୁ ବୋଲି ଗ୍ରହଣ କରିନିଏ, ତେବେ ତାଙ୍କୁ ଏକାବେଳେକେ ଏକ ଅନ୍ୟ ପରିଚୟରେ ଜାଣିବାକୁ ଆବଶ୍ୟକ ସାହସ ମଧ୍ୟ ପାଇଯିବି । ଏବଂ, ମୋ’ ଲାଗି ଦୁଃଖର ପରିଭାଷା ମଧ୍ୟ ବଦଳିଯିବ ।

 

ଆମକୁ ସମ୍ପୂର୍ଣ୍ଣ ଭାବରେ ଏକ ଅନ୍ୟ ବିଚାରର ଭରସା ଭିତରକୁ ଉତ୍ତୋଳିତ କରିନେଇ ଶ୍ରୀ ଅରବିନ୍ଦ କହୁଛନ୍ତି ଯେ, ଦୁଃଖଟାକୁ ସୁଖଠାରୁ ଅଧିକ ବୋଲି ଏକ ପ୍ରତ୍ୟୟକୁ ପୃଥିବୀରେ ରଟାଇଦେଇ ଏହି କ୍ଷେତ୍ରରେ ଏକ ଅତିରଞ୍ଜନହିଁ କରାଯାଇଛି । ବସ୍ତୁତଃ ସୁଖର ପରିମାଣହିଁ ସଚରାଚର ଦୁଃଖର ପରିମାଣଠାରୁ ଅଧିକ ହୋଇ ରହିଛି । ଦୁଃଖ ଅଳ୍ପ ପାଉଥିବାରୁ ଦୁଃଖ ଅଧିକ କାଟୁଛି ଏବଂ ସୁଖାନୁଭୂତି ଅଧିକ ସ୍ୱାଭାବିକ ହୋଇଥିବାରୁ ସୁଖ ପାଇଲୁ ବୋଲି ଆମର ମନେ ରହୁନାହିଁ । ଆମ ସତ୍ତାଗତ ଅନୁଭବ–କ୍ଷେତ୍ରରେ ଦୁଃଖ ଏକ ଅସ୍ୱାଭାବିକ ଘଟଣା ହୋଇଥିବାରୁ ତାହା ଆମକୁ ଅଧିକ ଆଘାତ ଦେଇଯିବା ପରି ଲାଗୁଛି, ଆମ ସ୍ୱାଭାବିକ ପ୍ରବୃତ୍ତିଗୁଡ଼ିକ ସକାଶେ ପ୍ରାୟ ଏକ ବିରୋଧୀ ପ୍ରତିକ୍ରିୟାହିଁ ସୃଷ୍ଟି କରୁଛି । (BCL, ୧୮, ୯୩)

☆☆☆

 

ଦେହ

 

ଆମ ଜୀବନରେ ଆମର ଦେହ ହେଉଛି ଅସ୍ତିତ୍ୱର ବଳିଷ୍ଠତମ ପ୍ରମାଣ । ତଥାପି ସୁଧୀମାନେ ଯୁଗେଯୁଗେ ଦେହକୁ ଅତ୍ୟନ୍ତ ନିମ୍ନ ଦୃଷ୍ଟିରେ ଦେଖି ଆସିଛନ୍ତି । ପଶୁର ଜୀବନ ଦେହ ମଧ୍ୟରେହିଁ ବାନ୍ଧି ହୋଇ ରହିଥାଏ ଏବଂ ମନୁଷ୍ୟସ୍ତରକୁ ଆସି ବୁଦ୍ଧିର ବିକାଶ ହୋଇଆସିବା ସହିତ ସେହି ‘ଦେହାତ୍ମକବୁଦ୍ଧି’ ଆଂଶିକ ଭାବରେ ଅପସରି ଯିବାକୁ ଆରମ୍ଭ କରେ, ଭିତରେ ଏକ ଆତ୍ମସତ୍ତାର ବୋଧ ଜନ୍ମ ଲାଭ କରିଥାଏ । (BCL, ୩, ୩୫୮)

 

ସାଧନାର ପାରମ୍ପରିକ ଇତିହାସରେ ପ୍ରାୟ ସର୍ବତ୍ର ଦେହକୁ ଏକ ଅବଜ୍ଞା ଏବଂ ଅବମାନନାର ନଜରରେ ଦେଖାହୋଇ ଆସିଛି । ଅଧ୍ୟାତ୍ମ ସାଧକମାନେ ତାହାକୁ ନିଜର ପଥରେ ଏକ ପ୍ରତିବନ୍ଧକ ସଦୃଶ ଦେଖିଛନ୍ତି, ସେମାନେ ଦେହକୁ ଡେଇଁ ଚାଲିଯିବା ପାଇଁ ଓ ପରିହାର କରିବାପାଇଁ ଅତ୍ୟନ୍ତ ଉଦ୍‌ଗ୍ରୀବ ହୋଇଛନ୍ତି । ଏକାଧିକ ଧର୍ମ ଏବଂ ଅଧ୍ୟାତ୍ମ ଚିନ୍ତା କେବଳ ଅନ୍ତର୍ଗତ ହୋଇ ରହିଥିବା ଆତ୍ମାକୁହିଁ ଭଗବାନ ବୋଲି ସ୍ୱୀକାର କରି ପକାଇଛନ୍ତି । (BCL, ୨୭, ୩୨୯) ପ୍ରାଚୀନ ଗ୍ରୀସ୍‌ର ମହାନ୍‌ ଦାର୍ଶନିକ ପ୍ଲଟିନସ୍‌ ତାଙ୍କର ଆତ୍ମା କାହିଁକି ଏକ ଦେହ ମଧ୍ୟରେ ରହିବାକୁ ବାଧ୍ୟ ହେଉଛି ବୋଲି ଅତ୍ୟନ୍ତ ଲଜ୍ଜା ଅନୁଭବ କରୁଥିବାର ଉଲ୍ଲେଖ ରହିଛି ।

 

ଏକ ପୂର୍ଣ୍ଣତର ଦୃଷ୍ଟିରେ ଅବଲୋକନ କରିପାରିଲେ, ଆମେ ଏହି ଦେହକୁ ଆଧ୍ୟାତ୍ମିକ ପରିପୂର୍ଣ୍ଣତାଲାଭର ଏକ ଯନ୍ତ୍ର ବୋଲି ମଧ୍ୟ ଅନୁଭବ କରିପାରିବା । ଆଧ୍ୟାତ୍ମିକ ପରିବର୍ତ୍ତନର ପ୍ରକ୍ରିୟାରେ ଦେହ ମଧ୍ୟ ଗୋଟିଏ କ୍ଷେତ୍ରରୂପେ ଅନୁଭୂତ ହେବ । (ତତ୍ରୈବ, ୧୬, ୭) ଶ୍ରୀ ଅରବିନ୍ଦଙ୍କର ବାକ୍ୟକୁ ବ୍ୟବହାର କରି କହିଲେ, “ଦେହର ପରିଚୟହିଁ ଆମର ସବୁକିଛି ପରିଚୟ ନୁହେଁ, ମାତ୍ର ଦେହ ହେଉଛି ତଥାପି ଆମ ଜୀବନର ଗୋଟିଏ ଅଂଶ । .....ଶରୀର ଆମ ଭିତରେ ରହିଛି, ଅବଶ୍ୟ ଆମେ ଖାଲି ଶରୀର ଭିତରେହିଁ ମୋଟେ ରହିନାହୁଁ ।” (the body is within us, not we in it, BCL, ୨୨, ୫୭)

 

ମାଆ ଶରୀରର ସାଧନାକୁ ସୌନ୍ଦର୍ଯ୍ୟର ସାଧନା ବୋଲି କହିଛନ୍ତି ।

☆☆☆

 

ଧର୍ମ

 

ଆମ ପୃଥିବୀରେ ଧର୍ମଗୁଡ଼ିକର ଇତିହାସ ଅତ୍ୟନ୍ତ ବିଚିତ୍ର ଓ ଅତ୍ୟନ୍ତ ବର୍ଣ୍ଣମୟ । ମନୁଷ୍ୟସମାଜର ଧର୍ମପିପାସା ଲାଗି ଉପାଦାନ ଯୋଗାଇ ଦେଇ କେବଳ ଅତୀତର ଯୁଗମାନଙ୍କରେ ଯେ ଧର୍ମଗୁଡ଼ିକର ଆବିର୍ଭାବ ହୋଇଥିଲା ତା’ ନୁହେଁ, ଏବେ ମଧ୍ୟ ସେହି ପ୍ରକ୍ରିୟାଟି ଅକ୍ଷୁଣ୍ଣ ରହିଛି । ଆଧୁନିକ ପୃଥିବୀରେ ମନୁଷ୍ୟମାନେ କେତେକଅଣ ହାସଲ କଲେଣି ଓ କେତେକେତେ ରହସ୍ୟର ଉଦ୍‌ଘାଟନ କଲେଣି, ତଥାପି ଅନ୍ୱେଷଣ ଲାଗି ରହିଛି, ପ୍ରଶ୍ନ ପଚରା ଯାଉଛି, ନୂଆ ନୂଆ ପ୍ରସ୍ଥମାନ ନୂଆ ନୂଆ ସମ୍ଭାବନା ଏବଂ ସଂପ୍ରସାରଣର ଘୋଷଣା କରିବାରେ ଲାଗିଛନ୍ତି । ମନୁଷ୍ୟ–ହୃଦୟର ଶ୍ରେଷ୍ଠ କଥାଗୁଡ଼ିକ ଧର୍ମମାନେହିଁ କହିଛନ୍ତି, ମନୁଷ୍ୟ–ଆସ୍ପୃହାର ଶିଖରଗୁଡ଼ିକ ନିମନ୍ତେ ବସ୍ତୁତଃ ଧର୍ମମାନେହିଁ ମଣିଷକୁ ଆକର୍ଷଣ ଯୋଗାଇ ଦେଇଛନ୍ତି । ଏଣେ, ଅପରପକ୍ଷରେ, ଧର୍ମ ଗଣ୍ଠି ବାନ୍ଧିଯାଇଛି, ନାନାବିଧ ନିୟମର ଅନମନୀୟତାରେ ମଣିଷକୁ ପଙ୍ଗୁ କରି ରଖିଛି, ପୃଥିବୀରେ ବହୁ ଉତ୍ପାତ ଓ ଅଘଟଣର କାରଣ ହୋଇଛି ।

 

ଶ୍ରୀ ଅରବିନ୍ଦ ଧର୍ମ ଭିତରେ ଦୁଇଟି ପ୍ରକାରର ସୂଚନା ଦେଇଛନ୍ତି : ଗୋଟିଏ ପ୍ରକୃତ ଧର୍ମ ଓ ଆରଟି ଧର୍ମୀୟତା । ପ୍ରକୃତ ଧର୍ମ ହେଉଛି ଆଧ୍ୟାତ୍ମିକତା, ଆରଟି (religiousity) ପ୍ରାୟ ନିୟମସିଦ୍ଧ ଭାବରେ ବହୁ ସୂତ୍ର, ବିଧି ଓ ଉତ୍ସବାଡ଼ମ୍ବର ଭିତରେ ସତେଅବା କେତେକଅଣ ହୋଇ ରହିଥାଏ । (BCL, ୧୫, ୧୬୬–୬୭) ଏହି ଧର୍ମୀୟତା ମଣିଷମାନଙ୍କୁ ବଣା କରେ, କେନ୍ଦ୍ରଚ୍ୟୁତ କରିଦିଏ ।

 

ଇତିହାସର ସବୁଯାକ ଧର୍ମ ମନୁଷ୍ୟଜାତିକୁ ବହୁତ ସାହାଯ୍ୟ କରିଛନ୍ତି । ଶ୍ରୀ ଅରବିନ୍ଦ କହିଛନ୍ତି, ଯଦି ଭଗବାନଙ୍କ ଆଡ଼କୁ ମଣିଷକୁ ମୁହାଁଇନେବା ଲାଗି ଉଦ୍ୟମ କରିଥିବା ଏହି ଧର୍ମଗୁଡ଼ିକ ପରସ୍ପର ମଧ୍ୟକୁ ପ୍ରବେଶ କରିପାରନ୍ତେ, ତେବେ ପୃଥିବୀରେ ପ୍ରକୃତରେ ଏକ ବୃହତ୍‌ ଘଟଣା ଘଟିପାରନ୍ତା । (ତତ୍ରୈବ, ୧୬, ୩୯୪) ମାତ୍ର ପ୍ରତ୍ୟେକ ଧର୍ମର ମଥାରୁ ପ୍ରସୂତ ସୂତ୍ରଗୁଡ଼ିକ ଏବଂ ନିର୍ଦ୍ଦିଷ୍ଟ ମାର୍ଗ ହିସାବରେ ଏକ ଦାରୁଣ ଅହଂକାରହିଁ ସେଥିରେ ପ୍ରତିବନ୍ଧକ ହୋଇ ଛିଡ଼ା ହେବେ । ପ୍ରଧାନତଃ ସେହି କାରଣରୁ ସକଳ ପରାକ୍ରମ ଓ ପ୍ରଦର୍ଶନ ସତ୍ତ୍ୱେ ଧର୍ମମାନେ ମଣିଷକୁ ଅଧ୍ୟାତ୍ମ ଆଡ଼କୁ ପ୍ରେରିତ କରିନେବାରେ ସଫଳ ହୋଇ ପାରିଲେନାହିଁ । କାରଣ, ଏହି ଲକ୍ଷ୍ୟଟିରେ ପହଞ୍ଚିବାପାଇଁ cult ଓ creedଗୁଡ଼ିକର କୌଣସି ଆବଶ୍ୟକତା ନାହିଁ, ଏକ ଅବିରାମ ଓ ସର୍ବାଙ୍ଗୀନ ପ୍ରୟାସଦ୍ୱାରା ଆତ୍ମ–ଉତ୍ତୋଳନରହିଁ ପ୍ରୟୋଜନ ରହିଛି ।

 

ଶ୍ରୀ ଅରବିନ୍ଦ ମାନବତା–ଧର୍ମ ବା Religion of Humanityର ଚର୍ଚ୍ଚା ମଧ୍ୟ କରିଛନ୍ତି । ସେହି ଧର୍ମ ଯୁଗପତ୍‌ ଭାବରେ ଏକତା ଏବଂ ସ୍ୱାଧୀନତାକୁ ସ୍ୱୀକାର କରିପାରୁଥିବ । (BCL, ୧୫, ୫୫୩) ଏକ ଆଧ୍ୟାତ୍ମିକ ମାନବତା–ଧର୍ମକୁ ସେ ଭବିଷ୍ୟ ନିମନ୍ତେ ମନୁଷ୍ୟସମାଜ ପାଇଁ ଏକମାତ୍ର ଆଶା ବୋଲି ମଧ୍ୟ ଘୋଷଣା କରିଛନ୍ତି । (ତତ୍ରୈବ, ୫୫୪) ଏବଂ, ତାଙ୍କରି ଭାଷାରେ ଉପସଂହାର କଲେ: ଯେତିକି ଯେତିକି ଅଧିକ ବ୍ୟକ୍ତି ଏହି ଆହ୍ୱାନଟିକୁ ବୁଝୁଥିବେ ଓ ନିଜନିଜର ଜୀବନରେ ତାହାକୁ ବଞ୍ଚିବାର ଉଦ୍ୟମ ମଧ୍ୟ କରିବେ, ସମ୍ଭବତଃ ସେତିକିବେଳେ ଯାଇ ପରମ ଦିବ୍ୟସତ୍ୟର ଏହି ପୃଥିବୀରେ ପ୍ରବେଶ ଘଟିବ ଏବଂ ମନୁଷ୍ୟସମାଜକୁ ତାହାର ସମ୍ଭାବ୍ୟ ଉଚ୍ଚତମ କଲ୍ୟାଣ ତଥା ପରିପୂର୍ଣ୍ଣତା–ପ୍ରାପ୍ତିର ମାର୍ଗରେ ପରିଚାଳିତ କରି ନେଇଯିବ । (ତତ୍ରୈବ, ୫୫୫)

☆☆☆

 

ଧ୍ୟାନ

 

ପ୍ରଥମେ ଏକ ଧ୍ୟାନମୟ ଜୀବନ ନିମନ୍ତେ ଶ୍ରଦ୍ଧା ଜନ୍ମେ । ସେହି ଶ୍ରଦ୍ଧାଦ୍ୱାରାହିଁ ଧ୍ୟାନର ଅଭ୍ୟାସ କରାଯାଏ । ସେହି ଅଭ୍ୟାସଦ୍ୱାରା ପାହାଚ ଉଠି ଉଠି ଯାଇ ପାରୁଥିଲେ ଏବଂ ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇପାରୁଥିଲେ କ୍ରମେ ନିରନ୍ତର ଧ୍ୟାନାବସ୍ଥିତ ହୋଇ ରହିହୁଏ । ସେତେବେଳେ ଧ୍ୟାନମୟତାରୁ ବିଚ୍ଛିନ୍ନ ହୋଇ ରହିବାଟାହିଁ କଷ୍ଟକର ହୋଇଯାଏ । ଧ୍ୟାନକୁ ଏକ ନିର୍ଦ୍ଦିଷ୍ଟ ସମୟର କିମ୍ବା ଅବସରର ଏକ ରୁଟିନ୍‌ରେ ପରିଣତ କରି ରଖିଥିବା ବ୍ୟକ୍ତିମାନେ ଏହି କଥାଟିକୁ ସହଜରେ ବୁଝିପାରନ୍ତିନାହିଁ ।

 

ଶ୍ରୀ ଅରବିନ୍ଦ ଧ୍ୟାନକୁ ଏକ still receptivityବା ସ୍ଥିର ଗ୍ରହଣଶୀଳତାର ସ୍ଥିତି ବୋଲି କହିଛନ୍ତି । (BCL, ୩, ୩୩୬) ଅର୍ଥାତ୍‌, ଅସଲ ଧ୍ୟାନରେ ଜଣେ ବ୍ୟକ୍ତି ନିଜକୁ ଥିର ଭାବରେ କିଳି ଆଣେନାହିଁ, ଥିର ଭାବରେ ଉନ୍ମୋଚିତହିଁ କରିଦିଏ । ଧ୍ୟାନ ହେଉଛି : a spiritual union with the object,–ମୁଁ ଧ୍ୟାନସ୍ଥ ହୋଇ ରହିଥିବା ବସ୍ତୁଟି ସହିତ ଏକ ଆଧ୍ୟାତ୍ମିକ ଏକତ୍ୱ–ସ୍ଥାପନ । (ତତ୍ରୈବ, ୪୧୬) ଚିତ୍ତରେ କୌଣସି ଚଞ୍ଚଳତା ନଥିବ, ତରଙ୍ଗ ନଥିବା ଗୋଟିଏ ସମୁଦ୍ର ପରି କେବଳ ଏକ ସହଜ ଅଥଚ ଗ୍ରହଣଶୀଳ ପ୍ରସାରଣହିଁ ରହିଥିବ । (ତତ୍ରୈବ, ୪୫୦) ମୁଁ ଶ୍ରଦ୍ଧାର ସହିତ ସବୁକିଛି ଭିତରେ ପ୍ରବେଶ କରିପାରୁଥିବି ଓ ସବୁକିଛି ସ୍ପର୍ଶ କରି ରହିଥିବି, କିନ୍ତୁ ଆଦୌ କିଛିହେଲେ ମୋତେ ବିଚଳିତ କରି ଦେଉ ନଥିବ । ଏକ ସମ୍ପୂର୍ଣ୍ଣ ଭାବରେ ଇତିବାଚକ ଏବଂ ପ୍ରତିରୋଧହୀନ ଆଭ୍ୟନ୍ତର ସ୍ଥିତି ଏବଂ ବିଶ୍ୱାବବୋଧ,–ତାହାକୁ ଧ୍ୟାନର ଅବସ୍ଥା ବୋଲି କୁହାଯାଇପାରିବ ।

 

ମାଆ କହିଛନ୍ତି, ଧ୍ୟାନ କରାଯାଏ ନାହିଁ, ଧ୍ୟାନ ସ୍ୱତଃସ୍ଫୂର୍ତ୍ତ ଭାବରେ ଆସେ । (MCE, ୫, ୪୫) ଯେଉଁ ଧ୍ୟାନ କରାଯାଏ, ତାହାର କୌଣସି ଆବଶ୍ୟକତା ନଥାଏ । ତାହା ପ୍ରକୃତରେ ଆମର ବିଶେଷ କୌଣସି ଅସଲ କାମରେ ଲାଗେନାହିଁ । “ମୋ’ର ସବୁଠାରୁ ଅଧିକ ଭୟ ସେଇମାନଙ୍କ ବିଷୟରେ, ଯେଉଁମାନେ କି ଧ୍ୟାନ କରି ବସନ୍ତି ଓ ଧ୍ୟାନ କରନ୍ତି ବୋଲି ନିଜକୁ ଖୁବ୍‌ ଅସାଧାରଣ ବୋଲି ଭାବନ୍ତି । ଏଇଟି ହେଉଛି ସବୁଠାରୁ ଅଧିକ ବିପଜ୍ଜନକ, କାରଣ ସେମାନେ ଏତେ ବୃଥା ଦମ୍ଭ କରନ୍ତି ଓ ଗୁଡ଼ାଏ ଆତ୍ମସନ୍ତୋଷ ଲାଭ କରନ୍ତି ଯେ, ସେମାନେ ଏହିପରି ଭାବରେ ଅଗ୍ରଗତିର ସମସ୍ତ ପଥକୁ ବନ୍ଦ କରି ଦିଅନ୍ତି ।” (ତତ୍ରୈବ)

☆☆☆

 

ନାସ୍ତିକ(ତା)

 

ଯେଉଁମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ, ଭଗବାନଙ୍କୁ ବିଶ୍ୱାସ କରୁଛନ୍ତି ବୋଲି ଭାବୁଥିବା ଲୋକମାନେ ସେମାନଙ୍କୁ ନାସ୍ତିକ ବୋଲି କହି ଆସିଛନ୍ତି । ଏପରି କହିବା ପଛରେ କାଳେ କାଳେ ଏକ ଉଗ୍ରତାହିଁ କାର୍ଯ୍ୟ କରି ଆସିଛି । ଇଉରୋପୀୟ ମଧ୍ୟଯୁଗରେ ଖ୍ରୀଷ୍ଟିଆନ ଜଗତର ସନାତନ ଗୁରୁ ପୋପ୍‌ ପ୍ରତିବାଦ କରି ଆଉ ଏକ ଖ୍ରୀଷ୍ଟିଆନ ଶାଖାର ପ୍ରଚାର କରିଥିବା ମାର୍ଟିନ୍ ଲୁଥର୍‌ଙ୍କୁ ନାସ୍ତିକ ବୋଲି କହୁଥିଲେ ଏବଂ ଶ୍ରୀ ମାର୍ଟିନ୍ ଲୁଥର୍‌ ମଧ୍ୟ ପୋପ୍‌ଙ୍କୁ ସମାନ ଅବଜ୍ଞା ସହିତ ନାସ୍ତିକ ବୋଲି କହୁଥିଲେ । ଏପରି କେହି ମଣିଷ ଅଛନ୍ତି ଯେଉଁମାନେ କି କୌଣସି ନା କୌଣସି ବିଶ୍ୱାସକୁ ଭଗବାନ୍‌ ସଦୃଶ ଆଶ୍ରା କରି ରହି ନଥାନ୍ତି ? ସମ୍ମୁଖରେ ତାରାଟିଏ ଜଳୁ ନଥିଲେ ବୋଇତଟିଏ କିପରି ଚାଲି ପାରିବ ? କୁଆଡ଼େ ଯିବ, କାହିଁକି ଯିବ ?

 

ଶ୍ରୀ ଅରବିନ୍ଦଙ୍କର ଉକ୍ତି ଅନୁସାରେ, ଯଦି ସବୁ ବ୍ୟକ୍ତିଙ୍କୁ ପୂର୍ଣ୍ଣ ସ୍ୱାଧୀନତା ସହିତ ନିଜପାଇଁ ବାଟଟିଏ ଖୋଜିବାକୁ ଅର୍ଥାତ୍‌ ବାଟଟିଏ ପାଇବାକୁ ଛାଡ଼ି ଦିଆଯାଏ, ତେବେ ସେମାନେ ସତ୍ୟ ପାଖରେ, ପରମ ଭଗବାନଙ୍କ ପାଖରେ ନିଶ୍ଚୟ ଆସି ପହଞ୍ଚିବେ । ଜଣେ ତଥାକଥିତ ନାସ୍ତିକ ମଧ୍ୟ କଦାପି ସେହି ନିୟମରୁ ବହିର୍ଭୂତ ହୋଇ ରହିବନାହିଁ । (BCL, ୧୫, ୨୧୫) ଉଭୟ ବ୍ୟକ୍ତି ତଥା ସମୂହମାନଙ୍କର ଜୀବନରେ ଅନେକ ସମୟରେ ଏହି ନାସ୍ତିକତାହିଁ ସତେ ଯେପରି ଏକ ଗଭୀରତର ଧର୍ମ–ଓ ଅଧ୍ୟାତ୍ମ ସତ୍ୟରେ ପହଞ୍ଚିବା ନିମନ୍ତେ ଗୋଟିଏ ଆବଶ୍ୟକ ପଥ ହୋଇ ରହିଥାଏ ।

 

ଯେତେବେଳେ ଇଉରୋପରେ ଧର୍ମଜୀବନ ଏକ ତୁଚ୍ଛା ଧର୍ମୀୟତା ଭିତରେ ପଶି ଭ୍ରଷ୍ଟ ହୋଇଗଲା, ଅତିରିକ୍ତ ନାନା ବାହ୍ୟାଚାରର ଜାଲଭିତରେ ପଶି ପ୍ରାଦୁର୍ଭାବ ଆରମ୍ଭ କଲା, ସେତେବେଳେ ନାସ୍ତିକତା ଏକ ବିକଳ୍ପ ମାର୍ଗର ପ୍ରତୀତିରୂପେ ଆବିର୍ଭୂତ ହୋଇଥିଲା । (BCL, ୨୨, ୧୭୪) ଧର୍ମର ମାର୍ଗରେ ଯେତେବେଳେ ଆନୁଷ୍ଠାନିକ ବହୁ ବିଭ୍ରାନ୍ତି ଉପଦ୍ରବ ଆରମ୍ଭ କରିଛନ୍ତି, ସେତିକିବେଳେ ସେହି ଭୁଲ୍‌ଟି ବିଷୟରେ ସ୍ମରଣ କରାଇ ଦେବାଲାଗି ସତେଅବା ବିଧିର ବରାଦ ପରି ନାସ୍ତିକତା ଏକ ନିର୍ଦ୍ଦିଷ୍ଟ ଭୂମିକା ଗ୍ରହଣ କରିବାକୁ ପୃଥିବୀକୁ ଆସିଥାଏ । (BCL, ୧୭, ୧୪୬)

 

ଯିଏ ସତକୁସତ ଧର୍ମରେ ଥାଏ, ସିଏ ତଥାକଥିତ ଜଣେ ନାସ୍ତିକକୁ ମଧ୍ୟ ମୋଟେ ନାସ୍ତିକ ଭାବରେ ଦେଖେନାହିଁ । ଧର୍ମନାମରେ ଯେଉଁମାନେ ଆପଣା ଆପଣା ମାର୍କାଗୁଡ଼ାକର ଗ୍ରାସରେ ପଡ଼ିଥାନ୍ତି, ସେହିମାନେ ସତେଅବା ନିଜର ସେହି ଲଜ୍ଜାର କଥାଟିକୁ ଘୋଡ଼ାଇବା ନିମନ୍ତେ ପରସ୍ପରକୁ ନାସ୍ତିକ କହି ଭର୍ତ୍ସନା କରନ୍ତି ଏବଂ ଯାବତୀୟ ସୁସ୍ଥ ଅବବୋଧକୁ ନିର୍ବାସିତ କରି ରଖିଥାଆନ୍ତି ।

☆☆☆

 

Unknown

ନିମିତ୍ତ (ଯନ୍ତ୍ର)

 

ଶ୍ରୀମଦ୍‌ଭଗବତ୍‌ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନକୁ ନିମିତ୍ତଟିଏ ହେବାର ପରାମର୍ଶ ଦେଇଛନ୍ତି-। ପୃଥିବୀରେ ପ୍ରାୟ ପ୍ରତ୍ୟେକ ମନୁଷ୍ୟ ନିଜକୁ କାହାର ନା କାହାର ନିମିତ୍ତ ବୋଲି ଭାବୁଥାନ୍ତି ଓ ତା’ପରେ ସବୁଯାକ ଲଗାମ ଛାଡ଼ିଦେଇ କ’ଣ ମନ କ’ଣ କରିଯିବାରେ ଲାଗିଥାନ୍ତି-। ନିମିତ୍ତଟିଏ ହେବା ଯେତେ ମହତ୍ୱପୂର୍ଣ୍ଣ କଥା ନୁହେଁ, ମୁଁ ସତକୁସତ କାହାର ନିମିତ୍ତ, ଆମ ଜୀବନରେ ସମ୍ଭବତଃ ତାହାହିଁ ଅଧିକ ମହତ୍ୱପୂର୍ଣ୍ଣ । ଅନେକ ମଣିଷ ଅସୁରଶକ୍ତିର ନିମିତ୍ତ ହୋଇବି ଅତ୍ୟନ୍ତ ନିଷ୍ଠାର ସହିତ ବହୁ ବିନଷ୍ଟି ଏବଂ ବିପଦର କାରଣ ହୋଇ ପାରନ୍ତି ।

 

ଶ୍ରୀ ଅରବିନ୍ଦ ଯଥାର୍ଥରେ କହିଛନ୍ତି ଯେ, ଆସୁରିକ ଶକ୍ତିର ନିମିତ୍ତ ହେବା ଏକାଧିକ ଦୃଷ୍ଟିରୁ ଅଧିକ ସହଜ, କାରଣ ତାହା ଆମ ନିମ୍ନତର ପ୍ରକୃତିର ଆଚରଣଗୁଡ଼ିକୁହିଁ କାମରେ ଲଗାଇବାରେ ଲାଗିଥାଏ ଏବଂ ଆମକୁ ସେହି କ୍ଷେତ୍ରରେ ଆଦୌ କୌଣସି ଆଧ୍ୟାତ୍ମିକ ପ୍ରୟାସ କରିବାକୁ ପଡ଼େ ନାହିଁ । ମାତ୍ର, ସକଳ ପ୍ରକାରର ଦମ୍ଭ ଓ ଅହଂକୁ ବର୍ଜନ କରି ସର୍ବତୋଭାବେ ଶୁଦ୍ଧ ନହେଲେ ପରମ ଦିବ୍ୟଶକ୍ତି ଆମକୁ ନେଇ ପ୍ରକୃତରେ କିଛିହିଁ କରିପାରନ୍ତିନାହିଁ । (BCL, ୨୬, ୩୯୩)

 

ସାଧନାରେ ମଧ୍ୟ ଠିକ୍‌ ସେହି କଥା । ଏହି ସନ୍ଦର୍ଭରେ ଶ୍ରୀ ଅରବିନ୍ଦ ଏକ magnified ego ବା ‘‘ଆବର୍ଦ୍ଧିତ ଅହଂ’’ର ଆଲୋଚନା କରିଛନ୍ତି । “ଯେତେବେଳେ ସାଧାରଣ ମନ ଓ ସାଧାରଣ ପ୍ରାଣଭୂମିଟିର ବାଡ଼ଗୁଡ଼ିକ ଭାଙ୍ଗିଯାଏ, ସେତେବେଳେ ନିଜର ଚେତନାରେ ଏକ ବିସ୍ତାର ଓ ଶକ୍ତିଶାଳିତା ଆସିଯାଏ, ସମ୍ଭାବନାଗୁଡ଼ିକର ସୀମା ମଧ୍ୟ ବହୁତ ବଢ଼ିଯାଏ; ମାତ୍ର ସେତେବେଳେ ଯଦି କେହି ସେଗୁଡ଼ିକୁ ନିଜ ଅହଂର ଲାଙ୍ଗୁଡ଼ଟା ସହିତ ବାନ୍ଧି କରି ରଖିବାକୁ ମନ କରେ, ତେବେ ସିଏ ଜଣେ ସାଧାରଣ ମନୁଷ୍ୟଠାରୁ ହଜାର ଗୁଣ ଅଧିକ ଅହଂକାରୀ ହୋଇଯାଏ । ଦିବ୍ୟ ପରମସତ୍ତାଙ୍କୁ ବୃହତ୍‌ ବୋଲି କହି ସେ ତାହାକୁ ନିଜର ବୃହତ୍‌ପଣିଆକୁ ଦେଖାଇ ହେବାର ଏକ ଅବଲମ୍ବନ ପରି ବ୍ୟବହାର କରେ ଏବଂ ଏହିପରି ଭାବରେ ତା’ର ଅହଂଟା ଏଡ଼େ ବଡ଼ ହୋଇ କେବଳ ଏହି ପୃଥିବୀଟାକୁ ନୁହେଁ, ସ୍ୱର୍ଗଗୁଡ଼ାକୁ ମଧ୍ୟ ଭର୍ତ୍ତି କରିଦିଏ ।” (BCL, ୨୪, ୧୩୮୫)

 

ପୁନଶ୍ଚ, “ନିଜର ଊର୍ଦ୍ଧ୍ୱରେ, ଚତୁର୍ଦ୍ଦିଗରେ ବା ନିଜ ଭିତରେ ଅନନ୍ତ ଶକ୍ତିର ଅନୁଭବ ଲାଭ କରି ଆମ ଭିତରର ଅହଂବୋଧଟା ତାହାକୁ ଯାଇ ମାଡ଼ିବସେ ଓ ନିଜ ଅହଂପ୍ରଣୋଦିତ କୌଣସି ଉଦ୍ଦେଶ୍ୟ–ସାଧନରେ ତାହାକୁ ବ୍ୟବହାର କରେ ।” ଶ୍ରୀ ଅରବିନ୍ଦ ଏହାକୁ ଅତ୍ୟନ୍ତ ବିପଜ୍ଜନକ ବୋଲି କହିଛନ୍ତି । ତା’ପରେ ଆମ ଭିତରେ ଗୋଟାଏ ଅସୁରହିଁ ସେହି ଶକ୍ତିକୁ ଈଶ୍ୱରଙ୍କ ନିମନ୍ତେ ନ ଲଗାଇ ନିଜପାଇଁହିଁ ଲଗାଏ । ଏଥିରେ ଆଗକୁ ଯାଇ କେବଳ ସର୍ବନାଶହିଁ ହୋଇଥାଏ । “ତେଣୁ, ଆପଣାକୁ ଦିବ୍ୟ ପରମସତ୍ତାଙ୍କର ଏକ ନିମିତ୍ତ ବୋଲି ଅନୁଭବ କରିବାଦ୍ୱାରା ତଥାପି ସମାଧାନ ମିଳେନାହିଁ । କାରଣ, ଏହି କ୍ଷେତ୍ରରେ ଅହଂଟା ବଳବାନ୍‌ ହୋଇ ମଝିରେ ଆସି ପହଞ୍ଚିଗଲେ ଆଧ୍ୟାତ୍ମିକ ସମ୍ବନ୍ଧଟି ମିଥ୍ୟାରେହିଁ ପରିଣତ ହୁଏ ଏବଂ ପରମସତ୍ତାଙ୍କର ନିମିତ୍ତ ହୋଇ ରହିଥିବାର ଆଚ୍ଛାଦନଟି ତଳେ ସେହି ପରମସତ୍ତା ଭଗବାନଙ୍କୁ ନିଜର ନିମିତ୍ତରୂପେ ବ୍ୟବହାର କରିବାହିଁ ସାର ହୋଇ ରହିଯାଏ ।” (BCL, ୨୧, ୭୩୮)

☆☆☆

 

ନୀତି (ନୈତିକତା)

 

ସମାଜ ଭିନ୍ନ ଭିନ୍ନ, ଆଚାର ଭିନ୍ନ ଭିନ୍ନ । କାଳ ଅନୁସାରେ ଆଚାରଗୁଡ଼ିକବି ବଦଳି ଯାଆନ୍ତି । ନୈତିକତା କହିଲେ ଅନେକ ସମୟରେ ଏହି ଆଚାର ଭିତରେ ରହି ଚଳିବାକୁ ବୁଝାଇଥାଏ । ତେଣୁ ନୀତିର ଏହି ବିଧାନ ସମାଜର ତାତ୍କାଳିକ ଆବଶ୍ୟକତାଗୁଡ଼ିକରୁ ଉଦ୍ଭୂବ ହୋଇଥାଏ । ସେହି ବିଧାନଗୁଡ଼ିକ ମାନିଲେ ସୁରକ୍ଷା ମିଳିଥାଏ । (BCL, ୨୭, ୨୭୧) ଆହୁରି ବିଶଦ ଭାବରେ କହିଲେ, “ନୈତିକତା ହେଉଛି ସାଧାରଣ ଜୀବନର ଏକ ଅଂଶ । ମାନସିକ ସ୍ତରର କେତୋଟି ନିୟମ ରହିଥିବ, ଯାହାକୁ କି ଜଣେ ବ୍ୟକ୍ତି ନିଜର ବାହ୍ୟ ଆଚରଣରେ ମାନି ଚଳୁଥିବ ଏବଂ କୌଣସି ଏକ ମାନସିକ ଆଦର୍ଶକୁ ଆଗରେ ରଖି ଏହିସବୁ ନିୟମ ଅନୁସାରେ ନିଜର ଚରିତ୍ରକୁ ଗଢ଼ୁଥିବ ।” (BCL, ୨୨, ୧୩୭) ତେଣୁ, “ନୈତିକତା ହେଉଛି ଜଣେ ମନୁଷ୍ୟର ମାନସିକ ଓ ପ୍ରାଣିକ ସ୍ତରର ଗୋଟିଏ ବ୍ୟାପାର । ଏକ ନିମ୍ନତର ସ୍ତରର ବ୍ୟାପାର । ତେଣୁ, ନୈତିକତାକୁ ଭୂମି କରି ଏକ ଆଧ୍ୟାତ୍ମିକ ଜୀବନର ପ୍ରତିଷ୍ଠା ହୋଇ ପାରିବନାହିଁ ।” (ତତ୍ରୈବ, ୧୪୪) ଶ୍ରୀ ଅରବିନ୍ଦ ନୈତିକତାକୁ ଏକ Stopgap ବା ତାତ୍କାଳିକ କାର୍ଯ୍ୟସାଧନ କରିପାରୁଥିବା ଏକ ବ୍ୟାପାର ବୋଲି କହିଛନ୍ତି । (ତତ୍ରୈବ, ୪୫୧)

 

ଏବଂ ଅନ୍ୟତ୍ର, “ଏକ ନୈତିକ ନିୟମ କିମ୍ବା ଆଦର୍ଶକୁ ଲୋକମାନଙ୍କ ଉପରେ ନେଇ ଲଦି ଦିଆଯାଇପାରେ, କାରଣ ଚେତନା ଯେଉଁ ସ୍ତରକୁ ଆସିଲେ ନୀତି ବା ନୈତିକ ବିଧାନ ସେମାନଙ୍କର ଜୀବନରେ ସତକୁସତ ଏକ ପ୍ରକୃତ ଅନୁଭୂତି ତଥା ଜୀବନ୍ତ ଶକ୍ତିରେ ପରିଣତ ହୋଇ ପାରନ୍ତା, ସେମାନେ ସେହି ସ୍ତରରେ ଆସି ପହଞ୍ଚି ନଥାନ୍ତି ।” (BCL, ୨୦, ୧୯୨–୩) ସେହି କ୍ଷେତ୍ରରେ ନୈତିକତା ହୁଏତ ଏକ ଆଦର୍ଶରୂପେ ରହିଥାଏ, ବାସ୍ତବ ଅନୁଶୀଳନର କ୍ଷେତ୍ରକୁ ଆସି ନଥାଏ, କେବଳ ବାହ୍ୟ ଭାବରେ ଅନୁସୃତ ହେଉଥାଏ, ତାହାର ମର୍ମ ସହିତ ଆଦୌ କୌଣସି ସ୍ପର୍ଶ ଘଟି ନଥାଏ ।

 

ଆଧ୍ୟାତ୍ମିକ ଜୀବନ ନୀତି ଅଥବା ନୈତିକତାକୁ ଅସ୍ୱୀକାର କରେନାହିଁ । ଅଧ୍ୟାତ୍ମ ପଥରେ ଯାଉଥିବା ଜଣେ ବ୍ୟକ୍ତିର ଜୀବନରେ ହୁଏତ ଅଧିକ ନୀତି ଓ ଅଧିକ ବିଧାନ–ଶୃଙ୍ଖଳା ରହିଥାଏ ମାତ୍ର ସେଗୁଡ଼ିକୁ ବାହାରୁ ଆଣି ଲଦି ଦିଆହୋଇ ନଥାଏ, ସିଏ ନିଜେହିଁ ନିଜର ଆବଶ୍ୟକତା ଅନୁସାରେ ସେଗୁଡ଼ିକୁ ଗ୍ରହଣ କରିଥାଏ ।

☆☆☆

 

ପରିପୂର୍ଣ୍ଣତା

 

ପରିପୂର୍ଣ୍ଣତାକୁ ଶ୍ରୀ ଅରବିନ୍ଦ ଯାବତୀୟ ସଂସ୍କୃତିର ଯଥାର୍ଥ ଲକ୍ଷ୍ୟ ବୋଲି ଘୋଷଣା କରିଛନ୍ତି । (BCL, ୧୬, ୫) କେବଳ ଦୈହିକ, ପ୍ରାଣିକ କିମ୍ବା ମାନସିକ ଲକ୍ଷ୍ୟ ନୁହେଁ, ତାହାହିଁ ଆମ ଚୈତ୍ୟ ସ୍ତରର ଲକ୍ଷ୍ୟ, ତାହାହିଁ ଆଧ୍ୟାତ୍ମିକ ସ୍ତରର ଲକ୍ଷ୍ୟ ନୁହେଁ, ତାହାହିଁ ଆମ ଚୈତ୍ୟ ସ୍ତରର ଲକ୍ଷ୍ୟ ‘ମନୁଷ୍ୟସତ୍ତାର ଦିବ୍ୟ ପରିପୂର୍ଣ୍ଣତା’, ‘ଏହି ଅଦିବ୍ୟ ନିମ୍ନତର ପ୍ରକୃତି ମଧ୍ୟରୁ ଏକ ଉଚ୍ଚତର ଦିବ୍ୟ ପ୍ରକୃତି ମଧ୍ୟକୁ ଉତ୍ତରଣ’,–ଏହିପରି ଆହୁରି କେତେଭାବେ ସେ ସେହି କଥାଟିକୁ ବ୍ୟକ୍ତ କରିଛନ୍ତି । (ତତ୍ରୈବ, ୨୧, ୫୯୦, ୬୭୧)

 

ପଶୁଜୀବନର ପରିପୂର୍ଣ୍ଣତା ହେଉଛି ତା’ ସହଜାତ ପ୍ରବୃତ୍ତିଗୁଡ଼ିକର କ୍ଷେତ୍ରରେ ପରିପୂର୍ଣ୍ଣତା । ପଶୁ ଭିତରେ କାର୍ଯ୍ୟ କରୁଥିବା ପ୍ରକୃତିହିଁ ତାକୁ ସେହି ପରିପୂର୍ଣ୍ଣତା ଆଡ଼କୁ ମୁହାଁଇ ନେଇ ଯାଇଥାଏ । ମନୁଷ୍ୟ ଭିତରେ ମନ ବୋଲି ଏକ ସାମର୍ଥ୍ୟ ରହିଛି ଯାହାକି ପଶୁଠାରେ ନାହିଁ । ମନୁଷ୍ୟର ପରିପୂର୍ଣ୍ଣତା ମନୁଷ୍ୟ ସଚେତନ ହେଲେ ଯାଇ ସମ୍ଭବ ହେବ । ଶ୍ରୀ ଅରବିନ୍ଦଙ୍କର ଭାଷାରେ, ଏକ ସଚେତନ ସ୍ୱତଃସ୍ଫୂର୍ତ୍ତତାଦ୍ୱାରା ଆସିବ । (ତତ୍ରୈବ, ୧୫, ୨୨୯) ପ୍ରକ୍ରିୟାଟିକୁ ସେ unfolding of the ever perfect Spirit ବୋଲି କହିଛନ୍ତି । (ତତ୍ରୈବ, ୨୨୮) ଯାହା ବିକଶିତ ହେବ ବୋଲି ଅଭିପ୍ରେତ ହୋଇ ରହିଛି, ତାହା ବିକଶିତ ହୋଇ ଆସିବ ।

 

ମନୁଷ୍ୟ ହିସାବରେ ଆମ ପ୍ରତ୍ୟେକଙ୍କ ଭିତରେ ଏକ “will to be” ଏବଂ ଏକ “power of life” ରହିଛି । ଆମେ ତାହାକୁ ଆମ ଭାଷାରେ “ସତତ କିଛି ହେଉଥିବାର ଇଚ୍ଛା” ଏବଂ “ପ୍ରାଣସ୍ତରର ଶକ୍ତି” ବୋଲି କହିପାରିବା । ଏହି ଉଭୟଟିର ଏକ ସ୍ତରଗତ ଊର୍ଦ୍ଧ୍ୱାୟନ ବା upward transference ସଂଘଟିତ ହେବ । (ତତ୍ରୈବ) ଅର୍ଥାତ୍‌ ଗୋଟିଏ ପକ୍ଷରେ ଆମ ଭିତରେ ଥିବା ପ୍ରାଣିକ ଅଂଶଟି ଏବଂ ଅନ୍ୟ ପକ୍ଷରେ ଆମର Spirit ବା ଆମ ଅନ୍ତରାତ୍ମା,–ଆମ ଜୀବନରେ କିଏ ମାଲିକ ହେବ, କାହା ବୋଲରେ ଆମେ ଚାଲିବା,–ଆମକୁ ଦୁଇଟି ମଧ୍ୟରୁ ଗୋଟିକୁ ବାଛିନେବାକୁ ପଡ଼ିବ । ଦ୍ୱିତୀୟ ମାର୍ଗଟିହିଁ ଆମକୁ ପରିପୂର୍ଣ୍ଣତା ଆଡ଼କୁ ନେବ । ସାଧନଗୁଡ଼ିକ ହେଲା, ମନ ସ୍ଥିର ଓ ସମ୍ମତ ହୋଇ ଆସିବ, ନିଜ ଭିତରେ ବିରାଜମାନ ସେହି ପରମ ଶକ୍ତି ବିଷୟରେ ଆମେ ସଜ୍ଞାନ ରହିବା, ତାହାରି ଆଡ଼କୁ ଖୋଲିଯିବା, ଏବଂ ସେହି ଶକ୍ତିକୁ ଆମ ଭିତରେ କାର୍ଯ୍ୟ କରିବାଲାଗି ବାଟ ଛାଡ଼ିଦେବା । ମନ ଅଥୟ ହୋଇ ରହିଥିଲେ କିଛି ହୋଇପାରିବ ନାହିଁ । ପୁନଶ୍ଚ, ନିଜର ଅପୂର୍ଣ୍ଣତାଗୁଡ଼ିକ ବିଷୟରେ ନିଜ ଭିତରେ ମନନ କରିବାରେ ଲାଗିଥିଲେ, କ’ଣ କରିବି ଓ କିପରି କରିବି ପ୍ରଭୃତିକୁ ନେଇ ସର୍ବଦା ଭାବୁଥିଲେ ମଧ୍ୟ ବାଧାମାନେ ରହିଥିବେ । (BCL, ୨୩, ୭୦୩)

 

ଏବଂ, ଯଦି ଏହି Spiritକୁ ଆମେ କୌଣସି ନିର୍ଦ୍ଦିଷ୍ଟ ମାନସିକ ଧାରଣା, ବିଚାର, କୌଣସି ନିର୍ଦ୍ଦିଷ୍ଟ ଧର୍ମାଚାରର system ବା ବିଧାନ, ବୁଦ୍ଧିଦ୍ୱାରା ଶାସିତ କୌଣସି ସତ୍ୟ, ସୌନ୍ଦର୍ଯ୍ୟ–ଅନୁଶୀଳନର କୌଣସି ମଡ଼େଲ୍‌, କୌଣସି ନୈତିକ ନିୟତି–ସଂହିତା ଅଥବା ଉପସ୍ଥିତ କ୍ଷେତ୍ରରେ ବା ସ୍ଥିତିରେ ତୁରନ୍ତ କାମ ଦେଉଥିବା କୌଣସି କର୍ମପଦ୍ଧତି ଭିତରେ ବାନ୍ଧି ରଖିବାକୁ ମନ କରୁଥିବା ଏବଂ ଏହିସବୁ ଗୁଳାରୁ ବ୍ୟତିକ୍ରମ ହୋଇଗଲେ ପ୍ରମାଦ ହୋଇଯିବ ଏବଂ ଆମେ ଅଧ୍ୟାତ୍ମଜୀବନରୁ ବିଚ୍ୟୁତ ହୋଇଯିବା ବୋଲି ଚିନ୍ତା କରୁଥିବା, ତେବେ ଆମ ପରିପୂର୍ଣ୍ଣତାର ପ୍ରୟାସଟି ମଧ୍ୟ ବାଧାପ୍ରାପ୍ତ ହେବ । ଏସିଆ ଏହି ଭୁଲଟି କରିଛି ଏବଂ ତେଣୁ ନିଜର ବିକାଶକୁ ବ୍ୟାହତ କରି ନିମ୍ନଗତି ହୋଇଛି ବୋଲି ଶ୍ରୀ ଅରବିନ୍ଦ ମନ୍ତବ୍ୟଟିଏ କରିଛନ୍ତି । To subject the higher to a lower principle–ତାହାଦ୍ୱାରା ପରିଣାମ ଏହାହିଁ ହୋଇଛି । (ତତ୍ରୈବ, ୧୫, ୨୨୯)

☆☆☆

 

ପାଶ୍ଚାତ୍ୟ

 

ପ୍ରାୟ ଊନବିଂଶ ଶତାବ୍ଦୀରୁ, ଯେବେଠାରୁ ପ୍ରାଚ୍ୟ ପାଶ୍ଚାତ୍ୟ ପରସ୍ପର ବିଷୟରେ ବିଧିବଦ୍ଧ ଭାବରେ ଅବଗତ ହେଲେ, ସେହି ଦିନଠାରୁ ଦୁହିଁଙ୍କ ମଧ୍ୟରେ ଏକ କନ୍ଦଳ ଲାଗି ଆସିଛି । ସେହି ସନ୍ଦର୍ଭରେ ଉଭୟ ପଟେ କେତେ ପ୍ରକାରର ପ୍ରତିକ୍ରିୟା ବ୍ୟକ୍ତ କରାଯାଇଛି । ଶ୍ରୀ ଅରବିନ୍ଦ ତାଙ୍କର ଗ୍ରନ୍ଥମାନଙ୍କରେ ମଧ୍ୟ ପ୍ରାଚ୍ୟ–ପାଶ୍ଚାତ୍ୟର ବିଶ୍ଳେଷଣ କରିଛନ୍ତି, ନିଜ ଭବିଷ୍ୟଦୃଷ୍ଟିର ଦର୍ପଣ ଉପରେ ପୃଥିବୀ ଅର୍ଥାତ୍‌ ମନୁଷ୍ୟଜାତିର ନିୟତିକୁ ଠାବ କରିବାର ପ୍ରକ୍ରିୟାରେ ପାଶ୍ଚାତ୍ୟ ତଥା ପ୍ରାଚ୍ୟ ଉଭୟଙ୍କର ଅବଦାନ ସମ୍ବନ୍ଧରେ ବହୁ ଅନ୍ତର୍ଦୃଷ୍ଟି ପ୍ରକଟ କରିଛନ୍ତି ।

 

୧୯୪୯ ମସିହାରେ ତାଙ୍କର ଜନ୍ମଦିନ ଅବସରରେ ଆମେରିକା ପାଇଁ ପ୍ରଦତ୍ତ ଏକ ବାର୍ତ୍ତାରେ ଆମକୁ ସମ୍ଭବତଃ ସେହି ବିଷୟରେ ଏକ ସର୍ବୋତ୍ତମ ସ୍ୱୀକାରାତ୍ମକ ନିଷ୍କର୍ଷଟିଏ ମିଳିଯାଇ ପାରିବ । (BCL, ୨୬, ୪୧୩...) ଆଲୋଚ୍ୟ ପ୍ରକରଣଟିରେ ଆମେ ସେଇଥିରୁ କିଞ୍ଚିତ୍‌ ସୂଚନା ଆହରଣ କରିବାକୁ ବହୁତ ସୁରାଖ ପାଇଯିବା । ଏଇଟିକୁ ଶ୍ରୀ ଅରବିନ୍ଦ ପାଶ୍ଚାତ୍ୟ ତଥା ପ୍ରାଚ୍ୟ ଉଭୟଙ୍କୁହିଁ ତାଙ୍କର ବାର୍ତ୍ତା ବୋଲି କୁହାଯାଇପାରିବ ବୋଲି କହିଛନ୍ତି : “ମନୁଷ୍ୟ–ପରିବାରର ଏହି ଦୁଇ ଭାଗ ମଧ୍ୟରେ ରହିଥିବା ପାର୍ଥକ୍ୟ ବିଷୟରେ ସଚରାଚର ବହୁତ କଥା କୁହାହୋଇ ଆସିଛି, ଗୋଟିଏ ଆଉ ଗୋଟିକର ଓଲଟା ବୋଲି ଦେଖାଇବାର ଚେଷ୍ଟାବି ହୋଇଛି; ମାତ୍ର ମୁଁ ପାର୍ଥକ୍ୟ ଓ ଫରକ ବିଷୟରେ ନ କହି ସାମଞ୍ଜସ୍ୟ ଓ ଐକ୍ୟ ବିଷୟରେହିଁ କହିବାକୁ ଇଚ୍ଛା କରୁଛି । ଦୁଇ ପଟର ସେହି ସମାନ ମାନବିକ ପ୍ରକୃତି ରହିଛି, ଏକ ସାଧାରଣ ମାନବନିୟତି ରହିଛି, ଏକ ଉଚ୍ଚତର ପରିପୂର୍ଣ୍ଣତା ନିମନ୍ତେ ସମାନ ଆସ୍ପୃହା ରହିଛି ଏବଂ ଏକ ଉଚ୍ଚତର କୌଣସି ପ୍ରାପ୍ତି ଲାଗି ଆମେ ଉଭୟ ଭିତରେ ଓ ଏପରିକି ବାହାରେ ମଧ୍ୟ ଅଗ୍ରସର ହେବାରେ ଲାଗିଛୁ । ...କେତେ ବ୍ୟକ୍ତି ପ୍ରାଚ୍ୟର ଆଧ୍ୟାତ୍ମିକତା ଏବଂ ପାଶ୍ଚାତ୍ୟର ବସ୍ତୁବାଦ ବିଷୟରେ ଉଲ୍ଲେଖ ମଧ୍ୟ କରିଛନ୍ତି; ମାତ୍ର ପ୍ରାଚ୍ୟ ପରି ପାଶ୍ଚାତ୍ୟର ମଧ୍ୟ ଆଧ୍ୟାତ୍ମିକ ଅନ୍ୱେଷଣମାନ ରହିଛି । ...ଏବଂ ପ୍ରାଚ୍ୟରେ ମଧ୍ୟ ତା’ର ନିଜର ବସ୍ତୁବାଦୀ ପ୍ରବୃତ୍ତିମାନ ରହିଛି, ସାମଗ୍ରୀଗତ ଚମତ୍କାରଗୁଡ଼ିକ ମଧ୍ୟ ରହିଛି । ...ପ୍ରାଚ୍ୟ ଓ ପାଶ୍ଚାତ୍ୟ ପରସ୍ପରକୁ ସର୍ବଦାହିଁ ଭେଟିଛନ୍ତି; ...ପରସ୍ପର ଉପରେ ପ୍ରଭାବ ପକାଇଛନ୍ତି ଏବଂ ସମ୍ପ୍ରତି ପ୍ରକୃତି ଓ ନିୟତିଦ୍ୱାରା ସେହିପରି କରିବା ନିମନ୍ତେ ଅଧିକ ବାଧ୍ୟ ହେଉଛନ୍ତି ।

 

“ଆଶା ସମାନ ରହିଛି, ନିୟତି ସମାନ ରହିଛି ଓ ତେଣୁ ଉଭୟ ଆଧ୍ୟାତ୍ମିକ ତଥା ଭୌତିକ କ୍ଷେତ୍ରରେ ସହକର୍ମୀଭାବେ ଉଭୟଙ୍କର ପ୍ରୟୋଜନ ରହିଛି । ବ୍ୟବଧାନ ଏବଂ ପାର୍ଥକ୍ୟ ଆଡ଼କୁ ନୁହେଁ, ଏଣିକି ଆମକୁ ଏକତା ବିଷୟରେହିଁ ଚିନ୍ତା କରିବାକୁ ହେବ, କାରଣ ଆମେ ସେହି ଗୋଟିଏ ସାଧାରଣ ଲକ୍ଷ୍ୟ ଅଭିମୁଖରେହିଁ ଯାତ୍ରା କରୁଛୁ ।”

 

ସେହି ଲକ୍ଷ୍ୟଟି ପ୍ରକୃତରେ କ’ଣ ହେବ ? ହୁଏତ ଏହି କ୍ଷେତ୍ରରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦୃଷ୍ଟିରେ ଫରକ ରହି ଆସିଥିବା ପରି ବୋଧ ହୋଇଛି । ପ୍ରାଚ୍ୟ ସର୍ବଦା ଆତ୍ମାର ସତ୍ୟକୁ ଉଚ୍ଚତମ ବୋଲି ମାନି ଆସିଛି, ପାଶ୍ଚାତ୍ୟ ଏହି ପୃଥିବୀ ଉପରେହିଁ ନିଜକୁ ସଂକ୍ରେନ୍ଦିତ କରିଛି । ମନ, ପ୍ରାଣ ଓ ଭୌତିକ ଜଗତରେ ମନୁଷ୍ୟର ପରିପୂର୍ଣ୍ଣତା ଉପରେ ଗୁରୁତ୍ୱ ଦେଇ ଆସିଛି । ମାତ୍ର, ପୁନର୍ବାର ଶ୍ରୀ ଅରବିନ୍ଦ ଭାଷାରେ କହିଲେ, “ଦୁଇଟିଯାକ ସତ୍ୟ ଆଦୌ ପରସ୍ପରର ବିରୋଧୀ ନୁହନ୍ତି । ବରଂ, ଭବିଷ୍ୟ କହିଲେ ଆମ ସମ୍ମୁଖରେ ଯେଉଁ ଚିତ୍ରଟି ରହିଛି, ସେଥିରେ ଦୁଇଟିଯାକହିଁ ଅବଶ୍ୟ ରହିବ ଓ ଦୁହିଁଙ୍କ ମଧ୍ୟରେ ରହିଥିବା ବ୍ୟବଧାନକୁ ହ୍ରାସ କରି ଆଣିବାକୁ ପଡ଼ିବ ।” (ତତ୍ରୈବ, ୪୧୫)

☆☆☆

 

ପୂର୍ଣ୍ଣଯୋଗ

 

ସାଧକ ପୃଥିବୀରୁ ପଳାଇ ଯିବନାହିଁ, ନିଜର ସାଧନା ଓ ଯୋଗ୍ୟତାଲାଭଦ୍ୱାରା ସିଏ ଏହି ପୃଥ୍ୱୀଜୀବନର ପୂର୍ଣ୍ଣ ପରିବର୍ତ୍ତନରେ ସହଯୋଗ କରିବ: ଏହାହିଁ ପୂର୍ଣ୍ଣଯୋଗର ସ୍ପଷ୍ଟ ଏବଂ ସର୍ବମୂଳ ଲକ୍ଷ୍ୟ । ଯୋଗର ଅନ୍ୟାନ୍ୟ ପଥଗୁଡ଼ିକ ଆରୋହଣକୁ ମୂଳ ଲକ୍ଷ୍ୟ ବୋଲି ଘୋଷଣା କରିଛନ୍ତି; ପୂର୍ଣ୍ଣଯୋଗରେ ସେଇଟି ହେଉଛି ପ୍ରଥମ ସୋପାନ, It is a means for the descent: ଅର୍ଥାତ୍‌ ଏହା କେବଳ ଏକ ନୂତନ ଚେତନାକୁ ଆରୋହଣ କରିବାକୁ ସମ୍ପୂର୍ଣ୍ଣ ସାଧନା ବୋଲି କହେନାହିଁ; ନୂତନ ଚେତନାକୁ ଆରୋହଣ ଏବଂ ସେହି ଚେତନା ସହିତ ପୁନର୍ବାର ଏଠାକୁ ଅବତରଣ ଓ ଏହି ଜୀବନର ପୂର୍ଣ୍ଣ ନବବିନ୍ୟାସକୁ ବୁଝାଇଥାଏ । (BCL, ୨୨, ୧୦୦) ଶ୍ରୀ ଅରବିନ୍ଦ ଏହାକୁ ଏକ ଆଧ୍ୟାତ୍ମିକ ସାହସଯାତ୍ରା ବୋଲି କହିଛନ୍ତି (a spiritual adventure)-। (ତତ୍ରୈବ, ୧୦୧)

 

ପୂର୍ଣ୍ଣଯୋଗ ଅର୍ଥାତ୍‌ ଅଧ୍ୟାତ୍ମଯୋଗ । ଏଥିରେ ବ୍ୟକ୍ତିଗତ ମୁକ୍ତି ଓ ବ୍ୟକ୍ତିଗତ ଆନନ୍ଦର ଲକ୍ଷ୍ୟଗୁଡ଼ିକୁ ଡେଇଁ ଯିବାକୁ ହୁଏ । ଲକ୍ଷ୍ୟ ହେଉଛି ‘fulfilment of the divine humanity in ourselves and others’, ନିଜ ଭିତରେ ଓ ଅନ୍ୟସମସ୍ତଙ୍କ ଭିତରେ ଦିବ୍ୟ ମାନବତାର ଉପଲବ୍ଧି । (ତତ୍ରୈବ, ୧୬, ୪୧୩) ଏହି ଅର୍ଥରେ ପୂର୍ଣ୍ଣଯୋଗୀ ହେଉଛି ଦିବ୍ୟ ପରିପୂର୍ଣ୍ଣତାର ସାଧକ,–ସ୍ୱୟଂ ଦିବ୍ୟତାର ଉପଲବ୍ଧି କରି to bring all mankind to the same divine perfection–ସମଗ୍ର ମାନବଜାତିକୁ ନିଜ ସହିତ ସେହି ଦିବ୍ୟ ପରିପୂର୍ଣ୍ଣତାକୁ ନେଇଯିବା । (ତତ୍ରୈବ, ୧୭, ୬୧)

 

ଏହି ପୂର୍ଣ୍ଣଯୋଗକୁ ଆମେ ଏକ ମାର୍ଗଚତୁଷ୍ଟୟ ବୋଲି ବୁଝିବା : ମନପାଇଁ ଏକ Yoga of Knowledge, ହୃଦୟପାଇଁ ଏକ Yoga of Bhakti, ଇଚ୍ଛାଶକ୍ତି ବା will ପାଇଁ ଏକ Yoga of Works ଏବଂ ସମଗ୍ର ପ୍ରକୃତିପାଇଁ a Yoga of Perfection (ତତ୍ରୈବ, ୨୪, ୧୬୨୨)

 

ପୂର୍ଣ୍ଣଯୋଗରେ ଅନ୍ତର୍ଜୀବନ ସହିତ ବାହ୍ୟ ଜୀବନ ମଧ୍ୟ ବଦଳିବ,–ଏହାହିଁ ହେଉଛି ଏଥିରେ ଏକ ବଡ଼ ସମସ୍ୟା, ଏବଂ ଆମେ ସମ୍ମତ ହୋଇ ପାରିଲେ, ଏକ ବୃହତ୍‌ ଗୌରବ । ଭିତରର ମନୁଷ୍ୟଟି ବୁଝୁଥିବା ସଙ୍ଗେ ସଙ୍ଗେ ବାହାରର ମଣିଷଟି ମଧ୍ୟ ଅନୁରୂପ ଭାବରେ ବଦଳି ଯାଉଥିବ । ଅନେକ ସମୟରେ ଅନ୍ତର୍ସତ୍ତାଟି ମୁକ୍ତ ହୋଇ ଯାଇଥାଏ, କିନ୍ତୁ ବାହ୍ୟ ସତ୍ତା ତଥାପି ସେହି ପୁରୁଣା ପ୍ରକୃତିଟି ପାଖରେ ଲାଖି ରହିଥାଏ । ତାହାହିଁ ପ୍ରମାଦର କାରଣ ହୁଏ । ଭିତର ସହିତ ବାହାରଟି ମଧ୍ୟ ବଦଳି ପାରିବାକୁ ଶ୍ରୀ ଅରବିନ୍ଦ the most difficult of all things ବୋଲି କହିଛନ୍ତି । (BCL, ୨୬, ୧୪୦)

☆☆☆

 

ପୃଥିବୀ

 

ଥରେ ମାଆ ଭାବାବିଷ୍ଟ ହୋଇ ରହିଥିଲେ । କେତେକଅଣ ପ୍ରତ୍ୟକ୍ଷ କରୁଥିଲେ । ଏବଂ ତା’ପରେ ପୁନର୍ବାର ଆମର ଏହି ସାଧାରଣ ନିତ୍ୟନୈମିତ୍ତିକ ପୃଥିବୀଟି ଭିତରକୁ ଫେରି ଆସିଥିଲେ-। ସେତେବେଳେ ମାଆକୁ ଏଠାରେ ସବୁକିଛି କ’ଣ କେମିତି ହୋଇ ଦେଖାଗଲା, ଏକ ପ୍ରସଙ୍ଗରେ ସେ ତାହା ବର୍ଣ୍ଣନା କରି କହିଛନ୍ତି, “ଏଠି ସାଧାରଣ ଜୀବନରେ ସବୁକିଛି ବଡ଼ କୃତ୍ରିମ । ଏଠାରେ କିଏ ଆକସ୍ମିକ ଭାବରେ କେଉଁଠି ଜନ୍ମ ହୋଇଛି ବା କେଉଁଭଳି ପରିବେଶରେ ବଢ଼ିଛି, ସେହି ଅନୁସାରେହିଁ ସିଏ ଉଚ୍ଚ ଅଥବା ନ୍ୟୂନ ହୋଇ ରହିଥାଏ, ଅଥବା ଅଳ୍ପ ବହୁତ ଆରାମ ଓ ସୁଖ ମଧ୍ୟରେ ଜୀବନ ଅତିବାହିତ କରୁଥାଏ । ...କେବଳ ଆକସ୍ମିକ ପରିସ୍ଥିତିହିଁ ଜଣେ ବ୍ୟକ୍ତିକୁ ଏହି ସୁଖ ଏବଂ ଆରାମ ଭୁଞ୍ଜିବା ଲାଗି ସମର୍ଥ କରିଥାଏ । ଏଠାରେ ହୁଏତ ଜଣେ ନିତାନ୍ତ ଅଯୋଗ୍ୟ ବ୍ୟକ୍ତି ଏକ ବହୁତ ଉଚ୍ଚ ସ୍ଥାନରେ ଯାଇ ରହିଥାଏ ଏବଂ ବହୁତ ଯୋଗ୍ୟତା ରହିଥିବା ଆଉଜଣେ ନାନା ଅଳ୍ପତା ଏବଂ ସୀମା ଭିତରେ ବହୁ ତଳେ ଘୋଷାରି ହେଉଥାଏ । ଏବଂ, ଯଦି ଏହି ପୃଥିବୀ ନିଷ୍ଠାରେ ଚାଲୁଥାନ୍ତା, ତେବେ ସିଏ ପ୍ରକୃତରେ କେତେକେତେ କାମରେ ଲାଗି ପାରୁଥାନ୍ତା-।” (MCE, ୯, ୨୭୭) ପୁନଶ୍ଚ, “ଏଠାରେ ଏହି ଅତ୍ୟନ୍ତ ଉଦ୍ଭଟ କଥାଟି ଦେଖିବାକୁ ମିଳିବ ଯେ, ଏଠାରେ ଯାବତୀୟ ପ୍ରକାରର କୃତ୍ରିମ ସାଧନ ବ୍ୟବହାର କରିବାକୁ ପଡ଼ିଥାଏ । ଜଣେ ନିତାନ୍ତ ନିର୍ବୋଧ ମନୁଷ୍ୟ ପାଖରେ ଆବଶ୍ୟକ ଦ୍ରବ୍ୟଗୁଡ଼ିକୁ ହାସଲ କରିବାର ବଳ ରହିଥିଲେ, ଏଠାରେ ସିଏ ଅଧିକ ଶକ୍ତିଶାଳୀ ହୋଇ ପାରୁଛି ।” (ତତ୍ରୈବ, ୨୮୧)

 

କେଉଁ ଭଗବାନ କଦାପି ପୃଥିବୀ ଏପରି ହେବାକୁ ଇଚ୍ଛା କରିନାହାନ୍ତି । ପୃଥିବୀରେ ମିଥ୍ୟା, ଅନୀତି ଓ ଦୁଃଖ ଭର୍ତ୍ତି ହୋଇ ରହିଛି ଅଥଚ ସେଥିପାଇଁ ଆଧ୍ୟାତ୍ମିକତାଦ୍ୱାରା କୌଣସି ପ୍ରତିକାର ସମ୍ଭବ କାହିଁକି ହେଉନାହିଁ ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ମାଆ କହିଛନ୍ତି : “କାରଣ ଏପର୍ଯ୍ୟନ୍ତ କେବଳ ଦୁର୍ବଳତାଦ୍ୱାରାହିଁ ମନ୍ଦ (Evil)ର ଜବାବ ଦିଆଯାଇଛି । ଏପରି ଏକ ଆଧ୍ୟାତ୍ମିକ ଶକ୍ତିଦ୍ୱାରା ତା’ର ଜବାବ ଦିଆଯାଇଛି, ଏହି ଭୌତିକ ସ୍ତରର ବାସ୍ତବ ପୃଥିବୀକୁ ବଦଳାଇ ପାରିବାକୁ ଯାହାଭିତରେ କି କୌଣସି ବଳ ନାହିଁ । ତେଣୁ, ସଦିଚ୍ଛାର ଏହି ବିଶାଳ ବିଶାଳ ପ୍ରୟାସ କେବଳ ଅତି ଶୋଚନୀୟ ଭାବରେ ବିଫଳ ହୋଇଛି ଏବଂ ତେଣୁ ପୃଥିବୀ ଏପରି ଦୁଃଖ, ଅନୀତି ଓ ମିଥ୍ୟାରେ ବୁଡ଼ି ରହିଛି । ପ୍ରତିକୂଳ ଶକ୍ତିମାନେ ଯେଉଁ ସବୁଠାରେ ରାଜତ୍ୱ କରୁଛନ୍ତି, ଠିକ୍‌ ସେହି ଭୂମିରେ ଆମ ପାଖରେ ସେମାନଙ୍କଠାରୁ ଅଧିକ ଶକ୍ତି ରହିଥିବା ଦରକାର, ଯେଉଁ ଶକ୍ତି କି ସେମାନଙ୍କୁ ସେହିଠାରେହିଁ ସମ୍ପୂର୍ଣ୍ଣ ଭାବରେ ପରାଭୂତ କରି ଦେଇପାରିବ । ଅନ୍ୟଭାବେ କହିଲେ, ଏପରି ଏକ ଆଧ୍ୟାତ୍ମିକ ଶକ୍ତିର ଆବଶ୍ୟକତା ରହିଛି, ଯାହାର କି ଚେତନା ଓ ବାହ୍ୟ ଜଗତ ଦୁହିଁଙ୍କୁ ବଦଳାଇ ପାରିବାର ସାମର୍ଥ୍ୟ ରହିଥିବ । ସେହି ଶକ୍ତି ହେଉଛି ଅତିମାନସ ଶକ୍ତି ।” (ତତ୍ରୈବ, ପୃଷ୍ଠା ୪–୫)

 

ନିଜ ପୁଅକୁ ଲିଖିତ ଗୋଟିଏ ଚିଠିରେ ମାଆ ଏକଦା ଲେଖିଥିଲେ : “ଏହି ପୃଥିବୀରେ ମିଥ୍ୟାର ଭୟାବହତା ସବୁଆଡ଼େ ବ୍ୟାପି ଯାଇଛି ଏବଂ ନିଜ ଅନ୍ଧକାରର ବିଧାନଦ୍ୱାରା ପୃଥିବୀକୁ ଶାସନ କରୁଛି । ମୁଁ ଭାବୁଛି ଯେ, ତା’ର ଏହି ରାଜତ୍ୱ ପୃଥିବୀରେ ଯଥେଷ୍ଟ କାଳ ରହି ସାରିଲାଣି ଏବଂ ସେହି ପ୍ରଭୁର ସେବା କରିବାକୁ ଆମେ ଏଥର ମନାହିଁ କରିଦେବା । ଏହାହିଁ ଉଦ୍ଧାରର ସର୍ବବୃହତ୍‌ ବାଟ, ଏକମାତ୍ର ବାଟ ।” (MCE, ୧୬, ୭)

☆☆☆

 

ପ୍ରକୃତି

 

ମଣିଷର ପ୍ରକୃତି ବିଷୟରେ ମେଧା ଏବଂ ମନୀଷୀ ଥିବା ଲୋକମାନେ ସତେଯେପରି କ୍ୱଚିତ୍‌ ଭଲ କଥା କହିଛନ୍ତି । ସେମାନେ କୌଣସି କାରଣରୁ ମନୁଷ୍ୟକୁ କ୍ୱଚିତ୍‌ ଉଲ୍ଲେଖଯୋଗ୍ୟ ଭାବରେ ଅଲଗା ପ୍ରକାରର ବୋଲି କଳ୍ପନା କରିପାରିଛନ୍ତି । ପଶୁର ପ୍ରକୃତି ବଦଳେ ନାହିଁ, ଏବଂ ମନୁଷ୍ୟର ପ୍ରକୃତି ମଧ୍ୟ ସେମାନଙ୍କର ଆଖିକୁ ମୋଟେ ବଦଳୁ ନଥିଲା ପରି ଦେଖାଯାଏ । କେତେ ମନୀଷୀ ମନୁଷ୍ୟର ପ୍ରକୃତିକୁ କୁକୁର ଲାଙ୍ଗୁଳ ସହିତ ତୁଳନା କରିଛନ୍ତି । ସେହି ଲାଙ୍ଗୁଳଟା ଏଡ଼େ ଦୁଷ୍ଟ ଯେ ତାକୁ ବାରବର୍ଷ ସିଧା କରି କୌଣସି ପ୍ରକାରେ ବାନ୍ଧିରଖିଲେ ମଧ୍ୟ ଛାଡ଼ିଦେବାମାତ୍ରକେ ସେହି ପୂର୍ବପରି ବଙ୍କା ହୋଇଯିବ । ମନୁଷ୍ୟର ପ୍ରକୃତି କ’ଣ ପ୍ରକୃତରେ ଏଡ଼େ ଅନମନୀୟ ?

 

ଶ୍ରୀମଦ୍‍ଭଗବଦ୍‌ଗୀତାରେ ଅସୁର ପ୍ରକୃତି ଓ ଦେବ ପ୍ରକୃତି ବିଷୟରେ କୁହାଯାଇଛି । ଭାରତୀୟ ଅଧ୍ୟାତ୍ମରେ ଅପରା ଓ ପରା ଦୁଇ ସ୍ତରର ପ୍ରକୃତିର ସୂଚନା ଦିଆହୋଇଛି । ଦେହ, ପ୍ରାଣ, ମନ,–ଏହି ତିନୋଟି ଅପରା । ଏହାକୁ ବର୍ତ୍ତମାନ ଆମର ପୃଥ୍ୱୀ–ପ୍ରକୃତି ବୋଲି କୁହାଯାଇପାରିବ । ଏହା ନିମ୍ନ ପ୍ରକୃତି ଅର୍ଥାତ୍‌ ଏହି ସ୍ତରର ପ୍ରକୃତି । ଆମ ଭିତରେ ରହିଥିବା ଏବଂ ଆମର ଆସ୍ପୃହାରୂପେ ଆମକୁ ନିରନ୍ତର ଆହ୍ୱାନ ଦେଉଥିବା ଆମ ପ୍ରକୃତିର ଏକ ଅନ୍ୟ ସମ୍ଭାବନା ବିଷୟରେ ଅଜ୍ଞାନ ରହିଥିବା ପ୍ରକୃତି । ଆମର ଅହଂ ଆମକୁ ଏତିକିରେ ରହିବାକୁ ପ୍ରାୟ ଏକ ଅନୁରୂପ ସଂସାର ଭିତରେ ନାନା ପ୍ରଲୋଭନ ଭିତରେ ପ୍ରାୟ ପ୍ରକୁପିତ କରି ରଖିଥାଏ । ଆମକୁ ଆମର ସମ୍ଭାବନାଗୁଡ଼ିକ ବିଷୟରେ ଅଜ୍ଞାନ କରି ରଖିଥାଏ । ନିଜ ଗଭୀରକୁ ଅର୍ଥାତ୍‌ ଏହି କୁନି ପରିଧିଟିର ଊର୍ଦ୍ଧ୍ୱକୁ ସାହସ କଲେ ଆମେ ନିଜ ପ୍ରକୃତିର ଅନ୍ୟ ପରିଚୟଟିକୁ ପାଇପାରୁ । ଆମେ ସାହସ କଲେ ଅସଲ ସାହାଯ୍ୟକାରୀ ବନ୍ଧୁଟି ଆମ ଭିତରୁହିଁ ବାହାରି ଆସିବ । ଆମେ ଯେତେଦୂର ଯାଏଁ ଇଚ୍ଛା କରିବା, ଆମ ସାଙ୍ଗରେ ନିଶ୍ଚୟ ଯିବ ।

 

ଏହିପରି ଭାବରେହିଁ ଊର୍ଦ୍ଧ୍ୱତର ପ୍ରକୃତି ଆମକୁ ଗ୍ରହଣ କରିନେବ । ଆମ ଉପରେ ବିଜୟ ଲାଭ କରିବ । ପ୍ରତ୍ୟେକ ମନୁଷ୍ୟ କ୍ରମେ ଏହିଭଳି ଇଚ୍ଛା କରିବେ, ଏହିଭଳି ସାହସ କରିବେ ଓ ବାଟ ଚାଲିବେ–ତାହାକୁହିଁ ଶ୍ରୀ ଅରବିନ୍ଦ ପ୍ରକୃତିର ସର୍ବଶେଷ ବିଜୟ ବୋଲି କହିଛନ୍ତି । (BCL, ୨୦, ୨୪) ସେତେବେଳେ ଦେବ ପ୍ରକୃତି ଓ ଅସୁର ପ୍ରକୃତି, ନିମ୍ନ ପ୍ରକୃତି ଏବଂ ଊର୍ଦ୍ଧ୍ୱ ପ୍ରକୃତି, ଏପରିକି ପରା ଓ ଅପରା ମଧ୍ୟରେ କୌଣସି ଭେଦ ରହିବ ନାହିଁ; ବାଟଟିଏ ଚାଲିବାକୁ ଆରମ୍ଭ କଲେ ଆମେ ହୁଏତ ସେକଥା ମଧ୍ୟ କହିପାରିବା ।

☆☆☆

 

ପ୍ରତୀକ

 

ପ୍ରତୀକ ହେଉଛି ଏକ ମୂର୍ତ୍ତ ବସ୍ତୁ ଯାହାକି ଆଉଏକ ବସ୍ତୁର ସତ୍ୟକୁ ସୂଚାଇ ଦେଉଥାଏ (the form on one plane that represents a truth of another: (BCL, ୨୩, ୯୫୪) । ଆମ ସଂସାରର ମଣିଷମାନେ ସତ୍ୟଟିଏ ଖୋଜୁଥାନ୍ତି, ମାତ୍ର ଏକ ପ୍ରତୀକର ମାଧ୍ୟମରେ ସେହି ସତ୍ୟଟିକୁ ନିକଟବର୍ତ୍ତୀ କରି ରଖିବାକୁ ଚେଷ୍ଟା କରୁଥାନ୍ତି । ଆମ ଜୀବନକୁ ଆମେ ପ୍ରତୀକର ଏପରି ଏକ ଗହନ ଭିତରେ ବାନ୍ଧି କରି ରଖିଥାଉ, ଯାହାକି ସତ୍ୟମାନେ ସତକୁସତ ଆମ ପାଖରେ ଆମ ଉପଲବ୍ଧିର ଆୟତନ ମଧ୍ୟରେ ରହିଥିବା ପରି ପ୍ରତୀତି ଦେଇ ଯାଉଥାଏ । ଅବଶ୍ୟ ପ୍ରତୀକର ଉତ୍ସାହରେ ଅନେକ ସମୟରେ ପଶ୍ଚାତ୍‌ନିହିତ ସତ୍ୟଟି ପ୍ରାୟ ଅପଚରା ହୋଇ ରହିଯାଏ । ବହୁ ମନୁଷ୍ୟ ଓ ବହୁ ଗୋଷ୍ଠୀ ପ୍ରତୀକ ପାଖରେ ରହି ଯାଇଥାନ୍ତି ଓ ଅତ୍ୟନ୍ତ ଉଗ୍ର ଭାବରେ ସତ୍ୟ ସେମାନଙ୍କ ପାଖରେ ରହିଛି ବୋଲି ଦାବି କରୁଥାନ୍ତି ।

 

ମୂର୍ତ୍ତି ପ୍ରତୀକ, ମନ୍ତ୍ର ପ୍ରତୀକ, ମନ୍ଦିର ଓ ମସଜିଦ ପ୍ରତୀକ; ପତାକା ମଧ୍ୟ ପ୍ରତୀକ । ବିଭିନ୍ନ ରଙ୍ଗର ପ୍ରତୀକାତ୍ମକ ଅର୍ଥ ରହିଛି । ବିଭିନ୍ନ ସଂଖ୍ୟାର ମଧ୍ୟ ପ୍ରତୀକାତ୍ମକ ଅର୍ଥ ଅଛି । ଏହି ଅଭିପ୍ରାୟରେ ବିଭିନ୍ନ ସମାଜରେ ଶକୁନଗୁଡ଼ିକର ପ୍ରଚଳନ ରହି ଆସିଛି । ପ୍ରତୀକର କଳ୍ପନା ପଛରେ ଏକ ଅର୍ଥ–ଆରୋପଣ ରହିଥାଏ ଏବଂ ସମ୍ଭବତଃ ଗୂଢ଼ବିଦ୍ୟାହିଁ ଚିରକାଳ ପ୍ରତୀକଗୁଡ଼ିକର ଅପ୍ରମିତ ସାହାଯ୍ୟ ନେଇ ଆସିଛି । ବିଭିନ୍ନ ସଂସ୍କୃତି କେତେକେତେ ବସ୍ତୁରେ ମଧ୍ୟ ଅର୍ଥ–ଆରୋପଣ କରି ଆସିଛି । ଅବଶ୍ୟ ସଂସ୍କୃତି ଅନୁସାରେ ତାତ୍ପର୍ଯ୍ୟଗୁଡ଼ିକର ପ୍ରଭେଦ ରହି ଆସିଛି । ଭାରତୀୟ ବୈଦିକ ଯୁଗରେ ଗାଈ ବା ‘ଗୋ’କୁ ଆଲୋକର ପ୍ରତୀକ ବୋଲି କୁହାଯାଇଛି, ମାତ୍ର କୌଣସି ଇଉରୋପୀୟ ବା Semitic ସମାଜ ‘ଗୋ’ ମଧ୍ୟରେ ସେପରି ଏକ ତାତ୍ପର୍ଯ୍ୟ ଦେଖିବାର କୌଣସି କାରଣ ନାହିଁ ।

 

ପ୍ରତୀକ–କଳ୍ପନା ପୃଥିବୀ ତମାମ କଳା, ସ୍ଥାପତ୍ୟ, ସାହିତ୍ୟ ଓ କାବ୍ୟ ଆଦିକୁ ସମୃଦ୍ଧ କରି ଆସିଛି । ପ୍ରତୀକକୁ ନେଇ ବହୁ କଳହ ମଧ୍ୟ ଲାଗିଛି । ପ୍ରତୀକକୁ ପାହାଚ ପରି ବ୍ୟବହାର କରି ସତ୍ୟକୁ ଚାଲିଯାଇପାରୁଥିଲେ ସମ୍ଭବତଃ କଳହ ଲାଗି କୌଣସି ଅବକାଶ ନଥାନ୍ତା । ସତ୍ୟରେ ପହଞ୍ଚିବା ମଣିଷ ପ୍ରତୀତକୁ ହୁଏତ ହସି ପାରୁଥାନ୍ତା, ପ୍ରତୀତକୁ ନେଇ କଳହ କରୁଥିବା ମନୋବୃତ୍ତିଟିକୁ ହୁଏତ ଏକ ମିଥ୍ୟାଚପଳତା ବୋଲି କହୁଥାନ୍ତା । ଅଧ୍ୟାତ୍ମର ଆହ୍ୱାନଗୁଡ଼ିକୁ ଅସଲ ବୋଲି ଜାଣୁଥିବା ବ୍ୟକ୍ତି ଅନ୍ୟମାନଙ୍କର ପ୍ରତୀକତୃଷ୍ଣାକୁ ବୁଝିପାରିବ ସିନା, କିନ୍ତୁ କଦାପି ସେମାନଙ୍କର ମନ୍ତ୍ରଣାକୁ ମାନିବ ନାହିଁ । “ପରିଶେଷରେ ଆମେ ପ୍ରତୀକକୁ ଅତିକ୍ରମ କରି ଚାଲିଯାଉ ଏବଂ ଅସଲ ବସ୍ତୁଟିରେ ଯାଇ ପହଞ୍ଚିଯାଉ” (BCL, ୨୦, ୪୮୬), ଶ୍ରୀ ଅରବିନ୍ଦଙ୍କର ଏହି ବାକ୍ୟଟିକୁ ସିଏ ସର୍ବଦା ସ୍ମରଣ ରଖିଥିବ ।

☆☆☆

 

ପ୍ରତ୍ୟାଖ୍ୟାନ

 

ଆଗ ଆସ୍ପୃହା, ତା’ପରେ ପ୍ରତ୍ୟାଖ୍ୟାନ । ଆସ୍ପୃହା, ଅର୍ଥାତ୍‌ କୌଣସି ଏକ ଲକ୍ଷ୍ୟ ସ୍ଥିର କରି ସେଠାରେ ପହଞ୍ଚିବା ନିମନ୍ତେ ବ୍ୟାକୁଳତା । ଏବଂ, ସେଥିପାଇଁ ଯେଉଁ ଉପାଦାନଗୁଡ଼ିକ ପ୍ରତିକୂଳ ହୋଇ ରହିଥାଏ ବା ପ୍ରତିବନ୍ଧକ ପରି କାର୍ଯ୍ୟ କରୁଥାଏ, ସେଗୁଡ଼ିକର ପ୍ରତ୍ୟାଖ୍ୟାନ । ଆସ୍ପୃହାଟିଏ ରହିଥିଲେ ପ୍ରତ୍ୟାଖ୍ୟାନର ପ୍ରକ୍ରିୟାଟି ଅପେକ୍ଷାକୃତ ଅନେକ ସହଜ ହୋଇଆସେ । ସେଥିପାଇଁ ଭିତରୁ ବଳ ମିଳେ । ଶ୍ରୀ ଅରବିନ୍ଦ ଆସ୍ପୃହା ପରେ ପ୍ରତ୍ୟାଖ୍ୟାନକୁ ପ୍ରଥମ କାର୍ଯ୍ୟ ବୋଲି କହିଛନ୍ତି । ସେ ଏହାକୁ ଏକ Katharsisର ପ୍ରକ୍ରିୟା ସହିତ ତୁଳନା କରିଛନ୍ତି । (BCL, ୨୦, ୮୦) ତେଣୁ, ପ୍ରତ୍ୟାଖ୍ୟାନ ପାଇଁ ପ୍ରତ୍ୟାଖ୍ୟାନ, ତାହା ଜୀବନରେ ବହୁ ବିଡ଼ମ୍ବନାର କାରଣ ହୁଏ । କେବଳ ମାନସିକ ବା ନୈତିକ ସ୍ତରରେ ଅନେକ ସମୟରେ ପ୍ରତ୍ୟାଖ୍ୟାନ ପ୍ରକୃତରେ ଏକ ବିଡ଼ମ୍ବନାହିଁ ହୋଇ ରହିଥାଏ ।

 

“କେବଳ ପ୍ରତ୍ୟାଖ୍ୟାନ ସଫଳ ହୋଇ ପାରେନାହିଁ ।” (BCL, ୨୩, ୯୦୭) ନିଜ ଭିତରେ ଯେ ଏକ ଗଭୀରତର ଚେତନା ରହିଛି, ତାହା ଉପରେ ବିଶ୍ୱାସ ରହିଥିବା ଉଚିତ । ପ୍ରତ୍ୟାଖ୍ୟାନର ପ୍ରକ୍ରିୟାରେ ତାହା ପ୍ରଭୂତ ପରିମାଣରେ ସାହାଯ୍ୟ କରିଥାଏ । ସେହି ଗଭୀରତର ଚେତନାଟି ଅନୁସାରେ ନିଜ ଜୀବନଟିକୁ ବଞ୍ଚିବାର ଶ୍ରଦ୍ଧାହିଁ ଏପରି ବଳଟିଏ ପ୍ରଦାନ କରେ, ଯାହାଦ୍ୱାରା ଆମେ ଅନାବଶ୍ୟକ ଓ ଅନନୁକୂଳ ଉପାଦାନଗୁଡ଼ିକୁ ବର୍ଜନ କରି ଆସୁ । ଅନେକ ବ୍ୟକ୍ତି ନିଜ ଭିତରେ ସତେଅବା ନିଜ ସହିତ ଲଢ଼ିବାରେ ଲାଗିଥାନ୍ତି ଓ ନିଜକୁ ଶାସ୍ତିବି ଦେବାରେ ଲାଗିଥାଆନ୍ତି, ତଥାପି ତଦ୍ଦ୍ୱାରା ଅନବରତ ଏକ ନୈତିକ କସରତ କରିବାକୁ ପଡ଼ିଥାଏ ସତ, ମାତ୍ର ପ୍ରତ୍ୟାଖ୍ୟାନ ପ୍ରାୟ ଏକ ସନ୍ତାପରେ ପରିଣତ ହୋଇ ରହିଥାଏ ।

 

ଅସଲ କଥାଗୁଡ଼ିକ ପାଇଁ ‘ହଁ’ ବୋଲି କହି ପାରିବାକୁ ହେଲେ ନିଜ ଭିତରେ ଆଉ କେତେ ଅବସରରେ ‘ନାହିଁ’ ବୋଲି କହିବାର ଶକ୍ତିଟିକୁ ମଧ୍ୟ ଅର୍ଜନ କରିବାକୁ ହୁଏ । (BCL, ୨୪, ୧୫୫୭) କେବଳ ନିଜ ପାଖରେ ନୁହେଁ, ଅନ୍ୟମାନଙ୍କୁ ମଧ୍ୟ ‘ନାହିଁ’ କହି ଶିଖିବାକୁ ହୋଇଥାଏ । ନିଜ ଭିତରେ ଉପଯୁକ୍ତ ବିବେକଟିଏ ରହିଥିଲେ ଯାଇ ତାହା ସମ୍ଭବ ହୁଏ । ବା, ଏପରି ମଧ୍ୟ କୁହାଯାଇପାରିବ ଯେ, ସେମାନେ ନିଜକୁ ଏତେ ନିବିଡ଼ ଭାବରେ ନିଜର ବନ୍ଧୁଟିଏ କରି ନେଇପାରିଥାନ୍ତି ଯେ, ‘ନାହିଁ’ ବୋଲି କହିଲେ ଆଦୌ କୌଣସି ଭୁଲ ବୁଝାମଣାର ପ୍ରଶ୍ନ ନଥାଏ । ଯେଉଁମାନେ କେବଳ ଉପର ସ୍ତରରେ ଅନ୍ୟମାନଙ୍କୁ ଖୁସୀ କରି ରଖିବାକୁ ଉଚିତ ବୋଲି ମନେ କରୁଥାନ୍ତି, ସଚରାଚର ସେହିମାନେହିଁ ‘ନାହିଁ’ ବୋଲି କହି ପାରନ୍ତି ନାହିଁ । ସମ୍ପର୍କଗୁଡ଼ିକ ଭିତରକୁ ଭେଦିଲେ ଯାଇ ‘ନାହିଁ’ ବୋଲି କହିହୁଏ ଏବଂ ତଦ୍ଦ୍ୱାରା ଆଦୌ କୌଣସି ଘର ଭୁଷୁଡ଼ି ପଡ଼େ ନାହିଁ ।

☆☆☆

 

ପ୍ରାଣ

 

ପ୍ରାଣ ଏକ ଶକ୍ତି, ଯାହାକି ଏହି ବିଶ୍ୱଭୁବନକୁ ଭରି ରଖିଛି, ଏହି ସବୁକିଛିକୁ ଗତିଶୀଳ କରି ରଖିଛି । ଦେହକୁ କର୍ମସମର୍ଥ କରୁଛି, ମନରେ ଡେଣା ଲଗାଉଛି ଓ ଚୈତ୍ୟକୁ ଡୋର ଲଗାଇବାରେ ସାହାଯ୍ୟ କରୁଛି । ଅଧ୍ୟାତ୍ମରେ ଏକ ବିଶ୍ୱପ୍ରାଣ ବିଷୟରେ ଆଲୋଚନା କରାଯାଇଛି-। ସେଇ ଗୋଟିଏ ପ୍ରାଣଶକ୍ତି ସତେଅବା ସମଗ୍ର ପ୍ରପଞ୍ଚ ସମ୍ଭାବନାକୁ ଗୋଟିଏ ଡୋରରେ ବାନ୍ଧି ରଖିଛି । ତୈତ୍ତିରୀୟ ଉପନିଷଦ ପ୍ରାଣକୁ ବ୍ରହ୍ମ ବୋଲି ଘୋଷଣା କରିଛି । ଅର୍ଥାତ୍‌ ବ୍ରହ୍ମଙ୍କର ଏହି ଜଗଦ୍‌ବ୍ୟାପାରଟି ପ୍ରାଣ ମଧ୍ୟରେହିଁ ତିଷ୍ଠି ରହିଛି ।

 

ରାଜଯୋଗରେ ପ୍ରାଣଶକ୍ତିର ବିଶଦ ଆଲୋଚନା ହୋଇଛି । ପାଞ୍ଚଟି ବାୟୁରୂପେ ତାହା ଆମ ଶରୀର ମଧ୍ୟରେ ରହିଛି ଏବଂ ଶରୀରକୁ ଏକ ଯନ୍ତ୍ରରୂପେ ଚଳାଇବାରେ ନିମିତ୍ତ ହୋଇଛି । ପ୍ରାଣ ଆପଣାକୁ ପ୍ରତ୍ୟାହୃତ କରିନେଲେ ଶରୀର କ୍ଳାନ୍ତ ଓ ଅବସନ୍ନ ହୋଇ ପଡ଼ୁଛି । ପ୍ରାଣର କ୍ଷେତ୍ରରେ ଏକ ସମତାବସ୍ଥାକୁ ସ୍ଥାୟୀ କରି ରଖିବାରେ ଏକ ନିମିତ୍ତରୂପେ ପ୍ରାଣାୟାମର କଥା କୁହାଯାଇଛି । ପୂର୍ଣ୍ଣଯୋଗରେ ପ୍ରାଣଶକ୍ତିର ଏକ ବିଶେଷ ତାତ୍ପର୍ଯ୍ୟ ରହିଛି । ଆରୋହଣ ଏବଂ ଅବରୋହଣ, ଉଭୟ ପର୍ଯ୍ୟାୟରେ ପ୍ରାଣହିଁ ବାହକର କାର୍ଯ୍ୟ କରିଥାଏ ।

 

ପ୍ରାଣଶକ୍ତିକୁ ଯେଉଁମାନେ ନିଜର କରି ପାରି ନଥାନ୍ତି ଅର୍ଥାତ୍‌ ନିଜ ଜୀବନର ଉପଲବ୍ଧିକ୍ରମରେ ତାକୁ ସହଯୋଗୀରୂପେ ପାଇ ନଥାନ୍ତି, ସେମାନେ ପ୍ରାଣକୁ ଭୟ କରନ୍ତି, ପ୍ରାଣକୁ ଦବାଇ ରଖନ୍ତି, ଏବଂ ସେହି ଅକାର୍ଯ୍ୟଟିକୁ ମଧ୍ୟ ବେଳେବେଳେ ଶୃଙ୍ଖଳା ବୋଲି କୁହାଯାଏ । ସେତେବେଳେ ଶୃଙ୍ଖଳା ଶୃଙ୍ଖଳରେ ପରିଣତ ହୁଏ ଏବଂ ଜୀବନର ଯାବତୀୟ ବୃତ୍ତି ଓ ପ୍ରବୃତ୍ତିକୁ ବାନ୍ଧି ରଖିଥାଏ । ଅନେକ ମଣିଷ ସେହି ଶୃଙ୍ଖଳକୁ ଛିଡ଼ାଇ ପାରୁ ନଥାନ୍ତି ବୋଲି ଉଗ୍ର ହୁଅନ୍ତି । ସେମାନେ ନିଜ ଜୀବନରେ ସମସ୍ତ ପୃଥିବୀରେ ବହୁ ପ୍ରମାଦର କାରଣ ହୁଅନ୍ତି । ପ୍ରାଣ ସମ୍ଭବତଃ କେବଳ ଗୋଟିଏ ଶାସନକୁ ମାନେ । ତାହା ହେଉଛି ଅଧ୍ୟାତ୍ମର ଶାସନ । ଅଧ୍ୟାତ୍ମ ତ ଶାସନ କରେ ନାହିଁ, ଅଧ୍ୟାତ୍ମ ମଙ୍ଗାଇ ନିଏ, ମଣାଇପାରେ । ପ୍ରାଣର ଗଭୀରତମ ହୃଦୟରେ ମଧ୍ୟ ସେହି ଅଧ୍ୟାତ୍ମ ଇଚ୍ଛାଶକ୍ତିହିଁ ପ୍ରଚ୍ଛନ୍ନ ହୋଇ ରହିଥାଏ । ତେଣୁ ଆମ ଜୀବନ ପ୍ରାଣକୁ ତାହାରି ଦର୍ପଣ ଉପରେ ଚିହ୍ନିପାରିଲେ ଏବଂ ପ୍ରାଣ ମଧ୍ୟ ବିଶ୍ୱପ୍ରାଣ ନାମକ ସେହି ସମଗ୍ରଟିକୁ ସ୍ୱୀକାର କରିନେଇ ପାରିଲେ, ସକଳ ସଂଘାତର ଅନ୍ତ ହୁଏ ।

 

ବଳହୀନ ବ୍ୟକ୍ତି ଆତ୍ମାର ଉପଲବ୍ଧି କରି ପାରିବ ନାହିଁ ବୋଲି କଠୋପନିଷଦରେ ଘୋଷଣା କରାଯାଇଛି । ତେଣୁ ଅମିତ ବଳର ଆବଶ୍ୟକତା ରହିଥାଏ; ସେହି ବଳହିଁ ଭୂମି ଯୋଗାଇଦିଏ ।

☆☆☆

 

ପ୍ରାର୍ଥନା

 

ଧର୍ମର ଆନୁଷ୍ଠାନିକତା ଭିତରେ ପ୍ରାର୍ଥନାର ବିଧିଟି ଆବାହମାନ କାଳରୁ ରହି ଆସିଛି । ଅଧ୍ୟାତ୍ମ ସାଧନାରେ ମଧ୍ୟ ପ୍ରାର୍ଥନାର ତାତ୍ପର୍ଯ୍ୟ ଆଦୌ କୌଣସି ଗୁଣରେ ଊଣା ନୁହେଁ । ପ୍ରାର୍ଥନା ସରବ ହୋଇପାରେ, ନୀରବ ହୋଇପାରେ । ଏକକ ହୋଇପାରେ, ସମବେତ ମଧ୍ୟ ହୋଇପାରେ-। ପ୍ରାର୍ଥନା କରୁଥିବା ବ୍ୟକ୍ତି ବା ବ୍ୟକ୍ତିମାନେ ଆର୍ତ୍ତ ହୋଇପାରନ୍ତି, ଅର୍ଥାର୍ଥୀ ହୋଇପାରନ୍ତି, ଜିଜ୍ଞାସୁ ମଧ୍ୟ ହୋଇପାରନ୍ତି ଏବଂ ସେହି ତିନୋଟିଯାକ ପ୍ରକାର ଭିତରେବି ପୂର୍ଣ୍ଣ ଆନ୍ତରିକତା ଅବଶ୍ୟ ରହିପାରେ । ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରାଯାଇପାରେ, ନିଜର କିମ୍ବା ଆଉ କାହାର ଆରୋଗ୍ୟ କାମନା କରି ମଧ୍ୟ ପ୍ରାର୍ଥନା କରାଯାଇପାରେ । ଯେଉଁଥିପାଇଁ ଯେଉଁ ପ୍ରକାରର ହେଲେ ମଧ୍ୟ ତାହା ଯନ୍ତ୍ରବତ୍‌ ହେବା ଉଚିତ ନୁହେଁ, କେବଳ ଏକ ବାହ୍ୟ ବିଧିପାଳନ ନିମନ୍ତେ ହେବା ମଧ୍ୟ ଉଚିତ ନୁହେଁ । (BCL, ୨୩, ୫୩୩)

 

ପୂର୍ଣ୍ଣଯୋଗର ସାଧନାରେ ପ୍ରାର୍ଥନାର ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି । ମାତ୍ର କୌଣସି ଗୋଟିଏ ଆଶୁ ଫଳଲାଭ ନିମନ୍ତେ ପ୍ରାର୍ଥନା ନୁହେଁ; ଆମେ ଯାହାଙ୍କୁ ପ୍ରାର୍ଥନା କରୁଛୁ, ତାଙ୍କ ସହିତ ଯୁକ୍ତ ହୋଇ ରହିବା ନିମନ୍ତେ କରାଯାଉଥିବା ପ୍ରାର୍ଥନାହିଁ ଅଧିକ ଭରସା ଦେଇ ଅଗ୍ରସର କରାଇ ନେଇଥାଏ । (ତତ୍ରୈବ, ୨୪, ୧୩୦୨) ପ୍ରାର୍ଥନା ସମୟରେ ନିଜ ଭିତରେ କୌଣସି ଦୁଃଖ ବା ସନ୍ତାପର ବିକ୍ଷୋଭ ମଧ୍ୟ ରହିବା ଉଚିତ ନୁହେଁ । ପୂର୍ଣ୍ଣ ବିଶ୍ୱାସହିଁ ରହିଥିବା ଉଚିତ ।

 

ପରିଶେଷରେ, ସମଗ୍ର ଭାବରେ କହିଲେ, “ଅନ୍ତରର ସହିତ କରାଯାଉଥିବା ସକଳ ପ୍ରାର୍ଥନାକୁ ଅବଶ୍ୟ ଉତ୍ତର ମିଳିଥାଏ ।” ଏକ ପ୍ରାର୍ଥନା ଯେ ପ୍ରତ୍ୟେକ ଅବସରରେ ଭଗବାନଙ୍କ ଉଦ୍ଦେଶ୍ୟରେ କରାଯାଉଥିବ, ତାହାର କୌଣସି କାରଣ ନାହିଁ । କାରଣ, ପ୍ରାର୍ଥନା ମୋଟେ କେତୋଟି ଶବ୍ଦସମ୍ବଳିତ ଏକ ସୂତ୍ର ନୁହେଁ, ପ୍ରାର୍ଥନା ଏକ ଆସ୍ପୃହା । If we aspire, we pray. “ମାତ୍ର ସେହି ଆସ୍ପୃହାରେ ଲେଶମାତ୍ର ସ୍ୱାର୍ଥଭାବନା ହୋଇ ନଥିବ, କୌଣସି କ୍ଷୁଦ୍ର ଲାଭପ୍ରତ୍ୟାଶାର ଭାବନା ନଥିବ । ତେବେଯାଇ ପ୍ରାର୍ଥନା ସିଦ୍ଧ ହେବ ।” (BCL, ୧, ୭୬୪) ଏବଂ, ଆମର ଆସ୍ପୃହାଗୁଡ଼ିକରେ ଯଦି ସ୍ୱାର୍ଥ ମିଶ୍ରିତ ହୋଇ ରହିଥିବ, ତେବେ ସେହି ପରିମାଣରେ ପ୍ରାର୍ଥନାର ବଳ ମଧ୍ୟ ଊଣା ହୋଇଯିବ ଓ ସେହି ଅନୁପାତରେ କମ୍‌ ସିଦ୍ଧି ମଧ୍ୟ ମିଳିବ ।

☆☆☆

 

ପ୍ରେମ

 

Love is nothing but the tie that binds and holds together all the flowers of Thy divine bouquet.

 

–ମାଆ, MCE.୧, ୩୪୧

 

ଭଲ ପାଇବା ଏପରି ଏକ ଧନାଢ଼୍ୟତାର ଅନୁଭୂତି, ଯାହାକୁ ମନୁଷ୍ୟମାତ୍ରକେ ପ୍ରତ୍ୟେକେ ନିଜ ଜୀବନରେ ଅଳ୍ପବହୁତ ଅଙ୍ଗେ ନିଭାଇ ଥାଆନ୍ତି । ଅନ୍ୟମାନଙ୍କଠାରୁ ମିଳୁଥିବା ଭଲ ପାଇବାହିଁ ଆମକୁ ଏଡ଼ୁଟିରୁ ଏଡ଼ୁଟି ପର୍ଯ୍ୟନ୍ତ ତିଆରି କରି ଆଣିଥାଏ । ଏବଂ, ଅନ୍ୟମାନଙ୍କୁ ଦେଇପାରୁଥିବା ଭଲ ପାଇବାହିଁ ଆମଲାଗି ପୃଥିବୀରେ ବହୁ ଗ୍ରନ୍ଥିଳତାକୁ ଡେଇଁ ଯିବାରେ ସମର୍ଥ କରାଇଥାଏ । ଶ୍ରୀ ଅରବିନ୍ଦ ପ୍ରେମକୁ a commerce between being and being ବୋଲି କହିଛନ୍ତି । (BCL, ୧୮, ୨୦୪) ମାଆଙ୍କର ଭାଷାରେ ପ୍ରେମ ହେଉଛି ‘not to possess, but to give oneself’. (MCE, ୧୬, ୧୭୬)

 

ଏହି ପୃଥିବୀର ଉତ୍ସ ଗୋଟିଏ, ସେହି ଗୋଟିଏହିଁ କେନ୍ଦ୍ରରେ ରହି ଏହାର ପରିଚାଳନା କରୁଛନ୍ତି ଓ ଆମର ନିୟତିକୁ ବାଟ କଢ଼ାଇ ନେଉଛନ୍ତି,–ଏକଥା କେବଳ ଜାଣିଲେ କିମ୍ବା ମଥା ଦେଇ ବୁଝିଲେ ହୁଏନାହିଁ, ସେହି ସତ୍ୟଟିକୁ ହୃଦୟ ଭିତରେ ଓ ଚୈତ୍ୟ ସତ୍ତାରେ ଅନୁଭବବି କରିବାକୁ ହୋଇଥାଏ । ସିଏ ସବୁଠାରେ, ସବୁରି ଭିତରେ ପୂରି ରହିଛନ୍ତି, ଏହି କଥାଟିକୁ ସତକୁସତ ଅନୁଭବ କଲେ ଏକ ନିରନ୍ତର ସହଜ ଖୁସୀହିଁ ଆମ ଚେତନାକୁ ସିକ୍ତ କରି ରଖିଥାଏ । ତେଣୁ ସବୁ ଭଲ ଲାଗେ ଓ ସମସ୍ତେ ଭଲ ଲାଗନ୍ତି । ସବୁଠାରେ ଶୁଭହିଁ ଦେଖାଯାଏ, ସବୁଠାରେ କାମରେ ଲାଗିବାକୁ ଇଚ୍ଛା ହୁଏ । ଏହି ସନ୍ଦର୍ଭରେହିଁ ଶ୍ରୀ ଅରବିନ୍ଦ କଲ୍ୟାଣଶ୍ରଦ୍ଧାର ତଥା ପ୍ରେମସାମର୍ଥର ଆଲୋଚନା କରିଛନ୍ତି । (BCL, ୨୧, ୭୦୯ ) ଏହିପରି ଭାବରେ ଆମ ଭିତରୁ ଆତ୍ମପ୍ରୀତିର ବଦଳରେ ଏକ ବିଶ୍ୱପ୍ରୀତିର ଭାବ ଉନ୍ମେଷିତ ହୋଇ ଆସିବ । ବିଶ୍ୱକଲ୍ୟାଣର ପ୍ରକ୍ରିୟାରେ ସହଯୋଗ କରିବା ନିମନ୍ତେ ନିଜ ଭିତରୁ ସତେ ଅବା କିଏ ପ୍ରସ୍ତୁତ ହୋଇ ଆସୁଥିବା ପରି ମନେ ହେବ । ସେହି ସାମର୍ଥ୍ୟକୁହିଁ ଭିତ୍ତି କରି ମନୁଷ୍ୟ ଭିତରେ ରହିଥିବା ରୁଦ୍ରଶକ୍ତି ନ୍ୟାୟ ତଥା ଶୁଭ ନିମନ୍ତେ ସଂଗ୍ରାମ କରିବାକୁ ମଧ୍ୟ ଗତିଶୀଳ ହୋଇ ଆସୁଥିବ । ଏହିପରି ଏକ ଉପଲବ୍ଧି ଏବଂ ଗତିଶୀଳତାକୁ ଆମେ ଆମ ହୃଦୟର ସର୍ବୋଚ୍ଚ ଓ ସବୁଠାରୁ ଅଧିକ ସ୍ୱଭାବପ୍ରେରିତ ପରିପୂର୍ଣ୍ଣତା ବୋଲି ଜାଣିବା । (ତତ୍ରୈବ)

 

ଗୋଟିଏ କଥାରେ କହିଲେ, ଊର୍ଦ୍ଧ୍ୱାୟନ ଏବଂ ସଂପ୍ରସାରଣର ଏହି ପ୍ରକ୍ରିୟାରେ ବାସନାହିଁ ଏକ ଯଥାର୍ଥ ରୂପାନ୍ତରର ଯୋଗ୍ୟ ହୁଏ ଓ ଆପଣାକୁ ଦେଇଦେବାଦ୍ୱାରାହିଁ ସବୁକିଛିର ଅଧିକାରୀ ହୋଇଥାଏ । (BCL, ୨୭, ୩୮୬) ଶ୍ରୀ ଅରବିନ୍ଦ ତଥାପି ସତର୍କ କରି ଦେଇ କହିଛନ୍ତି ଯେ, ଯଥାର୍ଥ ପ୍ରେମ କହିଲେ ଏକ ନିତ୍ୟନୈମିତ୍ତିକ ଅର୍ଥରେ ଅନ୍ୟମାନଙ୍କୁ ଭଲ ପାଇବା ବୋଲି ଆଦୌ ବୁଝାଇବ ନାହିଁ । ଯଥାର୍ଥ ପ୍ରେମ ଅନ୍ୟମାନଙ୍କ ଭିତରେ ନିଜର ଆତ୍ମସତ୍ତାକୁ ଅନୁଭବ କଲେ ଯାଇ ସମ୍ଭବ ହେବ । କାରଣ, ମୁଁ ଯାହା ଭିତରେ ନିଜକୁ ଦେଖି ନ ପାରୁଛି, ମୁଁ ତାକୁ ଭଲ ପାଇପାରିବି କିପରି ? (BCL, ୧୨, ୪୯୫) ଏବଂ, ସମ୍ପୂର୍ଣ୍ଣ ଭାବରେ ଅହଂମୁକ୍ତ ନହେଲେ ମୁଁ ନିଜକୁ ଅନ୍ୟଜଣେ ସହିତ କିପରି ବା ଅଭେଦ କରି ଦେଖିପାରିବି ? ଯେଉଁଠାରେ ସନ୍ନ୍ୟାସ କହିଲେ ସଂସାରତ୍ୟାଗକୁ ବୁଝାଏ ଓ ମୋକ୍ଷ କହିଲେ ଇହଜୀବନକୁ ଦୁଃଖ ମଣି ଏଠାରୁ ପ୍ରସ୍ଥାନ କରିବାକୁ ବୁଝାଏ, ସେଠାରେ ଆମେ ଭଲ ପାଇବାର ଗଭୀର ତାତ୍ପର୍ଯ୍ୟଟିକୁ ହୃଦୟଙ୍ଗମ କରିପାରିବା ନାହିଁ । ମାତ୍ର, ଯେଉଁଠାରେ ଏହି ପୃଥିବୀକୁହିଁ ବଦଳାଇବା ଅର୍ଥାତ୍‌ ତାହାକୁ ସତ୍ୟର ସଦନରେ ପରିଣତ କରିବା ଧ୍ୟେୟ ହୋଇ ରହିଥାଏ, ସେଠାରେ ଭଲ ପାଇବାହିଁ ସବାମୂଳ ଅନୁଶୀଳନ ହୋଇ ରହିଥିବ । କାରଣ, ପୃଥିବୀକୁ ଭଲ ନ ପାଇଲେ ଆମେ ତାହାକୁ ବଦଳାଇପାରିବା ବା କିପରି ?

 

କୌଣସି ପ୍ରସଙ୍ଗରେ ମାଆ ଲେଖିଛନ୍ତି : “ଯଦି ଅବିମିଶ୍ର ଭାବରେ ଭଲ ପାଇବାର ପ୍ରକାଶ ହୋଇ ପାରନ୍ତା, ତେବେ ତାହା ପ୍ରକୃତରେ ସବୁକିଛି ସମ୍ଭବ କରିପାରନ୍ତା । ମାତ୍ର, ଅତ୍ୟନ୍ତ ଦୁର୍ଭାଗ୍ୟର କଥା ଯେ, ମଣିଷର ଭଲ ପାଇବାରେ ଆତ୍ମପ୍ରୀତିଟାହିଁ ସମାନ ଭାବରେ ଜଡ଼ିତ ହୋଇ ରହିଛି ।” (MCE, ୧୫, ୩୮୦) ପୁନଶ୍ଚ, ଏହି ପ୍ରଶ୍ନଟି : “ଯଦି ତୁମେ ଅହଂଟାକୁ ବାଦ୍‌ ଦେଇ ଭଲ ପାଇ ନପାରୁଛ, ତେବେ ଦିବ୍ୟ ପରମପ୍ରେମ ବିଷୟରେ କୌଣସି କଥା କହିବାରେ ଆଉ କି ଲାଭ ମିଳିବ ?” (MCE, ୯, ୭୦) ଏହି ଦୁଇ ଉକ୍ତିରୁହିଁ ଅସଲ ପଥଟି ଅବଶ୍ୟ ଦିଶି ଯାଉଥିବ ।

 

ଶେଷରେ, ସେଇ ମାଆଙ୍କର ଗୋଟିଏ ଉକ୍ତି : “ମନେ ହେଉଛି, ଯଥାର୍ଥ ଭଲ ପାଇବାଦ୍ୱାରାହିଁ ଯାବତୀୟ ପ୍ରତିରୋଧ ଏବଂ ପ୍ରତିକୂଳତାକୁ ଡେଇଁଯିବା ସମ୍ଭବ ହୋଇ ଯାଆନ୍ତା । ମାତ୍ର ପ୍ରତିକୂଳ ଶକ୍ତିଗୁଡ଼ିକ ଭଲ ପାଇବାକୁ ଏପରି ଭାବରେ ବିକୃତ କରି ପକାଇଛନ୍ତି ଯେ, ଅତ୍ୟନ୍ତ ନିଷ୍ଠା ରହିଥିବା ବ୍ୟକ୍ତି ଓ ଅନେକ ସାଧକ ଏହି ପଦ୍ଧତିଟି ବିଷୟରେ ଏକାନ୍ତ କଠୋର ତଥା ବିମୁଖ ହୋଇ ରହିଛନ୍ତି,–କାରଣ ତାହା ସଂପ୍ରତି ଏପରି ବିକୃତ ହୋଇ ପଡ଼ିଛି । ତାହାହିଁ ଏକମାତ୍ର ଅସୁବିଧା । ସେହି କାରଣରୁ ବେଶୀ ସମୟବି ଲାଗୁଛି ।” (MCE, ୧୦, ୨୧୨–୩)

☆☆☆

 

ବାସନା

 

ଗୌତମ ବୁଦ୍ଧ ବାସନାକୁ ସକଳ ଦୁଃଖର କାରଣ ବୋଲି କହିଥିଲେ । କାମନା, ବାସନା, ତୃଷ୍ଣା–ଏଗୁଡ଼ିକ ଆମ ପୃଥିବୀକୁ ନାନାଭାବେ ନଚାଇ ଆସିଛନ୍ତି ଓ ପୃଥିବୀର ଦୁଃଖକୁ ବଢ଼ାଇ ଆସିଛନ୍ତି । ବାସନାର ମୂଳ ହେଉଛି ପ୍ରାଣିକ ସ୍ତରର ଏକ ଉଦ୍‌ଗ୍ରୀବତା । ଆମ ପାଖରେ କ’ଣ ଗୋଟିଏ ବସ୍ତୁ ନାହିଁ ବୋଲି ଆମେ ଅନୁଭବ କରୁ ଏବଂ ତାହାକୁ ଯେକୌଣସି ପ୍ରକାରେ ହାସଲ କରିବା ନିମନ୍ତେ ଅଥୟ ହେଉ । ଅଭାବର ଏକ ତୀବ୍ର ବୋଧ ସୃଷ୍ଟି ହୁଏ ଓ ସେହି ଅଭାବଟିର ପୂରଣ ନହେବା ଯାଏଁ ଆମକୁ ଅଶାନ୍ତ କରି ରଖେ । ଶ୍ରୀ ଅରବିନ୍ଦ ତାହାକୁ ସକଳ ଦୁଃଖ, ନିରାଶା ଏବଂ କ୍ଳେଶର କାରଣ ବୋଲି କହିଛନ୍ତି । (BCL, ୨୧, ୬୨୯) ହୁଏତ ଏପରି କୁହାଯାଇପାରିବ ଯେ, ବଡ଼ ବାସନାଦ୍ୱାରା ଆମେ ସାନ ବାସନାଗୁଡ଼ିକୁ ଅତିକ୍ରମ କରିଯାଇପାରିବା-। ଉଚ୍ଚତମ ଯେଉଁ ବାସନାଟିର କଳ୍ପନା କରାଯାଇପାରିବ, ତାହା ହେଉଛି ଦିବ୍ୟ ପରମସତ୍ତାଙ୍କୁ ଉପଲବ୍ଧି କରିବାର ବାସନା । କିନ୍ତୁ ଏଇଟି ମୂଳତଃ ଆଦୌ ଏକ ବାସନା ନୁହେଁ, ଏହା ହେଉଛି ଏକ ଅଭୀପ୍ସା ବା ଆସ୍ପୃହା । (BCL, ୨୪, ୧୩୯୫)

 

ବାସନାଗୁଡ଼ିକୁ ସର୍ବୋଚ୍ଚ ଅଭୀପ୍ସାରେ ପରିଣତ କରିବା ଏହି ମଧ୍ୟବର୍ତ୍ତୀ ପଥରେ ଶ୍ରୀ ଅରବିନ୍ଦ ଆମକୁ ଆଉ ଏକ ପ୍ରତିକାର ବା ଉପାୟର ସୂଚନା ଦେଇଛନ୍ତି । ବାସନା ଅର୍ଥାତ୍‌ ଏଠାରେ ପରସ୍ପରକୁ ଗିଳି ପକାଇବାର ଏକ କ୍ଷୁଧା । ସେହି “mutually devouring hunger”କୁ ଆମେ ଏକ “mutual giving”ରେ ପରିଣତ କରିବାର ପ୍ରୟାସ କରିପାରିବା । ଅଧିକରୁ ଅଧିକ ଖୁସୀ ହୋଇ ପରସ୍ପର ପାଇଁ ବଞ୍ଚିବା । (BCL, ୧୮, ୧୯୫) ତାଙ୍କରି ବ୍ୟାଖ୍ୟାର ସୂତ୍ରଟିକୁ ଧରି କହିଲେ, ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିମାନଙ୍କ ନିମନ୍ତେ ସମର୍ପିତ ହୋଇ ବଞ୍ଚିବ ଏବଂ ସେହି ଅନ୍ୟମାନେ ମଧ୍ୟ ତା’ପାଇଁ ବଞ୍ଚିବେ । ନିମ୍ନତର ଉଚ୍ଚତରକୁ ଦେବ ଏବଂ ଉଚ୍ଚତର ମଧ୍ୟ ନିମ୍ନତରକୁ ଦେଉଥିବ, ଯାହାଦ୍ୱାରା କି ଉଭୟେ ଉଭୟଙ୍କ ମଧ୍ୟରେ ପରିପୂର୍ଣ୍ଣ ହୋଇ ପାରିବେ । ମନୁଷ୍ୟସତ୍ତା ନିଜକୁ ପରମ ଦିବ୍ୟସତ୍ତାଙ୍କ ପାଖରେ ସମର୍ପିତ କରି ରଖିବ ଏବଂ ପରମ ଦିବ୍ୟସତ୍ତା ନିଜକୁ ମନୁଷ୍ୟସତ୍ତା ଲାଗି ସମର୍ପିତ କରି ଦେଇଥିବ । ବ୍ୟକ୍ତି ଭିତରେ ବିରାଜିତ ରହିଥିବା ପରମ ସକଳ ବିଶ୍ୱମୟ ବିରାଜିତ ରହିଥିବା ପରମ ସକଳଙ୍କ ପାଖରେ ନିଜକୁ ଦେଉଥିବ ଏବଂ ତାହାର ଏକ ଦିବ୍ୟ ପ୍ରତିଦାନସ୍ୱରୂପ ଆପଣାର ବିଶ୍ୱଜନୀନତାକୁ ଉପଲବ୍ଧି କରିପାରୁଥିବ । ଏହିପରି ଭାବରେହିଁ କ୍ଷୁଧାର ବିଧାନଟି ଉତ୍ତରୋତ୍ତର ଭାବରେ ପରମ ପ୍ରେମ ଲାଗି ବାଟ ଛାଡ଼ିଦେବ, ବିଭାଜନର ବିଧାନଟି ଐକ୍ୟର ବିଧାନ ଲାଗି ବାଟ ଛାଡ଼ିଦେବ, ମୃତ୍ୟୁର ବିଧାନ ଅମରତ୍ୱର ବିଧାନକୁ ବାଟ ଛାଡ଼ି ଦେଉଥିବ । ଏହି ବିଶ୍ୱବ୍ରହ୍ମାଣ୍ଡରେ କ୍ରିୟାଶୀଳ ହୋଇ ରହିଥିବା ବାସନାଟି ଏହିପରି ଭାବରେହିଁ ଆପଣାକୁ ପରିପୂର୍ଣ୍ଣ କରିବା ସକାଶେ ନିୟତିନିର୍ଦ୍ଦିଷ୍ଟ ହୋଇ ରହିଛି ।

☆☆☆

 

ବିଜୟ

 

ପୃଥିବୀରେ ମନୁଷ୍ୟର ଇତିହାସ ବସ୍ତୁତଃ ଏକ ବିଜୟର ଇତିହାସ । ଏହି ବିଜୟକୁ ଆମେ ଇଚ୍ଛା କଲେ ଚେତନାର ବିଜୟ ବୋଲି ମଧ୍ୟ କହିପାରିବା । ପ୍ରକୃତି ଉପରେ ବିଜୟ, ଅଜ୍ଞାନ ଉପରେ ବିଜୟ, ରିପୁମାନଙ୍କ ଉପରେ ବିଜୟ, ଇତ୍ୟାଦି, ଇତ୍ୟାଦି । ଅଧ୍ୟାତ୍ମ–ସାଧନାର କାହାଣୀଟିରେ ମଧ୍ୟ ଆମକୁ ପାହାଚ ପରେ ପାହାଚକୁ ଅତିକ୍ରମ କରିବାକୁ ପଡ଼ିଥାଏ । ଗୋଟିଏ ପାହାଚ ଉପରେ ବିଜୟ ହାସଲ କରି ପରବର୍ତ୍ତୀ ପାହାଚଟିକୁ ଚାଲିଯିବାକୁ ହୋଇଥାଏ । ଏହି ଯାବତୀୟ ବିଜୟକୁ ଆମେ ଏକ କ୍ରମପ୍ରସାରିତ ହେବାରେ ଲାଗିଥିବା ଆମ ଅଙ୍ଗୀକାରବଦ୍ଧତାର ବିଜୟ ବୋଲି କହିପାରିବା ।

 

ମାଆ କ୍ରମାନ୍ୱୟରେ ତିନୋଟି ବିଷୟରେ ଚର୍ଚ୍ଚା କରିଛନ୍ତି । (MCE, ୭, ୪୦୭) ସର୍ବପ୍ରଥମ ବିଜୟ ହେଉଛି ନିଜକୁ ଏକ ବ୍ୟକ୍ତିତ୍ୱର ପରିଚୟ ଦେବା, ଜଣେ ବ୍ୟକ୍ତି ହୋଇପାରିବା । ସେହି ବ୍ୟକ୍ତିତ୍ୱକୁ ପରମ ଦିବ୍ୟସତ୍ତାଙ୍କ ପାଖରେ ନେଇ ସମର୍ପଣ କରିଦେବା ହେଉଛି ଆମର ଦ୍ୱିତୀୟ ବିଜୟ । ଏବଂ, ପରମ ଦିବ୍ୟସତ୍ତା ଆମର ବ୍ୟକ୍ତିତ୍ୱକୁ ଏକ ଦିବ୍ୟସତ୍ତାରେ ପରିଣତ କରିଦେବା, ତାହା ତୃତୀୟ ବିଜୟ । ମାଆ ଆହୁରି କହିଛନ୍ତି ଯେ, ଅନ୍ୟ ସବୁଯାକ ଯୋଗ ଦ୍ୱିତୀୟ ବିଜୟଟି ଯାଏଁ ଆସି ଅଟକି ଯାଇଛନ୍ତି । ମାତ୍ର, ମାଆଙ୍କ କଥା ଅନୁସାରେ, ପୂର୍ଣ୍ଣ ଯୋଗର ଆରମ୍ଭ ସେହି ତୃତୀୟ ପାହାଚରୁ । ଏହିଠାରୁହିଁ ଦିବ୍ୟ ପରମସତ୍ତା ଆମ ଭିତରେ ପ୍ରବେଶ କରନ୍ତି ଏବଂ ଆମକୁ ଏହି ପୃଥିବୀରେ ତାଙ୍କର କାର୍ଯ୍ୟରେ ନିୟୋଜିତ କରନ୍ତି ।

 

ଶ୍ରୀ ଅରବିନ୍ଦଙ୍କର ଦୃଷ୍ଟିରେ ଏହି ବିଜୟ ହେଉଛି ତିନି ସ୍ତରରେ ତିନୋଟି ପ୍ରଲୋଭନ ଉପରେ ବିଜୟ । ଏହି ପୃଥିବୀରେ ଅହଂ ମଧ୍ୟରେ କେନ୍ଦ୍ରିତ ହୋଇ ରହିଥିବା ଏକ ଜୀବନର ସକଳ ପ୍ରଲୋଭନ ଉପରେ ବିଜୟ ହେଉଛି ଆମର ସର୍ବପ୍ରଥମ ବିଜୟ । ଏହି ଜୀବନ ପରେ ପୃଥିବୀ ବାହାରେ ରହିଥିବା ଏକ ସ୍ୱର୍ଗରେ ବ୍ୟକ୍ତିଗତ ସୁଖଭୋଗର ପ୍ରଲୋଭନକୁ ତ୍ୟାଗ କରିବା ହେଉଛି ଆମର ଦ୍ୱିତୀୟ ବିଜୟ ଏବଂ, ଜୀବନରୁ ପଳାୟନ କରି ଏକ ନୈର୍ବ୍ୟକ୍ତିକ ଅନନ୍ତତାର ରାଜ୍ୟରେ ଆନନ୍ଦରେ ଆତ୍ମବିଭୋର ହୋଇ ରହିବାର ସେହି ସର୍ବୋଚ୍ଚ ପ୍ରଲୋଭନକୁ ଜୟ କରିବା ହେଉଛି ସର୍ବଶେଷ ଓ ବୃହତ୍ତମ ଆମର ତୃତୀୟ ବିଜୟ । (MCE, ୨୦, ୪୨୫)

 

ଅର୍ଥାତ୍‌, “ପୃଥିବୀ ବାହାରର କୌଣସି ସ୍ୱର୍ଗରାଜ୍ୟରେ ପୃଥିବୀ ବିଷୟରେ ପୂର୍ଣ୍ଣ ଉଦାସୀନ ରହି ବ୍ୟକ୍ତିଗତ ମୋକ୍ଷଲାଭ ଆମର ସର୍ବୋଚ୍ଚ ଲକ୍ଷ୍ୟ କଦାପି ନୁହେଁ,–ଅନ୍ୟମାନଙ୍କର ମୁକ୍ତି ଓ ଆତ୍ମ–ପରିପୂର୍ଣ୍ଣତାରେ ମଧ୍ୟ ଆମକୁ ସମାନ ଭାବରେ ସଂପୃକ୍ତ ହେବାକୁ ପଡ଼ିବ । ତା’ ନହେଲେ ଆମେ ଅନ୍ୟମାନଙ୍କ ସହିତ ଏକତାର ସୂତ୍ରରେ ଆବଦ୍ଧ ହୋଇ ରହିଛୁ ବୋଲି କଥାଟିର ଆଉ କୌଣସି ଅର୍ଥହିଁ ରହିବ ନାହିଁ ।” (ତତ୍ରୈବ) ଏହି ଶେଷ ବିଜୟଟିକୁ ଶ୍ରୀ ଅରବିନ୍ଦ ଆମର ଦିବ୍ୟ ସ୍ୱାର୍ଥସାଧନ ଦୃଷ୍ଟିରୁ ଏକ ଆବଶ୍ୟକତା ବୋଲି କହିଛନ୍ତି ।

☆☆☆

 

ବିଜ୍ଞାନ

 

ଏବେ ପିଲାମାନେ ପଢ଼ୁଥିବା science କହିଲେ ଯେଉଁ ବିଜ୍ଞାନକୁ ସମସ୍ତେ ସାଧାରଣ ଅର୍ଥରେ ଯାହା ବୁଝନ୍ତି, ଅଧ୍ୟାତ୍ମ ସାଧନାରେ ବିଜ୍ଞାନ ତା’ଠାରୁ ଏକ ଭିନ୍ନ ଜ୍ଞାନସମ୍ପଦକୁ ବୁଝାଉଥିଲା । ପ୍ରାଚୀନ ଇଉରୋପୀୟ ଅଧ୍ୟାତ୍ମ ବିଚାରରେ ତାହାକୁ Scientia Intuitiva ବୋଲି କୁହାଯାଇଛି । ଉପନିଷଦରେ ବିଜ୍ଞାନମୟ କୋଷ ଏବଂ ବିଜ୍ଞାନମୟ ପୁରୁଷର ବର୍ଣ୍ଣନା ରହିଛି ।

 

ସାଧନା ବା ଅବବୋଧର ସୋପାନକ୍ରମରେ ମନର ସ୍ତରକୁ ଅତିକ୍ରମ କଲେ ସେହି ବିଜ୍ଞାନର ସ୍ତର । ସେହି ସ୍ତର ବା ସେହି ସାମର୍ଥ୍ୟକୁ ଶ୍ରୀ ଅରବିନ୍ଦ pure perception of truth ବୋଲି କହିଛନ୍ତି । (BCL, ୨୩, ୭୨୧) ଆଉ ଗୋଟିଏ ପ୍ରସଙ୍ଗରେ ତାହାକୁ ସିଏ total seeing ବୋଲି ବର୍ଣ୍ଣନା କରିଛନ୍ତି । (BCL, ୨୧, ୮୩୨) ଇନ୍ଦ୍ରିୟଦ୍ୱାରା ଦେଖିବା, ବୁଦ୍ଧିଦ୍ୱାରା ଦେଖିବା,–ଏସବୁ କେବଳ ଖଣ୍ଡିତ ଭାବରେ ଦେଖିବା । ଆଉ ଗୋଟିଏ ଦେଖିବା ହେଉଛି ଏକାତ୍ମତାଦ୍ୱାରା ଦେଖିବା, ଏକ ଅଭେଦ ଦେଖିବା । ଏବେ ତ ଆମେ ଇନ୍ଦ୍ରିୟ ବା ବୁଦ୍ଧିଦ୍ୱାରା ଯେତିକି ଜାଣୁଛୁ, ତାହାକୁ ପ୍ରତ୍ୟକ୍ଷ ସତ୍ୟ ବୋଲି କହି ଆଉ ସବୁକିଛିକୁ ପରୋକ୍ଷ ବୋଲି କହୁଛୁ । ବିଜ୍ଞାନର ସ୍ତରରେ ଯାବତୀୟ ଦେଖିବାହିଁ ପ୍ରତ୍ୟକ୍ଷ ଦେଖିବା । ସେଠାରେ ପରୋକ୍ଷ ବୋଲି କିଛି ନାହିଁ । (BCL, ୨୦, ୪୬୦)

 

ପ୍ରାଚୀନ ଗ୍ରୀସ୍‌ର Gnosis ମଧ୍ୟରୁ ସୂତ୍ର ନେଇ ଶ୍ରୀ ଅରବିନ୍ଦ ବିଜ୍ଞାନମୟ ପୁରୁଷକୁ gnostic being ବୋଲି କହିଛନ୍ତି । ସେହି gnostic being ହିଁ supramental being,–ଆଉ ଏକ ଭାଷାରେ free or spiritual intelligence,–ମନକୁ ଅତିକ୍ରମ କରି ଚୈତ୍ୟର ବିକାଶଦ୍ୱାରା ମନୁଷ୍ୟ ଦିନେ ସେହି ବିଜ୍ଞାନ–ସ୍ତରରେ ଯାଇ ପହଞ୍ଚିବ । (ତତ୍ରୈବ, ୪୨୯) କେବଳ ବ୍ୟକ୍ତିର ଜୀବନରେ ନୁହେଁ, ସାମୂହିକ ଜୀବନ ମଧ୍ୟ ତାହାରି ନିର୍ଦ୍ଦେଶନାରେ ପରିଚାଳିତ ହେବ । ସାମୂହିକ ଜୀବନର ସେହି ସ୍ତରରେ ଏକତା, ପାରସ୍ପରିକତା ଏବଂ ସମଞ୍ଜସତା (harmony) ହିଁ ପ୍ରେରକ ହୋଇ କାର୍ଯ୍ୟ କରିବେ । (BCL, ୧୯, ୧୦୩୩)

☆☆☆

 

ବିବର୍ତ୍ତନ

 

ଏକ ଧର୍ମପୁସ୍ତକରେ ରହିଛି ଯେ, ଭଗବାନ ମୋଟେ ଛଅଟି ଦିନରେ ଏହି ଜଗତର ସୃଷ୍ଟି କରିଥିଲେ । ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଚାର୍ଲ୍‌ସ୍‌ ଡାର୍‍ଉଇନ୍‌ ନାନା ପ୍ରମାଣ ଦେଇ ଘୋଷଣା କଲେ ଯେ ଏହି ପୃଥିବୀ ବର୍ତ୍ତମାନର ଏହି ଅବସ୍ଥାରେ ଆସି ପହଞ୍ଚିବାକୁ ଲକ୍ଷ ଲକ୍ଷ ବର୍ଷ ସମୟ ଲାଗିଛି । ତାଙ୍କର ସେହି ସିଦ୍ଧାନ୍ତଟିକୁ ଏବେ ବିବର୍ତ୍ତନବାଦ ବୋଲି କୁହାଯାଇଛି । ଶ୍ରୀଯୁକ୍ତ ଡାର୍‌ଉଇନ୍‌ଙ୍କ ପରେ ବିବର୍ତ୍ତନର ସିଦ୍ଧାନ୍ତରେ ଆହୁରି କେତେ ଘଷାମଜା ମଧ୍ୟ ହୋଇଛି ଏବଂ ମନୁଷ୍ୟର ପୃଥ୍ୱୀସମ୍ବନ୍ଧୀୟ ଜ୍ଞାନ ମଧ୍ୟ ସେହି ଅନୁସାରେ ପ୍ରାୟ ଏକ ସୋପାନକ୍ରମରେ ବିବର୍ତ୍ତିତ ହୋଇ ଆସିଛି ।

 

ଯାବତୀୟ ମାନଦଣ୍ଡରେ ବିଚାର କରି ଦେଖିଲେ ଏହି ବିବର୍ତ୍ତନବାଦ ଏକ ବାଦ ନୁହେଁ; ଏହା ଏକ ବିଶ୍ୱଦୃଷ୍ଟି । ପୃଥିବୀରେ କୌଣସି କିଛି ଦିନେ ଯେଉଁଭଳି ଥିଲା, ଆଦୌ ସେହିଭଳି ହୋଇ ରହିନାହିଁ । ସବୁକିଛି ବଦଳିବାରେ ଲାଗିଛି, ବିବର୍ତ୍ତିତ ହେଉଛି । ମନୁଷ୍ୟର ବିଶ୍ୱବିଷୟକ ଅନ୍ଦାଜଗୁଡ଼ିକୁ ଅଧିକ ଗ୍ରହଣଶୀଳ କରିବାରେ ବିବର୍ତ୍ତନର ଏହି ସତ୍ୟଦୃଷ୍ଟିଟି ଇତିହାସରେ ବହୁତ ସାହାଯ୍ୟ କରିଛି । ସମାଜ, ବିଚାର, ମୂଲ୍ୟାୟନର ଯାବତୀୟ ମାପକାଠି ଏବଂ ବିଜ୍ଞାନ,–ସବୁକିଛି ବିବର୍ତ୍ତନର ଏକ ଧାରାରେ ମନୁଷ୍ୟର ମେଦିନୀଧାରଣାକୁ କ୍ରମପୁଷ୍ଟ ଏବଂ କ୍ରମପ୍ରଶସ୍ତ କରିବାରେ ଲାଗିଛି । ଆମ ସାମୂହିକ ଜୀବନଟି ମଧ୍ୟ ନାନା ନୂତନ ଜ୍ଞାନୋଦ୍‌ଘାଟନଦ୍ୱାରା ନୂତନ ନୂତନ ଆସ୍ପୃହା ତଥା ସମ୍ଭାବନାରେ ସମୃଦ୍ଧ ହେବାରେ ଲାଗିଛି ।

 

ଏହି ମୂଳ ଜୀବନଛନ୍ଦଟିକୁ ବୁଝିଲେ ଶ୍ରୀ ଅରବିନ୍ଦଙ୍କର ପ୍ରାୟ ଯାବତୀୟ ଜଗତ୍‌ବ୍ୟାଖ୍ୟା ବହୁତ ସହଜରେ ବୁଝି ହୋଇଯିବ । ଏହି ପୃଥିବୀରେ ପରମ ସତ୍ୟ ସେହି ମୂଳରୁହିଁ ସଂଗୁପ୍ତ ଅର୍ଥାତ୍‌ ସଂବୃତ୍ତ ହୋଇ ରହିଛନ୍ତି । ସିଏ ନିଜକୁ ପ୍ରକାଶିତ କରିବାର କ୍ରମରେ ପ୍ରଥମେ ଜଡ଼, ତା’ପରେ ପ୍ରାଣ ଏବଂ ତା’ପରେ ମନର ଭୂମିଟି ସମ୍ଭବ ହୋଇ ଆସିଛି । ପ୍ରତ୍ୟେକ ପର୍ଯ୍ୟାୟର ଗର୍ଭରେ ସେହି ପରମ ଚେତନାହିଁ ବିବର୍ତ୍ତିତ ହେବାରେ ଲାଗିଛନ୍ତି । ସିଏ ଏହି ମନର ପାହାଚଟାରେବି ଆଦୌ ଅଟକି ରହି ଯିବେନାହିଁ । ପରବର୍ତ୍ତୀ ସ୍ତରଟି ହେଉଛି ଅତିମାନସର ସ୍ତର । ସବାମୂଳରେ ଜଡ଼ ଅର୍ଥାତ୍‌ ପୂର୍ଣ୍ଣ ନିଶ୍ଚେତନାର ସ୍ତର; ତା’ପରେ ପ୍ରାଣ ଓ ମନର ଅବସ୍ଥାଦ୍ୱୟରେ ଆଂଶିକ ଭାବରେ ଆତ୍ମପ୍ରକାଶ କରିଥିବା ଏହି ନିତାନ୍ତ ଅପୂର୍ଣ୍ଣ ଦ୍ୱିତୀୟ ସ୍ତରଟି । ତଥାପି ଚେତନା ତାହାର ପରିପୂର୍ଣ୍ଣ ପ୍ରସ୍ଥଗୁଡ଼ିକରେ ଏହି ପୃଥିବୀର ଜୀବନରେହିଁ ପ୍ରତିଭାତ ହୋଇ ଆସିବ । ସମାଜ, ସମ୍ପର୍କ, ଆସ୍ପୃହା ଏବଂ ଅନ୍ୱେଷଣ ସତେଅବା ଏକ ଦିବ୍ୟ mensionକୁ ଉତ୍ତୋଳିତ ହୋଇଯିବ । ଶ୍ରୀ ଅରବିନ୍ଦ ତାହାକୁ ନିଜ ଭାଷାରେ Spirit’s progressive self–expression in lifeର ଚକ୍ରଟିରେ ରହିଥିବା ତିନୋଟି ସୋପାନ ବୋଲି କହିଛନ୍ତି । (BCL, ୧୯, ୬୮୨) ନିଷ୍କର୍ଷ ହେଉଛି, ତୃତୀୟ ଉଚ୍ଚତା ଅର୍ଥାତ୍‌ ଅନ୍ତରଙ୍ଗତାଟିରେ ଉପନୀତ ହୋଇ ଆତ୍ମଜ୍ଞାନ ସର୍ବାଙ୍ଗୀନ ଭାବରେ ନିଜର ବିକାଶ ବିଧାନ କରିପାରିବ ଓ ସେହି ସମ୍ପର୍କଟିକୁ ଭିତ୍ତି କରି ଏକ ଜୀବନ ମଧ୍ୟ ଆପଣାକୁ ବ୍ୟକ୍ତ କରି ଆଣିବ । (BCL, ୨୭, ୪୦୫)

☆☆☆

 

ବିଶ୍ୱାସ

 

ଇଂରାଜୀ ଭାଷାରେ ଦୁଇଟି ଶବ୍ଦ,–faith ଏବଂ belief ସକାଶେ ଆମ ଭାଷାରେ ସେଇ ଗୋଟିଏ ଶବ୍ଦ, ବିଶ୍ୱାସ । ଶ୍ରୀ ଅରବିନ୍ଦଙ୍କ ମତରେ, faith ହେଉଛି faith in something spiritual ଏବଂ belief ଅନେକ ସମୟରେ କେବଳ ମାନସିକ ସ୍ତରର ବିଶ୍ୱାସ ମଧ୍ୟ ହୋଇପାରେ । (BCL, ୨୪, ୧୩୮୯) ପୁନଶ୍ଚ, faith is a dynamic entire belief and acceptance ଏବଂ belief ହେଉଛି କେବଳ ଏକ intellectual acceptance, (BCL, ୨୩, ୫୭୧)–ଏଠାରେ ଆମେ ବିଶ୍ୱାସ କହିଲେ faith ଅର୍ଥରେ ବୁଝିବା । ମନ ତ କେତେ ପ୍ରକାରେ ବଦଳି ଯାଉଥାଏ । ସେହି ଅନୁସାରେ belief ମଧ୍ୟ ବଦଳିଯାଏ । ତେଣୁ, “ଯଦି ଭିତରେ faith ବୋଲି କିଛି ନଥାନ୍ତା, ତେବେ ତାହା ସଦା ବଦଳି ଯାଉଥିବା ମନର ହାତରେ ଏକ କ୍ରୀଡ଼ନକ ପରି ହୋଇ ରହିଥାନ୍ତା । ବାହ୍ୟ ପରିସ୍ଥିତିମାନେବି ତାହାକୁ ନେଇ କେବଳ ଖେଳ ଖେଳିବାରେ ଲାଗିଥାଆନ୍ତେ । (ତତ୍ରୈବ, ୬୧୬)

 

Faith is only a will aiming at greater truth,–ଶ୍ରୀ ଅରବିନ୍ଦଙ୍କର ଏହି ଉକ୍ତିଟିକୁ ମଧ୍ୟ ଆମେ ଏହି କ୍ଷେତ୍ରରେ ଅବଶ୍ୟ ମନେରଖିବା । ଅର୍ଥାତ୍‌, faith ସର୍ବଦା will ବା ଇଚ୍ଛାଶକ୍ତି ସହିତ ସମ୍ବନ୍ଧିତ ହୋଇ ରହିଥାଏ । ସିଏ ଅଧିକ ପ୍ରାଞ୍ଜଳ ଭାବରେ କଥାଟିକୁ ବୁଝାଇ ଦେଇ କହିଛନ୍ତି ଯେ, faith ହେଉଛି ବସ୍ତୁତଃ ଏକ will ବା ଇଚ୍ଛାଶକ୍ତି, ଯାହା ସହିତ ପରିପୂର୍ଣ୍ଣ ଶ୍ରଦ୍ଧା ସର୍ବଦା ସଂଯୁକ୍ତ ହୋଇ ରହିଥାଏ । ଶ୍ରଦ୍ଧା ଯୁକ୍ତି କରେ ନାହିଁ, କାରଣ ତାହା ପ୍ରକୃତରେ ଜାଣିଥାଏ । ....ଏହି ଶ୍ରଦ୍ଧା ଆଦୌ ଅନ୍ଧ ନୁହେଁ, ମାତ୍ର ତାହା ଏକ ଅଧ୍ୟାତ୍ମ ଚକ୍ଷୁକୁ କାମରେ ଲଗାଉଥାଏ ଏବଂ ସବୁ ଦେଖିପାରେ । (BCL, ୧୭, ୧୭୮)

 

ଏହି ବିଶ୍ୱାସ ବା faith ବିଷୟରେ ମାଆ ଆହୁରି ନିର୍ଦ୍ଦିଷ୍ଟ : “ କୌଣସି ଗୋଟିଏ ସୂତ୍ର କିମ୍ବା ଧର୍ମରେ ବିଶ୍ୱାସ (belief) କରିବାକୁ କଦାପି faith କହି ହେବନାହିଁ । ଏପରିକି ଗୁରୁଙ୍କଦ୍ୱାରା ପ୍ରଦତ୍ତ ଶିକ୍ଷାକୁ ମଧ୍ୟ ଆମେ faith ବୋଲି କହିବା ନାହିଁ । Faith ହେଉଛି ଜଣେ ବ୍ୟକ୍ତିର ନିଜର ସମ୍ଭାବନାଗୁଡ଼ିକ ଉପରେ ବିଶ୍ୱାସ, ଅର୍ଥାତ୍‌ ଏପରି ଏକ ଦୃଢ଼ବିଶ୍ୱାସବୋଧ, ଯାହାକୁ କି, ଯେତେ ଯାହା ବାଧା, ପ୍ରତିବନ୍ଧକ, ଅପୂର୍ଣ୍ଣତା ଓ ଏପରିକି ସତ୍ତାରେ ରହିଥିବା ଯାବତୀୟ ନକାରାତ୍ମକତା ସତ୍ତ୍ୱେ ସିଏ ଅବଶ୍ୟ ଉପଲବ୍ଧି କରିବ, କାରଣ ସେହିଗୁଡ଼ିକର ଉପଲବ୍ଧି ନିମନ୍ତେ ସିଏ ଏହି ପୃଥିବୀରେ ଜନ୍ମଗ୍ରହଣ କରିଛି ।” (MCE, ୩, ୧୮୯)

 

God is faith in oneself raised to the nth degree,–ଏହି ସନ୍ଦର୍ଭରେ ଗାନ୍ଧିଜୀଙ୍କର ସେହି କଥାଟିକୁ ମଧ୍ୟ ସ୍ମରଣ କରାଯାଇପାରେ ।

☆☆☆

 

ବିସ୍ମୟ

 

ଏହି ପୃଥିବୀରେ, ଏହି ଜୀବନରେ ଆମେ ଯେତିକି ଦେଖୁଛୁ ଓ ଯେତିକିକୁ ସ୍ପର୍ଶ କରିପାରୁଛୁ, ତାହା କେବଳ ସେତିକି ନୁହେଁ; ତାହା ପଛରେ ଆହୁରି ଅନେକ ଉଚ୍ଚତା ଓ ଆହୁରି ଅନେକ ଗଭୀରତା ରହିଛି । ଏହି ଆହୁରି ଅନେକର ନିତ୍ୟ ଅନୁଭବ, ତାହା ମୋତେ କେବେହେଲେ କ୍ଷୁଦ୍ର କରି ପକାଉନାହିଁ ଅଥବା ମୋର ସୀମିତ ବଳ ବିଷୟରେ ମୋତେ ଆଦୌ ସଚେତନ କରି ଦେଉନାହିଁ । ତାହା ମୋତେ ଆକର୍ଷଣ କରିବାରେ ଲାଗିଛି । ଏହିପରି ଭାବରେ ଏକ ବିସ୍ମୟଦ୍ୱାରାହିଁ ବାହାରେ ସତେଅବା ଏକ ଆବିଷ୍କାରଯାତ୍ରାରେ ଅନବରତ ବାଟ ଚାଲିଛି ଓ ଭିତରେ ମଧ୍ୟ ଭେଦି ଭେଦି ଚାଲିଛି । ଏହି ପରିଚୟ ଆନନ୍ଦ ଆଣି ଦେଉଛି, ମାତ୍ର ଆଦୌ ସରୁନାହିଁ-। ବାହାରେ ସରୁନାହିଁ ଅଥବା ଭିତରେ ମଧ୍ୟ ସରୁନାହିଁ ।

 

ବିସ୍ମୟ ହେଉଛି ସକଳ ଜିଜ୍ଞାସା ଏବଂ ଆସ୍ପୃହାର ଜନନୀ । ମନୁଷ୍ୟ ଭିତରେ ସେହି ନିତ୍ୟଶିଶୁଟି ଜାଗରୁକ ହୋଇ ରହିଥିବା ପର୍ଯ୍ୟନ୍ତ ଏହି ଯାତ୍ରା ଲାଗିଥିବ, ଶିଖର ପରେ ଶିଖର ଦୃଷ୍ଟିଗୋଚର ହେଉଥିବ । ବିସ୍ମୟହିଁ କେତେ ମଣିଷଙ୍କୁ କବି କରିଛି; କାହାକୁ ଅସରନ୍ତି ଜ୍ଞାନ ଓ ବିଜ୍ଞାନର ବାଡ଼ିଟିଏ ଧରାଇ ଦେଇଛି । ପ୍ରେମ ମଧ୍ୟ ଯାବତୀୟ ଅର୍ଥରେ ସେହି ବିସ୍ମୟଦ୍ୱାରାହିଁ ଉତ୍‌ପ୍ରେରିତ ହୋଇ ଆସେ, ଅଳପରୁ ବହୁତ ଭିତରକୁ ରାଜୀ କରି ନେଇଯାଏ । ଗୋଟାଏ ଉତ୍ତୋଳନକାରୀ ନିତ୍ୟ ଅସନ୍ତୋଷ ଜୀବନର ପ୍ରାୟ ପ୍ରତ୍ୟେକ ଭେଟିବାକୁ ସତେଅବା ଏକ ଆନନ୍ଦଦାୟୀ ନିତ୍ୟ ଅଭିସାରରେ ପରିଣତ କରି ରଖିଥାଏ ।

 

ଏହି ବିସ୍ମୟଦ୍ୱାରା ପରିଚାଳିତ ହୋଇହିଁ ଜଡ଼ କେବଳ ଜଡ଼ ବୋଲି ମୋଟେ ଲାଗେ ନାହିଁ; ବିସ୍ମୟ ହେଉଛି ଏକ ଡେଣା, ଯାହାକି ଆମକୁ ଗୋଟିଏ ଭୁବନ ମଧ୍ୟରେହିଁ ସକଳ ଭୁବନର ସ୍ପର୍ଶ ଆଣି ଦେଇ ଯାଉଥାଏ । ବିସ୍ମୟ ହେଉଛି ପ୍ରତ୍ୟେକ ମନୁଷ୍ୟ ଭିତରେ ରହିଥିବା ସେହି ନିତାନ୍ତ ଅନମନୀୟ ପିଲାଟି, ଯିଏକି ଆମର ଭିତର ଓ ବାହାରକୁ ସଦାଗତିଶୀଳ କରି ରଖିଥାଏ । ମନେ ହେଉଥାଏ, ମୁଁ ସିନା ଦିନେ ଏଠୁ ଛୁଟି ନେଇ ଚାଲିଯିବି, ମାତ୍ର ଏହି ବିସ୍ମୟ ମୋତେ କେବେହେଲେ ଛାଡ଼ି ଚାଲିଯିବ ନାହିଁ । ମୋତେ ଅଧିକରୁ ଅଧିକ ସମୀପବର୍ତ୍ତୀ କରି ଆଣୁଥିବ ।

☆☆☆

 

ବୈରାଗ୍ୟ

 

ଭାରତୀୟ ସାଧନାର ପରମ୍ପରାରେ ବୈରାଗ୍ୟ ଚିରଦିନ ଗୋଟିଏ ବହୁଚର୍ଚ୍ଚିତ ଶବ୍ଦ ହୋଇ ରହି ଆସିଛି । ବିରାଗରୁ ବୈରାଗ୍ୟ । ସଂସାର ପ୍ରତି ବିରାଗ ଜାତ ହେଲା, ତେଣୁ ସଂସାର ଛାଡ଼ି ଚାଲିଯିବାକୁ ଅଭିଳାଷ ଜନ୍ମିଲା । ଯଦି ସଂସାରଟାହିଁ ବିରକ୍ତିର କାରଣ ହୋଇଥାନ୍ତା, ତେବେ ସଂସାରତ୍ୟାଗଦ୍ୱାରା ଅବଶ୍ୟ ପୂର୍ଣ୍ଣ ଅଭୀଷ୍ଟପୂରଣ ହେଉଥାନ୍ତା । ମାତ୍ର, ବିରକ୍ତିର କାରଣ ଯଦି ହୁଏତ ସ୍ୱଂୟ ମୁଁ ହୋଇଥାଏ, ଯଦି ମୁଁ ନିଜ ଭିତରେ ବହୁଭାଗ ହୋଇ ରହିଥାଏ ଏବଂ ଗୋଟିଏ ଭାଗରେ ରହିପାରିବି ବୋଲି ଆଉ ଭାଗଗୁଡ଼ିକୁ ଛାଡ଼ି ଆସିବାକୁ ଅବଶ୍ୟମ୍ଭାବୀ ବୋଲି ଭାବୁଥାଏ, ତେବେ ?

 

ଶ୍ରୀ ଅରବିନ୍ଦ ତାମସିକ, ପ୍ରାଣିକ, ରାଜସିକ ଏବଂ ସାତ୍ତ୍ୱିକ ବୈରାଗ୍ୟର କଥା କହିଛନ୍ତି । ପ୍ରାଣିକ ବାସନାସକ୍ତତାର ଓଲଟା ପାଖଟା ହେଉଛି ପ୍ରାଣିକ ବୈରାଗ୍ୟ । (BCL, ୨୨, ୫୨) ଆମ ବୈରାଗ୍ୟ ଯେତେବେଳେ ଆମକୁ ଏହି ଜୀବନକ୍ଷେତ୍ରରୁ ସତେଅବା ଛାଟିପିଟି ହୋଇ ପଳାଇ ଯିବାକୁ ସତେଅବା ବେତ ଧରି ଗୋଡ଼ାଇଥାଏ, ତାହା ହେଉଛି ତାମସିକ ବୈରାଗ୍ୟ । ସାତ୍ତ୍ୱିକ ବୈରାଗ୍ୟ ପଛରେ କୌଣସି ନୈରାଶ୍ୟ ନଥାଏ, କୌଣସି ପ୍ରକାରେ ବାଧ୍ୟ ହୋଇ ପଳାଇ ଯିବାର ଦୁଃଖ ମଧ୍ୟ ନଥାଏ । ଜୀବନରେ ଅଧିକ ଉଚ୍ଚ ଏବଂ ଅଧିକ ସତ୍ୟ କିଛି ସମ୍ପଦର ଅଧିକାର ହେବା ନିମନ୍ତେ ଯେତେବେଳେ ଉପସ୍ଥିତ ଭୂମିଟି ଆଉ ଯଥେଷ୍ଟ ବୋଲି ମନେ ହୁଏନାହିଁ, ତାହାକୁହିଁ ଆମେ ସାତ୍ତ୍ୱିକ ବୈରାଗ୍ୟ ବୋଲି କହିପାରିବା । (ତତ୍ରୈବ, ୨୩, ୭୬୨)

 

ଉଚ୍ଚତର ପ୍ରତି ଆସ୍ପୃହାହିଁ ଜୀବନର ଅସଲ ପ୍ରେରଣା ହୋଇଥିଲେ ପ୍ରାୟ ସର୍ବଦା ଉପସ୍ଥିତିଟିର ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିଥାଏ । ସେହି ପ୍ରତ୍ୟାଖ୍ୟାନ ଖୁସିରେ ହୁଏ, ଅବଲୀଳାକ୍ରମେ ହୁଏ । ଏହି ସ୍ୱେଚ୍ଛାପ୍ରଣୋଦିତ ନିତ୍ୟଅସନ୍ତୋଷକୁ ଶ୍ରୀ ଅରବିନ୍ଦ ପୂର୍ଣ୍ଣଯୋଗ ନିମନ୍ତେ ଆବଶ୍ୟକ ଏବଂ କେତେକାଂଶରେ ଅପରିହାର୍ଯ୍ୟ ବୋଲି କହିଛନ୍ତି । (ତତ୍ରୈବ, ୨୨, ୧୪୨) ଅନ୍ୟତ୍ର, ତାଙ୍କରି ଭାଷାରେ, “ବୈରାଗ୍ୟର କେତେକ ଉପାଦାନ ବ୍ୟତୀତ କୌଣସି ସଂସ୍କୃତି ଆଦୌ ବୃହତ୍‌ ଓ ସମ୍ପୂର୍ଣ୍ଣ ହୋଇ ପାରିବ ନାହିଁ । ବୈରାଗ୍ୟ କହିଲେ ଏଠାରେ ଏକ ଆତ୍ମସଂଯମ ଏବଂ ଆପଣା ଉପରେ ବିଜୟକୁ ବୁଝାଇବ, ଯାହାଦ୍ୱାରା କି ଜଣେ ମନୁଷ୍ୟ ନିଜ ପ୍ରକୃତିର ନିମ୍ନତର ଆବେଗଗୁଡ଼ିକୁ ପରିତ୍ୟାଗ କରି ଉଚ୍ଚତର ଭୂମିଗୁଡ଼ିକ ଆଡ଼କୁ ଯିବାଲାଗି ସମର୍ଥ ହୋଇଥାଏ ।” (BCL, ୧୪, ୭୪)

 

ତେଣୁ, ଯଥାର୍ଥତମ ବୈରାଗ୍ୟ ହେଉଛି ଜଣେ ଯଥାର୍ଥଲକ୍ଷ୍ୟଯୁକ୍ତ “ସବଳ ବ୍ୟକ୍ତିର ବୈରାଗ୍ୟ,” ଯିଏ ସଂସାରର ସୁଖକୁ ଆସ୍ୱାଦନ କରି ତଥାପି ସେହି ସୁଖ ଚିରନ୍ତନ ଓ ଯଥେଷ୍ଟ ନୁହେଁ ବୋଲି ଆବିଷ୍କାର କରେ ଏବଂ ନିଜ ଭିତରୁହିଁ ଏକ ଅଧିକ ଗଭୀର, ଅଧିକ ଶୁଦ୍ଧ ତଥା ଅଧିକ ସ୍ଥାୟୀ ସମ୍ଭାବ୍ୟତାର ସ୍ପର୍ଶ ଲାଭ କରେ ଏବଂ ସେହି ଆଡ଼କୁ ଯିବ ବୋଲି ନିଷ୍ପତ୍ତି ଗ୍ରହଣ କରେ । (BCL, ୧୨, ୪୫୬) ନିଷ୍କର୍ଷ ହେଇଛି, ମୂଳତଃ ଏକ ଉଚ୍ଚତର ଆକର୍ଷଣରୁହିଁ ଯଥାର୍ଥ ବୈରାଗ୍ୟ ଜାତ ହୁଏ-। ସେହି ଉଚ୍ଚତର ପାଇଁ ଶ୍ରଦ୍ଧାହିଁ ଏଠାଟିକୁ ଛାଡ଼ି ଆଗକୁ ଯିବାର ପ୍ରକ୍ରିୟାଟିକୁ ଅତ୍ୟନ୍ତ ସ୍ୱାଭାବିକ କରିଥାଏ । ସତକୁସତ କ’ଣ ଛାଡ଼ି ଆସିଲି ବୋଲି କୌଣସି ଅନୁଭବ ହୁଏନାହିଁ ଏବଂ ତଥାପି ଇଚ୍ଛା କଲାମାତ୍ରକେ ସବୁ ଛାଡ଼ି ହୋଇ ଯାଉଥାଏ । ଅସଲ ବୈରାଗ୍ୟ ସତକୁସତ କୌଣସି ବୃହତ୍ତର ଅନୁରାଗଦ୍ୱାରାହିଁ ପ୍ରେରିତ ହୋଇ ଆସିଥାଏ । ତେଣୁ, ନିଜ ସହିତ ଆଦୌ କୌଣସି ପ୍ରକାରେ ଯୁଦ୍ଧ କରିବାକୁ ପଡ଼େନାହିଁ । ପୂର୍ଣ୍ଣ ଯୋଗ ଏହି ପୃଥିବୀରେହିଁ ଦିବ୍ୟ ଜୀବନର ପ୍ରତିଷ୍ଠାପାଇଁ-। (BCL, ୨୩, ୫୦୬) ତେଣୁ ଏଠାରେ ଆମର ଯାବତୀୟ ବୈରାଗ୍ୟ ମଧ୍ୟ ମୂଳତଃ ଅନୁରାଗଭିତ୍ତିକ ହୋଇ ରହିପାରୁଥିବା ଉଚିତ ।

☆☆☆

 

ବ୍ୟକ୍ତି (ତ୍ୱ)

 

ଜଣେ ବ୍ୟକ୍ତିର ଜୀବନକୁ ଆମେ ତା’ ବ୍ୟକ୍ତିତ୍ୱର ପ୍ରକାଶ ବୋଲି ଜାଣିବା । ପ୍ରତ୍ୟେକ ବ୍ୟକ୍ତି ଭିତରେ ଅନନ୍ତ ଗୁଣ ଅର୍ଥାତ୍‌ ଅନନ୍ତ ସମ୍ଭାବନା ରହିଛି । ପ୍ରଚ୍ଛନ୍ନ ହୋଇ ରହିଛି । ସେହି ଗୁଣଗୁଡ଼ିକହିଁ ବ୍ୟକ୍ତ ହୋଇ ଆସୁଛି । କେତେକଅଣ ବ୍ୟକ୍ତ ହେବ ବା ନହେବ, ତାହା ସଂପୃକ୍ତ ବ୍ୟକ୍ତିଟିର ସେହି ବିଷୟରେ ସଚେତନତା ଏବଂ ସେଥିଲାଗି ସାମର୍ଥ୍ୟ ଉପରେହିଁ ନିର୍ଭର କରିଥାଏ । ଯେତିକି ବ୍ୟକ୍ତ ହେଉଛି, ତାହା ବ୍ୟକ୍ତିତ୍ୱ । କେତେକଅଣ ବ୍ୟକ୍ତ ହେବାପାଇଁ ଅପେକ୍ଷା କରି ରହିଛନ୍ତି-। ବ୍ୟକ୍ତ ଓ ଅବ୍ୟକ୍ତ ଦୁଇଟିର ସମାହାର ହେଉଛି ବ୍ୟକ୍ତି । ତେଣୁ, ଜଣେ ବ୍ୟକ୍ତିକୁ ଆମେ ତା’ର ବ୍ୟକ୍ତିତ୍ୱଠାରୁ ସର୍ବଦା ଅଧିକ ବୋଲି କହିପାରିବା । (BCL, ୧୯, ୯୯୫)

 

ପୂର୍ଣ୍ଣ ବ୍ୟକ୍ତିତ୍ୱ ମଧ୍ୟରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ତଥା ଶୂଦ୍ର, ଚାରୋଟିଯାକ ଶାସ୍ତ୍ରବର୍ଣ୍ଣିତ ସ୍ୱଭାବର ଗୁଣ ସମନ୍ୱିତ ଭାବରେ ରହିଥିବା ଉଚିତ । ଏହି ଚାରି ସ୍ୱଭାବକୁ ଯେ କାଳକ୍ରମେ ଆମେ ଭାରତବର୍ଷରେ ଗୋଟିଏ ଗୋଟିଏ ଜାତିର ଛାଞ୍ଚରେ ପକାଇଦେଲୁ, ତା’ ପଛରେ ପ୍ରକୃତରେ ଆଦୌ କୌଣସି ବିବେକ ନାହିଁ । ଏକ ପୂର୍ଣ୍ଣ ବ୍ୟକ୍ତିତ୍ୱପାଇଁ ଚାରୋଟିଯାକ ଗୁଣର ଆବଶ୍ୟକତା ରହିଛି । (BCL, ୨୧, ୧୫ଶ ଅଧ୍ୟାୟ) ବସ୍ତୁତଃ କୌଣସି ବ୍ୟକ୍ତିକୁ ଆମେ ଏକ ନିର୍ଦ୍ଦିଷ୍ଟ ଛାଞ୍ଚରେ ନେଇ ପକାଇ ପାରିବା ନାହିଁ । କୌଣସି ଏକ ନିର୍ଦ୍ଦିଷ୍ଟ ଛାଞ୍ଚଦ୍ୱାରା ଜଣେ ବ୍ୟକ୍ତିର ମୂଲ୍ୟାୟନବି କରିପାରିବା ନାହିଁ । (BCL, ୧୬, ୧୫୭) ପୃଥିବୀରେ ଉତ୍ପୀଡ଼କମାନେ ଅତୀତରେ ତାହାହିଁ କରି ଆସିଛନ୍ତି ଏବଂ ଏବେ ମଧ୍ୟ କରୁଛନ୍ତି ।

 

ଏକ ସମଷ୍ଟି ମଧ୍ୟରେ ନିଜର ବିକାଶ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିର ପୂର୍ଣ୍ଣ ଅଧିକାର ଅବଶ୍ୟ ରହିବ । (BCL, ୧୫, ୨୦) କେବଳ ଗୋଟିଏ ବା ଦୁଇଟି ବର୍ଗର ସେହି ଅଧିକାର ରହିଥିବ, ତାହା ଆଦୌ ସ୍ୱାସ୍ଥ୍ୟକର ବା ଶୁଭ ହେବନାହିଁ । କୌଣସି ସମାଜ ନିମନ୍ତେବି ନୁହେଁ । ଏବଂ, ଆହୁରି ମହତ୍ୱପୂର୍ଣ୍ଣ କଥା ହେଉଛି ଯେ, ବ୍ୟକ୍ତିର ସ୍ୱାଧୀନତା ନରହିଲେ ମଧ୍ୟ କୌଣସି ସମାଜ ଯଥାର୍ଥ ଅଗ୍ରଗତିର ସମର୍ଥ ହେବନାହିଁ । (ତତ୍ରୈବ, ୪୮୮–୮୯) ଏବଂ ଶ୍ରୀ ଅରବିନ୍ଦଙ୍କର କହିବା ଅନୁସାରେ, “ପ୍ରତ୍ୟେକ ବ୍ୟକ୍ତି ଉପଲବ୍ଧି କରିବ ଯେ, ତା’ରି ପରି ତା’ର ସହଯାତ୍ରୀ ଅନ୍ୟ ମନୁଷ୍ୟମାନଙ୍କର ଜୀବନରେହିଁ ତା’ର ନିଜ ଜୀବନ ପରିପୂର୍ଣ୍ଣତା ଲାଭ କରିପାରିବ । ସେହିପରି ଭାବରେ ପ୍ରତ୍ୟେକ ଜାତି ବା ସମାଜ ମଧ୍ୟ ଉପଲବ୍ଧି କରିବ ଯେ, ବ୍ୟକ୍ତିର ଜୀବନ ମୁକ୍ତ ଏବଂ ପୂର୍ଣ୍ଣ ହୋଇ ରହିଲେ ଯାଇ ତା’ର ସେହି ସାମୂହିକ ଜୀବନ ମଧ୍ୟ ପରିପୂର୍ଣ୍ଣ ଏବଂ ସୁଖୀ ହୋଇ ରହିପାରିବ ।” (ତତ୍ରୈବ, ୫୫୪)

 

ମୋଟ କଥା ହେଲା, ଆଧାରରେ ବ୍ୟକ୍ତିହିଁ ନିମିତ୍ତ ହୋଇ ରହିବ ଏବଂ ତାହାର ଶକ୍ତିମନ୍ତ ବିକାଶ ନିମନ୍ତେ ସମାଜ ତାକୁ ଏକ ଅନୁକୂଳତମ ପରିବେଶ ଯୋଗାଇଦେବ । ନିଜର ବିକାଶ ସାଧନ କରି ବ୍ୟକ୍ତି ସମାଜ ନିମନ୍ତେହିଁ ବଞ୍ଚିବ, ସମାଜ ଲାଗି ସବୁ କରୁଥିବ । ମାତ୍ର, ସେହି ଯଥାନୁକୂଳ ପରିବେଶଟି ସମାଜ ଯୋଗାଇ ଦେଇ ନପାରିଲେ, ବ୍ୟକ୍ତି ସେହି ସମାଜକୁ ମଧ୍ୟ ବଦଳାଇ ଦେବାକୁ ଆପଣାର କର୍ତ୍ତବ୍ୟ ବୋଲି ଗ୍ରହଣ କରିବ ।

☆☆☆

 

ଭବିଷ୍ୟ

 

ଯଦି ଆସ୍ପୃହାହିଁ ଆମ ଜୀବନର ସର୍ବପ୍ରଧାନ ଆଭିମୁଖ୍ୟ ହୋଇ ରହିଥିବ, ତେବେ ଆମର ଦୃଷ୍ଟି ସତତ ଏକ ଭବିଷ୍ୟ ଆଡ଼କୁହିଁ ଲମ୍ବି ଲମ୍ବି ଯାଉଥିବ । ଯେଉଁ ଭବିଷ୍ୟଟି ମୋତେ, ଅନ୍ୟ ସମସ୍ତଙ୍କୁ ତଥା ସମଗ୍ର ପୃଥିବୀ ଲାଗି ଅପେକ୍ଷା କରି ରହିଛି, ମୋର, ଆମର ତଥା ସମସ୍ତ ପୃଥିବୀର ବର୍ତ୍ତମାନଟି ସତେଅବା ତାହାରି ଆଡ଼କୁହିଁ ଦୁଆରଗୁଡ଼ିକୁ ଖୋଲି ଦେବାରେ ଲାଗିଛି । ମାଆଙ୍କର ଭାଷାରେ “ଅତୀତ ଅପେକ୍ଷା ଭବିଷ୍ୟତହିଁ ନିଃସନ୍ଦେହ ଭାବରେ ଅଧିକ ଭଲ ହେବ । ଆମକୁ କେବଳ ଆଗକୁହିଁ ପାଦ ପକାଇବାକୁ ପଡ଼ିବ ।” (MCE, ୧୭, ୩୨୮) ଭବିଷ୍ୟ ଅଧିକ ଭଲ ହେବ, ଏହା ଏପରି ଏକ ବିଶ୍ୱାସ, ଯାହାକି ଆମ ଭିତରେ ଅତ୍ୟନ୍ତ କ୍ରିୟାଶୀଳ ହୋଇ ରହିଥିବା ଦିବ୍ୟ ଅଭିଳାଷଟିର ସୂଚନା ଦେଇଥାଏ ।

 

ଭବିଷ୍ୟ ଟାଣେ, ତଥାପି ସମ୍ଭବତଃ କିଞ୍ଚିତ୍‌ ଭୟ ମଧ୍ୟ ଦେଖାଉଥାଏ । ମୁଁ ବର୍ତ୍ତମାନ ଯେଉଁଠାରେ ଅଥବା ଯେତିକି ଭିତରେ ରହିଛି, ତାକୁ ତ ମୁଁ ଅଳ୍ପ–ବହୁତ ଜାଣିଛି । ମାତ୍ର, ଯାହା ଆଗରେ ରହିଛି, ସେହି ଭବିଷ୍ୟ ବିଷୟରେ ମୁଁ କିଛି ଜାଣିନାହିଁ । କାଳେ ତାହା ଆସି ମୋ’ ବର୍ତ୍ତମାନର ଏହି ସବୁକିଛିକୁ ଏକାବେଳେକେ ଉଡ଼ାଇ ନେଇଯିବ–ଆମେ ଏହିପରି ଏକ ପ୍ରହେଳିକା ଭିତରେ ରହିଥାଉ । ତଥାପି, Go on we must. (BCL, ୧୬, ୩୧୮) ଆମେ ନଗଲେ କାଳହିଁ ଆମକୁ ଠିକ୍‌ ସେହି ଆଡ଼କୁ ନେଇଯିବ ।

 

ଅସଲ ବିଶ୍ୱାସ କହିବ, ମନୁଷ୍ୟ ଭିତରେ ରହିଥିବା ଈଶ୍ୱରୀୟତାଟି କ୍ରମଶଃ ଉନ୍ମୋଚିତ ହୋଇ ଆସୁଛି ଏବଂ ତାହାହିଁ ବହୁକାଳରୁ ପ୍ରତିଶ୍ରୁତ ହୋଇ ରହିଛି । ମନୁଷ୍ୟଜାତି କ୍ରମେ ଏକ ଅଧ୍ୟାତ୍ମ ଭୂମି ଉପରେ ଐକ୍ୟବଦ୍ଧ ହୋଇ ଆସିବ, ଏକ ବୃହତ୍ତର ମନୁଷ୍ୟର ଆବିର୍ଭାବ ହେବ ଏବଂ ପୃଥିବୀ ଉପରେ ଏକ ବୃହତ୍ତର ଜୀବନର ପ୍ରତିଷ୍ଠା ହେବ । (BCL, ୯, ୨୫୫) ଆମେ ସେହି ବିଶ୍ୱାସଟିକୁ ନିଜର ବିଶ୍ୱାସରେ ପରିଣତ କରିବା । ପଛଟା ଭିତରେ ଲାଖି ରହିବା ନାହିଁ ଅଥବା ବର୍ତ୍ତମାନଟାକୁ ମଧ୍ୟ ଅନ୍ତିମ ବୋଲି ମାନି ନେବା ନାହିଁ । ସତ୍ୟମୁହାଁ ହୋଇ ବାଟ ଚାଲିବା । ଭବିଷ୍ୟମୁଖୀ ହେବା । ତେବେ ନିଜ ଭିତରୁ ମଧ୍ୟ ପ୍ରଭୂତ ବଳ ନିଶ୍ଚୟ ପାଇବା ।

☆☆☆

 

ଭୟ

 

ସମ୍ଭବତଃ ଅହଂକାରରୁହିଁ ଯାବତୀୟ ଭୟର ଉକୁ ହୋଇଥାଏ । ଅହଂକାରୀ ନିଜକୁ ଏକୁଟିଆ କରି ରଖିଥାଏ, ସାଥୀଟିଏ ଖୋଜେନାହିଁ, ତେଣୁ ସାଥୀଟିଏ ପାଇପାରେନାହିଁ । ନିଜେ ସାଥୀଟିଏ ହୋଇ ପାରିବା ତ ଆହୁରି ଦୂରର କଥା । ନିଜ ଭିତରେ କେନ୍ଦ୍ରଟିଏ ଅଛି ବୋଲି ଅନୁଭବ କରିପାରିଲେ ପୃଥିବୀରେ ମଧ୍ୟ ଏକ କେନ୍ଦ୍ର ରହିଛି ବୋଲି ଅନୁଭବ ଆସେ । ତା’ପରେ ଆଉ ଏକୁଟିଆ ଲାଗେ ନାହିଁ । ଜୀବନ ଏକ ଅଭୟଦ୍ୱାରା ପରିଚାଳିତ ହୁଏ । ଶ୍ରୀ ଅରବିନ୍ଦ ଅଭୟକୁ ଏକ କ୍ଷତ୍ରିୟ ତେଜ ବୋଲି କହିଛନ୍ତି । (BCL, ୨୭, ୩୬୧)

 

ଧର୍ମଚେତନାର ସେହି ଅଶୋଧିତ ଆଦିକାଳରେ ସମ୍ଭବତଃ ମଣିଷ ଭଗବାନଙ୍କୁ ଭୟ କରି ଶିଖିଥିଲା । ଏବଂ ଏବେ ମଧ୍ୟ ସେହି ଭୟଟାହିଁ ପୃଥିବୀରେ ଆମ ଧର୍ମଗୁଡ଼ିକର ଏକ ବୃହତ୍‌ ଆୟତନକୁ ଅଧିକାର କରି ରହିଛି । ପାପ ଓ ପାପଜନିତ ଶାସ୍ତିର ଭୟହିଁ ମଣିଷମାନଙ୍କ ନିମନ୍ତେ ସର୍ବବୃହତ୍‌ ଭୟରୂପେ କାର୍ଯ୍ୟ କରୁଛି । (BCL, ୧୩, ୮୭) ଯିଏ ବାହାରେ ଏହି ସବୁକିଛିର ଶାସନ କରୁଛି, ସିଏ ମୋ’ ଭିତରେ ମଧ୍ୟ ମୋର ପରମ ରକ୍ଷକ ଓ ପ୍ରେରକରୂପେ ଅଧିଷ୍ଠିତ ହୋଇ ରହିଛି, ମୁଁ ତାହା ସହିତ ସଦାଯୁକ୍ତ ହୋଇ ରହିଛି, ଅନୁଭୂତିର ଏହି ସୋପାନକୁ ଆସି ଜଣେ ମନୁଷ୍ୟ ହୁଏତ ଶ୍ରଦ୍ଧାର ପରିଚୟ ପାଏ ଏବଂ ଶ୍ରଦ୍ଧାଦ୍ୱାରା ଭୟକୁ ପାର ହୋଇଯାଏ ।

 

ଭୟ କରୁଥିବା ମଣିଷର ଜୀବନ ବଡ଼ ସନ୍ତପ୍ତ ଜୀବନ, ଭିତରେ ଏବଂ ବାହାରେ ସତତ ଅସ୍ଥିର ହୋଇ ରହିଥିବା ଏକ ଜୀବନ । ପ୍ରାୟ ଏକ ନିୟମ କାର୍ଯ୍ୟ କରୁଥିବା ପରି, ସିଏ ଯାହାକୁ ଭୟ କରେ, ସେହି ପ୍ରକ୍ରିୟାଟିଦ୍ୱାରା ସେ ସେହି ଭୟକୁ ଡାକିହିଁ ଆଣିଥାଏ । (BCL, ୨୪, ୧୪୧୬) ତେଣୁ ଶ୍ରୀ ଅରବିନ୍ଦଙ୍କର ସ୍ପଷ୍ଟ ସତର୍କବାଣୀ ହେଉଛି ଯେ, Yoga and fear do not go together–(ତତ୍ରୈବ) ଏବଂ ଭୟ ପରିହାର କରିବା ହେଉଛି ସାଧନାରେ ଅଗ୍ରଗତି କରିବାର ପ୍ରଥମ ସର୍ତ୍ତ । (BCL, ୨୪, ୧୧୮୯)

☆☆☆

 

ଭାରତବର୍ଷ

 

ଭାରତବର୍ଷ ଏକ ଭୂମି । ଏବେ ଆମେ ଆଧୁନିକ ଅର୍ଥରେ ତାହାକୁ ଗୋଟିଏ ଦେଶ ବୋଲି କହିଲୁଣି । କବି ଓ ଦ୍ରଷ୍ଟାମାନେ ଏହି ଭୂମିର କେତେ ପ୍ରଶଂସା କରି ଯାଇଛନ୍ତି । ପୃଥିବୀର ପ୍ରାଚୀନ ସଭ୍ୟତାଗୁଡ଼ିକ ମଧ୍ୟରୁ ଭାରତୀୟ ସଭ୍ୟତା ଗୋଟିଏ । ଅତୀତରେ ଭାରତବର୍ଷକୁ ଦେବଭୂମି ବୋଲି କୁହାଯାଇଛି । ପୂର୍ଣ୍ଣ ପ୍ରାସଙ୍ଗିକତା ସହିତ ଆମେ ତାହାକୁ ଏକ ଅଧ୍ୟାତ୍ମଭୂମି ବୋଲି କହିପାରିବା । ଅଧ୍ୟାତ୍ମଜ୍ଞାନର ଇତିହାସରେ ଭାରତୀୟ ଅଧ୍ୟାତ୍ମର ଏକ ବିଶେଷ ଆବେଦନ ରହିଛି । ପୃଥିବୀର ବିଭିନ୍ନ ଭାଗ ପରସ୍ପର ସହିତ ଯେତିକି ଯେତିକି ଅଧିକ ଘନିଷ୍ଟ ଭାବରେ ପରିଚିତ ହୋଇ ଆସୁଛନ୍ତି, ସେତିକି ସେତିକି ବୋଧ ହୋଇ ଯାଉଛି ଯେ, ଭାରତୀୟ ଅଧ୍ୟାତ୍ମର କେବଳ ଭାରତ ନିମନ୍ତେ ନୁହେଁ, ସମଗ୍ର ପୃଥିବୀ ନିମନ୍ତେ ମଧ୍ୟ ଏକ ଶକ୍ତିଶାଳୀ ଆବେଦନ ରହିଛି ।

 

ଗୋଟିଏ ଭୂମିର ସବାଆଗ ଏବଂ ସବାବଡ଼ ସମ୍ପଦ ହେଉଛି ତାହାର ଅଧିବାସୀମାନେ । ଭାରତବର୍ଷର ଅଧିବାସୀ ବହୁ ଧର୍ମର, ବହୁ ଭାଷାର, ବହୁ ସାଂସ୍କୃତିକ ପ୍ରଭାବ ଏବଂ ପ୍ରେରଣାଦ୍ୱାରା ସେମାନେ କାଳକାଳରୁ ଜୁଆ ହୋଇ ଆସିଛନ୍ତି । ତେଣୁ, ଏଠାରେ ବହୁ ମତ, ବହୁ ସମ୍ପ୍ରଦୟ ଏବଂ ବହୁ ଦର୍ଶନ ମଣିଷମାନଙ୍କୁ ପରସ୍ପରଠାରୁ ଭିନ୍ନ ବୋଲି ବୁଝାଇବାକୁ ଚେଷ୍ଟାକରି ଆସିଥିଲେ ମଧ୍ୟ ସର୍ବଦା ଏକ ସମନ୍ୱୟ–ଦୃଷ୍ଟି ସବା ଉପରେ ରହି ସୁସ୍ଥ, ସହୃଦୟ ତଥା ସମ୍ବେଦନା–ସମ୍ପନ୍ନ ହୋଇ ରହିବାର ଆହ୍ୱାନ ଦେଇ ଆସିଛି । ଏଠି ବିଦେଶରୁ ବହୁ ସଂକ୍ରମଣ ଆସି ସତେଅବା ଏକ ସଙ୍କଟର ପ୍ରତୀତି ସୃଷ୍ଟି କରିଛି । ତଥାପି ସେହି ସଂକ୍ରମଣ ଭାରତୀୟ ଜୀବନ ଓ ବିଚାରକୁ ଅଧିକ ସମୃଦ୍ଧ କରିଛି ସିନା, ତା’ର ଗୋଡ଼ତଳେ ରହିଥିବା ଭୂଇଁଟିରୁ ତାକୁ ତଥାପି ଛିନ୍ନ କରି ନେଇନାହିଁ । ବୈଦିକ, ବୌଦ୍ଧ, ଇସ୍‌ଲାମୀୟ, ଇଉରୋପୀୟ ତଥା ଆହୁରି କେତେକେତେ ଉପାଦାନ ଆସି ଭାରତର ମାଟିକୁ ନାନା ପ୍ରଶସ୍ତତା ପ୍ରଦାନ କରିଛନ୍ତି ଓ ଭାରତର ଆକାଶକୁ ଅଧିକ ପ୍ରତିଶ୍ରୁତିପୂର୍ଣ୍ଣ କରିଛନ୍ତି ।

 

ରାଜନୀତିକ ସ୍ୱାଧୀନତା ଲାଭ କରିବା ପରେ ସମ୍ଭବତଃ ଭାରତବର୍ଷକୁ ତା’ ଇତିହାସର ସର୍ବବୃହତ୍‌ ଆହ୍ୱାନଟିର ସମ୍ମୁଖୀନ ହେବାକୁ ପଡ଼ିଛି । ଅନ୍ୟାନ୍ୟ ବୃହତ୍ତର ସ୍ୱାଧୀନତାର ପରବର୍ତ୍ତୀ ସୋପାନଗୁଡ଼ିକ ସକାଶେ ତାକୁ ସବାଆଗ ନିଜର ମୂଳଦୁଆଟିକୁ ମଜବୁତ୍‌ କରି ଗଢ଼ିବାକୁ ପଡ଼ୁଛି । ମୂଳଦୁଆଟି ଯଥାର୍ଥରେ ଟାଣ ଏବଂ ନିର୍ଭରଯୋଗ୍ୟ ହେବ ସେତିକିବେଳେ, ଯେତେବେଳେ ଏଠାରେ ବାସ କରୁଥିବା ସମସ୍ତେ ଭୌତିକ ଜୀବନର ସର୍ବନିମ୍ନ ଆବଶ୍ୟକତାଗୁଡ଼ିକ ବିଷୟରେ ନିଶ୍ଚିନ୍ତ ହୋଇ ପାରିବେ । ଏହା ସକଳ ଅର୍ଥରେ ଏକ ସାମୂହିକ ପ୍ରଚେଷ୍ଟା । ସମୂହ ଅର୍ଥାତ୍‌ ସମସ୍ତେ-। କେହି ବଞ୍ଚିତ ଓ ଉପେକ୍ଷିତ ହୋଇ ରହି ଯିବେନାହିଁ । ନିର୍ମାଣର ପ୍ରକ୍ରିୟାରେ ସମସ୍ତଙ୍କର ସମ୍ମାନପୂର୍ଣ୍ଣ ଅବଦାନ ରହିବ । ଅସଲ ମୀମାଂସାଟି ଯେପରି ଏହି କ୍ଷେତ୍ରରେହିଁ ହେବ-। ନହେଲେ ସଙ୍କଟ ବଢ଼ି ବଢ଼ି ଯାଉଥିବ ।

 

ଭାରତୀୟ ସାମାଜିକ ଜୀବନରେ ପ୍ରାୟ ପାରମ୍ପରିକ ଭାବରେ ସବୁ ମଣିଷଙ୍କୁ ବିଚାରକୁ ନିଆଯାଇନାହିଁ । ବର୍ତ୍ତମାନ ଭାରତବର୍ଷକୁ ସେହି ଅସାଧ୍ୟକୁହିଁ ସାଧ୍ୟ କରିବାକୁ ପଡ଼ିବ । ପ୍ରାଚୁର୍ଯ୍ୟ ଏବଂ ଦାରିଦ୍ର, ଶାଣିତ ପାଣ୍ଡିତ୍ୟ ଏବଂ ନିରକ୍ଷରତା ଓ ତଜ୍ଜନିତ ଯାବତୀୟ ଅସହାୟତା, ଅଳପ ସମ୍ଭ୍ରାନ୍ତ ବର୍ଗଙ୍କର ଅବଶିଷ୍ଟ ସାଧାରଣଙ୍କୁ ପ୍ରାୟ ଅନମନୀୟ ଭାବରେ ଉପେକ୍ଷା ଏବଂ ଅବଜ୍ଞା–ଏସବୁ ଭାରତ ନିମନ୍ତେ ଆଗ ଭଳି ଏବେ ମଧ୍ୟ ଭାରତବର୍ଷର ପୂର୍ଣ୍ଣତର ଉପଲବ୍ଧି ପଥରେ ଅନ୍ତରାୟ ହୋଇ ଛିଡ଼ା ହେବେ । ଅନ୍ଧାରର ସୁଯୋଗ ନେଇ ସଂକୀର୍ଣ୍ଣ ଧର୍ମୀୟତା ଏବଂ ତଜ୍ଜନିତ ନାନା ଘୃଣା ଭାରତବାସୀଙ୍କୁ ବଡ଼ ଅନ୍ୟମନସ୍କ କରି ରଖିବାକୁ ଚେଷ୍ଟା କରୁଛି ।

 

ଅସଲ କଷଟିପଥରରେ ଭାରତବର୍ଷ ଅଯୋଗ୍ୟ ବୋଲି ପ୍ରମାଣିତ ହୋଇଯିବ କି, ଏବଂ ଏହି ଅରାଜକତା ମଧ୍ୟରେ ଚୂର୍ଣ୍ଣ ହୋଇଯିବ କି ?–ଏପରି ଅଶୁଭ ଭାବନାବି ବେଳେବେଳେ କାତର କରି ପକାଉଛି । ମନେ ହେଉଛି, ଏକ ଅସଲ ତପସ୍ୟାର ମୁହୂର୍ତ୍ତ ଆସି ଉପସ୍ଥିତ ହୋଇଛି ।

 

ତପସ୍ୟାହିଁ ସାହସକୁ ଜନ୍ମ ଦେବ । ସାହସ ଗଭୀରତର ସମୀକ୍ଷା,–ଆତ୍ମସମୀକ୍ଷା ଏବଂ ଜଗତ୍‌ସମୀକ୍ଷା–ଲାଗି ଯୋଗ୍ୟ କରାଇ ଆଣିବ । ବର୍ତ୍ତମାନର halfgodମାନେ ହଟିଯିବେ । ଭାରତଭାଗ୍ୟବିଧାତାହିଁ ବାଟ କାଢ଼ି ଆଣିବେ, ଯାହାକୁ ଭାରତବାସୀ ବୁଝିପାରୁଥିବେ ଏବଂ ଗ୍ରହଣ କରିବେ । ଉପରମାନେ ଆଉ ତଳମାନଙ୍କୁ ଅବହେଳିତ କରି ରଖିପାରିବେ ନାହିଁ । ସେହି ତଳମାନଙ୍କୁ ଉଚ୍ଚକୁ ଓ ଆଲୋକ ମଧ୍ୟକୁ ଆସିବାରେ ସନ୍ଦେଶଟିଏ ଶୁଣାଇ ପାରିବାକୁ ଭାରତବର୍ଷରେ ମଧ୍ୟ ଭୂମିନିର୍ମାଣର କାର୍ଯ୍ୟ ଆରମ୍ଭ ହୋଇ ଆସିଲାଣି । ଯିଏ ତଳମାନଙ୍କୁହିଁ ନିଜ ସାଙ୍ଗକୁ ସଫଳତା ସହିତ ଆଣିପାରିବ, ଭବିଷ୍ୟ ତାହାରି ହାତରେ ରହିଛି ଓ ତେଣୁ ତାହାହିଁ ଆମର ପ୍ରଥମ ତଥା ପବିତ୍ରତମ କର୍ତ୍ତବ୍ୟ ବୋଲି ଶ୍ରୀ ଅରବିନ୍ଦ ୧୮୯୩ରେ ଘୋଷଣା କରିଥିଲେ । (BCL, ୧, ୪୫) ଭାରତବର୍ଷର ଅସଲ ନେତୃତ୍ୱ ସେହି homecomingକୁ ବର୍ତ୍ତମାନ ତ୍ୱରାନ୍ୱିତ କରି ଆଣିବ ।

 

“ଭାରତବର୍ଷ ଏକଦା ଯଥାର୍ଥ ଅଧ୍ୟାତ୍ମଜ୍ଞାନର ଅଧିକାରୀ ହୋଇ ରହିଥିଲା; ମାତ୍ର, ଭୌତିକ ଜୀବନଟି ପ୍ରତି ଅବହେଳା ପ୍ରଦର୍ଶନ କରିବାରୁ ତାକୁ ତାହାର ପରିଣାମ ଭୋଗ କରିବାକୁ ପଡ଼ିଲା ।” ଏଇଟି ମାଆଙ୍କ କଥା । (MCE, ୧୨, ୨୫୧ ) ପୁନଶ୍ଚ, “ଉଚ୍ଚତର ଚେତନା କେବଳ ଉଚ୍ଚତର ବ୍ୟାପାରଗୁଡ଼ିକୁ ନେଇ ବ୍ୟସ୍ତ ରହିବ ଓ ନିମ୍ନତର ବ୍ୟାପାରଗୁଡ଼ିକରେ ଆଦୌ କୌଣସି ଆଗ୍ରହ ରଖିବ ନାହିଁ, ଏହାହିଁ ଭାରତବର୍ଷରେ ବିନାଶର କାରଣ ହୋଇଛି । ସେହି ଭୁଲଟିକୁ ସମ୍ପୂର୍ଣ୍ଣ ଭାବରେ ବର୍ଜନ କରିବାକୁ ହେବ । ଉଚ୍ଚତର ଚେତନାହିଁ ସବୁଠାରୁ ଅଧିକ ସ୍ପଷ୍ଟ ଭାବରେ ଦେଖିବାକୁ ସମର୍ଥ ହୁଏ । ଭୌତିକ ସ୍ତରଟିର ଆବଶ୍ୟକତାଗୁଡ଼ିକୁ ମଧ୍ୟ ସବୁଠାରୁ ଅଧିକ ଯଥାର୍ଥ ଭାବରେ ଦେଖିପାରେ ।” (MCE, ୧୩, ୨୮୦–୧)

 

ଭାରତବର୍ଷରେ ଆମେ ସମସ୍ତେ ସେହି ଉଚ୍ଚତର ଚେତନାକୁ ଏକାବେଳେକେ ଏହି ତଳକୁ ଆବାହନ କରି ଆଣିବା ।

☆☆☆

 

ମନ

 

ମନନ କରିପାରୁଛୁ ବୋଲି ଆମେ ମନୁଷ୍ୟ ଏବଂ ମନଟିଏ ରହିଛି ବୋଲି ଆମେ ମନନ କରିପାରୁଛୁ । ଶ୍ରୀ ଅରବିନ୍ଦ ମନକୁହିଁ ଅସଲ ଇନ୍ଦ୍ରିୟ ବୋଲି କହିଛନ୍ତି । ତାଙ୍କ ଭାଷାରେ ମନହିଁ ଦେଖେ, ଶୁଣେ, ଘ୍ରାଣ କରେ, ସ୍ୱାଦ ଚାଖେ ଇତ୍ୟାଦି ଇତ୍ୟାଦି । (BCL, ୨୭, ୨୨୯) ଆମ ମନୁଷ୍ୟଜୀବନରେ ମନ ହେଉଛି ଅସଲ ଯନ୍ତ୍ର–ଆମର ଯାବତୀୟ ଭାବନା ଏବଂ ଅବବୋଧ କେବଳ ମନକୁହିଁ ଦର୍ପଣରୂପେ ବ୍ୟବହାର କରି ସମ୍ଭବ ହେଉଛି । ମନ ମାପି ପାରୁଛି, ଗାର ପକାଇ ସୀମା ନିର୍ଦ୍ଧାରଣ କରିଦେଉଛି, କାଟୁଛି, ଯୋଡ଼ୁଛି, ତୁଳନା କରିପାରୁଛି । ଗୁଣି, ହରି, ଫେଡ଼ି, ମିଶାଇ ପାରୁଛି । (BCL, ୧୮, ୧୬୨) ବିବର୍ତ୍ତନର ଆରୋହଣ–ମାର୍ଗରେ ଏହି ଜଗତରେ କେତେକଅଣ ଯେ ସମ୍ଭବ ହୋଇଛି, ତାହାର ଇୟତ୍ତା କରି ହେବନାହିଁ । ସଭ୍ୟତା, ସୁଖ, ଜ୍ଞାନ, ବିଜ୍ଞାନ, ପ୍ରକୃତି ଉପରେ ବିଜୟ, ଯେତେ ସମୃଦ୍ଧି ଓ ସୁଖ ଉପଲବ୍ଧ ହେଉଥିଲେ ମଧ୍ୟ ତଥାପି ଆହୁରି ଅଧିକ ସମୃଦ୍ଧି ଏବଂ ସୁଖପାଇଁ ଏକ ଅବାରିତ ଅଭିଳାଷ ଓ ସାହସ,–ଏହି ସବୁକିଛି ମଣିଷ ତା’ କାମରେ ଲଗାଇ ଆସିଥିବା ମେଧା ଓ ମନୀଷାର କୀର୍ତ୍ତି,–ସେହି ମନରହିଁ କରାମତି ।

 

ତଥାପି ମନ ହେଉଛି ଯନ୍ତ୍ର, ଯନ୍ତ୍ରୀ ଆଉ କିଏ । ମନ ବହୁ ବିଶ୍ଳେଷଣ କରିପାରିବ, କେତେକଅଣକୁ ଯୋଡ଼ି ଖେଚୁଡ଼ିଟିଏ ବାଢ଼ିବି ଦେବ, କିନ୍ତୁ ଅସଲ ଜ୍ଞାନର ଯୋଗ୍ୟ ହୋଇ ପାରିବନାହିଁ । ଆମର ମନ ଯେତେବେଳେ ନିଜର ଏହି ସୀମାଟିକୁ ବୁଝିବ, ଅହଂକୁ ଛାଡ଼ିବ, ସେତେବେଳେ ସିଏ ସତେଅବା ଆପେ ସ୍ଥିର ହୋଇ ଆସିବ, ନିଜର ଶେଷ ଗାରଟିଯାଏ ଆମକୁ ଆଣି ଆହୁରି ଗଭୀରକୁ ତଥା ଆହୁରି ଊର୍ଦ୍ଧ୍ୱକୁ ଯିବାଲାଗି ସତେଅବା ଆମକୁ bon voyage ବୋଲି କହି ବାଟ ଛାଡ଼ିଦେବ । ମନକୁ ସତକୁସତ ବନ୍ଧୁ କରିନେଇ ପାରିଲେ ଯାଇ ତାହା ସମ୍ଭବ ହେବ ।

 

ଭିତରକୁ ଭେଦି ଏବେ ମାନସବିଜ୍ଞାନୀମାନେ ଅବଚେତନ, ମଗ୍ନଚେତନ ଏବଂ ମହାଅଚେତନର କଥା କହିଲେଣି । ସେହି ମହାସମୁଦ୍ରରେ ଆମଲାଗି କେତେକେତେ ସମ୍ଭାବନା ଅପେକ୍ଷା କରି ରହିଥିବ । ଏବଂ ଊର୍ଦ୍ଧ୍ୱକୁ ଯିବାର ରାସ୍ତାରେ ଶ୍ରୀ ଅରବିନ୍ଦ ଉଚ୍ଚତର ମନ, ସନ୍ଦୀପିତ ମନ, ସଂବୋଧି ମନ ଓ ଅଧିମାନସର ମଧ୍ୟ ବାର୍ତ୍ତା ଆଣି ଦେଇଛନ୍ତି । ଆହୁରି କେତେ ଖୋଜ ଉଠିଗଲେ ଅତିମାନସ, ଯେଉଁଠି ବ୍ୟକ୍ତିଚେତନା, ବିଶ୍ୱଚେତନା ଏବଂ ବିଶ୍ୱାତୀତ ଚେତନା ଗୋଟିଏ ହୋଇ ଯାଇଛନ୍ତି । ଜୀବନର ଅସଲ ବ୍ୟାପ୍ତି ସେହିଠାରେ ଯାଇ ପ୍ରାପ୍ତ ହେବ । ଆତ୍ମ–ପରିଚୟ ତଥା ବିଶ୍ୱ–ପରିଚୟ ସେଠାରେ ମୋଟେ ଦୁଇଟା ଅଲଗାଅଲଗା ପ୍ରାପ୍ତି ବୋଲି ମନେ ହେବେନାହିଁ-। ଭଗବତ୍‌ପ୍ରାପ୍ତି ତାହା ବ୍ୟତୀତ ଆଉ କ’ଣ ହୋଇପାରେ ?

 

ଶ୍ରୀ ଅରବିନ୍ଦଙ୍କର ଜୀବନବ୍ୟାଖ୍ୟା ଅନୁସାରେ ଶାରୀର–ପ୍ରାଣିକ ପରେ ମାନସିକ ହେଉଛି ଆମ ପରିପୂର୍ଣ୍ଣତାର ଦ୍ୱିତୀୟ ସୋପାନ । ଭାରତୀୟ ପାରମ୍ପରିକ ସାଧନା ଭ୍ରାନ୍ତିରେ ପଡ଼ି ଏହି ମଝି ସୋପାନଟିର ଘୋର ଅବହେଳା କରି ଆସିଛି । ‘ନେତି’ ବୋଲି କହି ବହୁ ପ୍ରମାଦ ଭିତରେ ପଡ଼ିରହିଛି । (BCL, ୨୦, ୨୨–୩) ଆଧ୍ୟାତ୍ମିକ ପୂର୍ତ୍ତିର ବାଟଟି ସତେଅବା ମନରହିଁ ଏହି ମଝି ପାହାଚଟି ଦେଇ ଯାଇଛି । ଏବଂ ଶେଷରେ ମନନ ନିମନ୍ତେ ଏହି ବାକ୍ୟଟି : Mind conceals in itself the potentialities of the Supermind–(BCL, ୧୮, ୧୨୩) ।

☆☆☆

 

ମନୁଷ୍ୟ

 

ଏହି ପୃଥିବୀରେ ମନୁଷ୍ୟର ଜନ୍ମକୁ କେତେ ଶାସ୍ତ୍ରକାର ଏକ ଦୁର୍ଲଭ ଜନ୍ମ ବୋଲି କହିଛନ୍ତି । ମନୁଷ୍ୟ ମଧ୍ୟରେ ଏପରି ଅନେକ ସମର୍ଥତା ରହିଛି, ଯାହା ମନୁଷ୍ୟେତର ଅନ୍ୟ ଜୀବମାନଙ୍କଠାରେ ନାହିଁ । ଆଦିମକାଳରୁ ଆମର ଏହି ଆଧୁନିକ କାଳ ପର୍ଯ୍ୟନ୍ତ ମନୁଷ୍ୟର ଚରିତ୍ରପଞ୍ଜିକାକୁ ଅଧ୍ୟୟନ କରି ଦେଖିଲେ ତାହାର କେତେ କୀର୍ତ୍ତି ଓ କରାମତି ଆଖିକୁ ଅତ୍ୟନ୍ତ ସ୍ପଷ୍ଟ ହୋଇ ଦିଶି ଯାଉଛି । ତଥାପି, ମଣିଷର ତିଆରି ଏହି ପୃଥିବୀଟାକୁ ଦୃଷ୍ଟି ପକାଇଲେ ଏହି ମଣିଷ ଭିତରେ ସତେଅବା କେତେ ଅନିଷ୍ଟକାରୀ ବୃତ୍ତି ଓ ପ୍ରବୃତ୍ତି ମଧ୍ୟ ରାଜତ୍ୱ କଲାପରିବି ଲାଗୁଛି । ଗୋଟାଏ ପାଖରୁ ଦେଖିଲେ ମନୁଷ୍ୟ କେତେକେତେ ବଳରେ ବଳୀୟାନ୍‌ ହୋଇ ରହିଛି, ପୁଣି ଆଉ ଏକ ପାଖରେ ସିଏ ପ୍ରକୃତରେ କେଡ଼େ ଦୁର୍ବଳ ହୋଇବି ପଡ଼ିରହିଛି । ବ୍ୟକ୍ତିଗତ ଓ ସାମୂହିକ ଉଭୟ ଜୀବନରେ ଭାରି ଖଣ୍ଡିଆ ଓ ଅସନା ହୋଇ ରହିଛି ।

 

ଶ୍ରୀ ଅରବିନ୍ଦ କହିଛନ୍ତି, ଏହି ମଣିଷଟି ହେଉଛି ଏକ ଅର୍ଦ୍ଧନିର୍ମିତ ମନୁଷ୍ୟ, an apparent man; (BCL, ୧୬, ୨୬୪)–ଏହାରି ଭିତରେହିଁ real ମନୁଷ୍ୟ ସମ୍ଭାବନାରୂପେ ପ୍ରଚ୍ଛନ୍ନ ହୋଇ ରହିଛି । ବର୍ତ୍ତମାନର ମନୁଷ୍ୟଟିର ସନ୍ଦର୍ଭରେ ଆମେ ତାହାକୁ ଅତିମାନବ ବୋଲି ଅବଶ୍ୟ କହିପାରିବା । ଏଯାଏ ସିଏ କେବଳ ମନର ସ୍ତର ପର୍ଯ୍ୟନ୍ତ ଆସିଛି । ମାତ୍ର ଏହା କଦାପି ମନୁଷ୍ୟ–ସମ୍ଭୂତିର ଚରମ ସ୍ତର ନୁହେଁ । ନିଜର ଚୈତ୍ୟ ଭୂମିକୁ ଚିହ୍ନି, ତାହାରିଦ୍ୱାରା ଉଦ୍‌ବୋଧିତ ହୋଇ ମନୁଷ୍ୟ ପରବର୍ତ୍ତୀ ପାବଚ୍ଛଟିରେ ଅବଶ୍ୟ ପହଞ୍ଚି ପାରିବ । ଅହଂର ଶାସନ ଯିବ, ଆପଣାର ବହୁ ଲଜ୍ଜା ଏବଂ ଅଭ୍ୟସ୍ତତାକୁ ଅବଲୀଳାକ୍ରମେ ଛାଡ଼ି ଚାଲିଆସିବ-। ସେତେବେଳେ ଏହି ପୃଥିବୀଟା ତାକୁ ସୁଖ ଦେଇପାରୁନାହିଁ ବୋଲି ସିଏ ଏଠା ଛାଡ଼ି ଅନ୍ୟ କେଉଁ ସ୍ୱର୍ଗକୁ ପଳାଇ ଯିବାକୁ ମୋଟେ ଇଚ୍ଛା କରିବ ନାହିଁ, ଏହି ପୃଥିବୀହିଁ ସ୍ୱର୍ଗରେ ପରିଣତ ହେବ-

 

A many–sided Ignorance striving to become an all–embracing knowledge,–ଶ୍ରୀ ଅରବିନ୍ଦ ଏହିପରି ଭାବରେ ମନୁଷ୍ୟର ସଂଜ୍ଞା ନିରୂପଣ କରିଛନ୍ତି । (BCL, ୨୭, ୪୦୭) ତାଙ୍କରି ଘୋଷଣା ଅନୁସାରେ : ମନୁଷ୍ୟକୁ ଏତେ ଏତେ ଗର୍ବ ଏବଂ ଗୌରବର ଅଧିକାରୀ କରାଇଥିବା ତା’ର ବୁଦ୍ଧି ସମେତ ସିଏ ଏପର୍ଯ୍ୟନ୍ତ ଯାବତୀୟ ଯାହା ଯାହାର ପ୍ରଭୂତ ବିକାଶ କରାଇ ଆସିଛି, ସେଗୁଡ଼ିକ ତା’ ଲାଗି ଆଉ ମୋଟେ ଯଥେଷ୍ଟ ହେଉନାହିଁ ଏବଂ ଏଣିକି ତା’ ନିଜ ଭିତରେ ରହିଥିବା ବୃହତ୍ତର ଆଲୋକଟିକୁ ଆବରଣ ଭିତରୁ ବାହାର କରି ଆଣିବା, ଆବିଷ୍କାର କରିବା ଏବଂ ମୁକ୍ତି ଦେବାହିଁ ତାହାର ସର୍ବପ୍ରଧାନ ଜୀବନବ୍ରତ ହେବ ବୋଲି ଯେତେବେଳେ ସିଏ ସାହସର ସହିତ ଘୋଷଣା କରି ଦେଇ ପାରିବ, ସେତିକିବେଳେ ଯାଇ ଆଧ୍ୟାତ୍ମିକ ଅତିମାନବତ୍ୱ ଆଡ଼କୁ ପଡ଼ିଥିବା ମାର୍ଗଟି ପ୍ରକୃତରେ ଉନ୍ମୋଚିତ ହୋଇଯିବ । (BCL, ୧୫, ୨୩୦)

 

ଏବଂ, ପୁନର୍ବାର ତାଙ୍କରି ଭାଷାରେ, “ଇତର ପ୍ରାଣୀଙ୍କର ପ୍ରୟୋଗଶାଳାରେ ପ୍ରକୃତି ମନୁଷ୍ୟକୁ ନିର୍ମାଣ କରି ଆଣିଛି; ଏବଂ, ଅତିମାନବକୁ ନିର୍ମାଣ କରି ଆଣିବାରେ ସମ୍ଭବତଃ ସିଏ ଏହି ମନୁଷ୍ୟକୁହିଁ ଏକ ପ୍ରୟୋଗଶାଳାରୂପେ ବ୍ୟବହାର କରିବ... ।” (BCL, ୨୭, ୩୮୦)

☆☆☆

 

ମନ୍ତ୍ର

 

ପ୍ରାୟ ସକଳ ଆରାଧନା, ଉପାସନା ଏବଂ ସାଧନାରେ ମନ୍ତ୍ରର ଏକ ସ୍ୱୀକୃତ ସ୍ଥାନ ରହିଆସିଛି । ଭାରତୀୟ ମନ୍ତ୍ରପରମ୍ପରା ତ ସେହି ବୈଦିକ ସମୟକୁ ଏକାବେଳେକେ ଆମ ଏକାଳଯାଏ ଲମ୍ବି କରି ରହିଛି । ବୌଦ୍ଧଧର୍ମର ଗୋଟିଏ ପର୍ଯ୍ୟାୟକୁ ମନ୍ତ୍ରଯାନ ବୋଲି କୁହାଯାଇଥିବାର ଉଲ୍ଲେଖ ଅଛି । ଭିନ୍ନ ଭିନ୍ନ ସାଧନା ସମ୍ପ୍ରଦାୟରେ ଗୁରୁମାନେ ପୁରାତନ ମନ୍ତ୍ରର ଧାରାରେ ନୂତନ ସଂସ୍କରଣ ଅର୍ଥାତ୍‌ ବିକଳ୍ପପଠନଗୁଡ଼ିକର ମଧ୍ୟ ଏକ ପରମ୍ପରା ରଖି ଆସିଛନ୍ତି । ସୁପରିଚିତ ଗାୟତ୍ରୀ ମନ୍ତ୍ରକୁ ଏକ ଦୃଷ୍ଟାନ୍ତରୂପେ ଗ୍ରହଣ କରାଯାଇପାରେ ।

 

ଶ୍ରୀ ଅରବିନ୍ଦଙ୍କର ବ୍ୟାଖ୍ୟା ଅନୁସାରେ, ମନ୍ତ୍ରର ଉଚ୍ଚାରଣ ଅନ୍ତର୍ଗତ ଚେତନାରେ ସ୍ପନ୍ଦନଗୁଡ଼ିକର ସୃଷ୍ଟି କରିଥାଏ, ଯାହାକି ମନ୍ତ୍ର ଯେଉଁ ସତ୍ୟ ବା ଅର୍ଥର ପ୍ରତୀକରୂପେ ଉଦ୍ଦିଷ୍ଟ ହୋଇ ରହିଥାଏ ଏବଂ ଯେଉଁ ଅର୍ଥଟି ମନ୍ତ୍ର ମଧ୍ୟରେ ରହିଛି ବୋଲି ବିଶ୍ୱାସ କରାଯାଉଥାଏ, ତାହାରି ଉପଲବ୍ଧି ନିମନ୍ତେ ଚେତନାକୁ ପ୍ରସ୍ତୁତ କରି ଆଣେ । (BCL, ୨୩, ୭୪୫) ଗୋଟିଏ ମନ୍ତ୍ରକୁ ନିୟମିତ ଭାବରେ ଉଚ୍ଚାରଣ କଲେ, ଅନେକ ସମୟରେ ତାହା ଭିତରେ ମଧ୍ୟ ଉଚ୍ଚାରିତ ହେଉଥିବା ପରି ଅନୁଭୂତ ହେବାକୁ ଲାଗେ । ଅର୍ଥାତ୍‌ ଅନ୍ତର୍ଗତ ସତ୍ତା ତାହାକୁ ଗ୍ରହଣ କରିନିଏ, ତଦ୍ଦ୍ୱାରା ତାହା ଅଧିକ ଫଳଦାୟକ ହୋଇଥାଏ । (ତତ୍ରୈବ, ୭୪୮)

 

ପୂର୍ଣ୍ଣଯୋଗରେ କୌଣସି ନିର୍ଦ୍ଦିଷ୍ଟ ମନ୍ତ୍ର ନାହିଁ, ମନ୍ତ୍ର ଉପରେ କୌଣସି ଗୁରୁତ୍ୱ ମଧ୍ୟ ଦିଆଯାଏନାହିଁ । ସହାୟକ ମନେ କଲେ ଅଥବା ଯେତେବେଳଯାଏ ସହାୟକ ହେଉଥିବ, ସାଧକମାନେ କୌଣସି ମନ୍ତ୍ରକୁ ଅବଶ୍ୟ ବ୍ୟବହାର କରିପାରିବେ । ବରଂ, ଆମ ଚେତନାରେ ରହିଥିବା ଆସ୍ପୃହା ତଥା ମନ, ହୃଦୟ, ଇଚ୍ଛାଶକ୍ତି ଏବଂ ସମୁଦାୟ ସତ୍ତାର ସଂକେନ୍ଦ୍ରଣ ଉପରେହିଁ ଏଥିରେ ଗୁରୁତ୍ୱ ଦିଆଯାଏ । ସେଥିପାଇଁ ଯଦି କୌଣସି ମନ୍ତ୍ର ସହାୟକ ହେଉଥାଏ, ତେବେ ସେଇଟିର ବ୍ୟବହାର କରାଯାଏ । (ତତ୍ରୈବ, ୭୪୬)

☆☆☆

 

Unknown

ମାୟାବାଦ

 

ମାୟାବାଦୀ କହିବେ, ଏହି ପୃଥିବୀଟା ମାୟା, ଅନିତ୍ୟ, ଅସାର । ବ୍ରହ୍ମହିଁ ସାର, ନିତ୍ୟ ଓ ସତ୍ୟ । ସତେ ଯେପରି ବ୍ରହ୍ମ ଏବଂ ମାୟା ଦୁଇଟି ଗୋଟିଏ ଗୋଟିଏ ସମାନ୍ତର ତତ୍ତ୍ୱ ଏବଂ ଦୁହିଁଙ୍କର ରାଜତ୍ୱ ଯୁଗପତ୍‌ ଭାବରେ ଚାଲିଛି । ଭାରତବର୍ଷରେ ବ୍ରହ୍ମାନ୍ୱେଷୀମାନେ ସତେଅବା ପୃଥିବୀଟାକୁ ମାୟାର ହାତରେ ଛାଡ଼ିଦେଇ ନିଜେ ବ୍ରହ୍ମଙ୍କର ଆଶ୍ରୟ ଗ୍ରହଣ କରିଛନ୍ତି । ଭାରତବର୍ଷରେ ପାରମ୍ପରିକ ଜଗତଟି ସମ୍ଭବତଃ ସେହି କାରଣରୁ ବ୍ରହ୍ମବର୍ଜିତ ହୋଇ ରହିଆସିଛି, ଜୀବନ ଦ୍ୱିଧାବିଭକ୍ତ ହୋଇ ରହିଛି । ଜଗତ ବିଷୟରେ ଅନାସକ୍ତି ମନୁଷ୍ୟମାନଙ୍କୁ ନିର୍ମମ କରିଛି, ଅସମର୍ଥତାକୁ ସତେଅବା ଏକ ଦାର୍ଶନିକ ସମର୍ଥନ ମିଳିଯାଇଛି ।

 

ଶ୍ରୀ ଅରବିନ୍ଦ ଜଗତ ମିଥ୍ୟା ବୋଲି ରହି ଆସିଥିବା ଯୁକ୍ତିଟିକୁ ଅସ୍ୱୀକାର କରିଛନ୍ତି । “ବ୍ରହ୍ମ ଏଠାରେ ଅଛନ୍ତି, ବିଶ୍ୱାତୀତ ପରମ ଅନନ୍ତତା ମଧ୍ୟରେବି ରହିଛନ୍ତି । ଏକ ଅଜ୍ଞାନହିଁ ଆମକୁ ଅନ୍ଧ କରି ରଖୁଛି ଏବଂ ପରମବ୍ରହ୍ମଙ୍କୁ ଉଭୟ ଏହି ଜଗତରେ ତଥା ଜଗତ ବାହାରେ ଉପଲବ୍ଧି କରିବାରେ ଅସମର୍ଥ କରି ରଖିଛି । ଜୀବନର ଯଥାର୍ଥ ସତ୍ୟଟି ଆମର ଆଗୋଚର ହୋଇ ରହିଛି । ସେହି ଅଜ୍ଞାନକୁହିଁ ଅତିକ୍ରମ କରାଯିବା ଉଚିତ ।” (BCL, ୨୨, ୩୯)

 

ପରମବ୍ରହ୍ମଙ୍କୁ କେବଳ ସ୍ଥିତିଶୀଳ ଭାବରେ କଳ୍ପନା କରି ମାୟାବାଦ ମାତ୍ର ଗୋଟିଏ ଦିଗକୁ ଦେଖେ ଏବଂ ଭ୍ରମ ଭିତରେ ରହିଥାଏ । ପରମବ୍ରହ୍ମ ଉଭୟ ସ୍ଥିତିଶୀଳ ଓ ଗତିଶୀଳ । ଗତିଶୀଳ ଦିଗଟିକୁ ଶାକ୍ତ ତନ୍ତ୍ରମାର୍ଗରେ ପ୍ରାଧାନ୍ୟ ଦିଆଯାଇଛି । ବେଦାନ୍ତ ଏବଂ ତାନ୍ତ୍ରିକ–ଦୁଇ ସତ୍ୟକୁ ଏକତ୍ର ହେତୁ ଭିତରକୁ ଆଣିପାରିଲେ ଯାଇ ସମ୍ପୂର୍ଣ୍ଣ ଜ୍ଞାନ ସମ୍ଭବ ହେବ । ବ୍ରହ୍ମଙ୍କର ଦୁଇ କଳ୍ପନା–କ୍ରିୟାରହିତ ଏବଂ କ୍ରିୟାଶୀଳ–ଆମକୁ ତାଙ୍କର ଏକ ସମ୍ପୂର୍ଣ୍ଣତର ପରିଚୟ ପ୍ରଦାନ କରିପାରିବ । (ତତ୍ରୈବ)

 

ଏହି ସମ୍ପୂର୍ଣ୍ଣତର ଉପଲବ୍ଧିଟି କେବଳ ଦାର୍ଶନିକ ନ୍ୟାୟଯୁକ୍ତିଦ୍ୱାରା ସମ୍ଭବ ହୁଏନାହିଁ । ନିରନ୍ତର ଅଭିବୃଦ୍ଧି ଲାଭ କରୁଥିବା, ନିରନ୍ତର ସୋପାନ ଉଠୁଥିବା ଏବଂ ସଂପ୍ରସାରିତ ହେବାରେ ଲାଗିଥିବା ଅଧ୍ୟାତ୍ମ–ଅନୁଭବଦ୍ୱାରା (a growing, ever–heightening, widening spiritual experience,–ତତ୍ରୈବ, ୪୯)ହିଁ ଆମେ ସେହି ଉପଲବ୍ଧିର ନିତ୍ୟ ନିକଟବର୍ତ୍ତୀ ହୋଇପାରୁଥିବା । ଅଜ୍ଞାନରୂପୀ ଅନେକ ମାୟାକୁ କାଟି ଆଗକୁ ଯାଇପାରୁଥିବା । ଶିଖରକୁ ଉଠୁଥିବା, ଅଥଚ ଭୂମିଟିକୁ, ଏହି ପୃଥିବୀକୁ ମୋଟେ ଛାଡ଼ି ଯାଉ ନଥିବା ।

☆☆☆

 

ମୁକ୍ତି

 

ସଂସାରକୁ ବଳ ନପାଇଲେ ମଣିଷ ମୁକ୍ତି ଖୋଜେ । ପ୍ରଧାନତଃ ଏହି ଅର୍ଥରେହିଁ ଧର୍ମ ଓ ଧର୍ମଶାସ୍ତ୍ରଗୁଡ଼ିକରେ ମୋକ୍ଷର ଚର୍ଚ୍ଚା କରାଯାଇଛି । ଅସଲ ମୁକ୍ତି ଅଳପ ଭିତରୁ ମୁକ୍ତି । କ’ଣଟିରୁ ମୁକ୍ତି ଏବଂ କ’ଣ ପାଇଁ ମୁକ୍ତି–ଏହିପରି ଭାବରେ ମୁକ୍ତିର ଦ୍ୱିବିଧ କଳ୍ପନା କରାଯାଇପାରିବ । ଏହି ସନ୍ଦର୍ଭରେ ଶ୍ରୀ ଅରବିନ୍ଦ ନକାରାତ୍ମକ ଏବଂ ସକାରାତ୍ମକ ମୁକ୍ତିର ଆଲୋଚନା କରିଛନ୍ତି । (BCL, ୨୧, ୬୪୭–୮) ପ୍ରଥମଟି ପ୍ରତ୍ୟାଖ୍ୟାନର ପର୍ଯ୍ୟାୟ ।

 

ଯେଉଁସବୁ ବନ୍ଧନ ଆମକୁ ନାନାବିଧ ଅଳ୍ପ ଭିତରେ ବାନ୍ଧି ରଖିଛି, ସେହିସବୁ ବନ୍ଧନରୁ ବାହାରି ଆସିବା ନିମନ୍ତେ ଅହଂର ପ୍ରତ୍ୟାଖ୍ୟାନ ଏବଂ ବାସନାଚୟର ପ୍ରତ୍ୟାଖ୍ୟାନ । ଏଗୁଡ଼ିକ ଆମକୁ ଆମ ନିମ୍ନ ପ୍ରକୃତିର ଗଣ୍ଠିଗୁଡ଼ିକ ଭିତରେ ଛନ୍ଦି ଦେଇ ରଖିଥାନ୍ତି । ଏକ ଉଚ୍ଚତର ଆଧ୍ୟାତ୍ମିକ ଜୀବନପାଇଁ ପୂର୍ଣ୍ଣଉନ୍ମୋଚିତ ହୋଇ ରହିବା ହେଉଛି ସକାରାତ୍ମକ ମୁକ୍ତି । ସେହି ଗଣ୍ଠିଗୁଡ଼ିକ ହେଉଛନ୍ତି ବାସନା, ଅହଂଶ୍ରଦ୍ଧା, ଦ୍ୱୈତଦୃଷ୍ଟି ଏବଂ ଆମ ପ୍ରକୃତିର ତିନୋଟିଯାକ ଗୁଣ : ସତ୍ତ୍ୱ, ରଜଃ ଏବଂ ତମଃ । ଅର୍ଥାତ୍‌, ଏହାଦ୍ୱାରା ଆମେ ବାସନାମୁକ୍ତ ହେବା, ଅହଂର ଶାସନରୁ ମୁକ୍ତ ହେବା, ମନ ତଥା ଆତ୍ମାର ସ୍ତରରେ ଏକ ସମସ୍ଥିତି ଅର୍ଜନ କରିବା ଏବଂ ତିନିଗୁଣର ନିୟନ୍ତ୍ରଣରୁ ମଧ୍ୟ ସ୍ୱାଧୀନ ହୋଇ ରହିବା ।

 

ସକାରାତ୍ମକ ମୁକ୍ତି ହେଉଛି–ସାଯୁଜ୍ୟ, ସାଲୋକ୍ୟ ତଥା ସାଧର୍ମ୍ୟ ତିନୋଟିଯାକ ପ୍ରକାରର ମୁକ୍ତି । ଶେଷଟିର ଭୂମିରେ ଚେତନା ଅହଂର ବାଡ଼ଗୁଡ଼ିକ ଭିତରୁ ସର୍ବତୋଭାବେ ମୁକ୍ତ ହୋଇ ପରମ ଏକଙ୍କର ସର୍ବବ୍ୟାପ୍ତି ଭିତରେହିଁ ସଂଯୁକ୍ତ ହୋଇ ରହିବ, ଏକାବେଳେକେ ନିଜକୁ, ବିଶ୍ୱକୁ ଏବଂ ବିଶ୍ୱାତୀତକୁ ସ୍ପର୍ଶ କରି ରହିଥିବ । (BCL, ୨୦, ୪୨–୪୩) ବ୍ୟକ୍ତିର ପ୍ରକୃତି ଦିବ୍ୟ ପ୍ରକୃତିରେ ପରିଣତ ହେବ । ତାହାହିଁ ପୂର୍ଣ୍ଣାଙ୍ଗ ମୁକ୍ତି ।

☆☆☆

 

ମୃତ୍ୟୁ

 

ଶାସ୍ତ୍ରରେ କୁହାଯାଇଛି, ଜନ୍ମ ହେଲେହିଁ ମୃତ୍ୟୁ ସୁନିଶ୍ଚିତ । ମୃତ୍ୟୁ ହେଲେ ଜଣେ ମନୁଷ୍ୟ କୁଆଡ଼େ ଚାଲିଯାଏ, ସେକଥାର କୌଣସି ସମ୍ବାଦ ଆମ ଗୋଚର ଭିତରେ ନଥିଲେ ମଧ୍ୟ ତଥାପି ପୃଥିବୀରେ ସାଧାରଣତଃ ମୃତ୍ୟୁକୁ ଏକ ଦୁଃଖଦାୟକ ଘଟଣା ବୋଲି କୁହାଯାଏ । ମାତ୍ର, ଯଦି ଜୀବନର ଏତେ ଏତେ ଅର୍ଥ ରହିଛି, ତେବେ ମୃତ୍ୟୁର ମଧ୍ୟ ତ କୌଣସି ଅର୍ଥସମୀଚୀନତା ରହିଥିବ-! ମୃତ୍ୟୁ କ’ଣ ପ୍ରକୃତରେ ଏକ ସମ୍ପୂର୍ଣ୍ଣ ଶେଷକୁ ବୁଝାଏ ? ମନୁଷ୍ୟର ମସ୍ତିଷ୍କ ଏହି ବିଷୟରେ ଯୁଗେଯୁଗେ କେତେ ଅନୁମାନ କରି ଆସିଛି । ଧର୍ମମାନଙ୍କରେ ମଧ୍ୟ ମୃତ୍ୟୁର ବହୁ ବ୍ୟାଖ୍ୟା କରାଯାଇଛି । ମୃତ୍ୟୁକୁ ନେଇ ସଚରାଚର ମଣିଷର ଯେଉଁ ଭୟ ରହିଆସିଛି, ଶ୍ରୀ ଅରବିନ୍ଦ ତାହାକୁ ଆମ ଭିତରେ ରହି ଯାଇଥିବା ଆମ ପଶୁଧର୍ମର ଅବଶେଷ ବୋଲି କହିଛନ୍ତି । (BCL, ୨୦, ୩୩୪) ଯାହା ବିଷୟରେ ଆମର କୌଣସି ଜ୍ଞାନ କିମ୍ବା ଅନୁଭବ ନାହିଁ, ଆମେ ତାହାକୁ ଭୟ କାହିଁକି କରିବା ? ସାଧନାର ମାର୍ଗରେ ମୃତ୍ୟୁର ଭୟ ପ୍ରତିକୂଳଭାବେହିଁ କାର୍ଯ୍ୟ କରିଥାଏ । ଏହି ଭୟ ହେଉଛି ପ୍ରାଣସ୍ତରର ଗୋଟିଏ ଦୁର୍ବଳତା ଏବଂ ଏହା ଆମ ଯୋଗସାମର୍ଥ୍ୟର କ୍ଷେତ୍ରରେ ନାନା ପ୍ରତିରୋଧର କାରଣ ହୁଏ । (BCL, ୨୩, ୬୩୦)

 

ଅଧ୍ୟାତ୍ମ ମାର୍ଗର ସାଧକ ସେଥିପାଇଁ ମୃତ୍ୟୁକୁ କେବଳ ଗୋଟିଏ ସ୍ଥାନରୁ ଆଉଗୋଟିଏ ସ୍ଥାନକୁ ଯାଉଥିବାର ଏକ ଘଟଣାରୂପେ ଗ୍ରହଣ କରିବ । ସିଏ ଜାଣିବ ଯେ କେହି ପ୍ରକୃତରେ ମରୁନାହାନ୍ତି, କେବଳ ଏଠାରୁ ପ୍ରସ୍ଥାନହିଁ କରୁଛନ୍ତି । (BCL, ୨୨, ୪୬୩)

☆☆☆

 

ଯୋଗ

 

ଯୋଗର ଅର୍ଥ ଚେତନାର ଏକ ପରିବର୍ତ୍ତନ ବୋଲି ଶ୍ରୀ ଅରବିନ୍ଦ ଗୋଟିଏ ସ୍ଥାନରେ (BCL, ୨୨, ୧୬୧) ଉଲ୍ଲେଖ କରିଛନ୍ତି । ଚିତ୍ତବୃତ୍ତିର ନିରୋଧକୁ ଯୋଗର ଲକ୍ଷ୍ୟ ବୋଲି ଯୋଗଶାସ୍ତ୍ରକାର ପାତଞ୍ଜଳି ସେହି ପ୍ରାଚୀନ କାଳରୁ କହି ଯାଇଛନ୍ତି । ଚିତ୍ତବୃତ୍ତିର ନିରୋଧ ଅର୍ଥାତ୍‌ ଚିତ୍ତବୃତ୍ତି ଉପରେ ନିୟନ୍ତ୍ରଣ–ଅର୍ଜନ । ଏହି ନିୟନ୍ତ୍ରଣ କ’ଣ ପାଇଁ ? ଏହି ଅଶାନ୍ତ ସଂସାରରେ ଶାନ୍ତିଲାଭ ପାଇଁ ଅଥବା ଏଠାରୁ ବିଦାୟ ନେଇ ପରମ ଭଗବାନଙ୍କ ମଧ୍ୟରେ ଲୀନ ହୋଇ ଯିବାପାଇଁ ? ପାରମ୍ପରିକ ଭାବରେ ତାହାକୁହିଁ ଆତ୍ମାର ଉପଲବ୍ଧି ବୋଲି କୁହାଯାଇଛି । ଶ୍ରୀ ଅରବିନ୍ଦଙ୍କ କଥାରେ କହିଲେ, ସେତେବେଳେ ଅଧିକତର ଅର୍ଥରେ ସନ୍ଥ ଅଥବା ସିଦ୍ଧଟିଏ ହେବାହିଁ ଯୋଗସାଧନାର ଅର୍ଥ ଥିଲା । (BCL, ୨୩, ୬୦୭) ସ୍ଥୂଳତଃ ତାହା ସଂସାରତ୍ୟାଗକୁ ବୁଝାଉଥିଲା । ସଂସାରତ୍ୟାଗୀ ଯୋଗୀମାନେ ସଂସାରୀମାନଙ୍କୁ ଭବଦୁଃଖରୁ ଉଦ୍ଧାର ପାଇବାର ମାର୍ଗଗୁଡ଼ିକ ବିଷୟରେ ପରାମର୍ଶ ଦେଉଥିଲେ ।

 

ପୁରାତନ ପ୍ରଣାଳୀରେ ଯୋଗୀମାନେ ସଚରାଚର ଇହକୁ ଛାଡ଼ି ପରତ୍ରକୁ ଖୋଜୁଥିଲେ, ପାର୍ଥିବ ଛାଡ଼ି ଅପାର୍ଥିବର ଅନ୍ୱେଷଣ କରୁଥିଲେ । ଶ୍ରୀ ଅରବିନ୍ଦଙ୍କର ଯୋଗଜଗତ ମଧ୍ୟରେ ପ୍ରବେଶ କଲେ ସବାଆଗ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦେଖିହୁଏ ଯେ, ସେହି ପୁରୁଣା ଅର୍ଥରେ ଶାନ୍ତିର କାମନା କରି ଜାଗତିକ ଜୀବନରୁ ଛିନ୍ନ ହୋଇ ରହିଥିବା କୌଣସି ଅଭିଳାଷ ପାଇଁ ଏଥିରେ ଆଦୌ କୌଣସି ଅବକାଶ ନାହିଁ । ଶ୍ରୀ ଅରବିନ୍ଦ ସମ୍ପୂର୍ଣ୍ଣ ସଳଖ ଭାବରେ ସମଗ୍ର ଜୀବନହିଁ ଯୋଗ ବୋଲି ଘୋଷଣା କରିଛନ୍ତି । ଏଥିରେ ତଥାକଥିତ ଆଧ୍ୟାତ୍ମିକ ଏବଂ ତଥାକଥିତ ଭୌତିକ ଉଭୟ ଜଗତ ଅନ୍ତର୍ଗତ ହୋଇ ରହିଛନ୍ତି । “I found myself moved to include both worlds–the spiritual and material and to try to establish the Divine Consciousness and the Divine power in men’s hearts and the earthly life, not for a personal salvation only but for a life divine here.” (BCL, ୨୨, ୧୨୨)

 

ସାଧନାର ଇତିହାସରେ ସକଳ ଅର୍ଥରେ ଏହା ହେଉଛି ଏକ ଅଭିନବ ପ୍ରୟାସ ଏବଂ ଏକ ଅଭୂତପୂର୍ବ ସାହସ । ଭଗବଦ୍‌ବାସନା ଭିତରେ କେତେ ନା କେତେ ଜଗତ ପ୍ରତି ଶ୍ରଦ୍ଧା ରହିଥିଲେ ଯାଇ ହୁଏତ ସେହି ସାହସ ସମ୍ଭବ ହୁଏ । ପ୍ରାଚୀନ ଯୋଗ ଆତ୍ମଉପଲବ୍ଧିକୁହିଁ ଲକ୍ଷ୍ୟରୂପେ ଗ୍ରହଣ କରିଥିଲା ଏବଂ divinization ଆଡ଼କୁ ଆଦୌ ମନ ଦେଇ ନଥିଲା (did not care about–ତତ୍ରୈବ, ୨୩, ୫୦୭) । ଶ୍ରୀ ଅରବିନ୍ଦଙ୍କର ‘ଯୋଗ ସମନ୍ୱୟ’ ଗ୍ରନ୍ଥର ମୂଳରୁ ଆମେ divinization of humanity spiritualization of society ପ୍ରଭୃତି କଥା ବାରମ୍ବାର ଶୁଣିବାକୁ ପାଇବା । ତାଙ୍କର ଏହି ଯୋଗ ହେଉଛି ଏକ ‘worldchanging Yoga’ (ତତ୍ରୈବ, ୨୨, ୧୨)–ପୃଥିବୀର ପରିବର୍ତ୍ତନକୁହିଁ ସମ୍ମୁଖରେ ଲକ୍ଷ୍ୟରୂପେ ଉତ୍ତୋଳିତ କରି ଧରିଥିବାର ଏକ ସ୍ୱତନ୍ତ୍ର ସାଧନା ଏବଂ ସ୍ୱତନ୍ତ୍ର ଯୋଜନା । ତାହାର ପରିସର ପୃଥିବୀ ତଥା ଜୀବନ ସହିତ ସମବ୍ୟାପ୍ତ । ସେଇଥି ସକାଶେ ତାହା integral–ପୂର୍ଣ୍ଣାଙ୍ଗ-

 

ନିଜର ଏହି ସାଧନାର ଯୋଗଧାରାଟିକୁ ଶ୍ରୀ ଅରବିନ୍ଦ the yoga of Self–perfection ଅର୍ଥାତ୍‌ ଆତ୍ମ–ପରିପୂର୍ଣ୍ଣତାର ଯୋଗ ବୋଲି ବ୍ୟାଖ୍ୟା କରିଛନ୍ତି । ଅଳପ କଥାରେ ଆମେ ଏହାଦ୍ୱାରା ଏତିକି ବୁଝିବା ଯେ, ପୂର୍ଣ୍ଣସମ୍ମତ ଅର୍ଥାତ୍‌ ସମର୍ପିତ ଶରୀର, ପ୍ରାଣ ଏବଂ ମନ ସହିତ the whole man is placed at the service of the Infinite: ପୂର୍ଣ୍ଣାଙ୍ଗ ଯୋଗର ତାହାହିଁ ସର୍ବପ୍ରଥମ ଲକ୍ଷ୍ୟ ହୋଇ ରହିଥିବ । (BCL, ୩, ୩୬୧) ଏହାଦ୍ୱାରା ଆମେ ଆଉ ନିଜର ସାନ ଅହଂଟି ଭିତରେ ଆଦୌ ବାନ୍ଧିହୋଇ ରହି ନଥିବା, ଆମର ମନ ଆଉ କେବଳ ଆମର ଏକ ବ୍ୟକ୍ତିଗତ ମନ ହୋଇ ରହି ନଥିବ, ପ୍ରାଣ ଓ ଶରୀର ମଧ୍ୟ କେବଳ ଏକ ବ୍ୟକ୍ତିଗତ ଜୀବନରହିଁ ସେବା କରୁ ନଥିବେ,–ମାତ୍ର ସମସ୍ତ ସତ୍ତା, ସମସ୍ତ ଇଚ୍ଛା ସେହି ସର୍ବୋଚ୍ଚ ପରମ ଆତ୍ମାଙ୍କ ସହିତ ଯୁକ୍ତ ହୋଇ ରହିଥିବ, ସମଗ୍ର ବିଶ୍ୱର ଚେତନା ସହିତ ଯୁକ୍ତ ହୋଇ ରହିଥିବ, ଅର୍ଥାତ୍‌ ନିଜ ଭିତରର ଗଭୀର ଚେତନାଟି ସହିତ ଯୁକ୍ତ ହୋଇ ରହିଥିବ । (BCL, ୨୪, ୧୧୪୯)

 

‘ଯୋଗ ସମନ୍ୱୟ’ ଗ୍ରନ୍ଥରେ ଶ୍ରୀ ଅରବିନ୍ଦ ଭାରତୀୟ ଯୋଗମାର୍ଗଗୁଡ଼ିକର ବିଶଦ ଚର୍ଚ୍ଚା କରିଛନ୍ତି ଏବଂ ପୂର୍ଣ୍ଣଯୋଗର ପରିପ୍ରେକ୍ଷୀରେ ସେଗୁଡ଼ିକର ସମ୍ପଦଗୁଡ଼ିକୁ ସମ୍ପୃକ୍ତ ସମସ୍ତଙ୍କର ଦୃଷ୍ଟି ମଧ୍ୟକୁ ଆଣିଛନ୍ତି । ପ୍ରାଚୀନ ସାଧନା–ପରମ୍ପରାକୁ ଆଧୁନିକ ଅଧ୍ୟାତ୍ମର ଆବଶ୍ୟକତା ନିମନ୍ତେ ଅଧିକ ପ୍ରାସଙ୍ଗିକତା ଦେବା ନିମନ୍ତେ ତାହାର ଯେଉଁ ନୂତନ ସମୀକ୍ଷା ହେବା ଉଚିତ, ସେ ତାହାକୁ ଏକ renovation ବା ପଙ୍କୋଦ୍ଧାରର କାର୍ଯ୍ୟ ସହିତ ତୁଳନା କରିଛନ୍ତି । ପରିଚିତ ପ୍ରତ୍ୟେକ ମାର୍ଗ–ହଠଯୋଗ, ରାଜଯୋଗ, କର୍ମ, ଜ୍ଞାନ, ଓ ଭକ୍ତିର ମାର୍ଗଗୁଡ଼ିକର ବିଶ୍ଳେଷଣ ତଥା ଆଲୋଚନା କରାଯାଇଛି ଏବଂ, ଚେତନା ତଥା ଜଗତର ପରିବର୍ତ୍ତନ ଯଦି ଲକ୍ଷ୍ୟ ହୁଏ, ତେବେ ସେଗୁଡ଼ିକରୁ ଆମେ କେଉଁଗୁଡ଼ିକୁ କେତେ ମୁଖ୍ୟ ବା ଗୌଣ ମହତ୍ତ୍ୱ ଦେବା, ସେହି କଥାଟିକୁ ମଧ୍ୟ ସିଏ ସୂଚାଇ ଦେଇଛନ୍ତି । ଏହି ମାର୍ଗଚୟ ମଧ୍ୟରେ ଏକ ସମନ୍ୱୟ ସମ୍ଭବ କରିବାକୁ ହେଲେ ପ୍ରତ୍ୟେକ ମାର୍ଗର ବାହ୍ୟଗୁଡ଼ିକୁ (forms and outsides) ଗୌଣ ସ୍ଥାନ ଦେଇ (neglecting) ସେଗୁଡ଼ିକର କେନ୍ଦ୍ରସ୍ଥ ଆବେଦନ ତଥା ସତ୍ୟଗୁଡ଼ିକୁ ଏକତ୍ର ଗୁନ୍ଥି ଆଣିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଜ୍ଞାନ, କର୍ମ, ଭକ୍ତି ମାର୍ଗତ୍ରୟକୁ ଶ୍ରୀ ଅରବିନ୍ଦ ଆଦୌ ତିନୋଟି ଭିନ୍ନ ମାର୍ଗ ବୋଲି ଦେଖିନାହାନ୍ତି । ନିଜର ସ୍ୱତନ୍ତ୍ର ରୁଚି ଅନୁସାରେ ଯେଉଁ ଗୋଟିକରୁ ଆରମ୍ଭ କଲେ ମଧ୍ୟ ନ୍ୟାୟତଃ ବାକି ଦୁଇଟିକୁ ମଧ୍ୟ ଗ୍ରହଣ କରିବାକୁ ପଡ଼ିବ,–ସେହି କଥାଟିକୁ ସ୍ପଷ୍ଟ କରି ଦେଇଛନ୍ତି । (BCL, ୨୦, ୩୫)

 

ପୂର୍ଣ୍ଣଯୋଗର ପଥ ଏକ ସୁଦୀର୍ଘ ପଥ, ଆତ୍ମ–ପରିପୂର୍ଣ୍ଣତା ଏବଂ ପୂର୍ଣ୍ଣ ସମର୍ପଣରେ ମଧ୍ୟ ପୂର୍ଣ୍ଣଚ୍ଛେଦ ବୋଲି ମୋଟେ କିଛି ରହିବନାହିଁ । ତଥାପି, ରାଜି ହୋଇଗଲେ ସବୁ ସହଜ ହୋଇଯିବ ସକଳ ସାଧନା ଏକ ଖୁସିରେ ପରିଣତ ହେବ । ସାହସ, ବଳ ଏବଂ ସହିଷ୍ଣୁତା,–ଏହି ତିନୋଟି ସର୍ବପ୍ରଧାନ ପାଥେୟ ହୋଇ ରହିଥିବେ । “I want strong men, ଦେବତ୍ୱ can only be built upon that endurance, firmness, heroism–the true spiritual heroism.” (BCL, ୨୭, ୪୮୧)

☆☆☆

 

ରୂପାନ୍ତର

 

ରୂପାନ୍ତର ଶବ୍ଦଟି ଆଗରୁ ଥିଲା, କିନ୍ତୁ ଶ୍ରୀ ଅରବିନ୍ଦ ତାହାକୁ ଏକ ନୂତନ ଅର୍ଥରେ ବ୍ୟବହାର କରିଛନ୍ତି । (BCL, ୨୨, ୧୧୫) ସିଏ ରୂପାନ୍ତରକୁ ପୂର୍ଣ୍ଣଯୋଗର ପ୍ରଧାନତମ ଅଂଶ ବୋଲି କହିଛନ୍ତି । ଅନ୍ୟ ମାର୍ଗ ଓ ଅନ୍ୟ ଧାରାମାନେ ଏତେ ବା ଏପରି ବିଶୁଦ୍ଧୀକରଣ ଏବଂ ପରିବର୍ତ୍ତନ ହାସଲ କରିବା ବିଷୟରେ ପରାମର୍ଶ ଦେଇଛନ୍ତି, ଯାହାକି ମୁକ୍ତି ଆଣିଦେବ ଓ ପରଜୀବନ ନିମନ୍ତେ ସୁଖର ପ୍ରତିଶ୍ରୁତି ବହନ କରି ଆଣୁଥିବ । (ତତ୍ରୈବ, ୧୧୫–୬) ଏକ ଲକ୍ଷ୍ୟଗତ ପ୍ରଭେଦକୁ ସ୍ପଷ୍ଟ କରିଦେଇ ଶ୍ରୀ ଅରବିନ୍ଦ ଘୋଷଣା କରିଛନ୍ତି ଯେ, କେବଳ ଆତ୍ମାର ବନ୍ଧନମୁକ୍ତି ନୁହେଁ ଅଥବା ପରମ ଏକୈବ ବ୍ରହ୍ମଙ୍କର ଉପଲବ୍ଧି ନୁହେଁ, ଆମର ମନ, ପ୍ରାଣ ଓ ଦେହ ସମେତ ଅବଚେତନର ସ୍ତର ପର୍ଯ୍ୟନ୍ତ ସତ୍ତାର ପ୍ରତ୍ୟେକ ଭୂମିରେ, ସ୍ଥିର ତଥା ଗତିଶୀଳ ଉଭୟଭାବେ ଆଧ୍ୟାତ୍ମିକ ଚେତନାରେ ଜୀବନଧାରଣ କରିବା (putting on of the spiritual consciousness)–ରୂପାନ୍ତର ଏହି ସବୁଯାକ କଥାକୁ ବୁଝାଇବ । (ତତ୍ରୈବ)

 

ନିଜ ସାଧନାଜୀବନର ଅନୁଭବ ମଧ୍ୟରୁ ନଜିର ଆଣି ସେ କହିଛନ୍ତି ଯେ ପରମ ଚେତନା ବା ପରମ ଆଲୋକର ଅବତରଣ ଆଦୌ ଯଥେଷ୍ଟ ନୁହେଁ,–.... ସେହି ଅବତରଣ ମୁକ୍ତି ଆଣି ଦେଇଯିବ, ମାତ୍ର ପୂର୍ଣ୍ଣତା ଦେଇ ପାରିବନାହିଁ; ଅଥବା, ଅନ୍ତର୍ଗତ ସତ୍ତାରେ ଏକ ବୃହତ୍ ପରିବର୍ତ୍ତନ ଘଟାଇବାରେ ହୁଏତ ତାହା ଯଥେଷ୍ଟ ହେବ କିନ୍ତୁ ତେଣେ ବାହାରର ଜୀବନଟା ସେହି ଆଗପରି ଅପୂର୍ଣ୍ଣ, ଅକୁଶଳ, ରୋଗପୀଡ଼ିତ କିମ୍ବା ଅଭିବ୍ୟକ୍ତିବିହୀନ ହୋଇ ରହିଥିବ । (ତତ୍ରୈବ, ୯୯) ରୂପାନ୍ତରର ପ୍ରକ୍ରିୟାଟି ଆରମ୍ଭ ହେବ, ଯେତେବେଳେ ଚୈତ୍ୟହିଁ ଆମ ଜୀବନର ମୁଖ୍ୟ ମୀମାଂସକରୂପେ ସ୍ୱୀକୃତ ହୋଇ ଆସିବ ଏବଂ ସହଜ ଭାବରେ ଦେହ, ପ୍ରାଣ ଓ ମନର ପରିଚାଳନା କରିପାରୁଥିବ । (ତତ୍ରୈବ, ୨୮୧) ଏହି ପ୍ରକ୍ରିୟାଟିରେ ଏକ ସମର (battle) ହେବହିଁ ହେବ : ନିଜ ସହିତ–ନିଜ ପୁରୁଣାଟି ସହିତ ଏହି ନୂଆର ତଥା ଚତୁର୍ଦ୍ଦିଗର ବିରୋଧୀ ବଳ ଏବଂ ତତ୍ତ୍ୱମାନଙ୍କ ସହିତ ଏକ ଦୀର୍ଘ ଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ପଡ଼ିବ–ଏହି ଯୁଦ୍ଧ ବେଳେବେଳେ ପ୍ରକୃତରେ ହୁଏତ କେବେ ସରିବନାହିଁ ବୋଲି ମନେ ହେଉଥିବ । (BCL, ୨୦, ୧୨୩)

 

ସ୍ୱୀୟ ସାଧନାର କ୍ରମରେ ଗୋଟିକପରେ ଗୋଟିଏ ଭୂମିକୁ ଶ୍ରୀ ଅରବିନ୍ଦ ଅତ୍ୟନ୍ତ ଅବଲୀଳା ସହିତ ଅତିକ୍ରମି ଯାଇଥିଲେ । “ଏକମାତ୍ର ଦୁଷ୍କର ସୋପାନଟି, ଯାହାକି ପୂର୍ଣ୍ଣତାରେ ପହଞ୍ଚିବାର ଆଧ୍ୟାତ୍ମିକ ପ୍ରୟାସରେ ଏକାଧିକ ଦଶନ୍ଧି ଲଗାଇଦେଲା, ଲବ୍ଧ ଅଧ୍ୟାତ୍ମ ଜ୍ଞାନଟିକୁ ସମ୍ପୂର୍ଣ୍ଣ ଭାବରେ ଏହି ପୃଥିବୀରେ ପ୍ରୟୋଗ କରିପାରିବାର କ୍ଷେତ୍ରରେ ଆସି ପହଞ୍ଚି ଯାଇଥିଲା । ଉପରିଭାଗର ଏହି ମନଦ୍ୱାରା ଶାସିତ ବାହ୍ୟ ଜୀବନକ୍ଷେତ୍ରରେ ତାହାର ପ୍ରୟୋଗ କରିବା ତଥା ପ୍ରକୃତିର ଉଚ୍ଚତର ସ୍ତରଗୁଡ଼ିକ ପରି ଏକାବେଳେକେ ଅବଚେତନ ଯାଏଁ ସାଧାରଣ ମାନସିକ, ପ୍ରାଣିକ ଓ ଭୌତିକ ସ୍ତରଗୁଡ଼ିକରେ ମଧ୍ୟ ସେହି ରୂପାନ୍ତରଟିକୁ କାର୍ଯ୍ୟକାରୀ କରାଇବା,–ତାହା ପ୍ରକୃତରେ କଠିନ ହୋଇଥିଲା ।” (BCL, ୨୨, ୧୨୭)

 

ରୂପାନ୍ତରର ତିନୋଟି ଚରଣ,–ଚୈତ୍ୟ ରୂପାନ୍ତର, ଆଧ୍ୟାତ୍ମିକ ରୂପାନ୍ତର ଏବଂ ଅତିମାନସ ରୂପାନ୍ତର । ଶ୍ରୀ ଅରବିନ୍ଦଙ୍କର କହିବା ଅନୁସାରେ, ଅନ୍ୟ ସାଧନାମାର୍ଗମାନେ ସେମାନଙ୍କର ନିଜ ନିଜ ବାଟରେ ପ୍ରଥମ ଦୁଇଟିକୁ ସମ୍ଭବ କରିଛନ୍ତି । ପୂର୍ଣ୍ଣଯୋଗ ତୃତୀୟଟିକୁ ସାଧ୍ୟ କରିବାର ଚର୍ଚ୍ଚା କରିଛି ଏବଂ ଏକ ପ୍ରୟାସ ମଧ୍ୟ କରିଛି । (BCL, ୨୪, ୧୫୧୩)

☆☆☆

 

ଲକ୍ଷ୍ୟ

 

ଏକ ଲକ୍ଷ୍ୟହୀନ ଜୀବନକୁ ମାଆ ଏକ ଅତ୍ୟନ୍ତ ଦୁଃଖପୀଡ଼ିତ ଜୀବନ ବୋଲି କହିଛନ୍ତି । ଅନ୍ୟପ୍ରକାରେ ଚିନ୍ତା କରି ସମ୍ଭବତଃ କୁହାଯାଇପାରିବ ଯେ, ପ୍ରତ୍ୟେକ ମନୁଷ୍ୟଙ୍କର କିଛି ନା କିଛି ଲକ୍ଷ୍ୟ ଅବଶ୍ୟ ରହିଥାଏ । ଲକ୍ଷ୍ୟ ନଥିବା ମନୁଷ୍ୟ କେଉଁଠାରେ ନଥାନ୍ତି । ତଥାପି, ଲକ୍ଷ୍ୟ ଭଳି ଲକ୍ଷ୍ୟଟିଏହିଁ ବାଛି ପାରିବା ଆବଶ୍ୟକ । ନବାଛି ପାରିଲେ ନାନା ଲକ୍ଷ୍ୟର ଜଙ୍ଗଲରେ କେବଳ ଧାଉଁଥିବାହିଁ ସାର ହୁଏ । ଜଣେ ଚେତନାସମ୍ପନ୍ନ ମନୁଷ୍ୟ ମୋଟେ ସେଭଳି ଏକ ଜଙ୍ଗଲରେ ଧାଇଁବାରେହିଁ ଜୀବନକୁ ସାରି ଦେବ ନାହିଁ ।

 

To maintain existence ଜୀବନଧାରଣ କରି ରହିବାକୁହିଁ ଶ୍ରୀ ଅରବିନ୍ଦ ଆମର ପ୍ରଥମ କାର୍ଯ୍ୟ ତଥା ପ୍ରଥମ ଆବଶ୍ୟକତା ବୋଲି କହିଛନ୍ତି । (BCL, ୧୯, ୯୮୧) କିନ୍ତୁ ସେଇଟି ସର୍ବପ୍ରଥମ ବିନ୍ଦୁ, ସେହିଠାରୁହିଁ ଯାତ୍ରାଟି ଆରମ୍ଭ ହେବ । ଅଗ୍ରସର ହୋଇ ଯାଉ ଯାଉ ଆଖି ଆଗରେ ମେଦିନୀଟି କ୍ରମପ୍ରସାରିତ ହୋଇ ଯାଉଥିବ, ନିଜ ଭିତରକୁ ମଧ୍ୟ ଅଧିକରୁ ଅଧିକ ବାଟ ଫିଟି ଯାଉଥିବ । ଆସ୍ପୃହାର ମାର୍ଗରେ ଆମେ ଅଗ୍ରସର ହୋଇ ଯାଉଥିବା । ଇଏ ଅବିକଳ ନୂତନ କରି ପ୍ରତ୍ୟହ ଭଗବାନଙ୍କୁ ଭେଟି ପ୍ରତ୍ୟହ ଗୋଟିଏ ଗୋଟିଏ ବର ମାଗିବାପରି କଥାଟିଏ ।

 

ଯାତ୍ରାର ଆରମ୍ଭ ସକାଳରୁହିଁ ମନୁଷ୍ୟ ସମାଜର ଆଗୁଆ ଯାତ୍ରୀମାନେ ପ୍ରେମ, ଜ୍ଞାନ, ଆନନ୍ଦ, ଶକ୍ତି, ଏକ ଯଥାର୍ଥ ଜୀବନ ଏବଂ ଏକତ୍ୱକୁ ଲକ୍ଷ୍ୟରୂପେ ହୃଦୟରେ ଥାପି ବାଟ ଚାଲିଛନ୍ତି । ଗୋଟିଏ କଥାରେ, ଈଶ୍ୱରତ୍ୱ (godhead) ହିଁ ସେମାନଙ୍କର ଅନ୍ତିମ ଲକ୍ଷ୍ୟ ହୋଇ ରହିଆସିଛି । କେତେ ଖସି ପଡ଼ିଛନ୍ତି, କେତେ ହୁଡ଼ି ଯାଇଛନ୍ତି, କେତେକେତେ ଭ୍ରମରେ ପଡ଼ି ଅଟକି ଯାଇଛନ୍ତି । ପୁନର୍ବାର ଚେତିଛନ୍ତି ଓ ବାଟ ଚାଲିଛନ୍ତି । ସେମାନେ ଖାଲି ନିଜ ସକାଶେ ନୁହେଁ, ସମଗ୍ର ମନୁଷ୍ୟସମାଜ ନିମନ୍ତେହିଁ ସେହିସବୁ ସମ୍ପଦର, ଈଶ୍ୱରତ୍ୱର ଅନୁସନ୍ଧାନରେହିଁ ଚାଲିବାରେ ଲାଗିଛନ୍ତି-। (BCL, ୧୬, ୩୭୯)

 

ଭାରତବର୍ଷୀୟ ତନ୍ତ୍ର–ସାଧନାରେ ଶକ୍ତିକୁହିଁ ମୂଳ ଭୂମିରୂପେ ସ୍ୱୀକାର କରାଯାଇଛି । ଯୋଗମାର୍ଗର ହଠ, ରାଜଯୋଗ ପ୍ରଭୃତି ଶାଖା ଆସନ ଓ ପ୍ରାଣାୟାମାଦିର ପରାମର୍ଶ ଦେଇ ସେହି ଶକ୍ତିକୁ ଜାଗୃତ କରାଇବାର ଆଲୋଚନା କରିଛନ୍ତି । କେବଳ ଆମର ନିମ୍ନ ପ୍ରକୃତିକୁ ଶୃଙ୍ଖଳା ମଧ୍ୟକୁ ଆଣିବାରେ ନୁହେଁ, ଆଧ୍ୟାତ୍ମିକ ଜୀବନରେ ଓ ଏପରିକି ଅତିମାନସ ସାଧନାର କ୍ଷେତ୍ରରେ ମଧ୍ୟ ଶ୍ରୀ ଅରବିନ୍ଦ ପ୍ରାଣଶକ୍ତିର ଏକ ମୁଖ୍ୟ ଭୂମିକା ରହିଛି ବୋଲି ଉଲ୍ଲେଖ କରିଛନ୍ତି । ଅବଶ୍ୟ ପୂର୍ଣ୍ଣଯୋଗ ହଠ ଓ ରାଜଯୋଗର ଉପାୟ ସାଧନଗୁଡ଼ିକ ଉପରେ ପ୍ରାଧାନ୍ୟ ଦେବନାହିଁ, ମାତ୍ର ଅନ୍ୟ ଏକାଧିକ ମାର୍ଗରେ ତାହାର ଅଧିକାରୀ ହେବ । (BCL, ୨୧, ୭୦୪)

 

ଶାସ୍ତ୍ରରେ ଅତ୍ୟନ୍ତ ସତର୍କ କରିଦେଇ ଏକଥା ମଧ୍ୟ କୁହାଯାଇଛି ଯେ, ଚିତ୍ତରେ ଅଶୁଦ୍ଧି ରହିଥିବା ପର୍ଯ୍ୟନ୍ତ, ଭାବ ଓ ଭାବନାରେ ଅହଂକାର ଉପଦ୍ରବ କରୁଥିବା ପର୍ଯ୍ୟନ୍ତ ଏବଂ ବାସନାରେ ଆଧିପତ୍ୟର ଲାଳସା ରହିଥିବା ପର୍ଯ୍ୟନ୍ତ ଶକ୍ତିର ପ୍ରୟୋଗ କଦାପି ମୁକ୍ତ ହୋଇ ପାରିବ ନାହିଁ, ସମ୍ପୂର୍ଣ୍ଣ ଭାବରେ ଫଳପ୍ରସୂବି ହେବନାହିଁ ।

 

‘ଭବାନୀ ମନ୍ଦିର’ ପୁସ୍ତିକାରେ ଶ୍ରୀ ଅରବିନ୍ଦ ସେହି ଅପରିମିତା ଶକ୍ତିଙ୍କୁ ଭବାନୀରୂପେ କଳ୍ପନା କରିଛନ୍ତି । (BCL, ୧, ୬୦–୭୧) ଅମିତ ଶକ୍ତି–ପ୍ରେମର ଶକ୍ତି, ଜ୍ଞାନର ଶକ୍ତି, କର୍ମର ଶକ୍ତି । ଚେତାଇ ଦେଇ ସେ କହିଛନ୍ତି ଯେ ଆମେ ସେହି ଶକ୍ତିକୁ ବର୍ଜନ କରିଛୁ । ତେଣୁ ଶକ୍ତିଦ୍ୱାରା ବର୍ଜିତବି ହୋଇଛୁ । ତାଙ୍କରି ଭାଷାରେ, ଶକ୍ତି ବିନା ଜ୍ଞାନ ମୃତ, ଭକ୍ତି ଜୀବନହୀନ ଏବଂ ଅକ୍ରିୟ ।

 

ଭାରତବର୍ଷରେ କେବଳ ଶକ୍ତିହିଁ ଲୋଡ଼ା । (ପୃଷ୍ଠା–୬୪) ଭାରତବର୍ଷ ବୃଦ୍ଧ ହୋଇଗଲାଣି, ଇଚ୍ଛାଶକ୍ତିରେ ଜର୍ଜର ହୋଇ ପଡ଼ିଛି । ଭାରତବର୍ଷକୁ ଆଉଥରେ ନୂତନ ହୋଇ ଜନ୍ମ ନେବାକୁ ପଡ଼ିବ । ଭକ୍ତି, କର୍ମ ଓ ଜ୍ଞାନରେ ମହନୀୟ ହେବାକୁ ପଡ଼ିବ । ଶ୍ରୀ ଅରବିନ୍ଦଙ୍କ ଭାଷାରେ, ଏଠାରେ ବାସ କରୁଥିବା କୋଟି କୋଟି ମନୁଷ୍ୟଙ୍କର ସମ୍ମିଳିତ ଶକ୍ତିହିଁ ଭାରତବର୍ଷ । ଏବଂ, ସେଇଥିଲାଗି, ତାହାରି ଲାଗିହିଁ ଶକ୍ତିରୂପିଣୀ ଜନନୀଙ୍କର ଉପାସନା ।

☆☆☆

 

ଶାନ୍ତି

 

ଯଦି ସବୁ ମଣିଷ ଶାନ୍ତି ଚାହାନ୍ତି, ତେବେ ପୃଥିବୀରେ ଭିତରେ ବାହାରେ ଏତେ ଅଶାନ୍ତି ଲାଗି ରହିଥାଏ କାହିଁକି ? ଅଶାନ୍ତି ଲାଗି ରହିଥାଏ ବୋଲି ତ ଲୋକମାନେ ଶାନ୍ତି ଚାହୁଁଥାନ୍ତି ଓ ଶାନ୍ତି ଖୋଜି ବୁଲୁଥାନ୍ତି ! ଏହି ବିଷବୃତ୍ତଟିରୁ ବାହାରି ଯାଇ ପାରିବାର କୌଣସି ମାର୍ଗ ପ୍ରକୃତରେ ରହିଛି କି ?

 

ଗୋଟିଏ ପାଖରେ ଶାନ୍ତି, ଆଉଗୋଟିଏ ପାଖରେ ପ୍ରଗତି । ଦୁଇଟିଯାକ ସମାନଭାବେ ଆବଶ୍ୟକ, ଦୁହେଁ ପରସ୍ପରର ପରିପୂରକ । ତଥାପି, ମାଆଙ୍କର ଗୋଟିଏ ମନ୍ତବ୍ୟ ଅନୁସାରେ ମନୁଷ୍ୟମାନେ ଦୁଇଟିଯାକକୁ ସମାନ ସ୍ୱୀକୃତି ଦେଇ ପାରନ୍ତିନାହିଁ । ଗୋଟିଏ ହେଉଛି ଶାନ୍ତି, ଯାହା ନିଶ୍ଚିନ୍ତ କରାଏ, ସ୍ଥିରତା ଦିଏ ଏବଂ କଷ୍ଟଭୋଗକୁ ଦୂର କରିଥାଏ । ଅନ୍ୟଟି ହେଉଛି ପ୍ରଗତି, ଯାହା ଆପଣାର ଗତିଶୀଳ ଶକ୍ତିଦ୍ୱାରା ବେଡ଼ିଗୁଡ଼ିକୁ ଛିଣ୍ଡାଇଦିଏ, ନାନାବିଧ ଦାସତା ଏବଂ ଜଡ଼ତା ମଧ୍ୟରୁ ମୁକ୍ତି ଦେଇଥାଏ । ପୃଥିବୀଯାକ ସମସ୍ତେ ଶାନ୍ତିକୁହିଁ କାମ୍ୟ ବୋଲି କହନ୍ତି, କାହାକୁ ଏକ ଦିବ୍ୟ ବରଦାନ ବୋଲି କହି ପ୍ରଶଂସା କରନ୍ତି; ମାତ୍ର, ଯେଉଁମାନଙ୍କଠାରେ ପ୍ରଗାଢ଼ ଅଭୀପ୍ସା ରହିଥାଏ ଏବଂ ଯେଉଁମାନେ ସାହସୀ, କେବଳ ସେହିମାନେହିଁ ପ୍ରଗତିକୁ ସ୍ୱାଗତ କରିଥାନ୍ତି । (MCE,୧୫, ୧୯୯) ଆଉ ଏକ ଅବସରରେ ମାଆ ସଚେତ କରାଇ ଦେଇଛନ୍ତି ଯେ, ଏହି ଜଗତକୁ ଆମେ ଶାନ୍ତିପାଇଁ ନୁହେଁ, ବିଜୟପାଇଁହିଁ ଆସିଛୁ । କାରଣ, ପ୍ରତିକୂଳ ଶକ୍ତିମାନେ ଶାସନ କରୁଥିବା ଗୋଟିଏ ପୃଥିବୀରେ ପ୍ରଥମେ ବିଜୟ ଅବଶ୍ୟ ଆସିବ, ଏବଂ ତା’ପରେ ଯାଇ ଶାନ୍ତି ।

 

ପୁନଶ୍ଚ, ଗୋଟିଏ ଶାନ୍ତି କଠିନ କରିପକାଏ (hardening), ଆଉ ଗୋଟିଏ ଏକ ସଚେତନକାରୀ ଶକ୍ତି ସଦୃଶ କାର୍ଯ୍ୟ କରେ । ପ୍ରଥମ ପ୍ରକାରର ଶାନ୍ତିରେ ରହିଥିବା ବ୍ୟକ୍ତିମାନେ ଗୋଟାସୁଦ୍ଧା ପଥର ପରି ସମ୍ବେଦନାଶୂନ୍ୟ ହୋଇ ରହିଥାନ୍ତି ଏବଂ ପୃଥିବୀର ନାନାବିଧ ଦୁର୍ଭାଗ୍ୟ ବିଷୟରେ ତଥା ଅନ୍ୟମାନେ ଭୋଗ କରୁଥିବା ଦୁଃଖ ବିଷୟରେ ଉଦାସୀନ ହୋଇ ରହିଥାନ୍ତି । ଏମାନେ ନିଜର ହୃଦୟକୁ ପଥର କରି ଦେଇଥାଆନ୍ତି ଓ କୌଣସି ପ୍ରକାର ସମ୍ବେଦନା ପାଇଁ ସମର୍ଥ ହୋଇ ପାରନ୍ତିନାହିଁ । (MCE, ୧୬, ୧୯୦)

☆☆☆

 

ଶାସ୍ତ୍ର

 

କେବଳ ଧର୍ମରେ ନୁହେଁ, ସାଧନାମାନଙ୍କରେ ମଧ୍ୟ ଶାସ୍ତ୍ରକୁ ପବିତ୍ର ବୋଲି କୁହାଯାଇଛି । ପବିତ୍ର ଗ୍ରନ୍ଥଗୁଡ଼ିକର ପୂଜା ହୋଇ ଆସିଛି । ଓଡ଼ିଶାରେ ‘ଗାଦୀବ୍ରହ୍ମ’ କଥାଟି ସମ୍ଭବତଃ ସେହି କାରଣରୁ ପ୍ରଚଳିତ ହୋଇ ଆସିଛି । ଗୁରୁମାନେ ଶାସ୍ତ୍ର ଉପରେ ଚିରକାଳ ପ୍ରଭୂତ ମହତ୍ତ୍ୱ ଦେଇଛନ୍ତି-। ଅନେକ ସମୟରେ ଶାସ୍ତ୍ରଭ୍ରଷ୍ଟ ହେବାକୁ ସକଳ ଗମ୍ଭୀରତା ସହିତ ପଥଭ୍ରଷ୍ଟ ହେବାର ସମତୁଲ ମଧ୍ୟ କରାଯାଇଛି ।

 

ଶ୍ରୀ ଅରବିନ୍ଦ ଶାସ୍ତ୍ରକୁ ଶବ୍ଦବ୍ରହ୍ମ ବୋଲି କହିଛନ୍ତି । ତଥାପି ଶାସ୍ତ୍ରର ଅସଦ୍‌ବ୍ୟବହାର ମଧ୍ୟ ହୋଇପାରେ ବୋଲି ସାବଧାନ କରି ଦେଇଛନ୍ତି । ଏହାକୁ ସତ୍‌ମାର୍ଗ ତଥା ସଦ୍‌ଗୁଣ ଅଥବା କୌଣସି ପୂର୍ବଗ୍ରହ (prejudice)ରୁ ପ୍ରସୂତ ଅହଂକାର ମଧ୍ୟ ନିଜ ଉଦ୍ଦେଶ୍ୟସାଧନରେ ବେଳେବେଳେ ଲଗାଇପାରେ । (BCL, ୧୬, ୪୨୦) ପୁନଶ୍ଚ, କୌଣସି ନିର୍ଦ୍ଦିଷ୍ଟ ଗ୍ରନ୍ଥରେ ସବୁଯାକ ସତ୍ୟ ରହିଛି ଏବଂ ତେଣୁ ଆମେ ଏହା ବ୍ୟତୀତ ଅନ୍ୟ କୌଣସି ସତ୍ୟକୁ ଆସିବାକୁ ଅନୁମତି ଦେବାନାହିଁ, ବେଦ ବିଷୟରେ ବେଦବାଦୀମାନଙ୍କର ସେହି ଉକ୍ତିଟିକୁ ସେମାନେ ଗ୍ରହଣ କରିପାରନ୍ତିନାହିଁ । (BCL,୧୩, ୮୬) “ବାଇବେଲ, କୋରାନ୍‌... ବେଦ... ଉପନିଷଦ...ଗୀତା... ଯେକୌଣସି ଗ୍ରନ୍ଥର କଥା କହୁଥିବା ସମୟରେ ତୁମେ କଦାପି କହିବନାହିଁ ଯେ ସେଇଟି ବ୍ୟତୀତ ଆଉ କେଉଁଠିହେଲେ କୌଣସି ସତ୍ୟ ନାହିଁ ବା, ସେଥିରେ କୌଣସି ସତ୍ୟକୁ ଯଦି ତୁମର ବୁଦ୍ଧି ଦେଖୁନାହିଁ, ସେଇଟି ଆଦୌ ସତ୍ୟ ହୋଇପାରିବ ନାହିଁ । ଏପରି କେବଳ ସମ୍ପ୍ରଦାୟବାଦୀ ଓ ଧର୍ମବାଦୀମାନେ କହନ୍ତି, ଜଣେ ସତ୍ୟାନ୍ୱେଷୀ ମୁକ୍ତ ବ୍ୟକ୍ତି ଆଦୌ କହେନାହିଁ ।” (ତତ୍ରୈବ) ଶାସ୍ତ୍ର ହେଉଛି ଏକ means, not an end–ଏକ ନିଷ୍କର୍ଷରୂପେ ଆମେ ତାହା ସ୍ମରଣ ରଖିଥିବା । (ତତ୍ରୈବ, ୪୬୦)

 

ଶ୍ରୀ ଅରବିନ୍ଦ ସ୍ପଷ୍ଟ କରି ଦେଇଛନ୍ତି, ପୂର୍ଣ୍ଣଯୋଗର ସର୍ବୋଚ୍ଚ ଶାସ୍ତ୍ର ଶାଶ୍ୱତ ବେଦରୂପେ ପ୍ରତ୍ୟେକ ଭାବନାସମର୍ଥ ଜୀବନସତ୍ତାର ହୃଦୟରେହିଁ ଲିଖିତ ହୋଇ ରହିଛି । (BCL, ୨୦, ୪୭) ତେଣୁ ଯେକୌଣସି ବଡ଼ରୁ ବଡ଼ ଶାସ୍ତ୍ରକୁ ପୂର୍ଣ୍ଣଯୋଗର ସାଧକ ଅବଶ୍ୟ ବ୍ୟବହାର କରିବ, କିନ୍ତୁ ତାହାରି ଭିତରେ ଆଦୌ ବାନ୍ଧିହୋଇ ପଡ଼ିବନାହିଁ । (ତତ୍ରୈବ, ୪୯) ନିଜର ସାଧନାକ୍ରମରେ ସେ ଏପରି ଗୋଟିଏ ସ୍ଥଳରେ ଆସି ପହଞ୍ଚିବ, ଯେତେବେଳେ କି ସେ ନିଜ ଭିତରୁହିଁ ବଞ୍ଚିବ ଓ ଲିଖିତ ଶାସ୍ତ୍ରୋକ୍ତିଗୁଡ଼ିକୁ ଅତିକ୍ରମ କରିଯିବ । (ତତ୍ରୈବ) ଏବଂ, ପରିଶେଷରେ, କୌଣସି ଲିଖିତ ଅଥବା ପାରମ୍ପରିକ ଶାସ୍ତ୍ର ଭିତରେ ବାନ୍ଧିହୋଇ ନଯିବା ନିମନ୍ତେ ପୂର୍ଣ୍ଣଯୋଗର ଏକ ବିଶେଷ ଆବଶ୍ୟକତା ରହିଛି । ....କାରଣ ଅତୀତରୁ ଆଗତ ଜ୍ଞାନ ସହିତ ପରିଚିତ ହେଉଥିଲେ ମଧ୍ୟ ସିଏ ତାହାକୁ ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ପୁନର୍ସଗଂଠିତ କରିବ । ....ସମଗ୍ର ଜୀବନକୁହିଁ ବରିନେବା ଏହାର ଉଦ୍ଦେଶ୍ୟ ହୋଇଥିବାରୁ ତାହା ପୂର୍ବଚିହ୍ନିତ ପଥଟିଏ ଧରି ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥାନକୁ ଯାଉଥିବା ଜଣେ ତୀର୍ଥଯାତ୍ରୀର ଭୂମିକା କଦାପି ଗ୍ରହଣ କରିବ ନାହିଁ, ବରଂ ନିଜକୁ ଜଣେ ପଥନିର୍ମାତାରୂପେ ଅନୁଭବ କରିବ ଯିଏକି ଆଗରୁ କେହି ପ୍ରବେଶ କରି ନଥିବା ଏକ ଗହନ ଅରଣ୍ୟ ମଧ୍ୟରେ ନିଜର ବାଟଟିକୁ କାଟି କାଟି ଅଗ୍ରସର ହେବାରେ ଲାଗିଛି । ଯୋଗ ତ କେଉଁ କାଳରୁ ଜୀବନକୁ ଛାଡ଼ି ଅନ୍ୟଆଡ଼େ ଚାଲିଯାଇଛି ଏବଂ ପୁରାତନ ଯୋଗମାର୍ଗଗୁଡ଼ିକ ଆମଠାରୁ ବହୁଦୂରରେ ଯାଇ ରହିଲେଣି; ସେଗୁଡ଼ିକ ବ୍ୟବହାର କରିଥିବା ଅଭିବ୍ୟକ୍ତିଗୁଡ଼ିକ ପ୍ରାୟ ଅପହଞ୍ଚ ହୋଇ ରହିଲେଣି, ସେଗୁଡ଼ିକର ଛାଞ୍ଚଗୁଡ଼ିକୁ ଆଉ ଠିକ୍‌ ସେହିପରି ପ୍ରୟୋଗବି କରି ହେବନାହିଁ । ମନୁଷ୍ୟଜାତି ତା’ପରେ ଶାଶ୍ୱତ ସତ୍ୟର ମାର୍ଗରେ ବହୁତ ବାଟ ଆଗକୁ ଚାଲି ଆସିଛି ଏବଂ ତେଣୁ, ସେହି ଗୋଟିଏ ସମସ୍ୟାର ମଧ୍ୟ ବର୍ତ୍ତମାନ ଏକ ନୂତନ ଆରମ୍ଭବିନ୍ଦୁରୁ ନିକଟବର୍ତ୍ତୀ ହେବାକୁ ପଡ଼ିବ । (ତତ୍ରୈବ, ୫୦)

☆☆☆

 

ଶିକ୍ଷା

 

କେତେଟା ତଥ୍ୟ ବା ଘଟଣାସତ୍ୟକୁ ଘୋଟି ପିଆଇଦେବା ଶିକ୍ଷା ନୁହେଁ । ଉପରୁ ଆଣି ଲଦିଦେବା, ବୋଲ ମନାଇବା, ଯେତିକି ଅଛି ସେତିକି ସହିତ ଖାପ ଖାଇ ରହିଯିବା,–ଏସବୁ ଶିକ୍ଷା ନୁହେଁ,–ଏଗୁଡ଼ିକ ଶିକ୍ଷା ନାମରେ ଚଳି ଆସିଥିବା ବା ଆସୁଥିବା ଗୋଟିଏ ଗୋଟିଏ କୁସଂସ୍କାର । ଅସଲ ଶିକ୍ଷା ଯୁଗେଯୁଗେ ଏହିଗୁଡ଼ିକର ବିରୋଧ କରି ଆସିଛି । କାଳର କାନ ଧରି ଚଳାଉଥିବା କର୍ତ୍ତୃତ୍ୱମାନେ ମନୁଷ୍ୟକୁ ସତେଅବା ଏକ ପୂର୍ବସ୍ଥିରୀକୃତ ଛାଞ୍ଚ ଅନୁସାରେ ଗଢ଼ି ପକାଇବେ ବୋଲି ଦମ୍ଭ କରି ବାହାରିଛନ୍ତି । ମାତ୍ର, ଉପରେ ଯେତେ ବାଧ୍ୟ ହେଲେ ମଧ୍ୟ ଭିତରେ ରହି କିଏ ତାହାର ପ୍ରତିବାଦ କରିଛି । ଭିତରର ସେହି ଉପାଦାନଟି ହେଉଛି ମନୁଷ୍ୟର ଆତ୍ମା । ଆତ୍ମାକୁ ଆତ୍ମାର ବିକାଶ ଓ ଆରୋହଣକୁ କେନ୍ଦ୍ରରେ ରଖି ଯଥାର୍ଥ ଶିକ୍ଷାର ଯୋଜନାମାନ କାଳେ କାଳେ କରାଯାଇ ଆସିଛି, ଏବେ ମଧ୍ୟ କରାଯାଉଛି ।

 

ଶିକ୍ଷା ଅର୍ଥାତ୍‌ ସମଗ୍ର ମନୁଷ୍ୟର ଶିକ୍ଷା । ଦେହ, ପ୍ରାଣ, ମନ ଏବଂ ଅଧ୍ୟାତ୍ମ,–ଏହି ସବୁଟି ଉପରେ ଏକାବେଳେକେ ନଜର ରଖିହିଁ ଏକ ସୁସ୍ଥ ଶିକ୍ଷାକ୍ରମର ଯୋଜନା କରାଯାଇପାରେ । ଏହି ଚାରୋଟିଯାକ ଭୂମିରେ ମନୁଷ୍ୟ ମଧ୍ୟରେ ଅନନ୍ତ ସମ୍ଭାବନା ପ୍ରଚ୍ଛନ୍ନ ହୋଇ ରହିଛି । ଶିକ୍ଷା ସେଗୁଡ଼ିକୁ ଅଭିବ୍ୟକ୍ତ କରି ଆଣିବ । ଶିକ୍ଷାର ପ୍ରକ୍ରିୟା ହେଉଛି ଫୁଟି ଆସିବାର ଏକ ପ୍ରକ୍ରିୟା । ଅବଦମନର ଅନ୍ୟ ପଦ୍ଧତିଟି ସର୍ବଦା ବହୁ ପୀଡ଼ା ଏବଂ ପ୍ରମାଦର କାରଣ ହୋଇଥାଏ । କର୍ତ୍ତୃତ୍ୱର ମନୋଭାବଟାହିଁ ଅବଦମନ ଆଡ଼କୁ ଆଗ୍ରହ ଦେଖାଏ । ନେତୃତ୍ୱ ସାଙ୍ଗରେ ଯିବାକୁ କହେ । ମାଆ ପରି ବୁଝେ, ମାଆ ପରି ପ୍ରେରଣା ଦିଏ, ମାଆ ପରି ସ୍ୱପ୍ନ ଦେଖାଏ । ପୃଥିବୀକୁ ଆପଣାର ଘର ବୋଲି ସ୍ୱୀକାର କରିନେବାକୁ ମାଆହିଁ ଶିଖାଇପାରେ । ଘର ଭିତରେ ରହିଥିବା ପର୍ଯ୍ୟନ୍ତ ଭୟର ଅବକାଶ ନଥାଏ । ଭୀତ ମନୁଷ୍ୟମାନେହିଁ ମୂଳତଃ ଅନ୍ୟକାତର ହୋଇ ରହିଥାଆନ୍ତି । ଭୟହିଁ ସ୍ୱାର୍ଥପର କରାଏ, ଅହଂଟାକୁ ଯାବୁଡ଼ି ପଡ଼ି ଧରିଥାଏ । ଯଥାର୍ଥ ଶିକ୍ଷା ଭୟମୁକ୍ତ କରେ । ନିଦକ ହୋଇ ବାଟ ଚାଲି ଶିଖାଏ । ନିଜ ଭିତରେ ତଥା ବାହାର ଉଭୟ ମଧ୍ୟକୁ ଖୁସି ହୋଇ, ହାଲୁକା ହୋଇ ବାଟ ଚାଲି ଶିଖାଏ ।

 

ଶିକ୍ଷା ଯୁକ୍ତ କରାଏ, ଏକ ନିତ୍ୟପ୍ରସାରଣର ପ୍ରଣାଳୀଦ୍ୱାରା ଯୁକ୍ତ କରାଏ । ଯୁକ୍ତ ହୋଇ ପାରିବାର ନିତ୍ୟ ଇଚ୍ଛା, ତାହାହିଁ ଜିଜ୍ଞାସା । ଜିଜ୍ଞାସା ବାଡ଼ ଭାଙ୍ଗେ, ଯାବତୀୟ ସ୍ପୃଶ୍ୟାସ୍ପୃଶ୍ୟ ଭାବନାକୁ ଡେଇଁ ଚାଲିଯାଇପାରେ । ଜିଜ୍ଞାସାଦ୍ୱାରା ମଣିଷ ଭିତରର ଶିଶୁଟି ନିତ୍ୟ କ୍ରିୟାଶୀଳ ହୋଇ ରହିଥାଏ-। ଶିଶୁର ନେତ୍ରରେ ସମୁଦାୟ ପୃଥିବୀକୁ ଦେଖିବା, ତାହାକୁହିଁ ଆମେ ଆତ୍ମୀୟତା ବୋଲି କହିପାରିବା । ଶିକ୍ଷା ସର୍ବତ୍ର ନିଜ ଭିତରେ ଏପରି ଗୋଟିଏ କେନ୍ଦ୍ର ସହିତ ପରିଚିତ କରାଇ ଦିଏ, ଯେଉଁଥିପାଇଁ ଯାବତୀୟ ବୈଚିତ୍ର୍ୟ ଭଲ ଲାଗେ । ବୈଚିତ୍ର୍ୟ ଭଲ ଲାଗିଲେ ଆଉ ଈର୍ଷା କରିବାକୁ ପଡ଼େନାହିଁ, ଗିଳି ପକାଇବାକୁ ଆଦୌ ଇଚ୍ଛା ହୁଏନାହିଁ । ପୃଥିବୀରେ ଅଧିକ ଜାଣିଥିବା ଲୋକେ ଅଳପ ଜାଣିଥିବାମାନଙ୍କୁ ଗିଳି ପକାଇବାକୁ କାହିଁକି ଏତେ ବ୍ୟସ୍ତ ଓ ବ୍ୟଗ୍ର ହେଉଥାନ୍ତି କେଜାଣି-? ଏବଂ, ଅଧିକ ବୟସର କେତେକ ମଣିଷ ଅଳପ ବୟସର କାହାକୁ ବା କେଉଁମାନଙ୍କୁ ପାଖରେ ପାଇଲେ କାହିଁକି ଗିଳି ପକାଇବା ନିମନ୍ତେ ଅଧୀର ହୋଇ ପଡ଼ନ୍ତି ? ଭକ୍ତିକୁ କେଡ଼େ ସୁଚିନ୍ତିତ ଭାବରେ ଆମ ଶାସ୍ତ୍ରମାନଙ୍କରେ ଶ୍ରଦ୍ଧା ବୋଲି କୁହାଯାଇ ଆସିଛି ! ଶ୍ରଦ୍ଧା ଦୁଇଟିଯାକ ପଟର, ଭକ୍ତି ପରି ଗୋଟିଏ ପଟର ଆଦୌ ନୁହେଁ ।

 

ଶିକ୍ଷା ଶିକ୍ଷକ ଦିଏ । ଅସଲ ଶିକ୍ଷକ ଶିକ୍ଷାର୍ଥୀମାନଙ୍କଠାରୁ ନିଜକୁ ଦୂରଛଡ଼ା କରି କୌଣସି ଜ୍ଞାନର ଗଦା ଉପରେ ବସିଥିବା ପରି ଆଦୌ ଅନୁଭବ କରେନାହିଁ । ପ୍ରକୃତରେ ଭାରି ହେଲେ ସିଏ ତକ୍ଷଣେ ନଇଁଆସେ । ସତେଅବା ନିଜର ଭାରିଟାକୁ ମୋଟେ ସହି ପାରୁ ନଥାଏ । ଶିକ୍ଷକ କେବେହେଲେ ବୁଢ଼ା ହୁଏନାହିଁ । କେବେହେଲେ ଗ୍ରହଣର ଦ୍ୱାରଗୁଡ଼ିକୁ କିଳି ଦିଏନାହିଁ । ଅସଲ ଯୋଗ ସମ୍ଭବତଃ ଏହିପରି ଅପରିମିତ ଭାବରେ ନିଜକୁ ଗ୍ରହଣଶୀଳ କରି ରଖିବାର ଉତ୍ସାହ ଆଣିଦିଏ । ତେଣୁ ଶିକ୍ଷକ ସର୍ବଦା ଅଗ୍ରଗତି କରୁଥାଏ, ସର୍ବଦା ଅଭିବୃଦ୍ଧି ଲାଭ କରୁଥାଏ । ନିଜର ଗୁରୁ ନାମକୁ ସାର୍ଥକ କରେ । ମାଆଙ୍କ ଭାଷାରେ, “ତା’ର ଶିଷ୍ୟମାନଙ୍କ ପରି ଗୁରୁଙ୍କୁ ମଧ୍ୟ ଅଗ୍ରଗତି କରିବାକୁ ହୁଏ ।’ (MCE, ୧୨, ୬୩)

 

ଜୀବନର ସକଳ ଅର୍ଜନ କାର୍ଯ୍ୟତଃ ବିତରଣ ନିମନ୍ତେ । ଜୀବନର ସକଳ ସଂଗ୍ରହ ନିଜକୁ ପୃଥିବୀର କାମରେ ଲଗାଇବା ନିମନ୍ତେ । ସ୍ୱାର୍ଥରହିତ ତଥା ସ୍ୱାଭାବିକ ଭାବରେ ପୃଥିବୀର କାମରେ ଲାଗିପାରିବା, ସମ୍ଭବତଃ ତାହାହିଁ ଭଗବାନଙ୍କ କାମରେ ଲାଗିବା । ଏହି ପୃଥିବୀ ସତକୁସତ ଭଗବାନଙ୍କର ଏକ ପୃଥିବୀରେ ପରିଣତ ହୋଇପାରିବା ସକାଶେ ଆହୁରି କେତେକେତେ ପାହାଚ ପାରି ହେବାକୁ ରହିଛି । କେତେକେତେ ଅନ୍ଧାର ଆଲୋକନ ପାଇଁ ଅପେକ୍ଷା କରି ରହିଛନ୍ତି । ଅନ୍ଧାରକୁ ଆଲୋକ ଲାଗି ବାଧ୍ୟ କରିବା, ଶ୍ରୀ ଅରବିନ୍ଦ ଏକ ପ୍ରସଙ୍ଗରେ ତାହାକୁହିଁ ସିଦ୍ଧତମ ଯୋଗୀର କାର୍ଯ୍ୟ ବୋଲି ବର୍ଣ୍ଣନା କରିଛନ୍ତି । (BCL, ୨୦, ୨୨) ଆମର ଶିକ୍ଷା ଯଦି ସେହି ସିଦ୍ଧତମ ଓ ସମର୍ଥତମ ଯୋଗୀମାନଙ୍କୁ ଗଠିତ ହୋଇ ଆସିବାରେ କଣାଏବି ସାହାଯ୍ୟ କରିପାରିଲା, ତେବେ ଆମଠାରୁ ଅଧିକ ଭାଗ୍ୟବାନ ପ୍ରକୃତରେ ଆଉ କିଏ ଅଛି ।

 

ଶିକ୍ଷାହିଁ ଅସଲ ମୂଳଦୁଆ, ସକଳ ସ୍ଥାୟୀ ପରିବର୍ତ୍ତନର ଜନନୀ । ବର୍ତ୍ତମାନର ଆମ ପୃଥିବୀରେ ସବୁଯାକ ବିଜ୍ଞାନ ଓ ସବୁଯାକ ଅଧ୍ୟାତ୍ମ ଶିକ୍ଷାର ପକ୍ଷରେହିଁ ରହିଛି । ଆମର ପୃଥିବୀଟି ରାଜନୀତିଦ୍ୱାରା ବଦଳିବ, ଅର୍ଥନୀତିଦ୍ୱାରା ବଦଳିବ, କାରିଗରୀ କୌଶଳଦ୍ୱାରା ବଦଳିବ । ମାତ୍ର, ରାଜନୀତି, ଅର୍ଥନୀତି, କାରିଗରୀ କୌଶଳ ଓ ଆଉ ସବୁକିଛି ଆଗ ଶିକ୍ଷାଦ୍ୱାରା ଉପଯୁକ୍ତ ଦୃଷ୍ଟି ଓ ଉପଯୁକ୍ତ ଶ୍ରଦ୍ଧାଟିକୁ ଲାଭ କଲେ ଯାଇ ସେଗୁଡ଼ିକଦ୍ୱାରା ପୃଥିବୀ ସୁସ୍ଥ ଭାବରେ ବଦଳିବ । ଅସଲ ବିପ୍ଳବ ଶିକ୍ଷାର ବିପ୍ଳବ । ଆମ ପୃଥିବୀ ଓ ଆମର ସତ୍ୟବୋଧଗୁଡ଼ିକ ଅଧିକରୁ ଅଧିକ ପ୍ରସାରିତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ସେହି କଥାଟି ମଧ୍ୟ କ୍ରମେ ଅଧିକ ସ୍ପଷ୍ଟ ହୋଇ ଯାଉଛି ।

☆☆☆

 

ସତ୍ୟ

 

ଆମ ଚେତନାର ପହୁଞ୍ଚ ଯେତିକି, ଆମ ସତ୍ୟର ପରିଧିଟି ମଧ୍ୟ ସେତିକି । ନିଜ ପହୁଞ୍ଚରେ ଗୋଟିଏ ଗୋଟିଏ ବାଡ଼ ବସାଇଦେଇ ପରମ ସତ୍ୟର ଉପଲବ୍ଧି କରିଥିବାର ଦାବି ଯେଉଁମାନେ କରନ୍ତି, ସେହିମାନେହିଁ କଳହ କରୁଥାଆନ୍ତି । ସତ୍ୟ ହେଉଛି ଗୋଟିଏ ଶିଖର, ଯାହାକୁ ଆରୋହଣ କରିବାକୁ ହୁଏ । ସତତ ଆରୋହଣ, ସତତ ଆତ୍ମୀୟତା–ସ୍ଥାପନ, ସମ୍ଭବତଃ ସତ୍ୟକୁ ଘ୍ରାଣ କରି ପାରିବା ନିମନ୍ତେ ତାହାହିଁ ଏକମାତ୍ର ମାର୍ଗ । ଧର୍ମ, ଦର୍ଶନ,–ଏମାନେ କେବଳ ଯେତିକି ଦେଖିଛନ୍ତି, ତାହାକୁହିଁ ସବୁଯାକ ବୋଲି କହିଛନ୍ତି ଏବଂ ତାହାରି ନାମରେ ପିତୁଳାଟିଏ ବସାଇ ଦେଇଛନ୍ତି ବା ସୂତ୍ରଟିଏ ବାହାର କରିଛନ୍ତି । ପୃଥିବୀର ଅଧିକସଂଖ୍ୟକ ଗୁରୁ ମଧ୍ୟ ସେହିମାନେହିଁ ସତ୍ୟର ଅଧିକାରୀ ବୋଲି କହି ମଣିଷମାନଙ୍କୁ ବହୁତ ପ୍ରଲୋଭନ ସହିତ ଅଳପ ଭିତରେ ଜଡ଼ାଇ ରଖିଛନ୍ତି ।

 

ଏପରି ଏକ ସତ୍ୟ ଅଛି ଯାହାକୁ ଜାଣିଲେ ଯାବତୀୟ ସତ୍ୟକୁ ଜାଣିହେବ, ଏପରି ଏକ ଶିଖର ରହିଛି, ଯେଉଁଠାରେ ପହଞ୍ଚି ପାରିଲେ ସବୁଯାକ ଶିଖର ମଧ୍ୟ ଦୃଷ୍ଟିପଥାରୂଢ଼ ହୋଇପାରୁଥିବେ ? ଯସ୍ମିନ୍‌ ବିଜ୍ଞାତେ ସର୍ବଂ ବିଜ୍ଞାତଂ–ମନୁଷ୍ୟ ଭିତରେ ଥିବା ଅସଲ ଅନ୍ୱେଷକଟି ତାହାରି ସନ୍ଧାନରେ ସାହସ କରି ବାହାରିଛି,–ଆବହମାନ କାଳରୁହିଁ ବାହାରିଛି । ଆମେ ତା’ର ହୃଦୟରୂପୀ ସେହି ଅନ୍ୱେଷକକୁ ପ୍ରଣାମ କରିବା । ଆମେ ଏପରି ଏକ ସତ୍ୟରେ ଆଗ୍ରହ ରଖିବା, ଯାହାକୁ ଆମେ ନିଜର ଅନ୍ତର୍ଗତ ଗଭୀରରେ ତଥା ଆମ ଜୀବନର ଯାବତୀୟ କ୍ରିୟାଶୀଳତାରେ ମଧ୍ୟ ଉପଲବ୍ଧି କରୁଥିବା । (BCL, ୧୯, ୬୬୭)

 

ବର୍ତ୍ତମାନ ଅର୍ଦ୍ଧସତ୍ୟ ଓ ଅଜ୍ଞାନ ହାତରେ ଲଗାମ ରହିଛି । ଶ୍ରୀ ଅରବିନ୍ଦଙ୍କର ଉକ୍ତି ଅନୁସାରେ, ଊର୍ଦ୍ଧ୍ୱରୁ ଋତଚିତ୍‌ ସେତିକିବେଳେ ପ୍ରକଟ ହୋଇ ଆସିବ, ଯେତେବେଳେ ଆମେ ଆମର ଅହଂ ତଥା ବାସନାର ଏହି ଗାରଗୁଡ଼ିକୁ ଅତିକ୍ରମ କରିଯାଇପାରିବ । (BCL, ୨୩, ୧୦୮୨)

☆☆☆

 

ସନ୍ନ୍ୟାସ

 

ସଂସାରତ୍ୟାଗ ସନ୍ନ୍ୟାସ ନୁହେଁ । ଏହି outward renunciation ପରିବର୍ତ୍ତେ ଶ୍ରୀ ଅରବିନ୍ଦ inward renunciation କଥା କହିଛନ୍ତି । (BCL, ୧୩, ୨୨୯) ସଂସାର ତ୍ୟାଗ କଲେ ଯେ ଆସକ୍ତି ଦୂର ହୁଏ, ସେକଥା ଆଦୌ ନୁହେଁ । ଏହାଦ୍ୱାରା ଆମେ କେବଳ ଆସକ୍ତ କରାଉଥିବା ବସ୍ତୁଟି ପାଖରୁହିଁ ଦୂରକୁ ଚାଲିଯାଇଥାଉ । ଏହା ହୁଏତ ସାହାଯ୍ୟ କରିପାରେ, ମାତ୍ର କେବଳ ଏହାରିଦ୍ୱାରା ମୌଳିକ ଆରୋଗ୍ୟବିଧାନ ସମ୍ଭବ ହୁଏନାହିଁ (BCL, ୨୨, ୧୪୪) ପ୍ରକୃତ ତ୍ୟାଗ ହେଉଛି ପ୍ରାଣିକ ବାସନାର ତ୍ୟାଗ, ଅହଂର ତ୍ୟାଗ । ବାସନାପୂରିତ ଆତ୍ମାକୁ ମୁଖ୍ୟ କରି ରଖି ଆପଣାପାଇଁ ଅଲଗା ଜୀବନଟିଏ ବଞ୍ଚିବାର ଇଚ୍ଛାର ପରିତ୍ୟାଗ, ଅହଂଦ୍ୱାରା ପରିଚାଳିତ ମାନସ ପ୍ରକ୍ରିୟାର ତ୍ୟାଗ, ରାଜସିକ ପ୍ରାଣିକ ପ୍ରକୃତିର ତ୍ୟାଗ । (BCL, ୧୩, ୪୭୭)

 

ଶ୍ରୀ ଅରବିନ୍ଦ ସନ୍ନ୍ୟାସ ଗ୍ରହଣ କରି ପଣ୍ଡିଚେରୀ ଯାଇଛନ୍ତି,–ସେତେବେଳେ କେତେଜଣଙ୍କର ସେହି ଧାରଣାଟିକୁ ଖଣ୍ଡନ କରି ଗୋଟିଏ ଚିଠିରେ ସେ ଲେଖିଛନ୍ତି : “ମୁଁ ସନ୍ନ୍ୟାସ ଗ୍ରହଣ କରିନାହିଁ, ମୁଁ ଯୋଗ କରୁଛି; ଏବଂ ଜଣେ ଗୃହସ୍ଥ ହିସାବରେ ଏହା କରୁଛି । ...It is a yoga meant for life and life only”–(BCL, ୨୭, ୪୨୩) । ପୁନଶ୍ଚ, ଆଉଗୋଟିଏ ଚିଠିରେ, “ତୁମେ ତେଣେ ସ୍ଥାପିତ ହୋଇଥିବା କୌଣସି ଏକ ‘ଅରବିନ୍ଦ ମଠ’ ବିଷୟରେ ଖବରଟିଏ ଦେଇଛ । ଅବଶ୍ୟ ବୁଝି ରଖିବା ଉଚିତ ଯେ, ମଠ, ବୈରାଗୀ କିମ୍ବା ସନ୍ନ୍ୟାସୀ ତିଆରି କରିବା ମୋ ଜୀବନର ଲକ୍ଷ୍ୟ ନୁହେଁ । ...କୌଣସି ପ୍ରକାର ମଠ ବା ମଠର ପ୍ରେରଣା ଦେଉଥିବା ଆଦର୍ଶ ସହିତ ମୋ ନାମକୁ କଦାପି ଯୋଡ଼ାଯିବା ଉଚିତ ନୁହେଁ । ବୁଦ୍ଧଙ୍କ କାଳରୁ ଯେତେ ଯେତେ ସଂସାରତ୍ୟାଗ–ଧର୍ମୀ ସନ୍ନ୍ୟାସର ଆନ୍ଦୋଳନ ଏଠାରେ ହୋଇଛି, ତାହା ଭାରତବର୍ଷକୁ ଅଧିକ ଦୁର୍ବଳ କରି ପକାଇଛି । ...ସଂସାର–ଜୀବନର ତ୍ୟାଗ ଗୋଟିଏ କଥା, ଏବଂ ଜାତୀୟ, ବ୍ୟକ୍ତିଗତ ଏବଂ ପୃଥିବୀର ଜୀବନକୁ ଅଧିକ ମହତ୍‌ ତଥା ଅଧିକ ଦିବ୍ୟ କରିବା ହେଉଛି ଏକାବେଳେକେ ଆଉ ଗୋଟିଏ କଥା । ଦେଶ ଉପରେ ଗୋଟିଏ ଆଦର୍ଶକୁ ସ୍ଥାପନ କରିବାକୁ ଚାହିଁଲେ ତୁମେ ଅନ୍ୟଟିକୁ ନିଶ୍ଚୟ ଦୁର୍ବଳ କରି ପକାଇବ । ଜୀବନ ଭିତରୁ ସର୍ବୋତ୍ତମ ଆତ୍ମାଗୁଡ଼ିକୁ ବାହାର କରି ନେଇଯିବାଦ୍ୱାରା ତୁମେ ଜୀବନକୁ କଦାପି ଅଧିକ ବଳଯୁକ୍ତ ଓ ମହାନ୍‌ କରିପାରିବ ନାହିଁ । ତେଣୁ ଅହଂର ବର୍ଜନ, ଜୀବନରେ ଈଶ୍ୱରଙ୍କୁହିଁ ସ୍ୱୀକାର କରିନେବା–ମୁଁ ଏହି ଯୋଗର ଶିକ୍ଷାହିଁ ଦେଉଛି । ଅନ୍ୟ କୌଣସି ତ୍ୟାଗ ବା ବର୍ଜନର କଥା କହୁନାହିଁ । (ତତ୍ରୈବ, ୪୬୮–୯)

 

ଏବଂ ସବାଶେଷରେ ତାଙ୍କର ଏହି ଘୋଷଣାଟି : Hard is it to be in the world, free, yet living the life of ordinary men; but because it is hard, therefore it must be attempted and accomplished.” (BCL, ୧୭, ୯୧)

☆☆☆

 

ସମତା

 

ସମତ୍ୱଂ ଯୋଗ ଉଚ୍ୟତେ,–ଏହା ଗୀତାର ବାକ୍ୟ । ଏଇଟିରୁ ସୂତ୍ର ନେଇ ଶ୍ରୀ ଅରବିନ୍ଦ ସମତାକୁ ପୂର୍ଣ୍ଣଯୋଗରେ ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସାଧନ ବୋଲି କହିଛନ୍ତି । ବିଶ୍ୱାସ ବଢ଼ିଲେ ସମତା ଆସେ । ବିଶ୍ୱାସ ନଥିଲେ ଅନୁଭବମାନେ ନିରନ୍ତର ଟଳମଳ ହେବାରେ ଲାଗିଥାନ୍ତି । ନିଜର ରଜ୍ଜୁଟି ନିଜ ହାତରେ ନଥିଲା ପରି ମନେ ହେଉଥାଏ । ତେଣୁ, ହଠାତ୍‌ ନିଜକୁ ନଘେନିଲା ଭଳି କିଛି ଘଟିଲେ ମଣିଷ ଅଧୀର ହୋଇପଡ଼େ, ଭାଗ୍ୟକୁ ଗାଳି ଦିଏ, ନିଜକୁ ଅଯୋଗ୍ୟ ବୋଲି ଘୋଷଣା କରେ । ଯେଉଁ ଅସଲ ଗୁଣଟି ଆମକୁ ଏହିସବୁ ଉପଦ୍ରବରୁ ସୁରକ୍ଷିତ କରି ରଖେ, ସେଇଟି ହେଉଛି ସମତା ।

 

ନିଜର ପ୍ରାଣ, ନିଜର ମନ, ନିଜର ଦେହ,–ଏମାନେ ସମସ୍ତେ ନିଜର ବୋଲି ଲାଗନ୍ତି, ତେଣୁ ନିଜର କୁହା ମଧ୍ୟ ମାନନ୍ତି । ଉଚ୍ଛନ୍ନ ହୋଇ ପଡ଼ନ୍ତି ନାହିଁ, ଥିର ରହନ୍ତି । ବୁଝିବାଶକ୍ତି ବଢ଼େ, ତେଣୁ ସ୍ଥିରତା ଆସିବା ସହଜ ହୁଏ । ଶ୍ରୀ ଅରବିନ୍ଦ କହିଛନ୍ତି, ନିଜର ଦେହ ଅସୁସ୍ଥ ଥିବା ସମୟରେ ସମତା ବହୁତ କାମ ଦିଏ । ବିକଳ ହୋଇ ପଡ଼ିବନାହିଁ, ଦୋହଲି ଯିବନାହିଁ, ଅସ୍ଥିର ହୋଇ ଉଠିବ ନାହିଁ । (BCL, ୨୩, ୬୬୪) ସକଳ ସମୟରେ ଭିତରୁ ଏକ ପ୍ରସନ୍ନତାର ଅନୁଭବ ହେଉଥିବ, ଯାହାକି ସବୁକିଛିକୁ ସ୍ୱୀକାର କରି ନେଉଥିବ । ଗୀତାରେ ନିର୍ମମ ଓ ନିରହଙ୍କାର ହେବା କଥା କୁହାଯାଇଛି । ନିରହଙ୍କାର ହେବ, ଅର୍ଥାତ୍‌ I–ness କିମ୍ବା my–ness ନଥିବ । (BCL, ୧୩, ୩୮୯) ନିଜ ଭିତରର ପ୍ରାଣିକ ବିକ୍ଷୋଭଗୁଡ଼ିକ ଉପରେ ଅକ୍ତିଆର ଆସିଲେ ସମତା ସମ୍ଭବ ହୋଇଯିବ ।

 

ସମତାଦ୍ୱାରା ସହନଶୀଳତା ବୃଦ୍ଧି ପାଇବ । ନିଜର ନାନାବିଧ ଅନୁଭବ ପ୍ରତି ଏକ ଉଦାସୀନତାର ଭାବ ରହିବ, ମାତ୍ର ତାହା ଯେପରି ଏକ ନକାରାତ୍ମକତାରେ ପରିଣତ ହୋଇ ନଯାଏ । ସମତା ଉଦାସୀନତା ବା ଉପେକ୍ଷା ଆଦୌ ନୁହେଁ ବୋଲି ମାଆ ସତର୍କବାଣୀ ଶୁଣାଇଛନ୍ତି-। (MCE, ୧୫, ୧୪୯) ସକାରାତ୍ମକ ବା ସକ୍ରିୟ ସମତା କେବଳ ଏକ ବ୍ୟକ୍ତିଗତ ଅନୁଦ୍‌ବିଗ୍ନ ଅବସ୍ଥା ଅର୍ଜନ କରିବା ନିମନ୍ତେ ବ୍ୟବହୃତ ହେବ ନାହିଁ । ତାହା ବ୍ୟକ୍ତିଗତ ସୀମାକୁ ଅତିକ୍ରମ କରିଯିବ । ବ୍ୟକ୍ତିଗତ ଜ୍ଞାନ, ଶକ୍ତି ତଥା ଆନନ୍ଦର ଉପଲବ୍ଧି ସଙ୍ଗେ ସଙ୍ଗେ ତାହା ଅନ୍ୟମାନଙ୍କର ଜୀବନ ସହିତ ମଧ୍ୟ ନିଜକୁ ଯୁକ୍ତ କରି ରଖିବ, ଅନ୍ୟମାନଙ୍କ ପାଇଁ ବଞ୍ଚିବ-। ଏହା ଦିବ୍ୟ ପରମସତ୍ତାଙ୍କ ପାଇଁ ବଞ୍ଚିବ; ପୃଥ୍ୱୀ–ଜୀବନକୁ ବର୍ଜନ କରିବନାହିଁ, ମର୍ତ୍ତ୍ୟ ବା ସ୍ୱର୍ଗ କୌଣସିଟି ପ୍ରତି ଆସକ୍ତି ରଖିବନାହିଁ, ପୃଥିବୀରୁ ପଳାଇ ଯିବାକୁ ଇଚ୍ଛା କରୁଥିବା ମୋକ୍ଷର ଅଭିଳାଷ ରଖି ନଥିବ, ମାତ୍ର ସମାନୁଭବରେ ତାଙ୍କରି ମଧ୍ୟରେ ବଞ୍ଚୁଥିବ, ଯୁଗପତ୍‌ ଭାବରେ ନିଜ ଭିତରେ ତଥା ତାଙ୍କରି ପରିପ୍ରକାଶରୂପୀ ଏହି ଜଗତ ମଧ୍ୟରେ ବଞ୍ଚିପାରୁଥିବ । (BCL, ୨୧, ୬୯୨)

☆☆☆

 

ସମର୍ପଣ

 

ଆମର କ୍ଷୁଦ୍ର ମନଟିକୁ, ସେହି ମନର ଯାବତୀୟ ଧାରଣା ଓ ରୁଚି, ଅରୁଚିକୁ ଆମେ ଏକ ଦିବ୍ୟ ଆଲୋକ ଏବଂ ବୃହତ୍ତର ଜ୍ଞାନ ମଧ୍ୟରେ ନେଇ ପ୍ରବିଷ୍ଟ କରାଇବା, ଆମ ବ୍ୟକ୍ତିଗତ ବହୁ ସନ୍ତାପ ଭିତରେ ଜଡ଼ିତ ଇଚ୍ଛାଟିକୁ ଏକ ଶାନ୍ତ ଓ ବୃହତ୍ତର ପରମ ଇଚ୍ଛା ହାତରେ ନେଇ ଅର୍ପଣ କରିଦେବା ଓ ଆମର କ୍ଷୁଦ୍ର, ଚଞ୍ଚଳ ସଂବେଗଗୁଡ଼ିକୁ ଏକ ପ୍ରଶସ୍ତ, ପ୍ରଗାଢ଼ ଦିବ୍ୟ ଆନନ୍ଦ ତଥା ପ୍ରେମ ମଧ୍ୟରେ ନେଇ ଯୁକ୍ତ କରିଦେବା, ତାହାହିଁ ସମର୍ପଣ । (BCL, ୨୨, ୧୯୩) ସେହି କ୍ଷୁଦ୍ର ମନ, ଇଚ୍ଛା ତଥା ପ୍ରାଣକୁ ଶ୍ରୀ ଅରବିନ୍ଦ mortal mind, mortal body ଓ mortal life ବୋଲି କହିଛନ୍ତି । (ତତ୍ରୈବ, ୪୧) ସେହି ଉଚ୍ଚତର ଚେତନା ପାଖରେ ଏଗୁଡ଼ିକର ସମର୍ପଣ ଅପରିହାର୍ଯ୍ୟ । ଏହି କଥାଟିକୁ ସ୍ୱୀକାର କରୁ ନଥିବା ବ୍ୟକ୍ତିମାନେ ପୂର୍ଣ୍ଣ ଯୋଗର ମାର୍ଗକୁ ଆସିବା ଉଚିତ ନୁହେଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି । (ତତ୍ରୈବ, ୪୨) ଆଗ ପ୍ରଥମଗୁଡ଼ିକର ପ୍ରତ୍ୟାଖ୍ୟାନ, ତା’ପରେ ଯାଇ ସମର୍ପଣ ।

 

ତା’ ନହେଲେ ସମର୍ପଣ କେବଳ ଏକ ତାମସିକ ସ୍ତରରେ ରହିଯାଇପାରେ : କୌଣସି ପ୍ରୟାସ ନଥିବ, ତପଃ ନଥିବ ଏବଂ ତେଣୁ ଆଦୌ କୌଣସି ଅଗ୍ରଗତି ମଧ୍ୟ ହେଉ ନଥିବ । କିମ୍ବା ତାହା ଏକ ରାଜସିକ ସମର୍ପଣବି ହୋଇପାରେ : ଏହି କ୍ଷେତ୍ରରେ ପରମ ଦିବ୍ୟସତ୍ୟଙ୍କଠାରେ ନୁହେଁ, ମାତ୍ର ଆମେ ସ୍ୱୟଂ ଗଢ଼ି ରଖିଥିବା କୌଣସି ମିଥ୍ୟା ଧାରଣା ଅଥବା ପ୍ରତିମାକୁ ପରମ ଦିବ୍ୟସତ୍ୟ ବୋଲି ଭ୍ରମ କରୁଥିବା ଏବଂ ତାହାରି ମୁଖାଟି ତଳେ ଆମେ ନିଜର ରାଜସିକ ଅହଂଟିକୁ ହୁଏତ ଲୁଚାଇବି ରଖିଥିବା । (ତତ୍ରୈବ, ୭୦)

 

ସମର୍ପଣ ସ୍ୱଚ୍ଛ ହେବ, ସମ୍ପୂର୍ଣ୍ଣତଃ ଏକ ଅନ୍ତର୍ଗତ ଖୁସୀଦ୍ୱାରା ପରିପ୍ରେରିତ ହୋଇ ଆସୁଥିବ । ଭୟ ନଥିବ, ଔପଚାରିକତା (form) ନଥିବ, କର୍ତ୍ତବ୍ୟରୂପେ କିଛି କରାଯାଉଛି ବୋଲି କୌଣସି ଗନ୍ଧ ନଥିବ । (BCL, ୨୩, ୯୦୮) ପୂର୍ଣ୍ଣ ପ୍ରେମ ଓ ପୂର୍ଣ୍ଣ ଭକ୍ତି ରହିଥିଲେ ତାହା ବହୁତ ସହଜ ହୋଇଯିବ । (ତତ୍ରୈବ, ୯୦୯) ଅର୍ଥାତ୍, ଆମେ ଅହଂର ଗଣ୍ଠିଟାକୁ ଆମ ସତ୍ତାର ପ୍ରତ୍ୟେକ ଅଂଶରୁ କାଟି ଆଣିବା ଓ ତାଙ୍କରି ପାଖରେ ଅର୍ପଣ କରିଦେବା । (ତତ୍ରୈବ, ୫୯୧) ଶ୍ରୀ ଅରବିନ୍ଦ ବାସନା (reaching after things), ଦ୍ୱନ୍ଦ୍ୱ ଏବଂ ଅହଂଭାବକୁ ସମପର୍ଣର ପଥରେ ସର୍ବପ୍ରଧାନ ଶତ୍ରୁ ବୋଲି ସାବଧାନ କରି ଦେଇଛନ୍ତି । (BCL, ୧୬, ୪୨୨)

 

ଆତ୍ମସମର୍ପଣ ହେଉଛି ଆମ ଭିତରୁ ପ୍ରକଟ ହୋଇ ଆସୁଥିବା ଶୂଦ୍ରଶକ୍ତି : (Surrender to God and God in man, and the selfless service of God and of God in man–(BCL, ୨୭, ୩୬୩) । ଅନ୍ୟପ୍ରକାରେ କହିଲେ, ମୋର ଜୀବନକୁ ସେଇ ପରିଚାଳନା କରନ୍ତୁ, ସେଥିଲାଗି ପୂର୍ଣ୍ଣ ସମ୍ମତିଦାନ ହେଉଛି ସମର୍ପଣ । (BCL, ୧୭, ୭୧) ସମର୍ପଣର ପ୍ରକୃତ ତାତ୍ପର୍ଯ୍ୟ ହେଉଛି ପରିପୂର୍ଣ୍ଣ ଗ୍ରହଣଶୀଳତା । ସମ୍ଭବତଃ ସେହି ଅର୍ଥରେହିଁ ମାଆ Recetive Surrender କଥାଟିର ଉଲ୍ଲେଖ କରିଛନ୍ତି । (MCE, ୧୧, ୨୭୩)

☆☆☆

 

ସମାଜ

 

ସ୍ୱବିବର୍ତ୍ତନର ଆଦିମତମ ପର୍ଯ୍ୟାୟରେ ମଣିଷ ଏକୁଟିଆ ଥିଲା । କ୍ଷଣକୁ କ୍ଷଣ ବଞ୍ଚୁଥିଲା, ଭୟ କରୁଥିଲା । ସାନ ସାନ ଅଧିକାରଗୁଡ଼ିକୁ ସାବ୍ୟସ୍ତ କରିବା ନିମନ୍ତେ ଜଣେ ମଣିଷ ଆଉଜଣକ ସହିତ ପୂରା ପଶୁପରି ଲଢ଼ାଇ କରୁଥିଲା । ତଥାପି ତା’ର ମନ ଓ ହୃଦୟ ଅଧିକ କ୍ରିୟାଶୀଳ ହେବା ସଙ୍ଗେ ସଙ୍ଗେ ମଣିଷମାନେ ହୁଏତ ପରସ୍ପରକୁ ଭାରି ଆକର୍ଷଣ କଲେ, ଯୂଥ ବାନ୍ଧିଲେ, ଯୂଥର ପରିଚୟରେ ନିଜକୁ ଚିହ୍ନିଲେ । ସେହି ପରିଚୟଟି କ୍ରମେ ଅଧିକରୁ ଅଧିକ ଶୋଧିତ ଏବଂ ପରିପକ୍ୱ ହୋଇ ଆସିବା ସହିତ ସଭ୍ୟତା ବଢ଼ିଲା, ବିଜ୍ଞାନ ଶକ୍ତି ଆଣି ଦେଲା, ତୁଚ୍ଛା ଦେହ, ପ୍ରାଣ ବା ମନର ପ୍ରୟୋଜନଗୁଡ଼ିକର ଅତିରିକ୍ତ ଆଉ କିଛି ପ୍ରୟୋଜନ ମଧ୍ୟ ରହିଛି ବୋଲି ଏକ ଚେତନା ଜନ୍ମଲାଭ କଲା ।

 

ବ୍ୟକ୍ତିର ଜନ୍ମ ସେହି ଚେତନାରୁ । ବ୍ୟକ୍ତିର ଅସ୍ତିତ୍ୱ, ଅଭିବୃଦ୍ଧି ,ଏବଂ ଉତ୍ତୋରତ୍ତର ବିକାଶ ସମାଜ ଉପରେହିଁ ନିର୍ଭର କରେ । ଯଥାର୍ଥ ବ୍ୟକ୍ତିଟିଏ ଏକାଧିକ ଅର୍ଥରେ ଏହି ସମାଜକୁହିଁ ତା’ର ଏହି ପୃଥିବୀରେ ପ୍ରଥମ ଜନ୍ମଟିର ଜନନୀ ବୋଲି ଜାଣିଥାଏ ଏବଂ ତେଣୁ, ନିଜର ଯାବତୀୟ ଉପାର୍ଜନ ତଥା ଅନୁଶୀଳନକୁ ସିଏ ସମାଜ ଲାଗି ଉଦ୍ଦିଷ୍ଟ କରି ରଖିଥାଏ । ବ୍ୟକ୍ତି ଅଧିକ ସଚେତନ ହେବା ସହିତ ସମାଜଠାରୁ ଅଧିକ ମାଗେ ଏବଂ ସମାଜକୁ ଅଧିକ ଦେବାକୁବି ତିଆରି ହେଉଥାଏ । ପୃଥିବୀର ଅଧିକାଂଶ ସମାଜରେ ଏବେ ମଧ୍ୟ ସବୁ ମଣିଷଙ୍କୁ ବ୍ୟକ୍ତିର ସ୍ୱୀକୃତି ଦିଆଯାଇନାହିଁ । ପୃଥିବୀର ସର୍ବବୃହତ୍‌ ସଂଘାତଗୁଡ଼ିକ ବୋଧହୁଏ ସେହି କାରଣରୁ ହୋଇ ଆସିଛି । ଯେଉଁଠି ଉପରେ କୌଣସି ପ୍ରକାର ଏକାଧିକାରର ଲାଳସା ଏବଂ ସେଥିରୁ ଜାତ ହେଉଥିବା କ୍ଷମତା ବ୍ୟକ୍ତିର ବିକାଶକୁ ନାନା ନିର୍ମମ ଶାସନଦ୍ୱାରା ଚାପି ରଖେ, ଶ୍ରୀ ଅରବିନ୍ଦ ସେହି ସମାଜକୁ ଏକ ତାମସିକ ସମାଜ ବୋଲି କହିଛନ୍ତି । (BCL, ୨୭, ୨୭୨–୪) ତଦ୍ଦ୍ୱାରା ସେହି ସମାଜ ମଧ୍ୟ ତାମସିକ ସ୍ତରକୁ ଚାଲିଯାଏ ।

 

ଆଗାମୀ ସମାଜଟି ଏକ ଆଧାତ୍ମିକ ସମାଜ । ସେହି ସମାଜ ସବୁ ମଣିଷଙ୍କୁ ଆଧ୍ୟାତ୍ମିକ ସତ୍ତାରୂପେ ସ୍ୱୀକୃତି ଦେବ । ସେହି ସମାଜରେ କେବଳ ଅଳ୍ପ କେତେଜଣ ମନୁଷ୍ୟ ଆଲୋକ ଲାଭ କରିବେ, ଅଧ୍ୟାତ୍ମର ଅଧିକାରୀ ହେବେ, ଏପରି ଆଦୌ ହେବ ନାହିଁ । ସମାଜର ଅଧିକ ମନୁଷ୍ୟ ପ୍ରାୟ ପ୍ରୟୋଜନବଶତଃ ଚିରକାଳ ଲାଗି ଜୀବନର ନିମ୍ନତର ଦାଣ୍ଡିଗୁଡ଼ିକରେ ପଡ଼ି ରହିବେ ଏବଂ କେବଳ ସ୍ୱଳ୍ପ କେତେଜଣ ମୁକ୍ତ ପବନ ତଥା ମୁକ୍ତ ଆଲୋକ ମଧ୍ୟକୁ ଆରୋହଣ କରିପାରୁଥିବେ, ଏହି ସିଦ୍ଧାନ୍ତଟି ସେତେବେଳେ ଗୃହୀତ ହେବନାହିଁ । ସମଗ୍ର ପୃଥିବୀ ଅର୍ଥାତ୍‌ ପୃଥିବୀର ସବୁ ମଣିଷ୍ୟହିଁ ସଂଜୀବିତ ହୋଇ ପାରିବାର ଏକ ଅନ୍ୟ ପରିବେଶ ସୃଷ୍ଟି କରି ରଖିବା ନିମନ୍ତେ ଉଦ୍ୟମ ହେବ । ବିଫଳତା ଆସିଛି, ଆସିବ; ତଥାପି ଉଦ୍ୟମ ଅବିଚ୍ଛିନ୍ନ ରହିଥିବ । ....ଏକ ଯଥାର୍ଥ ଆରମ୍ଭ ଅବଶ୍ୟ କରିବାକୁ ପଡ଼ିବ, କରି ଦେଖାଇଦେବାଦ୍ୱାରାହିଁ ବାଧାଗୁଡ଼ିକର ସମାଧାନ ହୋଇ ଯାଉଥିବ । (BCL, ୧୫, ୨୫୧)

☆☆☆

 

ସମ୍ଭାବନା

 

ମନୁଷ୍ୟ, ପୃଥିବୀ କେଉଁ କେଉଁ ଅବସ୍ଥା ବା ସୋପାନ ଦେଇ ଏଯାଏ ଆସିଛନ୍ତି, ସେ ବିଷୟରେ ଆମକୁ କିଛି କିଛି ଅବଶ୍ୟ ଜଣାଅଛି । ମାତ୍ର, ମନୁଷ୍ୟ ଓ ପୃଥିବୀ ଆହୁରି ଆଗକୁ କ’ଣ ସବୁ ହେବେ ଅଥବା କେଉଁ ସୋପାନରେ ଯାଇ ପହଞ୍ଚିବେ, ସେହି ବିଷୟରେ ଆମେ କ’ଣ ବା ଜାଣିଛେ ! ତେଣୁ ବର୍ତ୍ତମାନଟାକୁ କେବଳ ସମ୍ଭାବନା ବୋଲିହିଁ କୁହାଯାଇପାରିବ । ସେହି ସମ୍ଭାବନାର ଅନ୍ତ ନାହିଁ । ମନୁଷ୍ୟ କେତେ ଊର୍ଦ୍ଧ୍ୱକୁ ଯାଇପାରିବ, କେତେ ପୂର୍ଣ୍ଣ ଏବଂ କେତେ ପ୍ରଶସ୍ତ ହୋଇପାରିବ,–ସମ୍ଭାବନାରୂପେ ତାହାହିଁ କାଳକାଳକୁ ମନୁଷ୍ୟର ଆଦର୍ଶ ହୋଇ ରହିଛି । ସେହି ସମ୍ଭାବନାଗୁଡ଼ିକର ଅଭିବ୍ୟକ୍ତି,–ତାହାହିଁ ଜୀବନ । ଆମେ ସେହି ସମ୍ଭାବନାଗୁଡ଼ିକର ମହିମା ମଧ୍ୟରେହିଁ ନିଜକୁ, ମନୁଷ୍ୟକୁ ଏବଂ ଏହି ପୃଥିବୀକୁ ଦେଖିବାକୁ ଏବଂ କଳିବାକୁ ଚେଷ୍ଟା କରିବା ।

 

ଶ୍ରୀ ଅରବିନ୍ଦ ଭାଷାରେ, God is infinite possibility (MCE, ୧୦,୧୪୭) ସିଏ ଅନନ୍ତ ସମ୍ଭାବନାର ଆକାର । ତୁମେ, ମୁଁ, ସାନ ପିଲାଟିଏ, ଏହି ପୃଥିବୀ,–ସମସ୍ତେ ଅନନ୍ତ ସମ୍ଭାବନାକୁ ବହନ କରି ରହିଛନ୍ତି । ତେଣୁ ଅଭିବ୍ୟକ୍ତିର ପ୍ରକ୍ରିୟାରେ ଆଦୌ କୌଣସି ବିରାମ ନାହିଁ । ବ୍ୟକ୍ତିଗତ ତଥା ସାମୂହିକ ଆମର ଉଭୟ ଜୀବନରେ ଏହି ଦୃଷ୍ଟିକୋଣଟିହିଁ ଆମକୁ ସତତ ଅଗ୍ରସର କରାଇ ନେଉଥିବ, ଏକ ନିତ୍ୟ ଆବିଷ୍କାରର ଆନନ୍ଦ ଦେଇ ଯାଉଥିବ ।

 

ଶେଷରେ ମାଆଙ୍କର ସେହି ସ୍ମରଣୀୟ ଉକ୍ତିଟି :

 

“ଯେଉଁମାନେ ଗୋଟାଏ ଶବ୍ଦକୁ ନେଇ ଏତେ ଭୟ କରୁଛନ୍ତି, ଏତକ ସେହିମାନଙ୍କ ସକାଶେ :

 

“ପରମ ଦିବ୍ୟସତ୍ତା (Divine) କହିଲେ ଆମେ ଏହିପରିହିଁ ବୁଝୁଛୁ :– ଆମକୁ ଯେତେ ଯେତେ ଜ୍ଞାନ ଅର୍ଜନ କରିବାକୁ ପଡ଼ିବ, ଆମକୁ ଯେତେ ଶକ୍ତିର ଅଧିକାରୀ ହେବାକୁ ପଡ଼ିବ, ଯେତେ ଯେତେ ଶ୍ରଦ୍ଧା ମଧ୍ୟରେ ପ୍ରବେଶ କରିବାକୁ ପଡ଼ିବ, ଯେତେ ଯେତେ ପୂର୍ଣ୍ଣତା ହାସଲ କରିବାକୁ ପଡ଼ିବ, ଆଲୋକ ଏବଂ ଆନନ୍ଦକୁ ସଙ୍ଗୀ କରି ଆମକୁ ସମଞ୍ଜସତାର ଯେଉଁ ଉତ୍ତରୋତ୍ତର ଭୂମିଗୁଡ଼ିକରେ ଯାଇ ପହଞ୍ଚିବାକୁ ପଡ଼ୁଥିବ ଏବଂ ଯେଉଁସବୁ ନୂତନ ତଥା ଅଜ୍ଞାତ ମହିମାର ଉପଲବ୍ଧି ଆମଲାଗି ଅପେକ୍ଷା କରି ରହିଛି ।” (MCE, ୧୪, ୧୭)

☆☆☆

 

ସଂଶୟ (ସଂଶୟବାଦ)

 

ସଂଶୟ, ସଂଶୟରୁ ଜିଜ୍ଞାସା, ଓ ଆମର ଶ୍ରଦ୍ଧା ରହିଥିଲେ ଜିଜ୍ଞାସାରୁହିଁ ଯାବତୀୟ ପରିଚୟ ଏବଂ ସାକ୍ଷାତ୍‌କାର । ସମ୍ଭବତଃ ସଂଶୟ ଓ ବିସ୍ମୟକୁ ଅନେକ ସମୟରେ ପରସ୍ପରର ସହୋଦର ଓ ଏପରିକି ଜନନୀ ବୋଲି କୁହାଯାଇପାରିବ ।

 

ମଣିଷ ଆଗ ସଂଶୟ କଲା ନା ଆଗ ବିଶ୍ୱାସ ପାଖରେ ଯାଇ ପହଞ୍ଚି ଯାଇଥିଲା ? ସଂଶୟ ଥିବ, ତଥାପି କ’ଣଟିଏ ଅବଶ୍ୟ ରହିଛି ବୋଲି ବିଶ୍ୱାସ ରଖି ବାଟ ଚାଲୁଥିବ, ସମ୍ଭବତଃ ଅସଲ ବିଶ୍ୱାସରେ ଜୀବନ ବଞ୍ଚିବା ନିମନ୍ତେ ତାହାହିଁ ହେଉଛି ଏକ ସୁସ୍ଥ ପ୍ରଣାଳୀ । ଅନେକ ସମୟରେ ବିଶ୍ୱାସ ଅଟକିଯାଏ; ସଂପୃକ୍ତ ମନୁଷ୍ୟମାନେ ଅଟକି ଯାଆନ୍ତୁ ବୋଲି ଏକ ଚକ୍ରାନ୍ତରୁ ଆମର ଧର୍ମମାନେ ପୃଥିବୀର ଇତିହାସରେ ଏତେ ଏତେ ଭୂମିକାରେ ଅବତୀର୍ଣ୍ଣ ହେବାଲାଗି କ୍ଷେତ୍ରମାନ ପାଇ ଯାଇଛନ୍ତି । ସଂଶୟକୁ ମାରିଦେଇ ଯେଉଁ ବିଶ୍ୱାସ ମନୁଷ୍ୟର ଆସ୍ପୃହାଗୁଡ଼ିକ ଉପରେ ଏକା ରାଜତ୍ୱ କରିବାକୁ ଇଚ୍ଛା କରିଛି, ହୁଏତ ସେଇ ପୃଥିବୀର ଜୀବନ ଭିତରକୁ ବହୁତ ବହୁତ ପ୍ରମାଦକୁ ଡାକିନେଇ ଆସିଛି ।

 

ଅପରପକ୍ଷରେ ସଂଶୟଟା ଯେତେବେଳେ ପ୍ରାୟ ଏକ ସ୍ଥାୟୀ ବୃତ୍ତିରେ ପରିଣତ ହୋଇଛି ଅର୍ଥାତ୍‌ ସଂଶୟଟା ପାଇଁହିଁ ସଂଶୟ କରିବାକୁ ଯେତେବେଳେ ଥୋକାଏ ମଣିଷ ପ୍ରାୟ ଏକ ଧର୍ମର ନିଷ୍ଠାରେ ବାହାରି ପଡ଼ିଛନ୍ତି, ସେତେବେଳେ ମଧ୍ୟ କମ୍‌ ପ୍ରମାଦ ହୋଇନାହିଁ । ତେଣୁ, ଆମ ସଂଶୟ ଭିତରେ ସର୍ବଦା ଏପରି ଏକ ନମନୀୟତା ରହିଥିବା ଉଚିତ, ଯାହାକି ଆମକୁ ବିଶ୍ୱାସରୁ ବୃହତ୍ତର ମଧ୍ୟକୁ ନେଇ ଯାଉଥିବ, ବିଶ୍ୱାସକୁ ସ୍ଥାଣୁ ହୋଇ ପଡ଼ିବାରୁ ଭେଷଜ ପରି ରକ୍ଷା କରିପାରୁଥିବ । ଅର୍ଥାତ୍‌, ଆମେ ସଂଶୟର ଚାଟଶାଳିରେ ବସି ବିଶ୍ୱାସର ପାହାଚଗୁଡ଼ିକ ଉଠିଯାଇ ପାରୁଥିବା ସତ, ମାତ୍ର ସଂଶୟବାଦୀ ହୋଇ ଯାଉ ନଥିବା ।

☆☆☆

 

ସଂସାରବନ୍ଧନ

 

ସଂସାରଟାକୁ ଏକ ବନ୍ଧନ ବୋଲି ସଂସାରୀମାନେ ଯୁଗଯୁଗରୁ ଶୁଣି ଆସିଛନ୍ତି । ଯେଉଁମାନେ ନିଜପାଇଁ ସଂସାରତ୍ୟାଗ କରିବାର ଆଉ ବାଟଟିକୁ ବାଛିଛନ୍ତି, ସେମାନେ ନିଜପାଇଁ ସ୍ୱତନ୍ତ୍ର ଆଳୟମାନ ଲୋଡ଼ିବାରେ ମନୋନିବେଶ କରିଥିଲେ ମଧ୍ୟ ତଥାପି ସଂସାର ଏବଂ ବନ୍ଧନ ଉଭୟ ଭିତରେ ରହିଛନ୍ତି । ପୃଥିବୀରେ ଧର୍ମ ତଥା ସମ୍ପ୍ରଦାୟଗୁଡ଼ିକର କୀର୍ତ୍ତିଅକୀର୍ତ୍ତିଗୁଡ଼ିକୁ ଦେଖିବାମାତ୍ରକେ ତାହା ଅତ୍ୟନ୍ତ ସ୍ପଷ୍ଟ ହୋଇ ଯାଇଥାଏ । Thiswordly ଓ otherwordly ମଧ୍ୟରେ ଚିରଦିନ ବିବାଦ ଲାଗି ଆସିଛି । ଶ୍ରୀ ଅରବିନ୍ଦ ନିଜକୁ ଗୋଟାସୁଦ୍ଧା ଏପାଖର ବା ସେପାଖର ବୋଲି କହିନାହାନ୍ତି । ଏପାଖଟା ବିଷୟରେ ଯେତିକି କହିଛନ୍ତି ତଥାକଥିତ ସେପାଖଟା ବିଷୟରେ ମଧ୍ୟ ସେତିକି କହିଛନ୍ତି । ଏପାଖଟିକୁ ସେପାଖର ଭୂମି ବୋଲି କହିଛନ୍ତି ଏବଂ ସେପାଖଟି ଏପାଖଟିକୁ ତାହାର ଯଥାର୍ଥ ଆସ୍ପୃହାଗୁଡ଼ିକଦ୍ୱାରା ଯେପରି ସଦା ଆକାଂକ୍ଷିତ କରି ରଖିପାରିବ, ତାହାର ବାରତାଟି ମଧ୍ୟ ଦେଇଯାଇଛନ୍ତି । (BCL, ୨୨, ୧୨୧)

 

ସଂସାର ମୋଟେ ବାନ୍ଧେନାହିଁ । ଅଜ୍ଞାନ ବାନ୍ଧେ, ଅହଂ ବାନ୍ଧେ,–ତାମସିକ, ରାଜସିକ ତଥା ସାତ୍ତ୍ୱିକ ବହୁ ପ୍ରଲୋଭନରେ ପଡ଼ି ଯେତେବେଳେ ମଣିଷ କେଉଁଠାରେ ଲାଖିଯିବ ବୋଲି ନିଷ୍ପତ୍ତିଟିଏ କରିପକାଏ, ସେତିକିବେଳେ ବନ୍ଧନରେ ପଡ଼ିଥାଏ, ସେହି ପ୍ରଲୋଭନରେ ସିଏ ସ୍ୱର୍ଗରେ ରହିଥିଲେବି ସେଠାରେ ବାନ୍ଧିହୋଇ ପଡ଼େ । ପୁନଶ୍ଚ, ସଂସାର ବାହାରେ ଆଉ କେଉଁଠାରେ ଯଥାର୍ଥ ସୁଖ ରହିଛି ବୋଲି କୌଣସି ମିଥ୍ୟାବାକ୍ୟର କବଳରେ ପଡ଼ିଗଲେ ସଂସାରଟା ବନ୍ଧନ ପରି ମନେହୁଏ । ଅକ୍ଷୌହିଣୀ ସଂଖ୍ୟାର ଜଣାଣ, ଭଜନ ଓ ସ୍ତୋତ୍ର ବା ମନ୍ତ୍ର ମନୁଷ୍ୟମାନଙ୍କୁ ସଂସାରବନ୍ଧନ ନାମକ ପ୍ରରୋଚନାଟିକୁ ଦେଇ ସେମାନଙ୍କୁ ଅକ୍ରିୟ ଓ ନାବାଳକ କରି ରଖିଆସିଛି । ଅକ୍ରିୟ ମଣିଷମାନଙ୍କୁ ସବୁକିଛି ବନ୍ଧନ ଭଳି ଲାଗିବହିଁ ଲାଗିବ ।

 

ପରମ ମୁକ୍ତିଦାତା ଏହି ସଂସାରରେ ମଧ୍ୟ ଅଛନ୍ତି । ସିଏ ମୋ’ ଭିତରେ ଓ ସମସ୍ତଙ୍କ ଭିତରେ ଅଛନ୍ତି । ସଚେତନ ଭାବରେ ମୋ’ ଜୀବନରେ ତାଙ୍କରି ଇଚ୍ଛା ପୂର୍ଣ୍ଣ ହେବାରେ ଲାଗିଥିଲେ ମୋତେ ଏହି ସଂସାର ଆଉ କାହିଁକି ବନ୍ଧନ ବୋଲି ଲାଗିବ ? ଏବଂ, ଗେହ୍ଲାମାନଙ୍କୁ ବନ୍ଧନହିଁ ସବୁବେଳେ ଅଧିକ ଭଲ ଲାଗିବା ସ୍ୱାଭାବିକ । ସେଇଥିପାଇଁ ହୁଏତ ଆମେ ଅନେକେ ସଂସାରକୁ ଏକ ବନ୍ଧନ ବୋଲି କହିଆସିଛୁ ଓ ଆମ ଭିତରର ଆମର ଅସଲ ଅନୁମନ୍ତାଟିକୁ ଭାରି ଅନ୍ୟମନସ୍କ କରି ରଖିଆସିଛୁ ।

☆☆☆

 

ସଂସ୍କୃତି

 

ଜୀବନନାମକ ଏକ ଗଠନକଙ୍କାଳ ଉପରେ ସଂସ୍କୃତି ଆଦୌ ଶୋଭାବର୍ଦ୍ଧନକାରୀ ଗୋଟିଏ ଅଳଙ୍କାର ନୁହେଁ, ସଂସ୍କୃତି ସମଗ୍ର ଜୀବନରହିଁ ଏକ ପରିପ୍ରକାଶ । ଅସଲ ସଂସ୍କୃତି ସ୍ଥୂଳକୁ ବାହ୍ୟ କହି ସୂକ୍ଷ୍ମ ଉପରେ ମୋଟେ ମୁହଁମାଡ଼ି ପଡ଼ି ରହି ନଥାଏ । ବହୁତ ମନୁଷ୍ୟଙ୍କୁ ନିମ୍ନତମ ସ୍ଥୂଳ ଅତ୍ୟାବଶ୍ୟକତାଗୁଡ଼ିକରୁ ବଞ୍ଚିତ କରି ରଖି ଯେତେବେଳେ କେତେକ ମଣିଷ ତଥାକଥିତ ସୂକ୍ଷ୍ମ କ୍ଷେତ୍ରଗୁଡ଼ିକରେ ସଂସ୍କୃତିର ରସପାନ କରୁଥାଆନ୍ତି, ସେତେବେଳେ ସଂପୃକ୍ତ ସମାଜକୁ ପ୍ରକୃତରେ ବହୁ ବିକୃତି ଏବଂ ଅସୁନ୍ଦରତା ଗିଳି କରି ରହିଥାଏ ।

 

ସଂସ୍କୃତିଯୁକ୍ତ ମନୁଷ୍ୟ ଅଧିକ ଦିଏ, ଦେଇ କରି ସତେଅବା ବହୁତ କିଛି ପାଏ । ଅନ୍ୟମାନଙ୍କୁ ଆଗରେ ରଖି ନିଜ ଜୀବନଟିର ଆଭିମୁଖ୍ୟଗୁଡ଼ିକୁ ସେହି ଅନୁସାରେ ବଞ୍ଚିବାର ପ୍ରୟାସ କରୁଥାଏ । ଯେଉଁ ମନୁଷ୍ୟମାନେ ପ୍ରାୟ ଆଦୌ କିଛି ନ ଦେଇ ଯଥାସମ୍ଭବ ସବୁଯାକ ଭୁଞ୍ଜିବାକୁହିଁ ଜୀବନର ସବାବଡ଼ ପ୍ରଣାଳୀରୂପେ ଗ୍ରହଣ କରିଥାନ୍ତି, ବାଇବେଲରୁ ଶବ୍ଦଟିଏ ନେଇ ଶ୍ରୀ ଅରବିନ୍ଦ ସେମାନଙ୍କୁ philistine ବା ସଭ୍ୟତାଭୋଜି ବୋଲି କହିଛନ୍ତି । (BCL, ୧୫, ୭୯)

 

ସବୁ ମଣିଷଙ୍କର ସର୍ବନିମ୍ନ ପ୍ରୟୋଜନଗୁଡ଼ିକର ସୁନିଶ୍ଚିତ ପରିପୂରଣ ହେଉଛି ଯାବତୀୟ ସୁସ୍ଥ ସଂସ୍କୃତି ନିମନ୍ତେ ସର୍ବପ୍ରଥମ ପଦକ୍ଷେପ ଓ ସର୍ବପ୍ରଥମ ନିରାପତ୍ତା । ତା’ପରେ ଯେତେବେଳେ ସେମାନେ ଆହୁରି ଅଧିକ କିଛିକୁ ମନ କରନ୍ତି, ଦ୍ରବ୍ୟଗୁଡ଼ିକୁ ଗୌଣ ବୋଲି ଅନୁଭବ କରନ୍ତି କାରଣ ଶୁଭତର ଗୁଣାତ୍ମକତାଗୁଡ଼ିକୁ ବ୍ୟକ୍ତିଗତ ତଥା ସାମୂହିକ ଜୀବନରେ ଲୋଡ଼ି ବାହାରନ୍ତି, ସେମାନଙ୍କର ଜୀବନରେ ସଂସ୍କୃତି ସହିତ ଯାତ୍ରାଟି ସତକୁସତ ସେତିକିବେଳେ ଆରମ୍ଭ ହୁଏ । ଆମେ ସେହି ଯାତ୍ରାଟିକୁ ସମ୍ଭବତଃ ବହୁ ଅପୂର୍ଣ୍ଣ ମଧ୍ୟରୁ ବହୁ ପୂର୍ଣ୍ଣତା ମଧ୍ୟକୁ ଯାତ୍ରା ବୋଲି କହିପାରିବା । ଅପୂର୍ଣ୍ଣତାର ଅନ୍ତ ନଥାଏ ବୋଲି ପ୍ରାପ୍ତ ପୂର୍ଣ୍ଣତାଗୁଡ଼ିକର ମଧ୍ୟ ଅନ୍ତ ନାହିଁ ।

 

ଜୀବନକୁ ସମୃଦ୍ଧ କରିବା, ସଂପ୍ରସାରିତ କରିବା ଏବଂ ଆହୁରି ଆହୁରି ଲାଗି ଉତ୍ସାହିତ କରିବାକୁ ଶ୍ରୀ ଅରବିନ୍ଦ ସଂସ୍କୃତିର ଲକ୍ଷ୍ୟ ବୋଲି କହିଛନ୍ତି । (BCL, ୧୪, ୧୦୨) ଆମକୁ ସତେଅବା ଏକ ଅନୁରୂପ ପ୍ରତିଶ୍ରୁତିର ଯୋଗ୍ୟ କରିବା ଲାଗି ସେ ଆଉଏକ ପ୍ରସଙ୍ଗରେ ପୃଥିବୀପୃଷ୍ଠରେ ସ୍ୱର୍ଗର ଉପଲବ୍ଧିକୁ ସଂସ୍କୃତି ଆଗରେ ଲକ୍ଷ୍ୟରୂପେ ଆଣି ଥୋଇଛନ୍ତି । (ତତୈବ, ୫) ପୁନଶ୍ଚ, “କେବଳ ସ୍ୱଳ୍ପସଂଖ୍ୟକ କେତେକଙ୍କୁହିଁ ଊର୍ଦ୍ଧ୍ୱ ଅତ୍ୟୁଚ୍ଚ ଶିଖରଗୁଡ଼ିକୁ ଉଠାଇନେବା ନୁହେଁ, ମାତ୍ର ସବୁ ମନୁଷ୍ୟଙ୍କୁ, ସମଗ୍ର ଜୀବନକୁ ଏବଂ ସର୍ବାଙ୍ଗୀନ ବ୍ୟକ୍ତିମନୁଷ୍ୟକୁ ଉପର ଆଡ଼କୁ ଆକର୍ଷିତ କରିନେବା, ଜୀବନକୁ ଏକ ଆଧ୍ୟାତ୍ମିକ ଭୂମି ମଧ୍ୟକୁ ଉତ୍ତୋଳିତ କରିନେବା–ଏହିଗୁଡ଼ିକ ହେଉଛି ସଂସ୍କୃତିର ଲକ୍ଷ୍ୟ ।” (BCL, ୧୪, ୧୪୦) ଏବଂ, ସଂସ୍କୃତିର କଥା କହିଲାବେଳେ ମାନସିକ ତଥା ଆଧ୍ୟାତ୍ମିକ ଦିଗଗୁଡ଼ିକ ଉପରେ ଗୁରୁତ୍ୱ ଦେବାକୁ ଇଚ୍ଛା କରି ଯେପରି ଜୀବନର ବାହ୍ୟ ଭୌତିକ ଦିଗଟିର ଗୁରୁତ୍ୱକୁ ଊଣା କରିଦିଆ ନଯାଏ, ଶ୍ରୀ ଅରବିନ୍ଦ ସେ ବିଷୟରେ ମଧ୍ୟ ସାବଧାନ କରି ଦେଇଛନ୍ତି । (BCL, ୧୫, ୪୯୬–୭)

☆☆☆

 

ସାଧନା

 

ସାଧନା ଅଶେଷ ପ୍ରକାରର, ସେହି ଅନୁସାରେ ସାଧକ ମଧ୍ୟ ଅଶେଷ ପ୍ରକାରର । ପୂର୍ଣ୍ଣ ଯୋଗର ସାଧନା ଚେତନାରେ ପରିବର୍ତ୍ତନ ନିମନ୍ତେ । (BCL, ୨୨, ୧୩୭,–“nothing else matters”) ବର୍ତ୍ତମାନର ପୃଥିବୀଟାକୁ ଅହଂ ଶାସନ କରୁଛି । ଅହଂଗତ ପରିପୂର୍ଣ୍ଣତାର ରାସ୍ତାରେ ବୁଦ୍ଧିମାନ୍‌ ମନୁଷ୍ୟମାନେ ମୁଗ୍ଧ ପଥିକ ହୋଇ ଧାବମାନ ହୋଇ ରହିଛନ୍ତି । ପୂର୍ଣ୍ଣଯୋଗର ସାଧକ ନିଜପାଇଁ କୌଣସି ସାଧନା କରେନାହିଁ, ଭଗବାନଙ୍କ ପାଇଁ ସାଧନା କରେ । ଭଗବାନଙ୍କର ଏହି ପୃଥିବୀପାଇଁ ସାଧନା କରେ, ଏବଂ, ସେହି ସାଧନା ନିମନ୍ତେ ଆପଣାକୁ ଉପଯୁକ୍ତ କରି ଆଣୁଥାଏ ।

 

ଶ୍ରୀ ଅରବିନ୍ଦ ଏହି ଅଧ୍ୟାତ୍ମ ସାଧନାରେ ଦୁଇଟି ଲକ୍ଷ୍ୟ ନିରୂପଣ କରି ଦେଇଛନ୍ତି : ପ୍ରଥମ ଲକ୍ଷ୍ୟରୂପେ ବ୍ୟକ୍ତିର ଜୀବନରେ ଭଗବାନଙ୍କୁ ଅବତୀର୍ଣ୍ଣ କରାଇଆଣିବା ନିମନ୍ତେ ବ୍ୟକ୍ତିସୀମାକୁ ଡେଇଁଯିବାକୁ ପଡ଼ିବ । ଅର୍ଥାତ୍‌, ଅହଂର ଯାବତୀୟ ବାଡ଼ ଉଠିଯିବ । ଏକ ବିଶ୍ୱଚେତନାହିଁ ସାଧକକୁ ବେଷ୍ଟନ କରି ରହିଥିବ । ଭଗବାନଙ୍କୁ ବିଶ୍ୱ ମଧ୍ୟରେ ପୂର୍ଣ୍ଣପ୍ରତିଷ୍ଠ କରିବା ନିମନ୍ତେ ଆମକୁ ଜଣେ ଜଣେ ବ୍ୟକ୍ତି ହିସାବରେ ବିଶ୍ୱକୁ ମଧ୍ୟ ଅତିକ୍ରମ କରିବାକୁ ପଡ଼ିବ । ଏକ ବିଶ୍ୱାତୀତ ଚେତନା ମଧ୍ୟକୁ ଆରୋହଣ କରିବାକୁ ପଡ଼ିବ । (BCL, ୧୭, ୪୯)

 

ଏବଂ, “ସାଧନାର ରହସ୍ୟ ହେଉଛି ଯେ, ଏଥିରେ ନିଜକୁ କେବଳ ଦେଇଦେବାକୁହିଁ ହୁଏ । କୌଣସି ଦାବି ନଥାଏ, ଅଧିକାରର ଅଭିଳାଷ ନଥାଏ । ଆମେ ନିଜକୁ ଯେତିକି ଦେଇ ଦେଉଥିବା, ପାଇବାର ଶକ୍ତି ସେତିକି ବୃଦ୍ଧି ପାଇବାରେ ଲାଗିଥିବ । ମାତ୍ର ସେଥିଲାଗି, ସକଳ ପ୍ରକାରର ଅଧୀରତା ଓ ଅଭିଯୋଗ ବନ୍ଦ ହୋଇଯିବା ଏକାନ୍ତ ଆବଶ୍ୟକ । ମୋତେ କିଛି ମିଳିଲାନାହିଁ, ମୁଁ ସାହାଯ୍ୟ ପାଇଲିନାହିଁ, ମୋ’ପାଇଁ କୃପା ହେଲାନାହିଁ,–ତେଣୁ ମୁଁ ଆଉ କାହିଁକି ରହିବି, ଏହି ଜୀବନକୁ ଏଥର ରଖି ଆଉ କ’ଣ ହେବ, ଏ ସାଧନାବି ଆଉ କାହିଁକି କରିବି,–ଏହି ସବୁକିଛିକୁ ତ୍ୟାଗ କରିବାକୁ ପଡ଼ିବ ।” (BCL,୨୩, ୭୬୩)

☆☆☆

 

ସିଦ୍ଧି

 

ଶାସ୍ତ୍ରରେ ସାଧନା ଅନୁସାରେ ସିଦ୍ଧିମାନେ ମଧ୍ୟ ରହିଛନ୍ତି । ସେହି ହିସାବରେ ଅତୀତରେ କେତେକେତେ ସାଧକ ନିଜର ଈପ୍ସିତ ସିଦ୍ଧିଗୁଡ଼ିକୁ ଲାଭ କରିଛନ୍ତି, ଏବେ ମଧ୍ୟ କରୁଛନ୍ତି-। ଅସାଧାରଣ ସାଧନାମାନ କରି ଅସାଧାରଣ ଓ ଅଲୌକିକ ସିଦ୍ଧିଗୁଡ଼ିକୁ ଲାଭ କରିଛନ୍ତି-। ଅଣିମା, ଲଘିମା ଓ ଆହୁରି କେତେକେତେ ସିଦ୍ଧିର କଥା ଶାସ୍ତ୍ରମାନଙ୍କରେ କୁହାଯାଇଛି । ସ୍ୱତନ୍ତ୍ର ସିଦ୍ଧି ଆଣି ଦେଉଥିବା ସ୍ୱତନ୍ତ୍ର ଗୁରୁମାନେ ମଧ୍ୟ ରହିଛନ୍ତି । ପୂର୍ଣ୍ଣଯୋଗରେ ସାଧନା ରହିଛି, ସିଦ୍ଧି ନାହିଁ-

 

ଚେତନାର ପରିବର୍ତ୍ତନ–କ୍ରମରେ ସାଧକ ଶେଷରେ କେଉଁଠାରେ ଯାଇ ପହଞ୍ଚିବ, ସେକଥା କିଏ ହିସାବ କରି କହିବ ? ଅବଶ୍ୟ, ଯଦି କେହି କୌଣସି କାରଣରୁ କେଉଁଯାଏ ଆସି ଅଟକିଯିବ ଓ ତାହାର ଚରମ ସିଦ୍ଧି ହୋଇଯାଇଛି ବୋଲି ଘୋଷଣା କରିବ, ତେବେ ତାହା ନିଶ୍ଚୟ ଏକ ଭିନ୍ନ କଥା ହେବ । ପ୍ରଧାନତଃ ସେହି ଦୁର୍ଭାଗ୍ୟଟି ହେତୁ ପୃଥିବୀରେ ସମ୍ପ୍ରଦୟଗୁଡ଼ିକ ତିଆରି ହୋଇଛନ୍ତି । ଚେତନାର ପରିବର୍ତ୍ତନ, ପୃଥିବୀର ପରିବର୍ତ୍ତନ,–ଏସବୁ ଶେଷରେ କେଉଁ ଗାରପାଖରେ ଆସି ସର୍ବୋଚ୍ଚ ଥାନରେ ଆସି ପହଞ୍ଚିଗଲା ବୋଲି କହିବ,–ଏହା କଦାପି ସମ୍ଭବ ହେବନାହିଁ ।

 

ତେଣୁ, ନିଜକୁ ପରିପୂର୍ଣ୍ଣ ଭାବରେ ଦେଇଦେବାହିଁ ପୂର୍ଣ୍ଣଯୋଗର ସାଧନା । ନିଜକୁ ପରିପୂର୍ଣ୍ଣ ଭାବରେ ଦେଇଦେବାର ଅର୍ଥ ହେଉଛି ପରିପୂର୍ଣ୍ଣ ଭାବରେ ଯୋଗ୍ୟ ହେବାରେ ଲାଗିଥିବା-। ସେହି ଲାଗିଥିବାହିଁ ସାଧନା ଏବଂ ଲାଗିଥିବାହିଁ ସିଦ୍ଧି । ତାହାହିଁ ସକଳ ଆନନ୍ଦର କାରଣ, ତାହାହିଁ ସକଳ ନୈକଟ୍ୟବୋଧ । “ଆପଣାର ସକଳ ହୃଦୟ ତଥା ସକଳ ଶକ୍ତି ସହିତ ନିଜକୁ ସେହି ପରମେଶ୍ୱରଙ୍କ ହାତରେ ଅର୍ପଣ କରିଦେବ । କୌଣସି ସର୍ତ୍ତ ରଖିବନାହିଁ, ମୋଟେ କିଛିହେଲେ ମାଗିବନାହିଁ । ଏପରିକି ସିଦ୍ଧି ମଧ୍ୟ ମାଗିବାର କୌଣସି ଅଭିଳାଷ ନଥିବ । କେବଳ ଏତିକି ମାଗୁଥିବ ଯେ, ତୁମର ଜୀବନରେ ଏବଂ ତୁମକୁ ମାଧ୍ୟମ କରି ଯେପରି ତାଙ୍କରି ଇଚ୍ଛାଟିହିଁ ନିଜକୁ ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟକାରୀ କରୁଥାଉ । ଯେଉଁମାନେ ତାଙ୍କ ପାଖରେ କୌଣସି ଦାବି କରନ୍ତି, ପରମେଶ୍ୱର ସେମାନଙ୍କର ସେହି ଦାବିଟିକୁହିଁ ପୂରଣ କରି ଦିଅନ୍ତି । ମାତ୍ର, ଯେଉଁମାନେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଦିଅନ୍ତି ଏବଂ ଆଦୌ କିଛି ଦାବି କରନ୍ତିନାହିଁ, ସିଏ ସେମାନଙ୍କୁ ସବୁକିଛି ଦିଅନ୍ତି ।” (BCL, ୧୬, ୪୧୪)

☆☆☆

 

ସୁହୃତ୍‌

 

ଆମେ ସମସ୍ତେ ଯଦି ତାଙ୍କରି ସନ୍ତାନରୂପେ ଏହି ପୃଥିବୀକୁ ଆସିଛୁ, ତେବେ ଆମ ପରସ୍ପର ମଧ୍ୟରେ ଯଥାର୍ଥ ସମ୍ପର୍କଟି ସତକୁସତ କ’ଣ ହେବା ଉଚିତ ? ସଂସାର ଚଳିବାର ଏହି ବହୁରଙ୍ଗୀ ବାଣିଜ୍ୟଟା ଭିତରେ ପ୍ରୟୋଜନ ଅନୁସାରେ କେତେ ଭଳି ସମ୍ପର୍କର ନିର୍ଣ୍ଣୟ କରି ଦିଆଯାଇଛି । ସେହି ସମ୍ପର୍କଗୁଡ଼ିକ କାର୍ଯ୍ୟତଃ ଏକ ଦୂରତାର ସନ୍ତକ ହୋଇ ରହିଛନ୍ତି : ଉଚ୍ଚନୀଚ, ବଡ଼ ସାନ, ଜ୍ୟେଷ୍ଠ କନିଷ୍ଠ, ଭୃତ୍ୟ ମାଲିକ, ପ୍ରଜା ରାଜା, ଗୁରୁ ଶିଷ୍ୟ ଇତ୍ୟାଦି ଇତ୍ୟାଦି । ଭାଗ୍ୟବାନ ସେଇମାନେ, ଯେଉଁମାନେ ନିଜର ଯାବତୀୟ ପରିଚୟର ତଳେ ନିଜକୁ ସନ୍ତାନର ପରିଚୟରେ ଦେଖୁଛନ୍ତି ଓ ସନ୍ତାନର ପରିଚୟରେ ବାଟ ଚାଲୁଛନ୍ତି । ଆମେ ସମସ୍ତେ ତାଙ୍କରି ସନ୍ତାନ,–ଅର୍ଥାତ୍‌ ଆମେ ସମସ୍ତେ ପରସ୍ପରର ବନ୍ଧୁ; ଆମେ ସେହି ଡୋରଟିର କ୍ଷେତ୍ରରେ ଅର୍ଥାତ୍‌ ହୃଦୟର କ୍ଷେତ୍ରରେ ପରସ୍ପରର କେଡ଼େ ନିକଟ,–ଆମେ ଜଣେ ଆଉଜଣଙ୍କର ସୁହୃତ୍‌ । ଆମ ପରିଚୟ ହେଉଛି ପ୍ରକୃତରେ ଆମର ଏହି ଡୋରଟି ।

 

ନିଜ ଚୈତ୍ୟଯାଏ ପହଞ୍ଚି ପାରିଲେ ସେହି ଅସଲ ଡୋରଟିହିଁ ଆମ ସମସ୍ତଙ୍କୁ ସର୍ବଦା ଅତ୍ୟନ୍ତ ନିକଟ କରି ରଖିଛି ବୋଲି କେଡ଼େ ସହଜରେ ଅନୁଭବ ହୋଇଆସେ । ବାହାରର ଏହି ଦୂରତାମାନେ ଆଉ ବାଟ ଓଗାଳି ରହି ପାରନ୍ତିନାହିଁ । ନିଜ କେନ୍ଦ୍ରଟି ଅନ୍ୟମାନଙ୍କର କେନ୍ଦ୍ର ପାଖରେ ଯାଇ ନିର୍ଭୟ ହୋଇ ଠିଆ ହୋଇଯିବାକୁ ଇଚ୍ଛୁକ ହୋଇଉଠେ । ଏହିପରି ଆବିଷ୍କାର କରୁ କରୁ ଓ ନିକଟବର୍ତ୍ତୀ ହେଉ ହେଉ ଆଖର ସ୍ୱୟଂ ଭଗବାନ୍‌ ମଧ୍ୟ ସୁହୃତ୍‌ଟିଏ ହୋଇ ସମ୍ମୁଖରେ ଆସି ଉଭା ହୁଅନ୍ତି । ହୁଏତ ସେହିଭଳି ଏକ ପ୍ରତ୍ୟକ୍ଷ କରୁଥିବା ମୁହୂର୍ତ୍ତ ଉପରେ ଦୃଷ୍ଟିପାତ କରି ଗୀତାର ଋଷି ତାଙ୍କୁ ‘ସୁହୃବଂ ସର୍ବଭୂତାନାଂ’ କହି ସମ୍ବୋଧନ କରିଛନ୍ତି । (BCL,୧୩, ୩୭୩)

 

ଏକ ପତ୍ରରେ ମାଆ ଜଣେ ସନ୍ତାନ ପାଖକୁ ଲେଖିଛନ୍ତି (MCE, ୧୩, ୭୧): “ବାବୁରେ, ମୋତେ ତୁ କେବଳ ଜଣେ ବନ୍ଧୁରୂପେ ଦେଖୁଛୁ ବୋଲି ଅଭିଯୋଗ କରି କହିଛୁ । ...ମାତ୍ର, ନିଜର ଏପରି ଜଣେ ବନ୍ଧୁ ଯଦି ଥିବ, ଯିଏ ସବୁ ଜାଣେ, ସବୁ କରିପାରେ, ଯିଏ ଭଲ ପାଇପାରେ,–ତାହା ଅପେକ୍ଷା ଆଉ ଅଧିକ ଭଲ ପ୍ରକୃତରେ କ’ଣ ହୋଇପାରେ ?” ସମସ୍ତେ ତ ତାଙ୍କରି ସନ୍ତାନ, ତେଣୁ ସେହି ସନ୍ଦର୍ଭରେହିଁ ସମସ୍ତଙ୍କୁ ବନ୍ଧୁରୂପେ ଦେଖିବାର ସେହି ସତତ ଉନ୍ମୋଚନର ବାଟରେ ଆମେ ନିଜେ କାହିଁକି ଓ କେତେ ଦିନ ଗୋଟିଏ ଗୋଟିଏ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଥିବା ?

☆☆☆

 

ସେବା

 

କର୍ମ ବାନ୍ଧେନାହିଁ; ଅହଂ ବାନ୍ଧି ପକାଏ, ଲାଳସା ବାନ୍ଧି ପକାଏ, ଅଳ୍ପହିଁ ବାନ୍ଧି ପକାଏ । ଏବଂ, ଜଣେ ଅହଂମୁକ୍ତ ବ୍ୟକ୍ତି ଏହି ପୃଥିବୀରେ ଯାହାକିଛି କରେ, ତାହାକୁ ଆମେ ସେବା ବୋଲିହିଁ କହିବା । ସେବା ନିଜ ବିମୋଚନରେ ମଧ୍ୟ ସାହାଯ୍ୟ କରେ । ଅହଂର ଅଳ୍ପତାରୁ ମୁକ୍ତ ହେବାଲାଗି ସେବା ଏକ ଆତ୍ମପ୍ରସାରଣର କାର୍ଯ୍ୟ କରେ, ଅନ୍ୟ ସମସ୍ତଙ୍କୁ ଆଦୌ କୌଣସି ସର୍ତ୍ତ ଅଥବା ବାଛ ନରଖି ନିଜ ସହିତ ଅଭେଦ କରି ଦେଖିବାରେ ସାହାଯ୍ୟ କରେ । ସଂସାର–ବୈରାଗୀକୁ ତା’ର ଉପେକ୍ଷା ଭିତରୁ ବାହାରି ଆସିବାକୁ ବଳ ଯୋଗାଇଦିଏ ।

 

ଗୀତାର ଦୃଷ୍ଟାନ୍ତ ଦେଇ ଶ୍ରୀ ଅରବିନ୍ଦ କହିଛନ୍ତି ଯେ, ଜ୍ଞାନୀ ତା’ର ନିଜ ଜୀବନଟିକୁ ଏପରି ଭାବରେ ବଞ୍ଚିବ, ଯାହାଦ୍ୱାରା କି ଅଧ୍ୟାତ୍ମଚେତନାକୁ ଆସି ନଥିବା ଅନ୍ୟମାନଙ୍କୁ ସେ “give the love and habit of all works;–କେବଳ ଧାର୍ମିକ ଓ ଯତିଯୋଗ୍ୟ ବୋଲି ସ୍ୱୀକୃତ ହେଉଥିବା କାର୍ଯ୍ୟଗୁଡ଼ିକ ନୁହେଁ, ସବୁ କାମ । କାରଣ, ନିଜର ଦୃଷ୍ଟାନ୍ତଦ୍ୱାରା ସେ ମନୁଷ୍ୟମାନଙ୍କୁ ସଂସାରରେ ଆଦୌ କର୍ମବିମୁଖ କରି ପକାଇବ ନାହିଁ । (BCL, ୨୦, ୧୩୪) ଭାରତୀୟ ଯୋଗ ଓ ଧର୍ମ–ପରମ୍ପରାରେ ଈଶ୍ୱରଙ୍କ ଲାଗି ନିଜକୁ ସମର୍ପଣ କରି ଦେଇଥିବା ବ୍ୟକ୍ତିମାନେ ଯେ ଯଥାସମ୍ଭବ ସକଳ କର୍ମରୁ ନିଜକୁ ବିଲଗ କରି ରଖିଛନ୍ତି, ଭାରତର ଲୋକଜୀବନକୁ କର୍ମକାତର କରି ରଖିବାରେ ତାହା ଏକ ମନ୍ଦ ଉତ୍ସାହ ପ୍ରଦାନ କରିଛି କି ? The power of service to others, the will to make our life a thing of work and use to God and man,–ଏହାକୁ ଶ୍ରୀ ଅରବିନ୍ଦ ଏକ ଅନ୍ୟତମ soul power ବୋଲି କହିଛନ୍ତି । (BCL, ୨୦, ୭୧୯) ଆମ ଆତ୍ମା ମଧ୍ୟରେ ରହିଥିବା ଏହି ସେବାଶକ୍ତି ହେଉଛି ସେହି ବିଶ୍ୱସ୍ତରୀୟ ପ୍ରେମଶକ୍ତି ଯାହା ପ୍ରତିବଦଳରେ କିଛି ପାଇବ ବୋଲି ଆଶା କରେନାହିଁ, ମନୁଷ୍ୟ ମଧ୍ୟରେ ପ୍ରଚ୍ଛନ୍ନ ଭଗବାନଙ୍କର ସ୍ଥୂଳ ଜାଗତିକ ଜୀବନରହିଁ ସେବା କରେ ଓ ତାହାର କାମରେ ଲାଗେ,.... ସେହି ପରମକର୍ତ୍ତାଙ୍କର ନିର୍ଦ୍ଦେଶରେହିଁ ତାଙ୍କରି ସୃଷ୍ଟ ଜୀବମାନଙ୍କର ସେବାରେ ନିଜକୁ ସମର୍ପିତ କରିଥାଏ, ଆମ ସତ୍ତାର ପରମ ପ୍ରଭୁ ଏବଂ ପୃଥିବୀରେ ତାଙ୍କରି କାର୍ଯ୍ୟପାଇଁ ନିଜର ସମସ୍ତ ଜୀବନକୁ ଉତ୍ସର୍ଗ କରି ଦେଇଥାଏ । (ତତ୍ରୈବ, ୫୨୨–୩)

 

ଏବଂ, ପୃଥିବୀରେ ପରମେଶ୍ୱରଙ୍କର ଏତେ କାର୍ଯ୍ୟ ସମ୍ପନ୍ନ ହେବାକୁ ଅପେକ୍ଷା କରି ରହିଥିବାବେଳେ ତାଙ୍କରି ସହିତ ନିଜକୁ ଯୁକ୍ତ କରି ରଖିଥିବା ମନୁଷ୍ୟମାନେ ନିଜକୁ ସେଇଥି ନିମନ୍ତେ ପ୍ରେରିତ କରି ରଖିବା ବ୍ୟତୀତ ପ୍ରକୃତରେ ଆଉ କ’ଣ କରିପାରିବେ ?

☆☆☆

 

ସୌନ୍ଦର୍ଯ୍ୟ

 

ସୃଷ୍ଟି ତ ମୂଳରୁ ଥିଲା, ମଣିଷହିଁ ସର୍ବପ୍ରଥମେ ତାହାକୁ ସୁନ୍ଦର ବୋଲି କହିଲା । କେତେକୁ ସୁନ୍ଦର ବୋଲି କହିଲା ଓ ତେଣୁ ଆଉ କେତେକୁ ଅସୁନ୍ଦର ବୋଲି କହିଲା । ଏହି ପୃଥିବୀରେ କୋଉଟା ସୁନ୍ଦର, ପୁଣି ଆଉ କୋଉଟା ଅସୁନ୍ଦର ? ପୁନଶ୍ଚ, ଗୋଟାଏ କେତେକଙ୍କ ଆଖିରେ ସୁନ୍ଦର ହେଲେ ଆଉ କେତେକଙ୍କର ଆଖିକୁ କାହିଁକି ଅସୁନ୍ଦର ବୋଲି ଦେଖା ଯାଉଛି ?

 

ଯାହା ସୁନ୍ଦର ଦିଶେ, କେବଳ ତାହାହିଁ ଅଥବା ସେତିକି କ’ଣ ସୁନ୍ଦର ? କାମଟିଏବି ସୁନ୍ଦର ଓ ଅସୁନ୍ଦର ହୋଇ ପାରୁଛି, ଗୁଣ ବା ଆଚରଣଟିଏ ମଧ୍ୟ ସୁନ୍ଦର ଓ ଅସୁନ୍ଦର ହୋଇ ପାରୁଛି-। ଏକ ଜୀବନକୁ ମଧ୍ୟ ସୁନ୍ଦର ବା ଅସୁନ୍ଦର ବୋଲି କୁହାଯାଇପାରୁଛି । ସୁନ୍ଦର ଦେଖିବା ଏବଂ ସୁନ୍ଦରହେବା ମଧ୍ୟରେ କାହିଁକି ସର୍ବତ୍ର ଏତେ ଫରକ ରହି ଆସିଛି ? ଅନେକ ମଣିଷ ସୁନ୍ଦର ହୋଇ ପାରନ୍ତିନାହିଁ ବୋଲି ସୁନ୍ଦର ଦେଖାଯିବାକୁ କେତେ ଭଳି ଉଦ୍ୟମ କରୁଥାନ୍ତି । ଆଧୁନିକ ପୃଥିବୀରେ ସୁନ୍ଦର ଦେଖାଯିବାକୁ ଯେ ଏତେ ବୁଦ୍ଧି ଖରଚ କରାଯାଉଛି, ତା’ପଛରେ ସୁନ୍ଦର ନହୋଇ ପାରିବାର କୌଣସି ଗ୍ଳାନି ଅତ୍ୟନ୍ତ ପ୍ରକୁପିତ ହୋଇ ରହିଛି କି ? ପୁନଶ୍ଚ, ଅନେକ ମଣିଷ ସୁନ୍ଦରହେବା ଉପରେ ଏତେ ବେଶୀ ମହତ୍ତ୍ୱ ଦିଅନ୍ତି ଯେ, ସୁନ୍ଦର ଦେଖାଯିବାର ସେହି ଅନ୍ୟ କଥାଟିକୁ ଅନେକ ସମୟରେ ପ୍ରାୟ ପାସୋରି ଦେଇଥାନ୍ତି ।

 

ସୌନ୍ଦର୍ଯ୍ୟ ଏକ ବିକାର ହୋଇପାରେ, ଏକ ବିଚାର ହୋଇପାରେ ଏବଂ ଏକ ଚେତନା ମଧ୍ୟ ହୋଇପାରେ । ମଣିଷମାନଙ୍କର ଆଖି ଭିନ୍ନ ଭିନ୍ନ, ହୃଦୟ ମଧ୍ୟ ଭିନ୍ନ ଭିନ୍ନ । ପୁଣି, ଆଖି ଏବଂ ହୃଦୟ ଦୁଇଟିଯାକକୁ ଏପରି ଏକ ସ୍ତରକୁ ଉତ୍ତୋଳିତ କରି ନିଆଯାଇପାରେ, ଯେଉଁଠି କିଛି ସୁନ୍ଦର ଦିଶେନାହିଁ କି କିଛି ଅସୁନ୍ଦରବି ଦିଶେନାହିଁ । ସବୁ କେବଳ ମହିମାମୟ ଦେଖାଯାଉଥାଏ । ସୁନ୍ଦର ଅସୁନ୍ଦର ବାଛି ସୁନ୍ଦରଗୁଡ଼ିକୁ ଏକ ଉଚ୍ଚତ୍ତର ମୂଲ୍ୟ ଦେବା, ଏଇଟା ସବୁ କ୍ଷେତ୍ରରେ ଆଦୌ ଏକ ସୁସ୍ଥତର ରୁଚି ବା ଆସ୍ପୃହାର ପରିଚୟ ଦିଏନାହିଁ । ସୁନ୍ଦର ସହିତ କଲ୍ୟାଣ ପରିପୂରକ ହୋଇ ରହିବାକୁ ଶ୍ରୀ ଅରବିନ୍ଦ ଏକ ଉଚ୍ଚତ୍ତର ଆସ୍ପୃହା ବୋଲି କହିଛନ୍ତି । ସିଏ ଏକ ବୁଦ୍ଧିର ଅତୀତ ଅର୍ଥାତ୍‌ suprarational ସୌନ୍ଦର୍ଯ୍ୟ କଥା କହିଛନ୍ତି, Higher beautyର ଚର୍ଚ୍ଚା କରିଛନ୍ତି । (BCL, ୧୫, ଅଧ୍ୟାୟ ୧୦ ଏବଂ ୧୪) ଭାରତୀୟ ଅଧ୍ୟାତ୍ମରେ ସତ୍ୟ, ଶିବ ଓ ସୁନ୍ଦରକୁ ଯେ ଗୋଟିଏ ସମଗ୍ରରେ ବାନ୍ଧି ଦିଆଯାଇଛି, ତାହାର ମଧ୍ୟ ମର୍ମପ୍ରବେଶ କରିବାକୁ ଆମେ ପ୍ରୟାସ କରିପାରିବା । ନିଜ ଭିତରେ ତଦ୍ଦ୍ୱାରା ଏପରି ଏକ କେନ୍ଦ୍ରର ଠାବ ମିଳନ୍ତା, ଯାହା ଏକାଧାରାରେ ସତ୍ୟ, ମଙ୍ଗଳମୟ ଏବଂ ସୁନ୍ଦର । ତା’ପରେ ଆମର ସକଳ ଅନୁଭବ କେବଳ ସୌନ୍ଦର୍ଯ୍ୟସମ୍ପନ୍ନହିଁ ହୁଅନ୍ତା । ଏକ ପରମସମ୍ପତ୍‌ର ଅଧିକାର ମିଳିଯାଆନ୍ତା ।

☆☆☆

 

ସ୍ୱଭାବ

 

ଭାରତୀୟ ପୁରାତନ ଶାସ୍ତ୍ରରୁ ଉଲ୍ଲେଖ ଦେଇ ଶ୍ରୀ ଅରବିନ୍ଦ କହିଛନ୍ତି ଯେ ଏହି ପୃଥିବୀରେ ସବୁକିଛି ସ୍ୱଭାବଦ୍ୱାରାହିଁ ନିରୂପିତ ହୋଇଛି । ସ୍ୱଭାବନିୟତଂ କର୍ମ;–ପ୍ରତ୍ୟେକ ବ୍ୟକ୍ତିର, ଗୋଷ୍ଠୀ ଓ ଜୀବଜାତିର ଏବଂ ଏହି ବିଶ୍ୱର ମଧ୍ୟ ଏକ ସ୍ୱଭାବ ରହିଛି । ପୃଥିବୀ–ବିକାଶର ପ୍ରକ୍ରିୟାଟି ତାହାରି ଅନୁସାରେ ପରିଚାଳିତ ହେଉଛି । ବିଚାରଟିରେ ଏକ ଆଧୁନିକ ବ୍ୟଞ୍ଜନା ଯୋଡ଼ି ଦେଇ ଆମେ ପ୍ରତ୍ୟେକ ବ୍ୟକ୍ତିର ସ୍ୱଭାବକୁ ତା’ ମଧ୍ୟରେ ରହିଥିବା ଅନନ୍ୟତା ଅର୍ଥରେ ବୁଝିପାରିବା କି ? ପୃଥିବୀରେ କୌଣସି ଦୁଇଜଣ ବ୍ୟକ୍ତି ମଧ୍ୟ ପରସ୍ପର ସହିତ ଅବିକଳ ଏକାଭଳି ନୁହନ୍ତି । ତେଣୁ, କୌଣସି ଗୋଟିଏ ସୂତ୍ର ବା ବିଧାନକୁ ସବୁ ମନୁଷ୍ୟଙ୍କ ଉପରେ କଦାପି ମଇ ଭଳି ଚଳାଇ ଦିଆଯାଇ ପାରିବନାହିଁ । ଚଳାଇ ଦେବାର ଚେଷ୍ଟା ହେଲେ ତଦ୍ଦ୍ୱାରା କେବଳ ବ୍ୟକ୍ତିପାଇଁ ନୁହେଁ, ସମଗ୍ର ପୃଥିବୀପାଇଁ ମଧ୍ୟ ବହୁତ ପ୍ରମାଦ ଆସି ପହଞ୍ଚିବ ।

 

ସ୍ୱଭାବକୁ ଶ୍ରୀ ଅରବିନ୍ଦ an own–being ବୋଲି କହିଛନ୍ତି । (BCL, ୨୭, ୨୦୯) ପ୍ରତ୍ୟେକ ସ୍ୱଭାବର ନିଜର ଏକ ନିୟମଧାରା ରହିଛି । ଶାସ୍ତ୍ରର ଅଭିଧାରେ ତାହାହିଁ ସ୍ୱଧର୍ମ-। ଗୀତାରେ ସ୍ୱଧର୍ମର ବିସ୍ତୃତ ବ୍ୟାଖ୍ୟା ଦିଆଯାଇଛି । ବର୍ତ୍ତମାନ ତ ସ୍ୱଧର୍ମ ଅନୁସାରେ କର୍ମ କରିବା କହିଲେ ସମାଜରେ ନିରୂପିତ ହୋଇ ରହିଥିବା ଭିନ୍ନ ଭିନ୍ନ ଜାତିର ଭିନ୍ନ ଭିନ୍ନ ଧନ୍ଦାକୁ ବୁଝାଉଛି-। ଶ୍ରୀ ଅରବିନ୍ଦ ତାହାକୁ ସ୍ୱୀକାର କରିନାହାନ୍ତି । (BCL, ୩, ୩୮୦) ପ୍ରତ୍ୟେକ ମନୁଷ୍ୟର ସ୍ୱଭାବହିଁ ସ୍ୱଧର୍ମର ଅନୁସରଣ କରି ଆତ୍ମ–ଅଭିବ୍ୟକ୍ତି ତଥା ଆତ୍ମ–ଆବିଷ୍କାରର ମାର୍ଗରେ କ୍ରିୟାଶୀଳ ହୋଇ ରହିଛି । (BCL, ୧୩, ୫୦୩) କୌଣସି ବାଧା ପହଞ୍ଚିଲେ କ୍ରିୟାଶୀଳ ହେବାର ସେହି ଧାରାଟି ମଧ୍ୟ ନାନାପ୍ରକାରେ ବକ୍ର ଏବଂ ଗ୍ରନ୍ଥିପୂର୍ଣ୍ଣ ହୋଇଯିବାର ବହୁତ ଆଶଙ୍କା ରହିଛି ।

 

ଆଧୁନିକ ଶିକ୍ଷାରେ କ୍ରମେ ସ୍ୱଭାବର ଏହି ବିଚାରଟିକୁ ଅଧିକରୁ ଅଧିକ ମହତ୍ୱପୂର୍ଣ୍ଣ ବୋଲି ଅନୁଭବ କରାଯାଉଛି । ମନୁଷ୍ୟମାନଙ୍କୁ ମଣ କରିବାର ଯେତେ ଫିକର ରାଷ୍ଟ୍ରଦ୍ୱାରା କରାଯାଉଛି, ତଦ୍ଦ୍ୱାରା ମନୁଷ୍ୟର ଅସଲ ପ୍ରଭାଟିକୁ ନଷ୍ଟ କରି ଦେବାପାଇଁହିଁ ଷଡ଼ଯନ୍ତ୍ର ହେଉଛି । ଅଧ୍ୟାତ୍ମର ଯାବତୀୟ ବିଚାରରେ କ୍ରମେ ସ୍ୱଭାବ ଉପରେ ଅଧିକରୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ।

☆☆☆

 

ହେତୁବାଦ

 

ବୁଦ୍ଧି ହେଉଛି ମଣିଷର ଅସଲ ଆଖି । ବିଶ୍ୱାସ ନୁହେଁ । ଯେଉଁ ଜୀବନ–ଦୃଷ୍ଟିଟି ଏକାନ୍ତ ଭାବରେ ବୁଦ୍ଧି ଉପରେହିଁ ବିଶ୍ୱାସ ରଖି ମଣିଷକୁ ପରିଚାଳିତ କରି ଆସିଛି ଓ କରୁଛି, ସେଇଟିକୁ ପାରମ୍ପରିକ ଭାବରେ ହେତୁବାଦ ବୋଲି କୁହାଯାଇ ଆସିଛି । ପୃଥିବୀରେ ଯାହାକିଛି ଘଟୁଛି, ତାହା ପଛରେ ଏକ ବା ଏକାଧିକ କାରଣ ଅବଶ୍ୟ ରହିଛି । କାରଣର ଅନ୍ୱୋଷଣ ନକରି କୌଣସି କଥାକୁ ସତ୍ୟ ବୋଲି ସ୍ୱୀକାର କରିବା ହେଉଛି ଅନ୍ଧବିଶ୍ୱାସ । ଅନ୍ଧବିଶ୍ୱାସରୁ ପୃଥିବୀଯାକର ମଣିଷଙ୍କୁ ମୁକ୍ତ କରି ଆଣିବାରେ ହେତୁବାଦର ଏକ ଗୌରବପୂର୍ଣ୍ଣ ଅବଦାନ ସର୍ବଦା ରହିଆସିଛି । ଆଧୁନିକ ବିଜ୍ଞାନର ପ୍ରତିଷ୍ଠାରେ ହେତୁବାଦ ସର୍ବଦା ପ୍ରେରଣାରୂପେ କାର୍ଯ୍ୟ କରିଛି, ମନୁଷ୍ୟମାନଙ୍କୁ ବହୁତ ବହୁତ ଅଳ୍ପ ଭିତରୁ ବାହାର କରି ଆଣି ମନୁଷ୍ୟର ଭାବନାକୁ ବିସ୍ତାର ପ୍ରଦାନ କରିଛି ।

 

ହେତୁବାଦର ଗୋଟିଏ ବଡ଼ ଅସୁବିଧା ହେଉଛି ଯେ ତାହା ମନୁଷ୍ୟର ମସ୍ତିଷ୍କଟାକୁହିଁ ଜ୍ଞାନଲାଭର ଏକମାତ୍ର ଗବାକ୍ଷ ବୋଲି ସ୍ୱୀକାର କରିଛି । ପୃଥିବୀକୁ ଜାଣିବାର ଆହୁରି କେତେକେତେ ଦ୍ୱାର ମଧ୍ୟ ରହିଛି । ତେବେ, ଯେଉଁ ଗାରପାଖକୁ ଆସି ମସ୍ତିଷ୍କ ହଟିଯାଏ, ସେହି ଗାରଟିକୁ ଆମେ କାହିଁକି ଶେଷ ଗାର ବୋଲି କହିବା ? ଏହିପରି ଭାବରେ ନିଜ ଗାରଟି ମଧ୍ୟରେ ନିଜକୁ କିଳି ରଖି ହେତୁବାଦ ମନୁଷ୍ୟମାନଙ୍କ ସକାଶେ ବହୁ ବିଡ଼ମ୍ବନା ଏବଂ ଅସହିଷ୍ଣୁତାର କାରଣ ହୋଇଛି ।

 

ହେତୁ ମଧ୍ୟ ଏକାଧିକ ସ୍ତରର ରହିଛି । ତେଣୁ, ଆମ ଜ୍ଞାନଲାଭର ସ୍ତରଟିକୁ ମଧ୍ୟ ଆମେ ଯୋଗ୍ୟ ହେବାମାତ୍ରେ ବୁଦ୍ଧିକୁ ଡିଆଁଇ ଆହୁରି କେଡ଼େଆଡ଼େ ବିସ୍ତୃତ କରିଦେଇ ପାରିବା । ହେତୁବାଦ ଯେ ନିତାନ୍ତ ଅହେତୁକ ଭାବରେ ଆମକୁ ତାହାରି ଗାରଟି ପାଖରେ ଅଟକି ରହିବାକୁ ପ୍ରବର୍ତ୍ତାଇବାରେ ଲାଗିଥାଏ, ତାହାହିଁ ଆମକୁ ଆମ ଜ୍ଞାନ ଏବଂ ଅନୁଭବର କ୍ଷେତ୍ରରେ ଭାରି ଦରିଦ୍ର କରି ରଖିଥାଏ । ମନୁଷ୍ୟର ଅବବୋଧକ୍ଷେତ୍ରରେ ଏପରି ଏକ ସ୍ଥିତିସ୍ଥାପକତା ସର୍ବଦା ରହିଛି, ଯାହା ବଳରେ କି ସିଏ ହେତୁର ସିଡ଼ିଟିରେ ସୋପାନ ପରେ ସୋପାନ ଉଠି ଯାଇପାରେ ଏବଂ ତଥାକଥିତ ହେତୁବାଦର ଆକଟଟାକୁ ମୋଟେ ମାନେନାହିଁ । ତଦ୍ଦ୍ୱାରା ସିଏ ଜଣେ ନିଷ୍ଠାପର ହେତୁବାଦୀ ହୋଇ ପାରେନାହିଁ ସତ, ମାତ୍ର ହେତୁର ପୃଥିବୀରେ ବହୁ ବହୁ ପ୍ରସ୍ଥକୁ ତା’ର ଆଖି ପାଇଯାଏ । ବୁଦ୍ଧି ସେପାଖକୁ ଅନ୍ୟ ଯେଉଁ ଗବାକ୍ଷମାନେ ରହିଛନ୍ତି, ସେଗୁଡ଼ିକ ମଧ୍ୟରେ ପ୍ରବେଶ କରିପାରିଲେ ହେତୁବାଦଟା ଯେ ପ୍ରକୃତରେ କେତେ ଅଳପ, ସେହି ପ୍ରତ୍ୟୟଟି ସ୍ପଷ୍ଟ ହୋଇ ଯାଇଥାଏ ।

 

I have not come here to accomplish miracles, but to show, lead the way, help on the road to a great inner change of our human nature...

 

Go forward calmly and firmly, not attached to success, but not disturbed by unsuccess...

 

My help will then not fail you.–Sri Aurobindo (BCL, 27, 481)

ଅଲୌକିକ ଘଟନା ଘଟାଇବାକୁ ମୁଁ ଏଠାକୁ ଆସିନାହିଁ, ପରନ୍ତୁ ମୁଁ ଆସିଛି ବାଟ ଦେଖାଇବାକୁ, ପରିଚାଳିତ କରିନେବାକୁ, ଆମର ମାନୁଷୀ ପ୍ରକୃତିର ମହାନ୍ ଆନ୍ତର ପରିବର୍ତ୍ତନ ପଥରେ ସହାୟତା କରିବାକୁ......

 

ସଫଳତା ପ୍ରତି ଆସକ୍ତ ନହୋଇ, ମାତ୍ର ଅସଫଳତାଦ୍ୱାରା ବିଚଳିତ ନହୋଇ ଶାନ୍ତ ଓ ଦୃଢ଼ ଭାବରେ ଅଗ୍ରସର ହୁଅ.....

 

ତାହାହେଲେ ମୋର ସାହାଯ୍ୟ ତୁମକୁ ବିଫଳ କରିବ ନାହିଁ ।

 

–ଶ୍ରୀ ଅରବିନ୍ଦ (BCL, ୨୭, ୪୮୧)

Image